ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ଅଖିଳମୋହନ ପଟ୍ଟନାୟକ
ଉତ୍କଳମଣି ଗୋପବନ୍ଧୁ ଦାସ
ଭୂପେନ୍‌ ମହାପାତ୍ର
ଦିଲ୍ଲୀପ ଦାସ
ବିଷ୍ଣୁପ୍ରିୟା ମହାପାତ୍ର
ବୈକୁଣ୍ଠନାଥ ପଟ୍ଟନାୟକ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ଚୋର
  କମଳାକାନ୍ତ ମହାପାତ୍ର, ଭୁବନେଶ୍ବର
 
 
ତା: ଏପ୍ରିଲ୍ ୧୪, ୨୦୧୧  
 

ପୋଷ୍ଟମାଷ୍ଟ୍ରାଣୀଙ୍କ ଅଗଣା ଦାଢରେ ଭେଣ୍ଡିଗଛ ଓ ଲଙ୍କାଗଛ ଲାଗିଥିଲା୤ ଭେଣ୍ଡିଗଛରେ କଷି ଧରିଥାଏ୤ କେହି ନାହାଁନ୍ତି ଦେଖି ଶଶାଙ୍କ ଗୋଟିଏ କଷି ଭେଣ୍ଡି ଛିଡେଇ ଖାଇଦେଲା୤
ଶୋଇବାଘରେ ନ ପହଞ୍ଚୁଣୁ ବସିବାଘରୁ ହସ ଓ ପାଟିତୁଣ୍ଡ ଶୁଣିପାରିଲା୤ ହଠାତ୍ କାହିଁକି ସେମାନଙ୍କ ସାମ୍ନାକୁ ଯିବାକୁ ତାକୁ ଲାଜ ମାଡିଲା୤ କାରଣ ମାଆ ବିନା ସଙ୍କୋଚରେ ପଚାରିଥାନ୍ତା- “କଣ ପେଟ ସଫା ହେଲା?” ତାଙ୍କ ଘରେ ପେଟସଫା କଥାର ଗହୀର ଅର୍ଥ ଥିଲା ସେଇଦିନଠାରୁ, ଯେଉଁଦିନ ଶଶାଙ୍କ ବିଛଣାରେ ହଗିଦେଇଥିଲା୤
ସେଇ ଶୋଇବାଘର ମଝିରେ ଠିଆହେଲା୤ ଡାହାଣ କାନ୍ଥକୁ ଲାଗି ଗୋଟିଏ ଖଟ୤ ଖଟ ମୁଣ୍ଡ ଉପରେ ଡୋରବନ୍ଧା ଲୁଗା ଆଲଗୁଣି୤ ତା ପାଖରେ ଗୁଡାହୋଇ ଦୁଇଟା ବଡ ସପ୤ ଘରର ବାଁ ପଟ କିନ୍ତୁ ଆଉ ଗୋଟିଏ ଦୁନିଆ ଭଳି ତାକୁ ଲାଗିଲା୤ ସେପଟେ ଥିଲା ଗୋଟିଏ ଟେବୁଲ୍, ଟେବୁଲ୍ ଉପରେ ଗୋଟିଏ ଇଲେକ୍‌ଟ୍ରିକ୍‌ ଲ୍ୟାମ୍ପ, ଥାକେ ବହି ଓ ଗୋଟିଏ କାଚଗ୍ଲସ୍‌ରେ ଗ୍ଲାସେ କଲମ୤ କଲମ ଉପରେ ଶଶାଙ୍କର ନଜର ଲାଗିରହିଲା୤ ତା ଛାତି ସେତେବେଳେ ଉଠୁଥିଲା, ପଡୁଥିଲା୤ କେଡେ ଚମତ୍କାର ଦିଶୁଥିଲେ କଲମଗଣ୍ଡାକ୤

ସେ ଟେବୁଲ ପାଖକୁ ଗଲା୤ କାହାର ଏସବୁ କଲମ- ପୋଷ୍ଟମାଷ୍ଟ୍ରାଣୀଙ୍କର ନା ତାଙ୍କ ପୁଅର ? ଶଶାଙ୍କ ଗୋଟିଏ କଳା ପ୍ଲାଟୋ କଲମ ଉଠାଇ ଆସ୍ତେ କ୍ୟାପ୍ ଖୋଲିଲା କିନ୍ତୁ ତାର ରାଇ ଘୋରିହୋଇଯାଇଥିଲା୤ ମୁନ ଆଗରେ କାଳି ଶୁଖିଯାଇଥିଲା୤ ତାକୁ ଥୋଇଦେଇ ସେ ଗୋଟିଏ ନାଲି ଟିକ୍କୋ ଉଠାଇଲା୤ ସେଥିରେ ନାଲି କାଳି ପଶିଥିଲା ଓ ଶଶାଙ୍କ ତା ପାପୁଲିରେ ଦୁଇଟା ଗାର ପକାଇ କଲମଟା ଥୋଇଦେଲା୤ ଗ୍ଲାସରେ ଥୁଆ ହୋଇଥିଲା ଗୋଟିଏ ନେଳି ରଙ୍ଗର ରାଇଟର୍ କଲମ୤ ଶଶାଙ୍କ ତାକୁ ଛୁଇଁଲା ନାହିଁ୤ ରାଇଟର୍ କଲମରେ ଗଣା ହୁଏ ନାହିଁ୤ ତା ମତରେ ନିହାତି ଶସ୍ତା, ଲମ୍ବାରେ ଛୋଟ, କାଳି ଧରେ କମ୍, ଛାତି ପକେଟ୍ରେ ଖୋସି ଜୋରରେ ଚାଲିଗଲେ କାଳି ଲିକ୍ କରେ, ମୁନ କେବେ ମନ ମୁତାବକ ମୋଟା ହୁଏ ନାହିଁ୤ ଶଶାଙ୍କ ପାଇଁ ସେମିତିକା ଗୋଟିଏ କଲମ କିଣା ହୋଇଆସିଥିଲା ଯେ, ସେ ତାକୁ ଦୁଇ ତିନି ଦିନ ଭିତରେ କାମୁଡି, ମୁନ ଭାଙ୍ଗି ଫୋପାଡିଦେଇଥିଲା୤ ରାଇଟର୍ ପାଖରେ ନିଊନ ହୋଇ ଠିଆ ହୋଇଥିଲା ଗୋଟିଏ କାଣିଆଙ୍ଗୁଠି ସରୁ ଅନାମିକା କଲମ, ତା ପାଖେ ସବା ଶେଷରେ, ମୁଣ୍ଡ ଉଞ୍ଚା କରି, ସେଇ ଅପୂର୍ବ ସୁନ୍ଦରୀ, ଯାହାକୁ ଶଶାଙ୍କ ପ୍ରଥମରୁ ଜାଣିଶୁଣି ଦୃଷ୍ଟି ଆଢୁଆଳରେ ରଖିଥିଲା୤ ତା ଆଖି ଝଲ୍ସିଯାଇଥିଲା ସେ କଲମ ଦେଖି, ସୁନେଲି କ୍ୟାପ୍, ଲାଲ ଟକ୍ଟକ୍ ବେଣ୍ଟ, କ୍ଲିପ୍ ଅନ୍ୟମାନଙ୍କଠାରୁ ଛୋଟ, କିନ୍ତୁ ମୋଟା ଓ ସେଥିରେ ଭରପୂର ଦମ୍ଭ୤ ଶଶାଙ୍କ ଗ୍ଲାସରୁ ସେ କଲମଟା ଉଠାଇ ଧରିଲା ଓ ପଢି ଦେଖିଲା: ପାର୍କର୍୤

ଏଇ ସେଇ ପାର୍କର କଲମ ? ଶଶାଙ୍କର ଦମ୍ ଅଟକିଗଲା୤ ମାଆ ଥରେ କହିଥିଲା, ବାପା ତାଙ୍କ ବାହାଘରରେ ଗୋଟିଏ ପାର୍କର କଲମ ଉପହାର ପାଇଥିଲେ, ଯାହାକୁ ପରେ ତାଙ୍କ ଅଫିସ୍ରେ କେହି ଜଣେ ସହକର୍ମୀ ମାଗିନେଇ ନେଇନାହିଁ ବୋଲି ଗାଲୁ ପେଲିଲା୤ ପାର୍କର ପୃଥିବିର ସବୁଠାରୁ ଦାମୀ କଲମ; ମୁନ ସୁନାରେ ତିଆରି, ମୁନ ଭାଙ୍ଗିଗଲେ ତାକୁ ବଣିଆ ପାଖକୁ ନେଇ ତରଳାଇଦେଲେ ଅଣାଏ ଓଜନର ସୁନା ବାହାରେ ଯେ ଲୋକେ ସେଥିରେ ମୁଦି କରି ପିନ୍ଧନ୍ତି୤ ଏଥିରେ ବୋତଲରୁ ଢାଳି କାଳି ପୁରାଇବାକୁ ପଡେ ନାହିଁ୤ ବେଣ୍ଟ ଖୋଲିଲେ ଦି ଫାଳିଆ ଷ୍ଟିଲ୍ ପାତ ଭିତରେ ରବର ଟ୍ୟୁବ୍ ଥାଏ୤ କଲମ ମୁନକୁ ଦୁଆତରେ ବୁଡାଇ ଷ୍ଟିଲ୍ ପାତକୁ ଦୁଇ ଚାରିଥର ଚିପିଦେଲେ କଲମ ଭିତରକୁ କାଳି ଉଠିଆସେ୤

ଶଶାଙ୍କ କଲମକୁ ନାକ ପାଖକୁ ଆଣି ଶୁଂଘିଲା୤ ପାନଜର୍ଦା ଓ ଝାଳମିଶା ବଢିଆ ବାସ୍ନା ଛାଡୁଥିଲା କଲମଟା ୤ ଶଶାଙ୍କର ନାକପୁଡା ଥରିଆସିଲା୤ ସେ ପେଟେ ବାସ୍ନା ଟାଣିନେଲା୤ ତା ହାତ ସେତେବେଳକୁ ଝାଳେଇଯାଇଥିଲା୤ ତାକୁ ଲାଗିଲା କଲମଟା କାଳେ ତା ହାତରୁ ଖସିପଡିବ୤
ବାହାରଘରୁ ଗିନା ଥାଳିଆ ଏକାଠି ହେବାର ଶବ୍ଦ ଶୁଭୁଥିଲା୤

(୧୨)

ଶଶାଙ୍କ କାନରୁ ଆଙ୍ଗୁଠି ବାହାରକରି କାନେଇଲା୤
ମାଆ କହୁଥାଏ, “ହଠାତ୍‌ ହେଡ୍‌ମାଷ୍ଟର୍‌ ମୋ ସାଙ୍ଗେ ଦେଖା କରିବାକୁ ଆସିଛନ୍ତି ଶୁଣି ମୁଁ କାବ୍ବା ହେଲି୤ ମୋ ପାଖରେ ତାଙ୍କର କ’ଣ କାମ ପଡ଼ିଲା୤” ମାଆ ପାନ ଭାଙ୍ଗୁଥିଲା, ଗୁଆକାତିରେ ଗୁଆ ଭଙ୍ଗା ହେବା ଶବ୍ଦ ହେଉଥିଲା୤ ଶଶାଙ୍କକୁ ବିରକ୍ତ ଲାଗିଲା ଯେ, ମାଆ ଏମିତି ବିଶଦ ବର୍ଣ୍ଣନା ଚଲାଇଥାଏ ସତେ ଯେମିତି ସେ ସବୁ କଥା ଜାଣିଥିଲା୤
“ବିଚରା ହେଡ୍‌ମାଷ୍ଟ୍ରେ ମତେ ଦେଖି ବହୁତ ନେହୁରା ହେଲେ୤” ମାଆ କହିଲା, “ସେ କହିଲେ କଥାଟା ଯେମିତି ସାହେବଙ୍କ କାନରେ ନ ପଡ଼େ ! ମୁଁ ଭାବିଲି, କି କଥା ଏମିତି ଯେ ସାହେବଙ୍କ କାନରେ ପଡ଼ିଲେ ସଂସାର ଉଚ୍ଛନ୍ନ ହେଇଯିବ୤ ହେଡ୍‌ମାଷ୍ଟ୍ର ପିଣ୍ଡାରେ ଠିଆ ହୋଇ କାନ କୁଣ୍ଡେଇ ହେଉଥାନ୍ତି, ସତେ ଯେମିତି ସେ କିଛି ଗୋଟାଏ ଦୋଷ କରିପକାଇଥାନ୍ତି୤ ତାଙ୍କୁ ଚଉକିରେ ବସିବା ପାଇଁ ଯେତେ କହିଲି, ମୋଟେ ଶୁଣିଲେ ନାହିଁ, ସେମିତି ଠିଆ ହୋଇ ରହିଲେ୤ ଚା’ ପିଇବେ କି ବୋଲି ପଚାରିବାରୁ ଜିଭ କାମୁଡ଼ିପକାଇଲେ୤ ତାଙ୍କ ହାବଭାବ ଦେଖି ମୁଁ ତ କାବ୍ବା କାଠ୤ କଥା କ’ଣ?”
ଶଶାଙ୍କ ମୁଣ୍ଡ ତଳୁ ତକିଆ ଭିଡ଼ିଆଣି ମୁହଁ ଉପରେ ମାଡ଼ିଦେଲା୤ ମାଆ କଣ୍ଠ ଆଉ ଶୁଭିଲା ନାହିଁ୤ ଶଳା ଚନ୍ଦାମୁଣ୍ଡିଆ ଚପଲ୍‌ଚୋର ହେଡ୍‌ମାଷ୍ଟର୍‌ ଏମିତି ଗୋଟିଏ କୌଶଳ କରିବ ବୋଲି ଶଶାଙ୍କ କ’ଣ ଭାବିଥିଲା !

ପୃଷ୍ଠା ସଂଖ୍ୟା : 1 2 3 4 5 6 7 8 9 10

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
କମଳାକାନ୍ତ ମହାପାତ୍ର, ଭୁବନେଶ୍ବର
author photo
୧୯୫୧ ମସିହାରେ ଜନ୍ମଗ୍ରହଣ କରିଥିବା କଥାକାର ଶ୍ରୀ କମଳାକାନ୍ତ ମହାପାତ୍ର ଆଧୁନିକ ଓଡ଼ିଆ କଥାସାହିତ୍ୟରେ ଜଣେ ବିସ୍ମୟକର ପ୍ରତିଭାସମ୍ପନ୍ନ ଗାଳ୍ପିକ ଓ ଅନୁବାଦକ ମଧ୍ୟ୤ ତାଙ୍କର ଗଳ୍ପ ସଂକଳନ ମଧ୍ୟରେ "ପାଳଭୁତ (୧୯୮୩)", "ଚୋର ଓ ଅନ୍ୟାନ୍ୟ ଗଳ୍ପ (୨୦୦୧)" ଏବଂ ଉପନ୍ୟାସ "ଫଟୋ (୧୯୯୦)" ଉଲ୍ଲେଖନୀୟ୤ ଜଁ ପାଲ ସାର୍ତ୍ତ, ଆଇଜାକ୍ ବାସେଭିସ୍ ସିଙ୍ଗର, ଗାବ୍ରିଏଲ ଗର୍ସିଆ ମାର୍କ୍ବେଜ୍ଙ୍କ ଭଳି ବିଶ୍ବପ୍ରସିଦ୍ଧ ଲେଖକଙ୍କ ରଚନାକୁ ଓଡିଆରେ ଅନୁବାଦ କରିବା ସହିତ ଫକୀରମୋହନ ସେନାପତି, ଲକ୍ଷ୍ମୀକାନ୍ତ ମହାପାତ୍ର, କିଶୋରୀ ଚରଣ ଦାସ ପ୍ରଭୃତିଙ୍କ ସାହିତ୍ୟକୁ ଇଂଲିଶ୍‌ରେ ଅନୁବାଦ କରି ବିଶ୍ବସ୍ତରରେ ପହଞ୍ଚାଇପାରିଛନ୍ତି୤

ସଂଖ୍ୟା ଦୃଷ୍ଟିରୁ ସ୍ବଳ୍ପ ହୋଇଥିଲେ ହେଁ ଶ୍ରୀ ମହାପାତ୍ରଙ୍କ ଲେଖାର ଶୈଳୀ ଓ କଥାବସ୍ତୁ ଏତେ ମୌଳିକ ଭାବେ ସ୍ବତନ୍ତ୍ର ଓ ଅଦ୍ବିତୀୟ ଯେ ତାଙ୍କର ଧାଡିଟିଏ ପଢିବା ଆରମ୍ଭ କଲେ ଶେଷଯାଏଁ ନ ପହଞ୍ଚି ରହିହୁଏନା୤

ସାମୟିକ ଭାବେ ଅଧ୍ୟାପନା ପରେ ୧୯୭୬ ମସିହାରୁ ଭାରତୀୟ ରାଜସ୍ବ ସେବାରେ ଯୋଗଦାନ କରି ଗାଳ୍ପିକ ଶ୍ରୀ ମହାପାତ୍ର କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ଅନେକ ଉଚ୍ଚ ପଦପଦବୀରେ ଅବସ୍ଥାପିତ୤

 

ମତାମତ ସଂଖ୍ୟା - ୯ ଆପଣଙ୍କ ମତାମତ ?

  • ୧. BISIKESAN NAYAK |  ଏପ୍ରିଲ୍ ୨୩, ୨୦୧୧ - ୩:୦୭ ପୂର୍ବାହ୍ନ

    ଭାରି ସୁନ୍ଦର୍ ହୋଇଛି ଲେଖାଟି

  • ୨. ପ୍ରୁଥୀରାଜ ପାତ୍ର (ଚାଣକ୍ୟ) |  ଜୁଲାଇ ୧୮, ୨୦୧୧ - ୭:୧୧ ପୂର୍ବାହ୍ନ

    ଆପଣଙ୍କ ଲେଖାଟି ଅତି ବଢିଆ ଲାଗିଲା
    ବହୁତ ଧନ୍ୟବାଦ .

  • ୩. ପ୍ରୁଥୀରାଜ ପାତ୍ର (ଚାଣକ୍ୟ) |  ଜୁଲାଇ ୧୮, ୨୦୧୧ - ୭:୧୪ ପୂର୍ବାହ୍ନ

    ଆପଣଙ୍କ ଲେଖାଟି ଅତି ବଢିଆ ଲାଗିଲା
    ବହୁତ ଧନ୍ୟବାଦ .
    ଇତି
    ଆପଣଙ୍କ ର ପା଼କ

  • ୪. Gopal Das |  ଜୁଲାଇ ୧୯, ୨୦୧୧ - ୬:୩୩ ଅପରାହ୍ନ

    ଲେଖାଟି ଏକରକମ ଭଲ ହେଲେ ବ୍ୟଙ୍ଗ ଭଳି ଲଗିଲା.

  • ୫. କ୍ଷୀରୋଦ ରାଉତ, ନାଗପୁର |  ଜୁଲାଇ ୨୭, ୨୦୧୧ - ୫:୫୪ ପୂର୍ବାହ୍ନ

    ଅନେକ ସୁନ୍ଦର ହୋଇଛି. ବାସ୍ତବ ରେ ଘଟୁଥିବା ଛୋଟ ଛୋଟ ଘଟଣା ଗୁଡିକ ଖୁବ୍ ସୁନ୍ଦର କରି ତୋଳି ଧରଛନ୍ତି ଲେଖକ.

  • ୬. ତରୁଣକାନ୍ତି ମିଶ୍ର |  ଅକ୍ଟୋବର୍ ୨, ୨୦୧୧ - ୧୦:୧୬ ପୂର୍ବାହ୍ନ

    କମଳାକାନ୍ତ ଓଡିଆ ସାହିତ୍ୟଜଗତରେ ଏକ ବିସ୍ମୟକର ପ୍ରତିଭା୤ ସେ ଅଳ୍ପ ଲେଖିଛନ୍ତି , କିନ୍ତୁ ଯାହା ଲେଖିଛନ୍ତି, ପ୍ରତ୍ୟେକଟି ଅସାଧାରଣ୤ ସମସାମୟିକ ଓଡିଆ ଗଳ୍ପର ସଂକ୍ଷିପ୍ତତମ ସଂକଳନରେ ମଧ୍ୟ ତାଙ୍କର ଗୋଟିଏ କାହାଣୀ ସ୍ଥାନ ପାଇବାର ଯୋଗ୍ୟ୤
    – ତରୁଣକାନ୍ତି ମିଶ୍ର

  • ୭. Ansumali, Balasore |  ଫେବୃଆରୀ ୨୦, ୨୦୧୩ - ୨:୦୩ ପୂର୍ବାହ୍ନ

    Khub sundara.

  • ୮. ରାଜେଶ୍ ସାହୁ, ଅନୁଗୁଳ,ଓଡିଶା |  ମାର୍ଚ୍ଚ୍ ୩, ୨୦୧୩ - ୨:୦୫ ଅପରାହ୍ନ

    ଓଡିଆ ଭାଷାର ଉନ୍ନତି ପାଇଁ ଏମିତି ଲେଖା ଉଚ୍ଚ ପ୍ରସଶଂନୀୟ ।

  • ୯. ସ୍ମୁତି ସୁମନ |  ମେ ୩, ୨୦୧୩ - ୩:୩୬ ପୂର୍ବାହ୍ନ

    ଅତ୍ୟନ୍ତ ଉଚ୍ଚକୋଟିର ଲେଖା

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤