ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ମନମୋହନ ମିଶ୍ର
ଭୂପେନ୍‌ ମହାପାତ୍ର
କିଶୋରୀକିଙ୍କର ଦାସ
ଭକ୍ତକବି ମଧୁସୂଦନ ରାଓ
ଭଗବତୀ ଚରଣ ପାଣିଗ୍ରାହୀ
ସନ୍ୟାସୀ ନାୟକ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ଚୋର
  କମଳାକାନ୍ତ ମହାପାତ୍ର, ଭୁବନେଶ୍ବର
 
 
ତା: ଏପ୍ରିଲ୍ ୧୪, ୨୦୧୧  
 

(୧୦)

ମାଆ କହିଲା, “ଗହ୍ମାପୂନେଇଁ ଦିନ ସକାଳେ ପୋଷ୍ଟମାଷ୍ଟ୍ରାଣୀ ଆସିଲେ ଦି’ପହରେ ତାଙ୍କ ଘରକୁ ଯିବା ପାଇଁ ନିମନ୍ତ୍ରଣ ଘେନି୤”
“ତମର ଏଠି ପୋଷ୍ଟମାଷ୍ଟ୍ରାଣୀ ?” ଅଜା ପଚାରିଲେ୤
“ନାଇଁ, ହେଲେ ପୋଷ୍ଟମାଷ୍ଟ୍ରର୍‌ଙ୍କ ଘରେ ତାଙ୍କ ସ୍ତ୍ରୀଙ୍କର ଏମିତି ରାଜୁତି ଯେ ସମସ୍ତେ ତାଙ୍କୁ ପୋଷ୍ଟମାଷ୍ଟ୍ରାଣୀ ବୋଲି ଡାକନ୍ତି୤ ଗହ୍ମାପୂନିଅଁ ତାଙ୍କ ଘରେ ବଡ଼ ପର୍ବ୤ ଗତବର୍ଷ ଯାଇନଥିଲି ବୋଲି ତାଙ୍କ ମୁହଁ ମାସେ କାଳ ହାଣ୍ଡି ଭଳି ଭାରି ରହିଥିଲା୤ ଏଥର ସେଇଠୁ ଏଗାରଟା ବେଳକୁ ଦି’ସେର ମିଠା, ଝୁଡ଼ିଏ ଫଳ ନୀଳମଣି ହାତରେ ପଠାଇ ନିଜେ ବାହାରିଲା ବେଳକୁ ଆମ ଗୁଣମଣି କୋଉଠି ଖେଳୁଥିଲେ ଆସି ହାଜର୤ ତା’କୁ ତ ମୋର କୋଉଠିକୁ ସାଙ୍ଗରେ ନେବାକୁ ପ୍ରାଣେ ଭୟ, କାଳେ କ’ଣ ଚୋରେଇ ଆଣିବ ସେ କଥା କିଏ କହିବ? ମୁଁ ସେଇଠୁ ତାକୁ କହିଲି- ତୁ ଘରେ ରହ, ମୁଁ ଅଧଘଣ୍ଟାଏ ଭିତରେ ଫେରିଆସିବି୤ ତାର କିନ୍ତୁ ଏକା ଜିଦ୍, ସେ ମୋ ସାଙ୍ଗରେ ଯିବ୤ ମୁଁ ତାକୁ ମୋ ଦେହ ଛୁଆଁଇ ରାଣ ଖୁଆଇଲି, ପୋଷ୍ଟମାଷ୍ଟ୍ରାଣୀଙ୍କ ଘରେ ସେ ଯେମିତି କୌଣସି ଜିନିଷରେ ହାତ ନ ଦିଏ୤”
ଶଶାଙ୍କର ମନେ ପଡିଲା୤ ଏକ୍ରେ, ମାଆର ଦେହ ନ ଛୁଇଁ ଶାଢିକାନିକୁ ଛୁଇଁ ରାଣ ଖାଇଥିଲା; ଦୁଇରେ, ବଡ ପାଟିରେ “ମାଆ ତୋ ରାଣ ପକାଉଚି, ପୋଷ୍ଟମାଷ୍ଟ୍ରାଣୀଙ୍କ ଘରେ କୌଣସି ଜିନିଷରେ ହାତ ଦେବି ନାହିଁ ” କହି ସାରିବା ପରେ ଏକା ନିଃଶ୍ବାସରେ ଛେପ ନ ଢୋକି ମନେମନେ ଯୋଡିଥିଲା, “…. ବୋଲି ରାଣ ଖାଇ ନାହିଁ୤” ତେଣୁ ପୋଷ୍ଟମାଷ୍ଟ୍ରାଣୀଙ୍କ ଘରେ ବିତିଥିବା ଦେଢ ଦୁଇ ଘଣ୍ଟା ସମୟ ମାଆ ଯେମିତି ନିଶ୍ଚିନ୍ତ ଥିଲା, ଶଶାଙ୍କ ବି ସେମିତି ନିଶ୍ଚିନ୍ତ ଥିଲା୤
ମାଆ ଘଟଣାବଳୀ ବର୍ଣ୍ଣନା କରିଚାଲିଥାଏ୤ ମଝିରେ ମଝିରେ ବାପା ଓ ଅଜା କଣ ମନ୍ତବ୍ୟ ଦେଉଥାନ୍ତି୤ ବଡ ଭଉଣୀ ପାଖ ଘରେ ଶୋଇ ଶୋଇ ରେଡିଓରୁ ଗୀତ ଶୁଣୁଥିଲା, ବୋଧେ ତା ଖାତାରେ ଟିପୁଥିଲା କି କଣ୤ ବଡ ସ୍କୁଲ୍ପିଲା ପ୍ରଣବ ଶଶାଙ୍କକୁ ଚକ୍‌ଲେଟ୍‌ ଦେଉଥିଲା, ନହେଲେ ଶଶାଙ୍କ କେବେଠାରୁ ଘରେ କହିସାରନ୍ତାଣି ଯେ ପ୍ରଣବ ଓ ବଡ ଭଉଣୀ ଭିତରେ ଗୀତ ଖାତା ଦିଆନିଆ ହୁଏ୤
ଶଶାଙ୍କ ଆଙ୍ଗୁଠି ଗୁଞ୍ଜି କାନ ବନ୍ଦ କଲା୤ କିଛି ସମୟ ପରେ କାଢିଲା୤ ପୁଣି ବନ୍ଦ କଲା୤ ପୁଣି କାଢିଲା୤ ମାଆର କଣ୍ଠ ବହୁଦୂରରୁ ସମୁଦ୍ରର ସାଉଁସାଉଁ ଶବ୍ଦ ଭଳି ଶୁଭୁଥିଲା୤ ତା କାନ ତାବ୍ଦା ଲାଗିଲା୤
କିଛି ସମୟ ପାଇଁ କାନରୁ ଆଙ୍ଗୁଠି କାଢି ସେ ସ୍ପଷ୍ଟ ଶୁଣିଲା, ମାଆ କହୁଥିଲା, “ଦୁଇଟି ବୋଲି ବଖରା”- ଗୋଟିଏ ଶୋଇବା ଘର, ସାମ୍ନାଟା ବସାଉଠା ଘର”୤
ଶଶାଙ୍କ ବିରକ୍ତ ହେଲା୤ ମାଆ ଗୋଟିଏ ଗପ କହିବ ତ ସେଥିରେ ହଜାର ଜିନିଷ ପୂରେଇ ଲମ୍ବେଇବ୤ ବାପା ବି ସେମିତି୤ ଗୋଟିଏ ଗପ ଗୋଟିଏ ନୁହଁ- ସେଥିରେ ହଜାର କଥା; ଗୋଟିଏ ଲୋକ କଥା ପଡିଥିଲେ ତା ବାପା କିଏ, ତା କକା କିଏ, ତା ଖୁଡୀଶାଶୁର ନଣନ୍ଦ କୋଉଠି ବାହା ହୋଇଛି, ସବୁ ପଡିବ୤ ଶଶାଙ୍କ ପୁଣି କାନ ବନ୍ଦ କଲା ଓ ଗହ୍ମାପୂନେଇଁ ଦିନ ପୋଷ୍ଟମାଷ୍ଟ୍ରାଣୀଙ୍କ ଘରେ କଟିଥିବା ଖରାବେଳ ମନେ ପକାଇଲା୤

(୧୧)

ପୋଷ୍ଟମାଷ୍ଟ୍ରାଣୀଙ୍କ ଘରେ ମାଆର ଖୁବ୍ ଚର୍ଚ୍ଚା କରାଗଲା୤ ଅନ୍ୟ ସ୍ତ୍ରୀ ଲୋକମାନେ ତାକୁ ଘେରି ବସିଲେ୤ ବହୁଦିନ ପରେ ମାଆ ହସୁଥିଲା ଓ ମୁହଁହାତ ହଲାଇ ଖୁବ୍ ଗପ କରୁଥିଲା୤ ଶଶାଙ୍କକୁ ଖୁବ୍ ଖୁସି ଲାଗିଲା୤ ମାଆ କ୍ବଚିତ୍ ହସୁଥିଲା, ସବୁବେଳେ ଚିନ୍ତାଗ୍ରସ୍ତ, କାର୍ଯ୍ୟବ୍ୟସ୍ତ; ସବୁବେଳେ ଡର ଯେ ତା ପିଲାଏ, ବିଶେଷ କରି ଶଶାଙ୍କ, ଯାଇ କୋଉଠି ନାଆଁ ପକେଇଲାଣି୤ ଶଶାଙ୍କ ସ୍କୁଲ୍‌ରୁ ଫେରିବା ମାତ୍ରେ ପ୍ରତିଦିନ ମାଆ ତାକୁ ପଚାରୁଥିଲା, “ବାପ, ଆଜି ସ୍କୁ୍ଲ୍‌ରେ ନାଆଁ ପକେଇନାହୁଁ ତ? ନାଆଁ ପଡିବାକୁ ମା’ର ପ୍ରାଣେ ଭୟ୤ ଏବେ ମାଆକୁ ହସୁଥିବା ଦେଖି ଶଶାଙ୍କ ମନେମନେ ଠିକ୍‌କଲା ପୋଷ୍ଟମାଷ୍ଟ୍ରାଣୀଙ୍କ ଘରେ କୌଣସି ଜିନିଷରେ ହାତ ଦେବ ନାହିଁ, ଚୋରି ଦୂରେ ଥାଉ୤

ସେ ବାରଣ୍ଡା ଦାଢରେ ଠିଆ ହୋଇ ଦୂରକୁ ଛେପ ପକାଇଲା୤ ଘର ସାମ୍ନାରେ ଥିବା ଗୋଟିଏ ସୁନ୍ଦର ସିଜୁବୁଦା ପର୍ଯ୍ୟନ୍ତ ଛେପ ମୋଟେ ପହଞ୍ଚିଲା ନାହିଁ୤ ପାଟି ଶୁଖିଯିବା ଓ ଛେପ ସରିଯିବା ପରେ ସେ ଦ୍ବାର ମୁହଁ ପାଖରେ ଜମା ହୋଇଥିବା ଚପଲ ଗଣିଲା୤ ଏଗାର ହଳ ହେଲା୤ ପ୍ରତି ହଳକୁ ଚାହିଁ ତା ମାଲିକାଣୀ କିଏ ଅନୁମାନ କରିବାକୁ ଚେଷ୍ଟା କଲା୤ ତା ମାଆ ଚପଲ ସବୁଠାରୁ ଦାମିକିଆ ବୋଲି ଲାଗିଲା ନାହିଁ୤ ମାଆର ବାଆଁପାଖ ଚପଲ ଡାହାଣପାଖ ଚପଲ ଅପେକ୍ଷା ବେଶି ଘୋରି ହୋଇଯାଇଥିଲା୤ କିଏ ଜଣେ ଅର୍ଖ ନୂଆ ଜୋତା ପିନ୍ଧି ଆସିଥିଲା୤ ଅଠାଲଗା ଦାମ୍ କାଗଜ ବି ଚିରା ହୋଇ ନଥିଲା୤
ଜୋତା ଗଣା ସରିବା ପରେ ଶଶାଙ୍କ ଘର ଭିତରକୁ ଆସି ଦେଖିଲା, ପୋଷ୍ଟମାଷ୍ଟ୍ରାଣୀ କଣ ଗୋଟେ କହି ହସିହସି ଲୋଟିଯାଉଥିଲେ୤ ମାଆ ବି ହସୁଥିଲା୤ ପୋଷ୍ଟମାଷ୍ଟ୍ରାଣୀଙ୍କ ଚାକରାଣୀ ଷ୍ଟିଲ୍ ଥାଳିରେ ଗରମ ଗରମ ଏଣ୍ଡୁରି ପିଠା ଓ ଡାଲ୍‌ମା ଗିନା ଆଣି ପହଞ୍ଚାଇଲା୤ ସେ କହିଲେ,”ପିଲାଟାକୁ ଆଗ ଦେ୤”
ଶଶାଙ୍କକୁ ସିଝା ହଳଦୀପତ୍ର ବାସ୍ନା ବଢିଆ ଲାଗିଲା୤ ତାର ଇଚ୍ଛା ହେଲା, ଥୋଡାଏ ପୁରଦିଆ ଏଣ୍ଡୁରି ଖାଇଯିବ୤ କିନ୍ତୁ ସେତେବେଳକୁ ତାକୁ ବିରକ୍ତ ଲାଗୁଥିଲା୤ ସେ କହିଲା, “ମାଆ, ଚାଲ୍ ଯିବା୤”
“କହୁ ନ ଥିଲି!” ମାଆ ତାକୁ ନ କହି ଅନ୍ୟମାନଙ୍କୁ କହିଲା୤ “ମାଆ ଯଦି କେଉଁଠି ଦି ମିନିଟ୍ ଶାନ୍ତିରେ ବସି ହସଖୁସି ହେଲା, ମୋ ପିଲାଙ୍କ ଦେହ ଗୋଳେଇହୋଇଯାଏ୤ ଏମିତିକା ରତ୍ନ ଛୁଆ ମୋତେ ଇଶ୍ବର ଦେଇଛନ୍ତି୤”
“ମୋତେ ଝାଡା ମାଡୁଛି,” ଶଶାଙ୍କ କହିଲା୤ “ଝାଡା ମାଡୁଛି ତ,” ପୋଷ୍ଟମାଷ୍ଟ୍ରାଣୀ କହିଲେ,”ଆମ ପାଇଖାନାକୁ ଯାଅ୤ ଏତେଦିନ ପରେ ମାଆ ଆମ ଘରକୁ ଆସିଛନ୍ତି, ଆମେ ତାଙ୍କୁ ଏତେ ଜଲ୍ଦି ଛାଡିଦେବୁ ନାହିଁ୤” ପୋଷ୍ଟମାଷ୍ଟ୍ରାଣୀ ଶଶାଙ୍କକୁ ଶୋଇବାଘର ଦେଇ ନେଇଗଲେ ଓ ବାଡି ଅଗଣାରେ ଦୂରଛଡା ପାଇଖାନା ଦେଖାଇଦେଲେ୤ ଯେହେତୁ ଝାଡା ମାଡୁଛି ବୋଲି ପାଟିରୁ ବାହାରିପଡିଥିଲା, ଶଶାଙ୍କକୁ ପୋଷ୍ଟମାଷ୍ଟ୍ରାଣୀଙ୍କ ପୋଚରା ପାଇଖାନାକୁ ଯିବାକୁ ହେଲା ଓ ସେଇଠି ତାକୁ ପ୍ରଥମେ ଶହେ, ତା ପରେ କାଳେ କମ୍ହୋଇଥିବ ବୋଲି ଦୁଇଶହ ଗଣିବା ଯାଏ ଠିଆ ହେବାକୁ ପଡିଲା୤ ସେଇ ସମୟ ଭିତରେ କାନ୍ଥରେ ଉଠିଥିବା ଗୋଟିଏ ବିରୁଡିବସା ସେ ନଖରେ ଭାଙ୍ଗି ସଫା କରିଦେଲା୤ ନାଡ ନ ଥିବା ଟିଣ ବାଲ୍ଟିର ପାଣିରେ ବାଁ ହାତ ବୁଡେଇଦେଇ ବାହାରିଆସିଲା୤

ପୃଷ୍ଠା ସଂଖ୍ୟା : 1 2 3 4 5 6 7 8 9 10

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
କମଳାକାନ୍ତ ମହାପାତ୍ର, ଭୁବନେଶ୍ବର
author photo
୧୯୫୧ ମସିହାରେ ଜନ୍ମଗ୍ରହଣ କରିଥିବା କଥାକାର ଶ୍ରୀ କମଳାକାନ୍ତ ମହାପାତ୍ର ଆଧୁନିକ ଓଡ଼ିଆ କଥାସାହିତ୍ୟରେ ଜଣେ ବିସ୍ମୟକର ପ୍ରତିଭାସମ୍ପନ୍ନ ଗାଳ୍ପିକ ଓ ଅନୁବାଦକ ମଧ୍ୟ୤ ତାଙ୍କର ଗଳ୍ପ ସଂକଳନ ମଧ୍ୟରେ "ପାଳଭୁତ (୧୯୮୩)", "ଚୋର ଓ ଅନ୍ୟାନ୍ୟ ଗଳ୍ପ (୨୦୦୧)" ଏବଂ ଉପନ୍ୟାସ "ଫଟୋ (୧୯୯୦)" ଉଲ୍ଲେଖନୀୟ୤ ଜଁ ପାଲ ସାର୍ତ୍ତ, ଆଇଜାକ୍ ବାସେଭିସ୍ ସିଙ୍ଗର, ଗାବ୍ରିଏଲ ଗର୍ସିଆ ମାର୍କ୍ବେଜ୍ଙ୍କ ଭଳି ବିଶ୍ବପ୍ରସିଦ୍ଧ ଲେଖକଙ୍କ ରଚନାକୁ ଓଡିଆରେ ଅନୁବାଦ କରିବା ସହିତ ଫକୀରମୋହନ ସେନାପତି, ଲକ୍ଷ୍ମୀକାନ୍ତ ମହାପାତ୍ର, କିଶୋରୀ ଚରଣ ଦାସ ପ୍ରଭୃତିଙ୍କ ସାହିତ୍ୟକୁ ଇଂଲିଶ୍‌ରେ ଅନୁବାଦ କରି ବିଶ୍ବସ୍ତରରେ ପହଞ୍ଚାଇପାରିଛନ୍ତି୤

ସଂଖ୍ୟା ଦୃଷ୍ଟିରୁ ସ୍ବଳ୍ପ ହୋଇଥିଲେ ହେଁ ଶ୍ରୀ ମହାପାତ୍ରଙ୍କ ଲେଖାର ଶୈଳୀ ଓ କଥାବସ୍ତୁ ଏତେ ମୌଳିକ ଭାବେ ସ୍ବତନ୍ତ୍ର ଓ ଅଦ୍ବିତୀୟ ଯେ ତାଙ୍କର ଧାଡିଟିଏ ପଢିବା ଆରମ୍ଭ କଲେ ଶେଷଯାଏଁ ନ ପହଞ୍ଚି ରହିହୁଏନା୤

ସାମୟିକ ଭାବେ ଅଧ୍ୟାପନା ପରେ ୧୯୭୬ ମସିହାରୁ ଭାରତୀୟ ରାଜସ୍ବ ସେବାରେ ଯୋଗଦାନ କରି ଗାଳ୍ପିକ ଶ୍ରୀ ମହାପାତ୍ର କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ଅନେକ ଉଚ୍ଚ ପଦପଦବୀରେ ଅବସ୍ଥାପିତ୤

 

ମତାମତ ସଂଖ୍ୟା - ୯ ଆପଣଙ୍କ ମତାମତ ?

  • ୧. BISIKESAN NAYAK |  ଏପ୍ରିଲ୍ ୨୩, ୨୦୧୧ - ୩:୦୭ ପୂର୍ବାହ୍ନ

    ଭାରି ସୁନ୍ଦର୍ ହୋଇଛି ଲେଖାଟି

  • ୨. ପ୍ରୁଥୀରାଜ ପାତ୍ର (ଚାଣକ୍ୟ) |  ଜୁଲାଇ ୧୮, ୨୦୧୧ - ୭:୧୧ ପୂର୍ବାହ୍ନ

    ଆପଣଙ୍କ ଲେଖାଟି ଅତି ବଢିଆ ଲାଗିଲା
    ବହୁତ ଧନ୍ୟବାଦ .

  • ୩. ପ୍ରୁଥୀରାଜ ପାତ୍ର (ଚାଣକ୍ୟ) |  ଜୁଲାଇ ୧୮, ୨୦୧୧ - ୭:୧୪ ପୂର୍ବାହ୍ନ

    ଆପଣଙ୍କ ଲେଖାଟି ଅତି ବଢିଆ ଲାଗିଲା
    ବହୁତ ଧନ୍ୟବାଦ .
    ଇତି
    ଆପଣଙ୍କ ର ପା଼କ

  • ୪. Gopal Das |  ଜୁଲାଇ ୧୯, ୨୦୧୧ - ୬:୩୩ ଅପରାହ୍ନ

    ଲେଖାଟି ଏକରକମ ଭଲ ହେଲେ ବ୍ୟଙ୍ଗ ଭଳି ଲଗିଲା.

  • ୫. କ୍ଷୀରୋଦ ରାଉତ, ନାଗପୁର |  ଜୁଲାଇ ୨୭, ୨୦୧୧ - ୫:୫୪ ପୂର୍ବାହ୍ନ

    ଅନେକ ସୁନ୍ଦର ହୋଇଛି. ବାସ୍ତବ ରେ ଘଟୁଥିବା ଛୋଟ ଛୋଟ ଘଟଣା ଗୁଡିକ ଖୁବ୍ ସୁନ୍ଦର କରି ତୋଳି ଧରଛନ୍ତି ଲେଖକ.

  • ୬. ତରୁଣକାନ୍ତି ମିଶ୍ର |  ଅକ୍ଟୋବର୍ ୨, ୨୦୧୧ - ୧୦:୧୬ ପୂର୍ବାହ୍ନ

    କମଳାକାନ୍ତ ଓଡିଆ ସାହିତ୍ୟଜଗତରେ ଏକ ବିସ୍ମୟକର ପ୍ରତିଭା୤ ସେ ଅଳ୍ପ ଲେଖିଛନ୍ତି , କିନ୍ତୁ ଯାହା ଲେଖିଛନ୍ତି, ପ୍ରତ୍ୟେକଟି ଅସାଧାରଣ୤ ସମସାମୟିକ ଓଡିଆ ଗଳ୍ପର ସଂକ୍ଷିପ୍ତତମ ସଂକଳନରେ ମଧ୍ୟ ତାଙ୍କର ଗୋଟିଏ କାହାଣୀ ସ୍ଥାନ ପାଇବାର ଯୋଗ୍ୟ୤
    – ତରୁଣକାନ୍ତି ମିଶ୍ର

  • ୭. Ansumali, Balasore |  ଫେବୃଆରୀ ୨୦, ୨୦୧୩ - ୨:୦୩ ପୂର୍ବାହ୍ନ

    Khub sundara.

  • ୮. ରାଜେଶ୍ ସାହୁ, ଅନୁଗୁଳ,ଓଡିଶା |  ମାର୍ଚ୍ଚ୍ ୩, ୨୦୧୩ - ୨:୦୫ ଅପରାହ୍ନ

    ଓଡିଆ ଭାଷାର ଉନ୍ନତି ପାଇଁ ଏମିତି ଲେଖା ଉଚ୍ଚ ପ୍ରସଶଂନୀୟ ।

  • ୯. ସ୍ମୁତି ସୁମନ |  ମେ ୩, ୨୦୧୩ - ୩:୩୬ ପୂର୍ବାହ୍ନ

    ଅତ୍ୟନ୍ତ ଉଚ୍ଚକୋଟିର ଲେଖା

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤