ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ଜଗଦୀଶ ମହାନ୍ତି
କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର
ବିଜୟ ମିଶ୍ର
କୃଷ୍ଣଚନ୍ଦ୍ର ତ୍ରିପାଠୀ
ମହାପାତ୍ର ନୀଳମଣି ସାହୁ
ବିଦ୍ୟୁତପ୍ରଭା ଦେବୀ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ଚୋର
  କମଳାକାନ୍ତ ମହାପାତ୍ର, ଭୁବନେଶ୍ବର
 
 
ତା: ଏପ୍ରିଲ୍ ୧୪, ୨୦୧୧  
 

(୮)

ଶୋଇବା ଘରେ ଶଶାଙ୍କକୁ ପହଞ୍ଚାଇଦେବା ବେଳେ ମାଆ ତା’କୁ କୋଳ କରି କହିଲା, “ଆ, ମୋ ସୁନାଟା ପରା, ତତେ ଗୋଟିଏ କଥା କହେଁ୤”
ଶଶାଙ୍କ ମାଆ କୋଳରୁ ହୁଗୁଳିଆସି କହିଲା, “ଥାଉ ତୋ ସୁଆଗ୤ ତୁ ସେଇ ମାଆଟି, ଯିଏ ଏବେ ମାଡ଼ ଖୁଆଇଛି ?”
“ମାଡ଼ ଖାଇଲୁ କାହିଁକି, ଟିକେ ବିଚାର କରି ଦେଖିଛୁ ?”
“ତୁ ବାପାଙ୍କୁ କହିଲୁ ବୋଲି ୤”
“ବାପାଙ୍କୁ କ’ଣ କହିଲି ବୋଲି ?”
“ହେଡ୍‌ମାଷ୍ଟ୍ରେ ଚିଠି ଦେଇଛନ୍ତି ବୋଲି୤”
“ଚିଠି କାହିଁକି ଆସିଲା ?”
“ମୋର ଗପବହି ପଢ଼ିବାକୁ ମନ ବଳିଲା ବୋଲି୤”
“କଥାଟା ବାଆଁରେଇ ଦେ’ନା, ମୋ ସୁନାପୁଅ୤ ତୁ ବହି ଚୋରିକଲୁ ବୋଲି ସିନା ହେଡ୍‌ମାଷ୍ଟ୍ରେ ମୋ ସୁନାଟା ନାଆଁରେ ଚିଠି ଦେଲେ୤”
“ମୋ ନାଆଁରେ ଗୁଡ଼ାଏ ଲଗେଇଜୁଟେଇ ଲେଖିଚି ଚନ୍ଦାମୁଣ୍ଡିଆ ଚପଲଚୋର୤”
“ଲଗେଇ ଲେଖିବାକୁ ତୁ ତାଙ୍କୁ ସୁବିଧା ଦେଲୁ ବୋଲି ସିନା୤”
“ତିଳକୁ ତାଳ କରି ଲେଖନ୍ତି ସେ୤” “ଚୋରି କ’ଣ ଭଲ କାମ ?”
“ନାଇଁ୤” “ଚୋରି କଲେ କ’ଣ ମିଳେ ?”
“ଦଣ୍ଡ୤” “ଆଉ ?”
“ନିନ୍ଦା୤” “ବାପାମାଆଙ୍କୁ ?”
“ଅପବାଦ୤” “ଲୋକେ କହିବେ କି ନାହିଁ ଅମୁକ ଅଫିସର୍ଙ୍କ ପୁଅଟା ଶକତ ଚୋର, ତା’କୁ ମୋଟେ ଘରେ ପୁରାଇବ ନାହିଁ୤”
“କହିବେ୤” “ଆଉ କ’ଣ କହିବେ ?”
“ତା’ ମାଆବାପା ତା’କୁ କେମିତି ପାଳିପୋଷି ଘରେ ରଖିଛନ୍ତି କେଜାଣି !”
“ସେଇଠୁ ଆମକୁ କ’ଣ ଲାଗିବ ?” “ମୁଣ୍ଡ ତଳକୁ ହୋଇଯିବ୤”
ଶଶାଙ୍କର ସବୁ ଉତ୍ତର ମୁଖସ୍ଥ ଥିଲା୤ ପ୍ରତିଥର ଏ ପ୍ରଶ୍ନୋତ୍ତର ଆରମ୍ଭ ହେଲେ ତା’କୁ ଘର ସ୍କୁଲ୍ ଓ ମାଆ ମାଷ୍ଟ୍ରାଣୀ ପରି ଲାଗୁଥିଲା୤ ଯଥାଯଥ ଉତ୍ତରରେ ମାଆ ଖୁସିହେବାର ଦେଖିଲେ ତା’କୁ ଖୁବ୍ ଖୁସି ଲାଗୁଥିଲା୤
ବଡ଼ ଭଉଣୀ ସେଇବାଟେ ତା’ ଶୋଇବାଘରକୁ ଯାଉଥିଲା ବେଳେ ଠିଆ ହୋଇ ପ୍ରଶ୍ନୋତ୍ତର ଖେଳ ଦେଖିଲା ଓ କହିଲା, “ମାଆ ତା’କୁ ପଚାର, ଚୋରମାନେ ବଡ଼ ହେଲେ କୋଉଠିକୁ ଯାଆନ୍ତି ?”
ମାଆ ସେଇ ପ୍ରଶ୍ନ ଦୋହରାଇବା ପର୍ଯ୍ୟନ୍ତ ଅପେକ୍ଷା ନକରି ଶଶାଙ୍କ କହିଲା, “ହାତକଡ଼ା ପଡ଼ି ଜେଲ୍ ଯାଆନ୍ତି୤ ସେଠି ମାଡ଼ ଖାଇ ତାଙ୍କ ହାଡ଼ ଭାଙ୍ଗିଯାଏ, ସେମାନେ ଘଣା ପେଲନ୍ତି୤ ସତରଞ୍ଜି ବୁଣନ୍ତି, ଗୋଡ଼ିମିଶା ବଗଡ଼ାଭାତ ଖାଇ ତାଙ୍କ ଦାନ୍ତ ଭାଙ୍ଗିଯାଏ; ସେମାନେ ଜେଲ୍‌ରୁ ଖଲାସ୍ ହେଲା ପରେ ସମସ୍ତେ ଦୂର୍‌ଦୂର୍‌ କରନ୍ତି୤”
“ଏକ୍ଦମ୍ ଜଳବତ୍ ତରଳଂ ମୁଖସ୍ଥ, ନାଇଁ ରେ ?”
ଶଶାଙ୍କ ବଡ଼ ଭଉଣୀକୁ ଖତେଇ ହୋଇ କହିଲା, “ମର୍, ଆଜି ରାତିରେ ମରିଯା୤” ବଡ଼ ଭଉଣୀ କହିଲା, “ତୁ ଚୋରଟା ଅବିକା ମର୍, ଏଇ ମୁହୂର୍ତ୍ତରେ ମର୍୤ ବାପା ମାଆଙ୍କ ଚିନ୍ତା ଯିବ୤”
“ବାପାମାଆଙ୍କର ଚିନ୍ତା ତତେ କାହିଁକି ପଡ଼ିଛି ?” ମାଆ କହିଲା, ଶଶାଙ୍କର ବିଛଣା ସଜାଡୁ ସଜାଡୁ୤

(୯)

ଅଜା ଓ ବାପା ଖାଇବସିଲେ୤ ମାଆ ନିଜେ ସେମାନଙ୍କୁ ପରଷାପରଷି କଲା୤ ଶଶାଙ୍କ ବିଛଣା ଏମୁଣ୍ଡରୁ ସେମୁଣ୍ଡ ଗଡ଼ିଲା ଓ ଗଣିଲା ତା’ ହେତୁ ହେଲା ଦିନଠାରୁ ବାପା ତା’କୁ ସମୁଦାୟ କେତେଥର ବାଡ଼େଇଥିଲେ୤ ବାପା ଖୁବ୍ କମ୍ ପିଟୁଥିଲେ, କିନ୍ତୁ ଯେବେ ପିଟୁଥିଲେ, ଭଲକରି ପିଟୁଥିଲେ୤ ସେଇଥିପାଇଁ ତାଙ୍କ ମାଡ଼ ମାଆ ମାଡ଼ଠାରୁ ବେଶି ବାଧୁଥିଲା, କାଟୁ ପଛେ କମ୍୤ ମାଆର ମାଡ଼ ଘରେ ପରିହାସ ଓ କୌତୁକର ବସ୍ତୁ ହୋଇପଡ଼ିଥିଲା୤
ଶଶାଙ୍କ କଥାବାର୍ତ୍ତାକୁ କାନେଇଲା୤ ମାଆ କହିଲା, “ବାପାଙ୍କ ସଙ୍ଗେ ସେ ଯାଉ୤ ମାମୁଁଘରେ ଦୁଇ ବର୍ଷ ରହି ସେଇଠି ପଢ଼ାଣୁଣା କରୁ୤ ଚୋରିବିଦ୍ୟା ବି ବନ୍ଦ ହୋଇଯିବ୤” “ଚୋରିବିଦ୍ୟା ଏଠି ବି ବନ୍ଦ ହୋଇଯିବ,” ବାପା କହିଲେ, “ଭଲକରି ଉତ୍ତମମଧ୍ୟମ ଦି’ ଚାରି ବିଧା ବସିଗଲେ୤”
“ମାରିମାରି ମୋ ହାତ ବିଣ୍ଡି ହେଲାଣି,” ମାଆ କହିଲା୤ “ମାଡ଼ ଖାଇଖାଇ ସେ ଟୋକା ବି ପିଠିଆ ହୋଇଗଲାଣି୤”
“ତମର ତ ଏଇନେ ମାଡ଼, ଏଇନେ ଗେଲ୤ ସେଥିରେ ସେ ମଗରା ହୋଇଯିବନି ତ ଆଉ କ’ଣ ହେବ ? ମାଡ଼ ଦେବ ତ ଏମିତି ଗୋଗଚ୍ଛ ପିଟିବ ଯେମିତି ଦୁଇଦିନ ବିଛଣାରୁ ଉଠିପାରିବ ନାହିଁ୤ ମୋଟେ ଚାହିଁବ ନାହିଁ ତା’ଆଡ଼େ୤ ତା’ହେଲେ ସିନା ମାଡ଼ର ମର୍ଯ୍ୟାଦା୤ ତମର ତ ଏଇନେ ଗୋଟିଏ ସରୁ ଚଟ୍କଣି, ପାଞ୍ଚ ମିନିଟ୍ ପରେ ମୋ ଧନରେ, ମୋ ସୁନାରେ…”
“ମୁଁ ସେମିତି ନିଷ୍ଠୁର ହୋଇପାରିବି ନାହିଁ୤”
“ପାରିବ ନାହିଁ ତ ପାଟିଟା କରୁଛ କାହିଁକି ? ଚୁପ୍ ହୋଇ ବସ୤”
ମାଆ ଅଜାଙ୍କ ଆଗେ ଫେରାଦ୍ ହେଲା, “ବାପା ଦେଖୁଛନ୍ତି ? ୟାଙ୍କର ପାଠ ଏମିତିଆ୤ ସବୁ ଦୋଷ ମୋରି୤” ଅଜାଙ୍କ ଖିଆ ସରିଥିଲା୤ ସେ ଆଚମନ କଲେ ଓ କହିଲେ, “ତାକୁ ମୋ ସଙ୍ଗେ ଛାଡ଼ିଦିଅ୤ ଗାଁରେ କିଛିଦିନ ରହିଲେ ସେ ବାଟକୁ ଆସିଯିବ୤”
“ପିଲାଲୋକ, ସେଠି କ’ଣ ସେ ଚଳିପାରିବ ?” ବାପା କହିଲେ୤
“ଛଅ ପୂରି ସାତ ଚାଲିଲା ଟି ତା’କୁ ?” ଅଜା କହିଲେ୤ ଶଶାଙ୍କ ତକିଆରେ ମୁଣ୍ଡ ବାଡ଼େଇଲା୤ “ଗାଆଁ ସ୍କୁଲ୍ ଆଜିକାଲି ବାଗେଇଗଲାଣି,” ଅଜା କହିଲେ୤ “ପ୍ରତିବର୍ଷ ପାଞ୍ଚ ସାତ ପିଲା ବୃତ୍ତି ପରୀକ୍ଷା ଦେବାକୁ ଗଲେଣି୤”
“ବୃତ୍ତି କଥା ଦୂରେ ଥାଉ,” ମାଆ କହିଲା୤ “ଆଗେ ତା’ର ଚୋର ପ୍ରକୃତି ଯାଉ୤ ଗତ ଗହ୍ମାପୂନିଅଁ ଦିନ ବାବୁ କ’ଣ କରିଛନ୍ତି, ସେକଥା କ’ଣ ମୁଁ କାହାକୁ କହିଲିଣି !”
ବାପା ହାତ ଧୋଇବାକୁ ଉଠି ଯାଉଥିଲେ ଯେ ଅଟକିଗଲେ୤ “ୟା ଭିତରେ କ’ଣ ଗୋଟାଏ କାଣ୍ଡ କରି ବସିଛି ? କାଇଁ ମୋ କାନକୁ ତ କିଛି ଆସିନି୤ ମୋ କାନକୁ ତ କିଛି ଆସିବନି, ମୁଁ ଆଉ ପ୍ରତିକାର କରିବି କ’ଣ ? ଠିକଣା ସମୟରେ କହିଲେ ସିନା ଯାହା ହୁଅନ୍ତା୤”
ଶଶାଙ୍କର ଦମ୍ ଅଟକିଗଲା୤ ତା’ ପାଟି ଶୁଖିଗଲା୤ ସେ ମନେ ମନେ ଡାକିଲା, “ପ୍ରଭୁ, ମାଆ ସେ କଥା ନ କହୁ୤ ତା’ ପାଟି ନ ଖୋଲୁ୤ ତା’କୁ ବିଛା କାମୁଡୁ୤”

ପୃଷ୍ଠା ସଂଖ୍ୟା : 1 2 3 4 5 6 7 8 9 10

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
କମଳାକାନ୍ତ ମହାପାତ୍ର, ଭୁବନେଶ୍ବର
author photo
୧୯୫୧ ମସିହାରେ ଜନ୍ମଗ୍ରହଣ କରିଥିବା କଥାକାର ଶ୍ରୀ କମଳାକାନ୍ତ ମହାପାତ୍ର ଆଧୁନିକ ଓଡ଼ିଆ କଥାସାହିତ୍ୟରେ ଜଣେ ବିସ୍ମୟକର ପ୍ରତିଭାସମ୍ପନ୍ନ ଗାଳ୍ପିକ ଓ ଅନୁବାଦକ ମଧ୍ୟ୤ ତାଙ୍କର ଗଳ୍ପ ସଂକଳନ ମଧ୍ୟରେ "ପାଳଭୁତ (୧୯୮୩)", "ଚୋର ଓ ଅନ୍ୟାନ୍ୟ ଗଳ୍ପ (୨୦୦୧)" ଏବଂ ଉପନ୍ୟାସ "ଫଟୋ (୧୯୯୦)" ଉଲ୍ଲେଖନୀୟ୤ ଜଁ ପାଲ ସାର୍ତ୍ତ, ଆଇଜାକ୍ ବାସେଭିସ୍ ସିଙ୍ଗର, ଗାବ୍ରିଏଲ ଗର୍ସିଆ ମାର୍କ୍ବେଜ୍ଙ୍କ ଭଳି ବିଶ୍ବପ୍ରସିଦ୍ଧ ଲେଖକଙ୍କ ରଚନାକୁ ଓଡିଆରେ ଅନୁବାଦ କରିବା ସହିତ ଫକୀରମୋହନ ସେନାପତି, ଲକ୍ଷ୍ମୀକାନ୍ତ ମହାପାତ୍ର, କିଶୋରୀ ଚରଣ ଦାସ ପ୍ରଭୃତିଙ୍କ ସାହିତ୍ୟକୁ ଇଂଲିଶ୍‌ରେ ଅନୁବାଦ କରି ବିଶ୍ବସ୍ତରରେ ପହଞ୍ଚାଇପାରିଛନ୍ତି୤

ସଂଖ୍ୟା ଦୃଷ୍ଟିରୁ ସ୍ବଳ୍ପ ହୋଇଥିଲେ ହେଁ ଶ୍ରୀ ମହାପାତ୍ରଙ୍କ ଲେଖାର ଶୈଳୀ ଓ କଥାବସ୍ତୁ ଏତେ ମୌଳିକ ଭାବେ ସ୍ବତନ୍ତ୍ର ଓ ଅଦ୍ବିତୀୟ ଯେ ତାଙ୍କର ଧାଡିଟିଏ ପଢିବା ଆରମ୍ଭ କଲେ ଶେଷଯାଏଁ ନ ପହଞ୍ଚି ରହିହୁଏନା୤

ସାମୟିକ ଭାବେ ଅଧ୍ୟାପନା ପରେ ୧୯୭୬ ମସିହାରୁ ଭାରତୀୟ ରାଜସ୍ବ ସେବାରେ ଯୋଗଦାନ କରି ଗାଳ୍ପିକ ଶ୍ରୀ ମହାପାତ୍ର କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ଅନେକ ଉଚ୍ଚ ପଦପଦବୀରେ ଅବସ୍ଥାପିତ୤

 

ମତାମତ ସଂଖ୍ୟା - ୯ ଆପଣଙ୍କ ମତାମତ ?

  • ୧. BISIKESAN NAYAK |  ଏପ୍ରିଲ୍ ୨୩, ୨୦୧୧ - ୩:୦୭ ପୂର୍ବାହ୍ନ

    ଭାରି ସୁନ୍ଦର୍ ହୋଇଛି ଲେଖାଟି

  • ୨. ପ୍ରୁଥୀରାଜ ପାତ୍ର (ଚାଣକ୍ୟ) |  ଜୁଲାଇ ୧୮, ୨୦୧୧ - ୭:୧୧ ପୂର୍ବାହ୍ନ

    ଆପଣଙ୍କ ଲେଖାଟି ଅତି ବଢିଆ ଲାଗିଲା
    ବହୁତ ଧନ୍ୟବାଦ .

  • ୩. ପ୍ରୁଥୀରାଜ ପାତ୍ର (ଚାଣକ୍ୟ) |  ଜୁଲାଇ ୧୮, ୨୦୧୧ - ୭:୧୪ ପୂର୍ବାହ୍ନ

    ଆପଣଙ୍କ ଲେଖାଟି ଅତି ବଢିଆ ଲାଗିଲା
    ବହୁତ ଧନ୍ୟବାଦ .
    ଇତି
    ଆପଣଙ୍କ ର ପା଼କ

  • ୪. Gopal Das |  ଜୁଲାଇ ୧୯, ୨୦୧୧ - ୬:୩୩ ଅପରାହ୍ନ

    ଲେଖାଟି ଏକରକମ ଭଲ ହେଲେ ବ୍ୟଙ୍ଗ ଭଳି ଲଗିଲା.

  • ୫. କ୍ଷୀରୋଦ ରାଉତ, ନାଗପୁର |  ଜୁଲାଇ ୨୭, ୨୦୧୧ - ୫:୫୪ ପୂର୍ବାହ୍ନ

    ଅନେକ ସୁନ୍ଦର ହୋଇଛି. ବାସ୍ତବ ରେ ଘଟୁଥିବା ଛୋଟ ଛୋଟ ଘଟଣା ଗୁଡିକ ଖୁବ୍ ସୁନ୍ଦର କରି ତୋଳି ଧରଛନ୍ତି ଲେଖକ.

  • ୬. ତରୁଣକାନ୍ତି ମିଶ୍ର |  ଅକ୍ଟୋବର୍ ୨, ୨୦୧୧ - ୧୦:୧୬ ପୂର୍ବାହ୍ନ

    କମଳାକାନ୍ତ ଓଡିଆ ସାହିତ୍ୟଜଗତରେ ଏକ ବିସ୍ମୟକର ପ୍ରତିଭା୤ ସେ ଅଳ୍ପ ଲେଖିଛନ୍ତି , କିନ୍ତୁ ଯାହା ଲେଖିଛନ୍ତି, ପ୍ରତ୍ୟେକଟି ଅସାଧାରଣ୤ ସମସାମୟିକ ଓଡିଆ ଗଳ୍ପର ସଂକ୍ଷିପ୍ତତମ ସଂକଳନରେ ମଧ୍ୟ ତାଙ୍କର ଗୋଟିଏ କାହାଣୀ ସ୍ଥାନ ପାଇବାର ଯୋଗ୍ୟ୤
    – ତରୁଣକାନ୍ତି ମିଶ୍ର

  • ୭. Ansumali, Balasore |  ଫେବୃଆରୀ ୨୦, ୨୦୧୩ - ୨:୦୩ ପୂର୍ବାହ୍ନ

    Khub sundara.

  • ୮. ରାଜେଶ୍ ସାହୁ, ଅନୁଗୁଳ,ଓଡିଶା |  ମାର୍ଚ୍ଚ୍ ୩, ୨୦୧୩ - ୨:୦୫ ଅପରାହ୍ନ

    ଓଡିଆ ଭାଷାର ଉନ୍ନତି ପାଇଁ ଏମିତି ଲେଖା ଉଚ୍ଚ ପ୍ରସଶଂନୀୟ ।

  • ୯. ସ୍ମୁତି ସୁମନ |  ମେ ୩, ୨୦୧୩ - ୩:୩୬ ପୂର୍ବାହ୍ନ

    ଅତ୍ୟନ୍ତ ଉଚ୍ଚକୋଟିର ଲେଖା

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤