ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର
-ଉତ୍କଳଗୌରବ ମଧୁସୂଦନ ଦାସ
ଗଡ଼ଚଣ୍ଡୀଙ୍କ ମନ୍ଦିରରେ ଆଳତି ଦେଖି ଏକୁଟିଆ ଫେରିବି ବୋଲି ଅଜା କହିବାରୁ ଶଶାଙ୍କ ଘରକୁ ଫେରିଆସି ଦେଖିଲା ଯେ ମାଆ ତା’ ଅସଜଡ଼ା ବିଛଣା ଉପରେ ବସି କାନ୍ଦୁଥିଲା ଓ ନାଚ ସ୍କୁଲ୍ରୁ ଫେରିଥିବା ତା’ ବଡ଼ ଭଉଣୀ ମାଆର ହାତ ଧରି ବୁଝାଉଥିଲା
ଶଶାଙ୍କ ପଛେଇ ପଛେଇ ବାହାରକୁ ପୁଣି ଖସିଯିବା ପୂର୍ବରୁ ବଡ଼ ଭଉଣୀ ତା’କୁ ଦେଖିପାରି ପାଟିକଲା, “ହେଇଟି ଆସିଗଲେ ଆସିଗଲେ କୁଳଚନ୍ଦ୍ରମା”
ମାଆର କାନ୍ଦଣା ଅବ୍ୟାହତ ରହିଲା ତାରି ଭିତରେ ସେ କହିଲା, “ମୋତେ ମରଣ କାଇଁକି ନ ହେଉଛି କେଜାଣି ! କେମିତି ଏମିତି ଯୋଗଜନ୍ମା ପିଲା ପେଟରେ ଧରିଥିଲି କି ପାପ କରିଥିଲି ପୂର୍ବଜନ୍ମରେ କେଜାଣି !”
ବଡ଼ ଭଉଣୀ ଶଶାଙ୍କକୁ ଧରି ମାଆଙ୍କ ପାଖକୁ ଟାଣିନେଲା ଓ କହିଲା, “ମାଆ, ସେ ଯେଉଁ ହାତରେ ଚୋରି କରୁଛି, ସେଇ ହାତଟା ଭାଙ୍ଗିଦିଅ ଯେ ତା’ କରାମତି ବନ୍ଦ ହୋଇଯିବ”
ମାଆ ଶାଢି କାନିରେ ନାକ ଓ ଆଖି ପୋଛି ଶଶାଙ୍କକୁ ବିମର୍ଷରେ ଚାହିଁଲା “ସପ୍ତାହେ ବି ଯାଇନି, ତୁ ଯେଉଁ ଦରପୋଡ଼ା କାଠକୁ ସେଇ ଦରପୋଡ଼ା କାଠ ମୋ ଦେହ ଛୁଇଁ ନିୟମ କରିଥିଲୁ ପରା ମୁଁ ମରିଯାନ୍ତି ହେଲେ – ତ୍ରାହି ପାଇଥାନ୍ତି”
“ହେଡ୍ମାଷ୍ଟର ମହା ପାଜି,” ଶଶାଙ୍କ କହିଲା, ବଡ଼ ଭଉଣୀ ହାତମୁଠାରୁ ନିଜ ହାତ ମୁକୁଳେଇ “କୋଉଠି କ’ଣ ହେଲେ ମୋ ମୁଣ୍ଡରେ ଅଠା ବୋଳୁଛନ୍ତି”
ବଡ଼ ଭଉଣୀ ତା’ ମୁଣ୍ଡରେ ହାତ ବୁଲେଇଦେଇ କହିଲା, “ଆରେ ସତେ ତ! ଭାରି ଅଠାଅଠା ଲାଗୁଛି”
ମାଆ କହିଲା, “ଯୋଉ ବହି ଚୋରି କରିଛୁ ସେଥିରେ କ’ଣ ଲେଖାହୋଇଛି ଚୋରି ଗୋଟିଏ ଭଲ କାମ ? ଜାଣିଛୁ, ଗୌତମବୁଦ୍ଧ ତାଙ୍କର କୌଣସି ଅବତାରରେ କେବେ ଚୋରି କରି ନଥିଲେ?” ଶଶାଙ୍କ କହିଲା, “ହଁ ”
“ହଁ ତ,” ମାଆ ଖିଙ୍କାରିଉଠିଲା, “ତୁ କାଇଁକି ଚୋରି କରୁଛୁ ? ତତେ ନେଇ ମୁଁ ଆଉ ପାରିବିନାହିଁ ଯାଆ, ଗୋଟିଏ ପନିକି ଆଣି ମତେ ଦି’ଗଡ କରି କାଟିଦେ, ତା’ ଯେତେ ଇଚ୍ଛା ସେତେ ଚୋରି କରୁଥା”
(୭)
ସେଦିନ ରାତିରେ ଶଶାଙ୍କ ଓ ତା’ ବଡ଼ ଭଉଣୀ ଖାଇବସିଥିବାବେଳେ ତାଙ୍କ ବାପା ଅଫିସରୁ ଡେରି କରି ଫେରିଲେ ଓ ମାଆଙ୍କ ଭାରୀ ମୁହଁ ଦେଖି ପଚାରିଲେ, “କ’ଣ ହୋଇଛି ?”
“ଖାଇପିଇ ସାର,” ମାଆ କହିଲା “ତା’ପରେ ବସି ଶୁଣିବ କୀର୍ତ୍ତି”
“କ’ଣ ଏମିତି କଥା ଯେ ?”
“ଧୁଆଧୋଇ ହୁଅ ବାପା ବି ମନ୍ଦିରରୁ ଫେରିନାହାନ୍ତି”
ବାପା କହିଲେ, “ଶଶୁରଙ୍କ ପାଇଁ ଇଲିଶି ଖୋଜିଲି ଯେ ଲାଞ୍ଜ ଖଣ୍ଡେ ବି କୋଉଠି ମିଳିଲା ନାହିଁ”
“ଭଲ ହୋଇଛି,” ମାଆ କହିଲା “ସଂକ୍ରାନ୍ତିଟାରେ ମାଛ ଖାଇବାକୁ କାହା ଦିନ ସରୁ ନଥିଲା”
ଶଶାଙ୍କ ଖାଇବା ସାରି ଉଠିଯିବା ପାଇଁ ତରତର ହେଲା
ବାପା କହିଲେ, “ଖାଇବା ନ ଚୋବେଇ ଗିଳିପକାଉ କାହିଁକି ? ଗୋରୁଙ୍କ ପରି ପରେ ପାକୁଳି କରିବା ସୁବିଧା ମଣିଷଙ୍କର ନାହିଁ ଦେଖୁନୁ, ନାନୀ କେମିତି ଖାଉଛି”
ମାଆ ଶଶାଙ୍କକୁ କହିଲା, “ମୁହଁ ଧୋଇସାରି ଏଇଠି ଆସି ବସ୍ ବାପାଙ୍କ ସାମ୍ନାରେ କଥାଟା ପଡୁ” “କ’ଣ ହୋଇଛି ?” ବାପା ସାର୍ଟ ଖୋଲୁଖୋଲୁ ପଚାରିଲେ
“ହେଡ୍ମାଷ୍ଟ୍ରେ ପୁଣି ଚିଠି ଦେଇଛନ୍ତି,” ଶଶାଙ୍କ ବଡ଼ ଭଉଣୀ କହିଲା
“ତୁ ଚୁପ୍ କର” ମାଆ ଆକଟିଲା “ତୋର ସରିଲାଣି ତ ତୁ ଉଠିଯା”
ବାପା କହିଲେ, “ଏ ଟୋକା ପୁଣି ଚୋରି କରିଛି ନା କ’ଣ ? ମାଆଙ୍କ ଉତ୍ତର ପାଇବା ପୂର୍ବରୁ ଶଶାଙ୍କର କାନ ଟାଣିଧରି ସେ କହିଲେ, “ଜଲ୍ଦି ମାନିଯା, ନହେଲେ କାନ ମୋଡ଼ି ଛିଣ୍ଡେଇଦେବି”
“ମୁଁ କିଛି କରିନି,” ଶଶାଙ୍କ କହିଲା ଗୋଟିଏ ଚଟକଣି ବସିଲା “କିଛି କରିନୁ?” ବହୁଦିନ ପରେ ବାପା ମାରିଥିବାରୁ ଶଶାଙ୍କ ପ୍ରଥମେ ଆଶ୍ଚର୍ଯ୍ୟ ହେଲା ଓ ତା’ ପରେ ସକେଇ ସକେଇ କାନ୍ଦିବା ଆରମ୍ଭ କଲା
“ଏ ଟୋକା ବଡ଼ ହେଲେ ନିଶ୍ଚେ ଜେଲ୍ ଯିବ,” ବାପା କହିଲେ “ଆଜି ଲାଉ ଚୋରି, କାଲି କଖାରୁ ଚୋରି, ପରଦିନକୁ ବଡ଼ ଚୋରି କ’ଣ ଚୋରେଇଛୁ ସ୍କୁଲରୁ ?”
“ବହି,” ଶଶାଙ୍କ କ୍ଷୀଣ କଣ୍ଠରେ ଉତ୍ତର ଦେଲା
“ କି ବହି ?” “ଜାତକ ଗଳ୍ପ”
“ଖଣ୍ଡେ ?” “ଥାକେ”
“ପୁରା ଥାକେ ?” ବାପା ହସି ପକାଇଲେ
ଶଶାଙ୍କ ବି ହସିଦେଲା ବାପାଙ୍କ ସାଙ୍ଗେ ହସିଲେ ବାପା ଖୁସି ହୁଅନ୍ତି ବାପା ଠୋଠୋ ହସନ୍ତି ଓ ଏକୁଟିଆବେଳେ ଶଶାଙ୍କ ବାପାଙ୍କ ହସ ଅନୁକରଣ କରୁଥିଲା ବାପାଙ୍କ ଚଟ୍କଣାରେ ତା’ ମୁହଁ ବୁଲିଗଲା
“ମୋଟ କେତେ ଖଣ୍ଡ ?” ବାପା ପଚାରିଲେ “ଗଣିନି,” ଶଶାଙ୍କ କହିଲା ତା’ ନାକରୁ ସୁଡ଼ୁକାଏ ଶିଂଘାଣି ବାହାରିଆସିଲା ସେ ତା’କୁ ପୁଣି ନାକ ଭିତରକୁ ଶୋଷିନେଲା
“ଦେଖ ହୋ, ବାବୁ ଗଣୁ ମଧ୍ୟ ନାହାଁନ୍ତି” ଯାତ୍ରାରେ ବଡ଼ପାଟିରେ ଦର୍ଶକଙ୍କୁ କହି ଆଚମ୍ବିତ କଲା ଭଳି ବାପା କହିଲେ “ସ୍କୁଲ୍ ଲାଇବ୍ରେରୀ ଆଲମାରୀ ଚାବି ଭାଙ୍ଗି ଦେଇଛୁ ନା ଚୋରେଇନେଇଛୁ ?”
“ଭାଙ୍ଗିନି କି ଚୋରେଇନି” “ତା’ହେଲେ ବହି ଉଠାଇଲୁ କେମିତି ?”
“ଆଲମାରୀ କବାଟ ସନ୍ଧିରେ ହାତ ଗଳେଇ”
“ଚୋରି କଲୁ କାହିଁକି ?” “ପଢ଼ିବି ବୋଲି”
“ହେଡ୍ମାଷ୍ଟ୍ରେଙ୍କୁ ମାଗି ପାରିଥାନ୍ତୁ”
“ହେଡ୍ମାଷ୍ଟର ଘରକୁ ବହି ଦେବେନି ବୋଲି ନିୟମ ବାନ୍ଧିଦେଇଛନ୍ତି”
“ସେଇଠୁ ତୁ ଚୋରି କଲୁ ?” “ପଢ଼ିସାରି ପୁଣି ରଖିଦେଇଥାନ୍ତି”
“ଚୋରି କରିବାକୁ ତତେ ମଜା ଲାଗେ ନାଇଁ ?”
“ନାଇଁ ” “ଖରାପ ଲାଗେ ?”
“ହଁ” “ତା’ ହେଲେ କରୁ କାହିଁକି ?” ବାପା ତା’ ପିଠିକୁ ଗୋଟିଏ ଗୋଇଠା ମାରିଲେ ଖାଇବା ଥାଳିରେ ତା’ ମୁହଁ ବାଡ଼େଇହୋଇଯାଇଥାନ୍ତା ଆଉ ଟିକେ ହୋଇଥିଲେ ସେ ଭେଁ କିନା କାନ୍ଦିଉଠିଲା ମାଆ ବାପାଙ୍କୁ କହିଲା, “ଛାଡ଼, ତା’ ସାଙ୍ଗେ ଆଉ ଲାଗନା ତମେ ଯାଇ ଧୁଆପୋଛା ସାରି ଆସ”
“ହେଡ୍ମାଷ୍ଟରଙ୍କୁ ପଚାରି ବୁଝ ବହିତକର ଦାମ୍ କେତେ,” ବାପା କହିଲେ
“ଏ ଚୋର ମୋ ଘରେ କଳାକନା ବୁଲାଇଦେବ” ଅଜା ଆସି ପହଞ୍ଚିଲେ ଓ ପଚାରିଲେ, “କିଏ କାହା ଘରେ କଳାକନା ବୁଲାଇବାକୁ ବସିଛି ?”
ମତାମତ ସଂଖ୍ୟା - ୯ ଆପଣଙ୍କ ମତାମତ ?
୧. BISIKESAN NAYAK | ଏପ୍ରିଲ୍ ୨୩, ୨୦୧୧ - ୩:୦୭ ପୂର୍ବାହ୍ନ
ଭାରି ସୁନ୍ଦର୍ ହୋଇଛି ଲେଖାଟି
୨. ପ୍ରୁଥୀରାଜ ପାତ୍ର (ଚାଣକ୍ୟ) | ଜୁଲାଇ ୧୮, ୨୦୧୧ - ୭:୧୧ ପୂର୍ବାହ୍ନ
ଆପଣଙ୍କ ଲେଖାଟି ଅତି ବଢିଆ ଲାଗିଲା
ବହୁତ ଧନ୍ୟବାଦ .
୩. ପ୍ରୁଥୀରାଜ ପାତ୍ର (ଚାଣକ୍ୟ) | ଜୁଲାଇ ୧୮, ୨୦୧୧ - ୭:୧୪ ପୂର୍ବାହ୍ନ
ଆପଣଙ୍କ ଲେଖାଟି ଅତି ବଢିଆ ଲାଗିଲା
ବହୁତ ଧନ୍ୟବାଦ .
ଇତି
ଆପଣଙ୍କ ର ପା଼କ
୪. Gopal Das | ଜୁଲାଇ ୧୯, ୨୦୧୧ - ୬:୩୩ ଅପରାହ୍ନ
ଲେଖାଟି ଏକରକମ ଭଲ ହେଲେ ବ୍ୟଙ୍ଗ ଭଳି ଲଗିଲା.
୫. କ୍ଷୀରୋଦ ରାଉତ, ନାଗପୁର | ଜୁଲାଇ ୨୭, ୨୦୧୧ - ୫:୫୪ ପୂର୍ବାହ୍ନ
ଅନେକ ସୁନ୍ଦର ହୋଇଛି. ବାସ୍ତବ ରେ ଘଟୁଥିବା ଛୋଟ ଛୋଟ ଘଟଣା ଗୁଡିକ ଖୁବ୍ ସୁନ୍ଦର କରି ତୋଳି ଧରଛନ୍ତି ଲେଖକ.
୬. ତରୁଣକାନ୍ତି ମିଶ୍ର | ଅକ୍ଟୋବର୍ ୨, ୨୦୧୧ - ୧୦:୧୬ ପୂର୍ବାହ୍ନ
କମଳାକାନ୍ତ ଓଡିଆ ସାହିତ୍ୟଜଗତରେ ଏକ ବିସ୍ମୟକର ପ୍ରତିଭା ସେ ଅଳ୍ପ ଲେଖିଛନ୍ତି , କିନ୍ତୁ ଯାହା ଲେଖିଛନ୍ତି, ପ୍ରତ୍ୟେକଟି ଅସାଧାରଣ ସମସାମୟିକ ଓଡିଆ ଗଳ୍ପର ସଂକ୍ଷିପ୍ତତମ ସଂକଳନରେ ମଧ୍ୟ ତାଙ୍କର ଗୋଟିଏ କାହାଣୀ ସ୍ଥାନ ପାଇବାର ଯୋଗ୍ୟ
– ତରୁଣକାନ୍ତି ମିଶ୍ର
୭. Ansumali, Balasore | ଫେବୃଆରୀ ୨୦, ୨୦୧୩ - ୨:୦୩ ପୂର୍ବାହ୍ନ
Khub sundara.
୮. ରାଜେଶ୍ ସାହୁ, ଅନୁଗୁଳ,ଓଡିଶା | ମାର୍ଚ୍ଚ୍ ୩, ୨୦୧୩ - ୨:୦୫ ଅପରାହ୍ନ
ଓଡିଆ ଭାଷାର ଉନ୍ନତି ପାଇଁ ଏମିତି ଲେଖା ଉଚ୍ଚ ପ୍ରସଶଂନୀୟ ।
୯. ସ୍ମୁତି ସୁମନ | ମେ ୩, ୨୦୧୩ - ୩:୩୬ ପୂର୍ବାହ୍ନ
ଅତ୍ୟନ୍ତ ଉଚ୍ଚକୋଟିର ଲେଖା