ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ଦେବେନ୍ଦ୍ର ମହାନ୍ତି
ଅମରେଶ ବିଶ୍ବାଳ
କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର
ଜଗଦୀଶ ମହାନ୍ତି
କୃଷ୍ଣପ୍ରସାଦ ମିଶ୍ର
ଅଖିଳମୋହନ ପଟ୍ଟନାୟକ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ଚୋର
  କମଳାକାନ୍ତ ମହାପାତ୍ର, ଭୁବନେଶ୍ବର
 
 
ତା: ଏପ୍ରିଲ୍ ୧୪, ୨୦୧୧  
 

ମାଆ କହିଲା, “ଏ କଥା ହେଡ୍‌ମାଷ୍ଟ୍ରେ ମତେ ବି କହିନଥିଲେ୤ ମତେ ଖାଲି ଏତିକି କହିଲେ- ସାହେବାଣୀ, କଲମ କଥା ଆପଣ ଓ ମୋ ଛଡ଼ା ଆଉ କେହି ଜାଣନ୍ତିନାହିଁ୤ ମୁଁ ପଚାରିଲି- ଆଉ ପୋଷ୍ଟମାଷ୍ଟର, ପୋଷ୍ଟମାଷ୍ଟ୍ରାଣୀ ? ହେଡ୍‌ମାଷ୍ଟ୍ର କହିଲେ- ସେମାନେ ବି ଜାଣନ୍ତି ନାହିଁ୤ ତାଙ୍କ କଲମ ତାଙ୍କୁ ମିଳିଗଲା, ସେମାନେ ଖୁସି, ବାସ୍‌୤ ମୁଁ ସେତେବେଳକୁ ଲାଜରେ ସଢିସାରିଥିଲି୤ ହେଡ୍‌ମାଷ୍ଟ୍ରେ ପୁଣି ଯାଉଯାଉ ଶୁଣେଇଲେ- ଛୋଟ ମୁହଁରେ ବଡ଼ କଥା, ଘେନା କରିବେ ନାହିଁ, କିନ୍ତୁ ଶଶାଙ୍କ ଉପରେ ଟିକିଏ ନଜର ରଖିବେ, ସେ ଖୁବ୍‌ ଚୋର ହେଲାଣି୤ କେମିତି ଏମିତି ପିଲା ମୋ ପେଟକୁ ଆସିଲା୤ ବାପା, ତମେ ପରା ଭଲ ଜ୍ୟୋତିଷକୁ ଜାଣିଛ, ଟିକିଏ ଶଶାଙ୍କର ଜାତକ ଦେଖେଇଲ, ସେ ସୁଧୁରିବ କି ନାହିଁ୤”

(୧୭)

ଏତେ ଶୀଘ୍ର ତା’ ଭାଗ୍ୟ ନିର୍ଦ୍ଧାରଣ ହୋଇଯିବ ବୋଲି ଶଶାଙ୍କ ଆଶା କରିନଥିଲା୤ ବାପା କହିବାର ସେ ଶୁଣିଲା, “କାଲି ସେ ଶ୍ବଶୁରଙ୍କ ସାଙ୍ଗେ ତା’ ମାମୁଘରକୁ ଯାଉ୤ ଈଶ୍ବରଙ୍କ କୃପାରୁ ଯଦି ତା’ ଚୋରି ଅଭ୍ୟାସ ଯାଏ ଭଲ, ନହେଲେ କହିବି ସେ ମୋ ପୁଅ ନୁହେଁ୤”
ଶଶାଙ୍କ ଗୋଡ଼ ପାଖରୁ ତକିଆ ଦରାଣ୍ଡିଆଣି ସେଥିରେ ମୁହଁ ମାଡ଼ିଦେଲା୤ ନିର୍ବାସନର ହେମାଳ ହାୱା ତା’ ପିଠି ଉପରେ ପହଁରିଗଲା୤ ତା’ ଦେହ ଶୀତେଇଉଠିଲା୤
“ତା’ର ଦି’ ଚାରିଖଣ୍ଡ ପ୍ୟାଣ୍ଟ ସାର୍ଟ ମୋ ବାକ୍ସରେ ଭର୍ତ୍ତି କରିଦିଅ,” ଅଜା କହିଲେ୤ “ବେଶି କିଛି ଦରକାର ନାହିଁ୤ ଆଉ ଯାହା ସବୁ ଦରକାର ଗାଆଁରେ ବ୍ୟବସ୍ଥା କରିବା୤”
ଶଶାଙ୍କ ପାଟିରୁ ଲାଳମିଶା ଅସ୍ପଷ୍ଟ ଚିତ୍କାରଟିଏ ବାହାରିଗଲା୤

(୧୮)

ପରଦିନ ସକାଳୁ ବାପା ଟୁର୍‌ରେ ବାହାରିଲେ୤ ତାଙ୍କ ବିଛଣା ଓ ବାକ୍ସ ସଜଡ଼ା ହୋଇ ଜିପ୍‌ରେ ଉଠାଯାଇଥିଲା୤ ତାଙ୍କ ସାଙ୍ଗରେ ଯେଉଁ ପିଅନ ଯାଉଥିଲା, ସେ ସଫା ହାଫ୍‌ପ୍ୟାଣ୍ଟ ଓ ଜାମା ପିନ୍ଧି ଆସିଥିଲା୤
ଜିପ୍‌ରେ ଉଠିବା ପୂର୍ବରୁ ବାପା ଶଶାଙ୍କକୁ ଡାକିଲେ ଓ ତା’ କାନ୍ଧରେ ହାତ ପକାଇ ପାଖକୁ ଟାଣିଲେ୤ ଶଶାଙ୍କ ଦୂରଛଡ଼ା ହେଲା୤
ବାପା କହିଲେ, “ଦେଖିଲୁ ତା ! ଚୋରି କଲୁ ବୋଲି ତତେ ମାମୁଘରକୁ ପଠାହେଲା୤ ପିଲାଏ ଚୋରି କଲେ ବାପାମାଆ ତାଙ୍କୁ ଭଲପାଆନ୍ତି ନାହିଁ୤ ତୁ ଏଥର ସୁନାପିଲା ହେବୁ?” “ହଁ, ” ଶଶାଙ୍କ କହିଲା୤
“ଆଉ ଚୋରି କରିବୁନି?”
“ନାଇଁ୤”
“ଯଦି ଶୁଣେ ତୁ ଚୋରି ଛାଡ଼ିଦେଇଛୁ, ତା’ ହେଲେ ଆରବର୍ଷକୁ ତତେ ପାଖକୁ ଫେରାଇଆଣିବି୤ ତତେ ଏଠାକାର ସ୍କୁଲ ଭଲ ଲାଗେ, ନାଇଁ?”
“ହଁ୤”
ଶଶାଙ୍କ ଚାହୁଁଥିଲା ବାପା କେମିତି ଜଲ୍‌ଦି ଯାଆନ୍ତୁ ଖରା ଟାଣ ହେବାର ବହୁ ପୂର୍ବରୁ କୋଡ଼ିଏ କି ପଚିଶ ମାଇଲ ଦୂରକୁ ଚାଲିଯାଇଥାନ୍ତୁ୤
ବାପା ଅଜାଙ୍କ ପାଦ ଛୁଇଁ ପ୍ରଣାମ କଲେ ଓ ଜିପ୍‌ରେ ବସିଲେ୤ ମାଆଙ୍କୁ କହିଲେ, “ମୋର ତିନିଦିନ ଛାଡ଼ି ଚାରିଦିନ ହୋଇଗଲେ ବ୍ୟସ୍ତ ହୋଇପଡ଼ିବ ନାହିଁ୤” ପୁଣି ଥରେ ଶଶାଙ୍କର ମୁଣ୍ଡରେ ହାତ ବୁଲେଇ କହିଲେ, “ଅଜାଆଈଙ୍କ କଥା ମାନି ଚଳିବୁ୤ ସୁନାପିଲା ହେବୁ- ହେଲା?”
ହଠାତ୍‌ ମାଆର କ’ଣ ହେଲା କେଜାଣି ସେ କହିଲା, “ଏମିତି ପଦେ ପଦେ କଥାରେ ପୁଅ ଯଦି ମାନିଯାଉଥାନ୍ତା, ତା’ ହେଲେ ସଂସାର ଓଲଟିପଡ଼ନ୍ତାଣି୤”

(୧୯)

ବାପା ଯିବାର ଦୁଇ ଘଣ୍ଟା ପରେ ବସ୍‌ ଆସିଲା ଓ ତାଙ୍କ ଘର ସାମ୍ନାରେ ଅଟକିଲା୤ ସେମାନେ ଦଳେ ହୋଇ ଘରୁ ବାହାରିଲେ୤ ବଡ଼ ଭଉଣୀ ଅଜାଙ୍କୁ କହିଲା, “ଅଜା, ଆଈକୁ କହିବ ହୁସିଆର ରହିବ୤ ଏ ଟୋକା ତା’ ଆଖିରୁ କଜଳ ଚୋରି କରିନେବ୤”
ଶଶାଙ୍କ ତା’ ଭଉଣୀକୁ ଖତେଇହେଲା ଓ କହିଲା, “ତୁ ଆଜି ମରିବୁ୤”
“ମୋର କିଛି ଜିନିଷପତ୍ର ଚୋରି କରି ନେଇ ନାହୁଁ ତ ?” ଭଉଣୀ କହିଲା୤
“ତତେ ମୋଟେ ବିଶ୍ବାସ ନାହିଁ୤ ମାଆ, ତା’ ବ୍ୟାଗ୍‌ ଭଲକରି ଦେଖିଛ?”
ସେତେବେଳକୁ ମାଆ କାନ୍ଦୁଥିଲା୤ ଶାଢିକାନିରେ ଆଖି ପୋଛି ସେ କହିଲା, “ଥାଉ, ପିଲାଟା ସାଙ୍ଗରେ ଲାଗ୍‌ନା୤ ଦେଖୁଛୁ ତ ନିଉଛୁଣା ପ୍ରକୃତି ଯୋଗୁଁ ଘରୁ ତଡ଼ା ଖାଇ ବିଦା ହେଲା୤”
“ଅଜା!” ତା’ ଭଉଣୀ ପୁଣି କହିଲା୤ “ଗାଁଗଣ୍ଡାରେ ଚୋରଙ୍କୁ ସାତବେଣ୍ଟିଆ କରି ମୁହଁରେ ଚୂନକାଳି ବୋଳି ଗଧ ପିଠିରେ ବସେଇ ବୁଲାନ୍ତିନା?”
ମାଆ ପାଟିକଲା, “ଚୁପ୍‌ କରୁଛୁ ନା ଦେଖିବୁ ଏଇଲେ ? ତମ ଗୁଣଗାରିମା କ’ଣ ଊଣା?”
ବଗିଚା ଫାଟକ ପାଖେ ବଡ଼ ଭଉଣୀ ଓ ମାଆ ଅଜାଙ୍କ ପାଦ ଛୁଇଁ ମୁଣ୍ଡିଆ ମାରିଲେ୤ ମାଆ ଶଶାଙ୍କକୁ କୋଳକରି ଧରିଲା ଓ ଅନେକ ଗେଲ କଲା୤ ଶଶାଙ୍କ ଛାଡ଼ଛାଡ଼ ହେଲା୤ ଅଜାଙ୍କ ବାକ୍ସ ବସ୍‌ ଛାତ ଉପରକୁ ଉଠିଲା୤ ଡ୍ରାଇଭର ଆସ୍ତେକିନା ଥରେ ମାତ୍ର ହର୍ଣ୍ଣ ଚିପିଲା, ସତେ ଯେମିତି ହର୍ଣ୍ଣ ଉପରେ ତା’ ହାତ ଭୁଲ୍‌ରେ ପଡ଼ିଯାଇଥିଲା୤ ବସ୍‌ରେ ଉଠିଲାବେଳେ ବଡ଼ ଭଉଣୀ ଶଶାଙ୍କ ହାତରେ ମୁଠାଏ ଚକ୍‌ଲେଟ ଗୁଞ୍ଜିଦେଲା୤

(୨୦)

ସେମାନଙ୍କ ପାଇଁ ସାମ୍ନାରେ ଦୁଇଟିକିଆ ସିଟ୍‌ ରଖା ହୋଇ ଆସିଥିଲା୤ ଶଶାଙ୍କ ଝର୍କା ପାଖେ ବସିଲା୤ ବସ୍‌ ଛାଡ଼ିଲା୤ ସେ ହାତ ହଲେଇଲା୤ ତା’ ମାଆ ଓ ବଡ଼ ଭଉଣୀ ହାତ ହଲେଇଲେ୤ ଘର ଦୂରେଇଗଲା୤
ସହର ସରିଗଲା୤ ଗୁଡ଼ାଏ ସମୟ ଚାଲିଗଲା୤ ଖରା ବଢିଲା୤ ଗୋଟିଏ ସ୍ତ୍ରୀଲୋକ ଝର୍କାବାଟେ ମୁହଁ ଗଳେଇ ବାନ୍ତିକଲା୤ ତା’ ପଛରେ ବସିଥିବା ଲୋକମାନେ ପାଟିକଲେ୤ ଗୋଟିଏ ଛୋଟ ଛୁଆ ରାହା ଧରି କାନ୍ଦିଲା୤
ଶଶାଙ୍କ ଦେଖିଲା, ଅଜାଙ୍କ ଆଖିରୁ ଲୁହ ବୋହୁଥିଲା୤
“ଅଜା, ” ଶଶାଙ୍କ ପଚାରିଲା, “ମାଆ କଥା ମନେ ପଡ଼ୁଛି?”
ଅଜା ହସିଲେ୤ “ନାଇଁରେ, ଗରମ ପବନ ବାଜି ଆଖି ପାଣି ଦେଉଛି୤”
“ମତେ ଆଗରୁ କହିଲନି୤” ଶଶାଙ୍କ କହିଲା୤ “ମୋ ପାଖେ ଗୋଟିଏ ବଢିଆ ଜିନିଷ ଅଛି୤”
“କି ଜିନିଷ?” ଅଜା ତାଙ୍କ ଫତେଇ ପକେଟରୁ ନାସ କରାଟ ବାହାର କଲେ୤ କରାଟ ଉପରେ ସୁନ୍ଦର କମକୂଟ ହୋଇଥିଲା୤ ଶଶାଙ୍କକୁ ଲୋଭ ଲାଗିଲା୤ ଅଜା ଟିକିଏ ନାସ ଶୁଙ୍ଘିଲେ୤
ଶଶାଙ୍କ ଛିଙ୍କିଲା ଓ ସାର୍ଟ ଭିତରକୁ ହାତ ଗଳେଇ କଳା ଚଷମା ବାହାର କଲା୤ ଅଜା ଆଶ୍ଚର୍ଯ୍ୟ ହେଲେ୤ “ତୋର?” ସେ ପଚାରିଲେ୤
“ପିନ୍ଧ, ଦେଖିବ କେମିତି ବଢିଆ ଦିଶିବ୤”
“କାହାର ଏଇଟା?”
“ବଢିଆ ଲାଗିବ ଆଖିକୁ୤”
“ସତ କହ, ଏଇଟା କାହାର- ବାପାଙ୍କର?”
ଶଶାଙ୍କ ଉତ୍ତର ଦେଲାନାହିଁ୤ ସାର୍ଟ ଭିତରକୁ ପୁଣି ଥରେ ହାତ ଗଳେଇ ଚୋରିକରି ଆଣିଥିବା ବଡ଼ ଭଉଣୀର ଗୀତ ଖାତା ବାହାର କଲା୤ ଝାଳରେ ଖାତାର ଗୋଲାପୀ ମଲାଟ ତିନ୍ତିଯାଇଥିଲା୤ ଶଶାଙ୍କ କହିଲା, “ନାନୀ ଏଥିରେ ବଢିଆ ବଢିଆ ଗୀତ ରେଡ଼ିଓରୁ ଟିପି ରଖିଛି୤ ବାଟଯାକ ଗୀତ ଗାଇ ଗାଇ ଯିବା୤ ନାନୀ କହୁଥିଲା ଏ ଗୀତଖାତା ତା’ ପ୍ରାଣ୤”

ପୃଷ୍ଠା ସଂଖ୍ୟା : 1 2 3 4 5 6 7 8 9 10

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
କମଳାକାନ୍ତ ମହାପାତ୍ର, ଭୁବନେଶ୍ବର
author photo
୧୯୫୧ ମସିହାରେ ଜନ୍ମଗ୍ରହଣ କରିଥିବା କଥାକାର ଶ୍ରୀ କମଳାକାନ୍ତ ମହାପାତ୍ର ଆଧୁନିକ ଓଡ଼ିଆ କଥାସାହିତ୍ୟରେ ଜଣେ ବିସ୍ମୟକର ପ୍ରତିଭାସମ୍ପନ୍ନ ଗାଳ୍ପିକ ଓ ଅନୁବାଦକ ମଧ୍ୟ୤ ତାଙ୍କର ଗଳ୍ପ ସଂକଳନ ମଧ୍ୟରେ "ପାଳଭୁତ (୧୯୮୩)", "ଚୋର ଓ ଅନ୍ୟାନ୍ୟ ଗଳ୍ପ (୨୦୦୧)" ଏବଂ ଉପନ୍ୟାସ "ଫଟୋ (୧୯୯୦)" ଉଲ୍ଲେଖନୀୟ୤ ଜଁ ପାଲ ସାର୍ତ୍ତ, ଆଇଜାକ୍ ବାସେଭିସ୍ ସିଙ୍ଗର, ଗାବ୍ରିଏଲ ଗର୍ସିଆ ମାର୍କ୍ବେଜ୍ଙ୍କ ଭଳି ବିଶ୍ବପ୍ରସିଦ୍ଧ ଲେଖକଙ୍କ ରଚନାକୁ ଓଡିଆରେ ଅନୁବାଦ କରିବା ସହିତ ଫକୀରମୋହନ ସେନାପତି, ଲକ୍ଷ୍ମୀକାନ୍ତ ମହାପାତ୍ର, କିଶୋରୀ ଚରଣ ଦାସ ପ୍ରଭୃତିଙ୍କ ସାହିତ୍ୟକୁ ଇଂଲିଶ୍‌ରେ ଅନୁବାଦ କରି ବିଶ୍ବସ୍ତରରେ ପହଞ୍ଚାଇପାରିଛନ୍ତି୤

ସଂଖ୍ୟା ଦୃଷ୍ଟିରୁ ସ୍ବଳ୍ପ ହୋଇଥିଲେ ହେଁ ଶ୍ରୀ ମହାପାତ୍ରଙ୍କ ଲେଖାର ଶୈଳୀ ଓ କଥାବସ୍ତୁ ଏତେ ମୌଳିକ ଭାବେ ସ୍ବତନ୍ତ୍ର ଓ ଅଦ୍ବିତୀୟ ଯେ ତାଙ୍କର ଧାଡିଟିଏ ପଢିବା ଆରମ୍ଭ କଲେ ଶେଷଯାଏଁ ନ ପହଞ୍ଚି ରହିହୁଏନା୤

ସାମୟିକ ଭାବେ ଅଧ୍ୟାପନା ପରେ ୧୯୭୬ ମସିହାରୁ ଭାରତୀୟ ରାଜସ୍ବ ସେବାରେ ଯୋଗଦାନ କରି ଗାଳ୍ପିକ ଶ୍ରୀ ମହାପାତ୍ର କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ଅନେକ ଉଚ୍ଚ ପଦପଦବୀରେ ଅବସ୍ଥାପିତ୤

 

ମତାମତ ସଂଖ୍ୟା - ୯ ଆପଣଙ୍କ ମତାମତ ?

  • ୧. BISIKESAN NAYAK |  ଏପ୍ରିଲ୍ ୨୩, ୨୦୧୧ - ୩:୦୭ ପୂର୍ବାହ୍ନ

    ଭାରି ସୁନ୍ଦର୍ ହୋଇଛି ଲେଖାଟି

  • ୨. ପ୍ରୁଥୀରାଜ ପାତ୍ର (ଚାଣକ୍ୟ) |  ଜୁଲାଇ ୧୮, ୨୦୧୧ - ୭:୧୧ ପୂର୍ବାହ୍ନ

    ଆପଣଙ୍କ ଲେଖାଟି ଅତି ବଢିଆ ଲାଗିଲା
    ବହୁତ ଧନ୍ୟବାଦ .

  • ୩. ପ୍ରୁଥୀରାଜ ପାତ୍ର (ଚାଣକ୍ୟ) |  ଜୁଲାଇ ୧୮, ୨୦୧୧ - ୭:୧୪ ପୂର୍ବାହ୍ନ

    ଆପଣଙ୍କ ଲେଖାଟି ଅତି ବଢିଆ ଲାଗିଲା
    ବହୁତ ଧନ୍ୟବାଦ .
    ଇତି
    ଆପଣଙ୍କ ର ପା଼କ

  • ୪. Gopal Das |  ଜୁଲାଇ ୧୯, ୨୦୧୧ - ୬:୩୩ ଅପରାହ୍ନ

    ଲେଖାଟି ଏକରକମ ଭଲ ହେଲେ ବ୍ୟଙ୍ଗ ଭଳି ଲଗିଲା.

  • ୫. କ୍ଷୀରୋଦ ରାଉତ, ନାଗପୁର |  ଜୁଲାଇ ୨୭, ୨୦୧୧ - ୫:୫୪ ପୂର୍ବାହ୍ନ

    ଅନେକ ସୁନ୍ଦର ହୋଇଛି. ବାସ୍ତବ ରେ ଘଟୁଥିବା ଛୋଟ ଛୋଟ ଘଟଣା ଗୁଡିକ ଖୁବ୍ ସୁନ୍ଦର କରି ତୋଳି ଧରଛନ୍ତି ଲେଖକ.

  • ୬. ତରୁଣକାନ୍ତି ମିଶ୍ର |  ଅକ୍ଟୋବର୍ ୨, ୨୦୧୧ - ୧୦:୧୬ ପୂର୍ବାହ୍ନ

    କମଳାକାନ୍ତ ଓଡିଆ ସାହିତ୍ୟଜଗତରେ ଏକ ବିସ୍ମୟକର ପ୍ରତିଭା୤ ସେ ଅଳ୍ପ ଲେଖିଛନ୍ତି , କିନ୍ତୁ ଯାହା ଲେଖିଛନ୍ତି, ପ୍ରତ୍ୟେକଟି ଅସାଧାରଣ୤ ସମସାମୟିକ ଓଡିଆ ଗଳ୍ପର ସଂକ୍ଷିପ୍ତତମ ସଂକଳନରେ ମଧ୍ୟ ତାଙ୍କର ଗୋଟିଏ କାହାଣୀ ସ୍ଥାନ ପାଇବାର ଯୋଗ୍ୟ୤
    – ତରୁଣକାନ୍ତି ମିଶ୍ର

  • ୭. Ansumali, Balasore |  ଫେବୃଆରୀ ୨୦, ୨୦୧୩ - ୨:୦୩ ପୂର୍ବାହ୍ନ

    Khub sundara.

  • ୮. ରାଜେଶ୍ ସାହୁ, ଅନୁଗୁଳ,ଓଡିଶା |  ମାର୍ଚ୍ଚ୍ ୩, ୨୦୧୩ - ୨:୦୫ ଅପରାହ୍ନ

    ଓଡିଆ ଭାଷାର ଉନ୍ନତି ପାଇଁ ଏମିତି ଲେଖା ଉଚ୍ଚ ପ୍ରସଶଂନୀୟ ।

  • ୯. ସ୍ମୁତି ସୁମନ |  ମେ ୩, ୨୦୧୩ - ୩:୩୬ ପୂର୍ବାହ୍ନ

    ଅତ୍ୟନ୍ତ ଉଚ୍ଚକୋଟିର ଲେଖା

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤