ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ସର୍ବମୋଟ ମତଦାନ: ୧୮୧୬ Back to Vote Screen

ଲେଖକ ଓ ଲେଖିକା

ଗୋପାଳ ଚନ୍ଦ୍ର ପ୍ରହରାଜ
ଦିଲ୍ଲୀପ ଦାସ
ବିଷ୍ଣୁପ୍ରିୟା ମହାପାତ୍ର
ଭୂପେନ୍‌ ମହାପାତ୍ର
ସନ୍ୟାସୀ ନାୟକ
ଫନି ମହାନ୍ତି

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ବୁଢ଼ା ବୟସ
  ଦୁର୍ଗା ପଟ୍ଟନାୟକ, ଭୁବନେଶ୍ବର
 
 
ତା: ଫେବୃଆରୀ ୨, ୨୦୧୧  
 

କଲିଂବେଲ୍‌ରେ ହାତ ଦେବାବେଳକୁ ଘର ଭିତରୁ କୁନାର ଚିତ୍କାର ଶୁଭୁଥିଲା୤ ଆଖିବୁଜା ପାହାର ପାହାର ମାଡ ବସୁଛି୤ କୁନା ଚିତ୍କାର କରୁଛି ଜୀବନ ବିକଳରେ୤ ବାପାଙ୍କର ଗୋଟେ ଅଙ୍ଗ ଅଚଳ ଓ ସେ ଶ୍ବାସ ବେମାରୀ୤ ମୁନା ବୋଧେ ବାହାରେ ଖେଳୁଛି୤ ତା ହେଲେ କିଏ.. ? ସୁଜାତା ଏମିତି ପିଟିଚାଲିଛନ୍ତି ପିଲାଟିକୁ ! କ’ଣ ଏମିତି ଦୋଷ କଲା ସିଏ ! ଏଇଟା କ’ଣ ଶାସନ ? ଏମିତି ଆକଟ କରାଯାଏ ପିଲାଙ୍କୁ ? ରମେଶ ବାବୁ ଅଣନିଃଶ୍ବାସୀ ହୋଇପଡୁଥିଲେ୤ କିଛି ସମୟ ପରେ କୁନା କାନ୍ଦିକାନ୍ଦି କବାଟ ଖୋଲିଲା୤

ସୁଜାତା ବେତଟାକୁ ହାତରେ ଧରି ସର୍କସର ରିଙ୍ଗ ମାଷ୍ଟର ପରି ଗର୍ଜିଚାଲିଛନ୍ତି ଘର ଭିତରେ୤ ବୁଢାବାପା ନୀରବରେ ବସି ଶୁଣୁଛନ୍ତି୤

ରମେଶବାବୁ ପଚାରିଲେ, ବାପା ! କ’ଣ ହେଇଛି ତାର୤ ସିଏ କାହିଁକି ପିଲାଟାକୁ ଏମିତି ବାଡ଼ୋଉଛି୤ ବୁଢାଙ୍କ ପାଟିରୁ ଭାଷା ସ୍ଫୁରୁ ନାହିଁ୤ କହିଲେ ମଲା ନ କହିଲେ ମଲା ଅବସ୍ଥା୤ ବୁଢା ଶଙ୍କାଶଙ୍କା ଗଳାରେ କହିଲେ, କ’ଣ ହେଇଚି କେଜାଣିରେ ପୁଅ୤ ମୁଁ କୁନାକୁ କହିଲି, ଯା’ ମାକୁ କହିବୁ- ଜେଜକୁ ଚା’ ଟିକେ ଦବ୤ ତା’ ପରଠୁ ତ ଏମିତି ଲାଗିଛି୤

ସେଇଠୁ ରମେଶବାବୁ ଗର୍ଜିଉଠିଲେ୤ ଆହେ… କ’ଣ ହେଇଛି ? ପିଲାଟାକୁ ଏମିତି ପିଟୁଛ କ’ଣ ପାଇଁ ? ସୁଜାତା ଅଣ୍ଟା ଭିଡି ବାହାରିଆସିଲେ୤ ପିଟିବି ନାହିଁ ! କେତେ କେ.ଜି. ଚିନି ଆଣି ମାସକୁ ଥୋଇଦଉଚ କି ? ବୁଢାକୁ ମୁଁ ଦଶଥର ଚା’ ଦେଇପାରିବିନି୤ ଚା’ ପାନ, ଅଫିମ ଏସବୁ ବାଜେ ଅଭ୍ୟାସ୤ ମୁଁ ମୋ ବାପା ଦିହକେ ଜାଣିନି୤ ତମ ବାପାଙ୍କର ଯଦି ଏ ସବୁ ଲୋଡା ତେବେ ସିଏ ଗାଁ କୁ ଚାଲିଯାଆନ୍ତୁ୤ ସେଇଠି ସାନବୋହୂ କି ମଝିଆବୋହୂ ସବୁ ଯୋଗାଡ କରି ଥୋଇଦେବେ୤ ମୋ ଦେଇ ହବନି ଏ ସବୁ, କହିଦେଉଛି..୤

ରମେଶବାବୁ ସୁଜାତାଙ୍କ ହାତ ଧରିବାର ଆଜକୁ ପନ୍ଦର ବର୍ଷ ହୋଇଗଲାଣି୤ ସବୁବେଳେ ସୁଜାତାର ଏମିତି ଟାଇଁଟାଇଁ କଥା୤ ଦେହସୁହା ହୋଇଗଲାଣି ତାଙ୍କର୤ ସୁଜାତାକୁ ଭଲମନ୍ଦ କହି କିଛି ଲାଭ ନାହିଁ୤ ପିଲାଗୁଡାକୁ ମଣିଷ କରିଦେଲେ ହୁଏତ ଜୀବନରେ ଅଳ୍ପ ସମୟ ଲାଗି ମଧ୍ୟ କିଛି ଶାନ୍ତି ମିଳିପାରିବ୤ ରମେଶବାବୁ ବ୍ୟାଙ୍କରେ ଜଣେ ଉଚ୍ଚପଦସ୍ଥ ଅଫିସର୤ ଅଫିସ କାମ ବାଦ ତାଙ୍କର ଏତିକି ହିଁ କାମନା୤

ରମେଶବାବୁ କୁନାକୁ ପଚାରିଲେ, ବାପାରେ ତୁ କ’ଣ ଦୋଷ କରିଛୁ ସତ କହିଲୁ ? କୁନା କହିଲା – ନାଇଁ ବାପା, ମୁଁ ଜେଜେଙ୍କ ପାଇଁ ମା’କୁ ଚା’ ମାଗିଲି୤ ସେ ନ ଦେବାରୁ ମୁଁ ନିଜେ ପାଣିରେ ଅମୁଲ ମିଶାଇଲି୤ ମା’ ମତେ ମାଡ ଦେଲା୤ କୁନା କୋହ ଉଠାଉଥାଏ୤ ରମେଶବାବୁ ବାପାଙ୍କୁ ଲକ୍ଷ୍ୟ କରି ତଳକୁ ମୁହଁ ପୋତି କହିଲେ, ବାପା ତୁମେ ନହେଲେ ଗାଁକୁ ଚାଲିଯାଅ୤ ଏଇଠି ତୁମେ ଶାନ୍ତି ପାଇପାରିବନି୤ ସୁଜାତା ରୋଷେଇ ଘରୁ ପାଟି କରୁଛନ୍ତି ୤ ଓହୋ ! ବାପା ସୁହାଗ ବୋହିପଡୁଛି୤ ତମ ପୁଅକୁ ବି ପଠାଇ ଦିଅ୤ ଦରକାର ନାହିଁ ଏମିତି ପିଲା୤ ସିଏ ଗାଁରେ ରହୁ, ବାପାଙ୍କୁ ଚା’ ଦଉ୤ ପିଅନ କାମ ଶିଖୁ୤ ପାଠ ନ ପଢୁ୤ ତାକୁ ପଠାଇ ଦିଅ୤

ରମେଶ ବାବୁ ଚାବୁକ୍ ଖାଇବା ପରି ମନେ କରୁଥାନ୍ତି୤ ଖୁଣ୍ଟ ପରି ଛିଡା ହୋଇ କ’ଣ ଚିନ୍ତା କରୁଥିଲେ୤

ସେଦିନ ରାତିରେ ଆଉ ବୁଢାଙ୍କ ଆଖିକୁ ନିଦ ନାହିଁ୤ ସାରା ରାତି ସେ ଭାବୁଥିଲେ, ନିଜ ଜୀବନର ଲମ୍ବା କାହାଣୀକୁ୤ ସିଏ ପୁଅ ପାଇଁ ଗୋଟେ ସାବନା ବର୍ଣ୍ଣର ବୋହୂ ଖୋଜିଥିଲେ୤ ହେଲେ ପୁଅର ମନ ମାନିଲା ନାହିଁ୤ ବୁଢା ଜାଣୁଥିଲେ ଯେ, ଏ ସହରୀ ଛଟକି ଫେସନି ଝିଅଗୁଡାକ ସବୁ ଏମିତି୤ ଘର ଭାଙ୍ଗିବେ ଏମାନେ୤ ହଉ ତାର କପାଳ୤ ଚା’ କପେ ପାଇଁ ପରିବାରରେ ଝଡ ସୃଷ୍ଟି ହୋଇଯାଉଛି ଆଜି ! କିନ୍ତୁ ମୁଁ ମୋ ପୁଅ ପାଇଁ କ’ଣ ନ କରିଛି୤ ମୁଁ କ’ଣ ଅଫିମ ଜାଣିଶୁଣି ଖାଉଛି୤ ଶ୍ବାସ ରୋଗଟାକୁ ଛାତି ଭିତରେ ଚାପିରଖିବାକୁ ଅଫିମ ଟିକେ ଖାଇଦେଲେ ଚଳିଯାଏ୤ ଏଇଥିପାଇଁ ଏତେ କଥା୤ ପାନଟା ତ ଅନେକ ଦିନରୁ ଖାଇଆସିଛି୤ ଏବେ କ’ଣ ଛାଡିହେବ ? ତା’ ବୋଲି ମୁଁ କ’ଣ ମୋ ବୋହୂର ଘର ଉଜାଡିଦେଉଛି୤ ସର୍ବସ୍ବ ଖାଇଦେଉଛି !

ବୁଢାଙ୍କୁ ଭାରି ଅଣନିଃଶ୍ବାସୀ ଲାଗିଲା୤ ସତେ ଯେପରି ମୁଣ୍ଡ ମଧ୍ୟରେ ଏକ ଚକ୍ର ଘୂରି ମସ୍ତିଷ୍କର ସବୁ ଯୋଗାଯୋଗକୁ କାଟିପକାଉଛି୤ ଘଣ୍ଟାରେ ଦୁଇଟା ବାଜିଲା୤ ରାତି ପାହିବାକୁ ଆହୁରି ଢେର ବାକି୤ ବୁଢା ଭାବୁଥିଲେ, ସକାଳ ଆସିଲେ ବିଦାୟ ନେବି ସବୁଦିନ ପାଇଁ ଏଠାରୁ୤ ସହରୀ ଜୀବନରେ ବାସ୍ନା ନାହିଁ୤ ଭାରି ମିଛିମିଛିକା ଆଉ କୃତ୍ରିମ ଭାବ ବିନିମୟ ହୁଏ ଏଠି୤ ତାର ସେଇ ଗାଁ ମାଟି ବରଂ ଭଲ୤ ସରକାର ବାହାଦୁର ମଧ୍ୟ ଯୋଉ ଦି ବଖରା ଘର ଦେଉଛନ୍ତି ସହରୀବାବୁମାନଙ୍କୁ, ସେଗୁଡିକ ଅଫିସର ଓ ତାଙ୍କ ପିଲାଛୁଆଙ୍କୁ ନିଅଣ୍ଟ୤ ତା’ ପରି ଖୁଁ ଖୁଁ କାଶୁଥିବା ବୁଢାଗୁଡାଙ୍କ ପାଇଁ ଏ ରାଜଧାନୀରେ ସ୍ଥାନ କାହିଁ ? ବୁଢା ଆଖିପତା ମୁଦି କେତେ କ’ଣ ଭାବି ଚାଲିଛନ୍ତି୤ ତାଙ୍କ ଭାବନା ନଈର ସୁଅ କୂଳ ଅତିକ୍ରମ କରୁଥିଲାବେଳେ ସେ ଚମକି ଉଠିଲେ୤ ଆଖି ଖୋଲିଲାବେଳକୁ କୁନା ଅତି ସନ୍ତର୍ପଣେ ମା’ କୋଳରୁ ଜେଜେଙ୍କ ଶୋଇବା ଘର ଭିତରକୁ ପଳାଇଆସିଛି୤ ବୁଢା ତାକୁ ଦେଖି ଟିକେ ଡରିଗଲେ୤ କହିଲେ, କୁନା, ତୁ ଜଲଦି ପଳାଇଯା୤ ମା’ ଉଠିଲେ ଏଇନେ ରାତିଟାରେ ମାଡ ଖାଇଯିବୁ୤ କୁନା ଟିକେ ବି ଭୟ କଲାନି୤ ଓଲଟି ପଚାରିଲା, ଜେଜେ ତୁମେ ସକାଳ ହେଲେ ଗାଁକୁ ଚାଲିଯିବ ? ବୁଢା ଆଶ୍ଚର୍ଯ୍ୟରେ ବୋକା ବନିଗଲେ୤ ଉଠିବସି କୁନାକୁ କୋଳେଇଆଣିଲେ୤ ପଚାରିଲେ, ତୁ କେମିତି ଜାଣିଲୁ କିରେ ?

କୁନା କହିଲା – ଜେଜେ ମୁଁ ସ୍ବପ୍ନ ଦେଖିଲି୤ ନାଇଁ ମ ଜେଜେ, ତୁମେ ଯାଅନି୤ ତୁମେ ସବୁଦିନେ ଖେଳଛୁଟି ବେଳେ ଆମ ସ୍କୁଲ ଗେଟ୍ ପାଖକୁ ଚାଲିଆସିବ୤ ସେଇଠି ଆମେ ଆମ ଟିଫିନ ଖର୍ଚ୍ଚରୁ ତୁମକୁ କପେ ଚା’ ଦେଇଦେବୁ୤ ମୁନା ବି କହୁଛି ସେ ତା’ର ଚେନାଚୁର ଖର୍ଚ୍ଚରୁ ତୁମକୁ ଦେବ୤ ଜେଜେ ତୁମେ କୁହନା, ଆମକୁ ଛାଡି ଆଉ ଗାଁକୁ ଯିବନି୤ ବୁଢାଙ୍କର ଆଖି ଜକେଇଆସିଲା୤ କୁନାକୁ କୁଣ୍ଢାଇପକାଇ କହିଲେ, “ନାଁ ରେ ତୁ ଯା’ ଶୋଇପଡ୤ ମୁଁ ତତେ ଛାଡି କୁଆଡେ ଯିବି ଯେ ! ମୋ ସୁନାଟା ପରା ଯା’ ତୁ ଶୋଇପଡ୤”

ପୃଷ୍ଠା ସଂଖ୍ୟା : 1 2

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ଦୁର୍ଗା ପଟ୍ଟନାୟକ, ଭୁବନେଶ୍ବର
author photo
ଜଣେ ବରିଷ୍ଠ ସାମ୍ବାଦିକ ତଥା ଗାଳ୍ପିକ ଦୁର୍ଗା ପଟ୍ଟନାୟକ ୫୦ରୁ ଊର୍ଦ୍ଧ୍ବ ଗଳ୍ପ ରଚନା କରିଛନ୍ତି୤ ଅଖିଳମୋହନ ଗଳ୍ପ ସମ୍ମାନ ଲାଭ କରିଥିବା ଏହି ଲେଖକଙ୍କର ଗଳ୍ପ ସଙ୍କଳନ ‘ଭାନୁମତି’ ଉଲ୍ଲେଖନୀୟ୤
 

ମତାମତ ସଂଖ୍ୟା - ୩ ଆପଣଙ୍କ ମତାମତ ?

  • ୧. ଜଗଦୀଶ ତ୍ରିପାଠୀ |  ଫେବୃଆରୀ ୩, ୨୦୧୧ - ୧୧:୪୪ ଅପରାହ୍ନ

    ବହୁତ ଭଲ ଲାଗିଲା । ଆପଙ୍କଠୁ ଏମିତି ଅନେକ ଆଶା କରୁଛୁ ।

  • ୨. ମହେନ୍ଦ୍ର ମିଶ୍ର |  ଫେବୃଆରୀ ୮, ୨୦୧୧ - ୧:୩୧ ପୂର୍ବାହ୍ନ

    ଲେଖାଟି ବହୁତ ଭଲ ହୋଇଛି୤ ପ୍ରଚଳିତ ସାମାଜିକ ବ୍ୟବସ୍ଥା ଏବଂ ଗତାନୁଗତିକ ଢଙ୍ଗରେ ଲେଖାଟି ପର୍ଯ୍ୟବେଶିତ ହୋଇଥିଲେ ମଧ୍ୟ ଲେଖକଙ୍କ ଶବ୍ଦ ସଂଯୋଜନା ବିଶେଷ କରି ଆଞ୍ଚଳିକ ଶବ୍ଦ ବିନ୍ୟାଶ ଲେଖାଟିକୁ ଜୀବନ୍ତ କରିଛି୤

  • ୩. ସ୍ମୁତି ସୁମନ, Bhubaneswar |  ମେ ୩, ୨୦୧୩ - ୧୨:୪୮ ପୂର୍ବାହ୍ନ

    ବହୁତ ଭଲ ଲାଗିଲା

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤