ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ସର୍ବମୋଟ ମତଦାନ: ୧୮୨୮

ଲେଖକ ଓ ଲେଖିକା

ବ୍ରହ୍ମାନନ୍ଦ ପଣ୍ଡା
ସ୍ବଭାବ କବି ଗଙ୍ଗାଧର ମେହେର
ଅମରେଶ ବିଶ୍ବାଳ
ବାମାଚରଣ ମିତ୍ର
ବିଷ୍ଣୁପ୍ରିୟା ମହାପାତ୍ର
ଅମିୟବାଳା ପଟ୍ଟନାୟକ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ବୟସର ଦୁଃଖ
  ରବି କାନୁନ୍‌ଗୋ
 
 
ତା: ଅକ୍ଟୋବର୍ ୧୩, ୨୦୦୯  
ମୂଳ ପୃଷ୍ଠାଗଳ୍ପ
 

ଜାତିସଂଘ ଉଦ୍ଦ୍ୟେଶିକାରେ ଆଉ ଗୋଟିଏ ପଦ ଯୋଡାଯାଇଥିଲେ ବିଶ୍ବ ଲୋକସଂଖ୍ୟାର ପାଖାପାଖି ଅଧେ, ଅର୍ଥାତ୍ ପୁରୁଷ ଜାତି ଉପକାର ପାଇଥାନ୍ତେ ୤ ତାହା ହେଲା, ନିଜ ରୂପ ଆକର୍ଷଣୀୟ ଦେଖାଯିବା ମଧ୍ୟ ଏକ ମାନବାଧିକାର ୤ ବିଶ୍ବ ସମତା ପ୍ରତିଷ୍ଠା ଦିଗରେ ଏହା ଅନ୍ତତଃ ଏକ ପଦକ୍ଷେପ ତ ହୋଇଥାନ୍ତା ୤ ସନ୍ଧି-କୂଟନୀତି-ଯୁଦ୍ଧ-ଶାନ୍ତି ଭିନ୍ନ ନୂଆ କିଛି ରୋମାଣ୍ଟିକ୍ ଧାରଣା ପୁରୁଷ ଜାତି ପାଇଁ ସୃଷ୍ଟି ହେବାର ସମ୍ଭାବନା ଥାଆନ୍ତା ୤ ବିଶ୍ବର ଅବସ୍ଥା ଯାହା ଥାଉ ନା କାହିଁକି, ବାକି ଆଠ’ଣା ନାରୀମାନେ ନୈଷ୍ଠିକ ଭାବେ ତାହା ପାଳନ କରିବାର ପ୍ରାକୃତିକ ଅଧିକାର ପାଇଛନ୍ତି ୤

ବାବୁ ଚନ୍ଦ୍ରକାନ୍ତ ମୌକିଲ୍ ୤ ଦେଖିବାକୁ ବେଶ୍ ସୁନ୍ଦର ୤ ସ୍ତ୍ରୀ ମନୋରମାଙ୍କ କଥା ନ କହିଲେ ଚଳିବ ୤ ଦେବୀ ଭାଷାରେ, ଯଥା କାର୍ତ୍ତିକେୟସ୍ୟ ବ୍ରହ୍ମା ନନ୍ଦିନୀ ବା ଦି’ଜଣଯାକ ଯେମିତି ଫିଲଟର୍ ଉଇଲ୍‌ସ୍ ସିଗାରେଟ କମ୍ପାନୀର ବିଜ୍ଞାପନ- ମେଡ୍ ଫର୍ ଇଚ୍ ଅଦର୍ ପରି୤

କାନ୍ତ ଥରେ ଟୁର୍‌ରୁ ଫେରି ବ୍ୟାଗ୍ ବ୍ରିଫ୍‌କେଶ୍ ଫୋପାଡି ତରବର ହୋଇ ଅଫିସ୍ ପଳାଇଲେ ୤ ଜିନିଷପତ୍ର କାଢି ସଜାଡିବା ବେଳକୁ ରମା ଏମିତି କିଛି ଦ୍ରବ୍ୟ ଦେଖିଲେ ଯାହା ତାଙ୍କୁ ନିହାତି ଅସଙ୍ଗତ ଲାଗିଲା ୤ ଆଇବ୍ରୋ ପେନ୍‌ସିଲ, ଟୁଇଜର୍ ଓ ଲିପ୍ଷ୍ଟିକ୍ ୤ ସ୍ବାମୀଙ୍କୁ ଏ ପ୍ରକାର ସନ୍ଦେହ ସେ କେବେ କରି ନ ଥିଲେ ୤ ବାହାଘର ଏଗାର ବର୍ଷ ହେଲାଣି ୤ ପୁଅର ଚତୁର୍ଥ ଶ୍ରେଣୀ ୤ ରମାଙ୍କ ପଞ୍ଜରା ଭିତରଟା ଅଜାଣତରେ ଥରିଉଠିଲା ୤ ପରିବା ଭାବେ ସାରୁ ଓଲୁଅ ଇତ୍ୟାଦିକୁ ପଛେ ବିଶ୍ବାସ କରିହେବ କିନ୍ତୁ ପୁରୁଷ ମନ ଯେ ଭୋଦେଇ ବଉଦ; ଢାଳିଦେଲା ତ ସବୁ ଭାସିଗଲା, ଉଡିଗଲା ତ ଠିଆ ମରୁଡି୤ ସେଇଥି ସକାଶେ ବଡପୁରୁଷ କହିଛନ୍ତି- ନର ମାୟା ନାରାୟଣଙ୍କୁ ଅଗୋଚର ୤

ପୁରୁଷର ବିତ୍ତ ବା ବରବାଦୀ ଜାଣିବା ହୁଏତ ଅସମ୍ଭବ ହୋଇପାରେ, ମାତ୍ର ଦୁଶ୍ଚରିତ୍ର ଠଉରେଇବା ମାମଲାରେ ନାରୀ ନିଜେ ଏକ ଚବିଶଘଣ୍ଟିଆ ଭ୍ରାମ୍ୟମାଣ ପରୀକ୍ଷାଗାର ୤ ଆଉ ବଡ ପରୀକ୍ଷା କଥା ଦୂରକୁ ଥାଉ; ସ୍ବାମୀ ପୁଅ କି ଝିଅ କାହା ସହ ଘଷିନେଷି ହୋଇଥିଲେ, ସେମାନେ ସାର୍ଟ ବା ଗଞ୍ଜି ଶୁଂଘି ଜାଣିପାରନ୍ତି ୤

ଏଣିକି ରମାଙ୍କ ମନକୁ ଆସିଯାଉଥାଏ, ପୁରୁଷ ମନ ଯେ ଭ୍ରମର ପ୍ରାୟ୤ ନିଜକୁ ସିଏ ତତ୍‌କ୍ଷଣାତ୍ ବୁଝେଇଦିଅନ୍ତି୤ ହ୍ୟାତ୍, ଯିଏ ଶାଳୀମାନଙ୍କ ସହିତ ଦେଢ଼ଶୁର ପରି ହୁଅନ୍ତି ତାଙ୍କର ପୁଣି ଏତେ ସାହାସ ଆସିବ କୋଉଠୁ ? ପଚାରି ଦେବେ କି ? ପୁଣି ମନ କହେ – ବୋକୀ ଲୋ, କେହି କଣ ଏମିତି କଥାରେ ସତ କହନ୍ତି ଯେ, ତତେ ସେ କହିବେ ? କୁଆଡ଼େ ପୁରୁଷ ମାନି ଯାଏ, କ୍ଷମା ମାଗେ, ହଲପ କରି କହେ – ଆଉ ସେମିତିକା ଭୁଲ କରିବନି ! ଫୁଃ, ଏଗୁଡ଼ାକୁ ସବୁ ବହି କଥା୤ ପଢ଼ିଲେ ଭଲ ଲାଗେ୤ ହେଲେ ରକ୍ତମାଂସର ଜୀବନ କିନ୍ତୁ ଏତେ ନାଟକ ସମ୍ଭାଳିବାକୁ ପ୍ରସ୍ତୁତ ହୁଏନା୤

ଏମିତିକା ମନଛନ୍ଦା ଜଞ୍ଜାଳରୁ ରମାଙ୍କୁ ନିସ୍ତାର ମିଳୁ ନ ଥାଏ ଯେମିତି୤ ଘଟଣା ସତ ହୋଇଥିଲେ ବି ମନ କହୁଥାଏ ବିଶ୍ବାସ କରନା ଲୋ, ମରିଯିବୁ୤ ବରଂ ଉଚିତ୍ ହେବ, ସନ୍ଦେହ ବୋଲି ଭାବି ବଞ୍ଚିଯା୤ ସେଇ ମନ ପୁଣି ଟାଣିଭିଡ଼ି ନେଇଯାଏ ତାକୁ ନିଷିଦ୍ଧ ଓ ଗହନ ଇଲାକାକୁ, ପ୍ରମାଣ ପରେ ପ୍ରମାଣ ଉଣ୍ଡାଳିବାକୁ୤

ତାଙ୍କ ପ୍ରେମ ପାଇଁ ମୁଁ ହିଁ ଅନନ୍ୟ ଓ ଶ୍ରେଷ୍ଠ ପରି ଯୁକ୍ତି ସପକ୍ଷରେ ନାରୀ ଯେଉଁ ବଳୟଟି ତିଆରି କରି ତହିଁରେ କାହାରି ଅନୁପ୍ରବେଶ ଅସମ୍ଭବ ବୋଲି ଭାବି ରହିଥାଏ ଏବଂ ତାହା ପରଖିବା କଦାପି ସମ୍ଭବ ହେଉ ନ ଥିବାରୁ, ଭାଗ୍ୟହୀନର ପ୍ରତିରକ୍ଷା ମଧ୍ୟ ସେହିପରି ବେଅକଲ ଅନୁମାନ ଉପରେ ନିର୍ଭର କରି ରହିଥାଏ୤ ଭାଙ୍ଗି ନ ଯିବା ପର୍ଯ୍ୟନ୍ତ, ଭୁଶୁଡ଼ି ନ ଯିବା ପର୍ଯ୍ୟନ୍ତ ପ୍ରେମ କଣ ବା ଫିସାଦି କଣ, ତୁ କେମିତି ଜାଣିବୁ, ଲୋ ହୁଣ୍ଡି ? ମନେ ପଡ଼େ, ତା କେଶରୁ କେଉଁଠି ଗୋଟେ ଅଧେ ପାଚିଯାଇଥିବା ଚନ୍ଦ୍ରକାନ୍ତଙ୍କୁ କାହିଁକି ଦେଖାଯାଉଥିଲା ? ସେ ତାଙ୍କୁ ଡାଇଙ୍ଗ୍ କରିବାକୁ କହୁଥିଲେ ତା’ହେଲେ ଏଇଥି ସକାଶେ ? ପୁରୁଷଗୁଡ଼ାଙ୍କର ସବୁ ବେଷ୍ଟ ଦରକାର ନା ? ଅଇଁଠା ଚାଟିଲା ବେଳେ ସତରେ ଯେମିତି ସେଇଆ ମିଳୁଥାଏ !

ପୃଷ୍ଠା ସଂଖ୍ୟା : 1 2

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ରବି କାନୁନ୍‌ଗୋ
author photo
 

ମତାମତ ସଂଖ୍ୟା - ୨ ଆପଣଙ୍କ ମତାମତ ?

  • ୧. Nachiketa Mishra |  ଫେବୃଆରୀ ୩, ୨୦୧୧ - ୩:୩୭ ପୂର୍ବାହ୍ନ

    ଭଲ ଲାଗିଲା | ଲେଖକଙ୍କୁ ଅନେକ ଶୁଭକାମନା|

  • ୨. ପ୍ରୁଥୀରାଜ ପାତ୍ର (ଚାଣକ୍ୟ) ୯୪୩୭୭୭୧୬୯୧ |  ଜୁଲାଇ ୧୮, ୨୦୧୧ - ୭:୧୭ ପୂର୍ବାହ୍ନ

    ଖୁବ ମଜା ଲଗିଲା ସିଖିଲି ଜେତିକି ହସିଲି ସେତିକି

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤