ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ଭାନୁଜୀ ରାଓ
ଗୋଦାବରୀଶ ମହାପାତ୍ର
ବରେନ୍ଦ୍ର କୃଷ୍ଣ ଧଳ
ଉତ୍କଳମଣି ଗୋପବନ୍ଧୁ ଦାସ
ସନ୍ୟାସୀ ନାୟକ
ତରୁଣକାନ୍ତି ମିଶ୍ର

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ବାପା
 |- ଅରବିନ୍ଦ ରାୟ
 
 
ତା: ଜୁଲାଇ ୨୮, ୨୦୧୨  
 

ନିତ୍ୟାନନ୍ଦଙ୍କର ଆଜି ବି ମନେପଡ଼ୁଛି ସେଦିନ ସେମାନେ ଭୁବନେଶ୍ବରରୁ ବାହାରିବା ବେଳକୁ ରାତି ନଅଟା୤ ବାଟସାରା ବର୍ଷା୤ କାର୍‌ ଭିତରେ ନିତ୍ୟାନନ୍ଦ, ସଂଯୁକ୍ତା, ତାଙ୍କର ତିନୋଟି ପିଲା ଓ ଦୂର ସମ୍ପର୍କୀୟ ଜଣେ ଭାଇ ବସିଥିଲେ ବି କାହାରି ପାଟିରେ ପଦେ କଥା ନ ଥିଲା୤ ନିତ୍ୟାନନ୍ଦଙ୍କୁ ଲାଗୁଥିଲା ଯେମିତି ଭୁବନେଶ୍ବରରୁ ଜଗତ୍‌ସିଂହପୁର ରାସ୍ତା ଲମ୍ବିଯାଇଛି୤ ବାଟସାରା ମନେ ପଡ଼ୁଥିଲା ବାପାଙ୍କର ସେଇ ଦିନ ସବୁ୤

ବାପା କଟକରେ ଚାକିରି କରୁଥିଲେ ସେତେବେଳେ୤ ଆଖ ପାଖରେ ସେତେବେଳେ ଆଉ କେହି କଟକରେ ଚାକିରି କରୁ ନଥିଲେ୤ ସାଇର ସତ୍ୟାଜା ଆଉ କାହ୍ନୁ ଅଜା ପରି କେଇଜଣ କଲିକତା ଝୋଟକଳରେ କାମ କରୁଥିଲେ୤ ସେମାନେ ଥରେ ଦଶହରାକୁ ଓ ଆଉ ଥରେ ରଜବେଳକୁ ଗାଁକୁ ଆସୁଥିଲେ୤ ବାପା କିନ୍ତୁ ସବୁ ଶନିବାର ସନ୍ଧ୍ୟାରେ କଟକରୁ ଗାଁକୁ ଫେରୁଥିଲେ୤ ନିତ୍ୟାନନ୍ଦଙ୍କର ମନେ ପଡ଼ୁଥିଲା, ସେତେବେଳକୁ ତାଙ୍କ ଗାଁ ପାଖ ନଈରେ ପୋଲ ହୋଇ ନ’ଥିଲା୤ ବାପା କଟକରୁ ବସ୍‌ରେ ଆସି ବାଲିଆ ଛକରେ ଓହ୍ଲାଉଥିଲେ୤ ଶନିବାର ଦିନ ବେଳ ବୁଡ଼ୁବୁଡ଼ୁ, ତାଙ୍କ ଘରେ ଚାକିରିଆ ଥିବା ନାଥ କି ବରହମୁ ଯାଇ ବାଲିଆ ଛକର ସେଇ ନେଳି କୁଜି ବସ୍‌ଟାକୁ ଅପେକ୍ଷା କରୁଥିଲେ୤ ବାପା ସତକୁ ସତ ସେଇ ବସ୍‌ରେ ହିଁ ଆସୁଥିଲେ୤ ସେ ବସ୍‌ ଚାଲିଯିବା ପରେ ବାଲିଆ ଛକର ବାବନ ଶୁଣ୍ଢି ତା’ ଚା’ ଦୋକାନ ବନ୍ଦ କରି ଲଣ୍ଠନ ଧରି ଘରକୁ ଚାଲି ଯାଉଥିଲା୤

ବାପା ଗାଁକୁ ଫେରୁଥିଲେ୤

ଆଗେ ଆଗେ ବାପା, ପଛରେ ନାଥ୤ ନାଥ ମୁଣ୍ଡରେ ଥିବ ବଡ଼ ପୁଟୁଳିଟିଏ୤ ସେ ପୁଟୁଳି ଭିତରେ ଥିବ, ଜେଜେଙ୍କ ପାଇଁ ନୂଆ ହରିବଂଶ ବହି, ମା’ ପାଇଁ ଆଲିଗଡ଼ କୋଲପ ଓ କଞ୍ଚି, ଦାଦାଙ୍କର ଲୁଙ୍ଗି ଓ କୁମ୍ଭପକା ଗାମୁଛା, ବୋଉର ବରାଦ ଅନୁସାରେ କାହାପାଇଁ ହାତୀମାର୍କା ଡ୍ରଇଁ ଖାତା, କାହା ପାଇଁ ପ୍ଲାଟୋ କଲମ୍‌, କାହାପାଇଁ କ୍ରୁସ୍‌ ଓ ସୂତା, ଖୁଡ଼ିଙ୍କର ରାମବାବୁଙ୍କ ଚିଠା ଅନୁସାରେ ମାସକର ଶ୍ବାସ ଔଷଧ, ନାଥ ପାଇଁ ହଳେ ମଟର ଟାୟାର୍‌ର ଚପଲ ଆଉ ଗୋଟାଏ ବଡ଼ ଜରିଭର୍ତ୍ତି ବିସ୍କୁଟ୤ ବାପା ଘରେ ପହଞ୍ଚିଲା ବେଳକୁ ଜେଜେ ଲଣ୍ଠନଟାଏ ଧରି ଗାଁ ମୁଣ୍ଡ ବୁଲେଇଗଣ୍ଡ ମଶାଣି ପାଖଯାଏ ଚାଲି ଚାଲି ଯାଇଥିବେ୤ ମା’ ବାରିପଟ ଗୁହାଳ ଡେଇଁ ଗୋରୁବନ୍ଧା ପଥର ପାଖରେ ଥାଇ ଯାହାକୁ ବି ଅନ୍ଧାରରେ ଦେଖୁଥିବ ଡାକୁଥିବ ବଙ୍ଗୁକିରେ ! ବାପାଙ୍କ ନାଁ ଉମାକାନ୍ତ ବୋଲି ସମସ୍ତେ ଜାଣିଥିଲେ ବି ମା’ ସେଇ ବଙ୍ଗୁ ନାଁରେ ହିଁ ତାଙ୍କୁ ଡାକେ୤

ଗାଁର ରାତି, ବୁଢ଼ୀ ଅସୁରୁଣୀ କଥାର ରାତି ପରି ସାଇଁ ସାଇଁ ବଢ଼ୁଥାଏ୤ ସଞ୍ଜ ବୁଡ଼ୁବୁଡ଼ୁ ରୋଷେଇ କାମ ସାରି ସାହିର ଆଉ ସମସ୍ତଙ୍କ ଘରେ କବାଟ ପଡ଼ି ସାରିଥାଏ୤ ସାରା ଗାଁଟା ଭାରି ଖାଁ ଖାଁ ଲାଗୁଥାଏ୤ ବେଳେବେଳେ ରାତିର ସେଇ ନିସ୍ତବ୍ଧତାକୁ ଚିରି କେବଳ ବୁଢ଼ୀ ମା’ର ଡାକ ଶୁଭୁଥାଏ- ବଙ୍ଗୁ କିରେ….. ୤ ସେ ଡାକ ଅନ୍ଧାର ଭିତରେ ହଜି ଯାଇଥାଏ୤ ରାତି ବଢ଼ୁଥାଏ୤ ହେଲେ ଆମେ ଘରେ ଯେତେ ଛୋଟ ପିଲା, କାହା ଆଖିକୁ ନିଦ ନ ଥାଏ୤ କାରଣ, ବାପା ଆଜି କଟକରୁ ଆସିବେ, ଲେମ୍ବଚୁଚ୍‌ ଆଣିବେ ବୋଲି ଭାବିଦବା ମାତ୍ରେ ଆଖିରୁ ନିଦ କୁଆଡ଼େ ହଜି ଯାଇଥାଏ୤ ବାପା ଆଣିଥିବା ଜରିରେ ଥାଏ କେତେ ପ୍ରକାର ବିସ୍କୁଟ୤ କେତେ ପ୍ରକାର ଲେମ୍ବଚୁଚ୤ ହାତୀ, ଘୋଡ଼ା, ମୟୂର, ହଂସ ଆକାରର ଜରିଭର୍ତ୍ତି ବିସ୍କୁଟ ଆଉ ରୋଲ ଲେମ୍ବଚୁଚ୍‌ରେ ଧଳା ଓ ଗୋଲାପିର ପଟି ପଟି ଗାର ଆମ ଆଖିରୁ ନିଦ ଚୋରେଇ ନେଇଥାଏ୤

ଶେଷରେ ଦୋକାନ ପାଖ ବରଗଛ ମୂଳୁ ଦିଶେ ଜେଜେଙ୍କ ଲଣ୍ଠନ ଓ ସେଇ ଲଣ୍ଠନ ଆଲୁଅରେ ଝାପ୍‌ସା ଦିଶେ କେତେଟା ମଣିଷଙ୍କ ଚାଲୁଥିବା ଗୋଡ଼୤ ଆମେ ସେଇ ବାରିପଟ ପାହାଚ ପାଖରେ ଥାଇ ତାଳିମାରି ନାଚୁ୤ ନିତ୍ୟାନନ୍ଦଙ୍କର ସ୍ପଷ୍ଟ ମନେ ଅଛି- ସେତିକିବେଳକୁ ସେ ଖୁବ୍‌ ଏକ ପ୍ରବଣତାରେ ଡାକଦିଅନ୍ତି- ବାପା…୤ ବାପା ମ ୤

ସେଇ ବରଗଛ ପାଖ ଅନ୍ଧାର ଭିତରୁ ଅଭୟବାଣୀ ଶୁଣାଇବା ପରି ବାପା ଜବାବ ଦିଅନ୍ତି- ହଁ…. ଅ….୤

ବାପା, ବାରି କବାଟ ଟପି ଦୁଆରେ ପାଦ ଦଉ ଦଉ ମା’ ଦୌଡ଼ିଯାଇ ଦୁଆର ଚୁଲିରେ ରସଗିନାରେ ସୋରିଷ ତେଲ ଆଉ ରସୁଣ ଫୁଟେଇ ନେଇଆସେ୤ ବାରିକୂଅ ମୂଳକୁ ବୋଉ ହାତରେ, ଏଭେରେଡ଼ିର ପିତଳ ଟର୍ଚ୍ଚଟା ମାରି ଆଗେ ଆଗେ ଯାଏ୤ ବାପା ପଛେ ପଛେ ଚାଲନ୍ତି୤ ପରିଡ଼ା ଘର ବଟିଆଦି ସେଇ ଦୋକାନ ପାଖ ଛକରୁ ଆସି କୂଅରୁ ଦି’ ବାଲ୍‌ଟି ପାଣି କାଢ଼ି ଦିଅନ୍ତି୤ ବାପା ଧୋଇଧାଇ ହେଇ ଆସିଲା ପରେ ମା’ ମାଣଘର ସାମ୍ନା ମାଟି ପିଣ୍ଡାରେ ଶଉପ ଖଣ୍ଡେ ପକେଇଦିଏ୤ ବାପା ପିନ୍ଧିଥାନ୍ତି ବ୍ଲୁ ରଙ୍ଗର ସିଲ୍‌କ ଲୁଙ୍ଗି ଖଣ୍ଡେ ଓ କାନ୍ଧରେ ଥାଏ ପାଞ୍ଚହାତୀ ଖୋର୍ଦ୍ଧା ଗାମୁଛା୤ ମା’ ତାଙ୍କ ପାଦରେ ଗରମ ତେଲ ଘଷୁ ଘଷୁ କହୁଥାଏ- ବୁଝିଲୁରେ ବଙ୍ଗୁ ! ଏ ବର୍ଷ ଖାଲ କିଆରୀରେ ବାରଶବୟାଳିଶ ବୁଣା ହେଇଛି୤ ମଠ ଉପରେ ବଛା ସରିଲାଣି୤ ତୁ ଯୋଉ ବାରମାସୀ ଆମ୍ବଚାରା ଆଣି ନଥିଲୁ, ସେଟା କେଡ଼େ ଛନଛନ ହୋଇ ଯାଇଥିଲା୤ ସେ ବାଡ଼ିଖିଆ ମାଧା, ଛେଳି ପଲ ଛାଡ଼ି ଦଉଚି ଯେ, ସବୁ ନାରଖାର କରିଦଉଛନ୍ତି୤

ବାପା ଚମକି ପଡ଼ିଲାପରି ପଚାରନ୍ତି- ସେ ବାରିଟା ବାଡ଼ ବୁଜା ହେଇନିକି ? ମା’ ଓ ବାପାଙ୍କର ଏମିତି କଥାବର୍ତ୍ତା ଚାଲିଥିବା ବେଳେ ବୋଉ ସେ ବହୁ ଲୋଭନୀୟ ପୁଟୁଳିଟା ଖୋଲେ୤ ସତେକି ସେଇଟା ପୁଟୁଳି ନୁହେଁ, ଏକ ଅସରନ୍ତି ଭଣ୍ଡାର ! ନିତ୍ୟାନନ୍ଦଙ୍କର ମନେଅଛି, ଦାଦାଙ୍କଠୁ ଆରମ୍ଭ କରି ସାନପିଲାଙ୍କ ଯାଏ ସମସ୍ତେ ବେଢ଼ି ଯାଇଥାନ୍ତି ସେଇ ପୁଟୁଳିଟିକୁ୤ ସେତିକିବେଳେକୁ ଚମକେଇ ଦେବା ପାଇଁ ବୋଉ କୁହେ, ଆରେ ନିତିଆ ! ତୋର ନୂଆ ବହି ଆସିଚିରେ୤ ନିତ୍ୟାନନ୍ଦ ବୋଉ ହାତରୁ ଏକବାର ସେ ବହିଟା ଝାମ୍ପିନିଅନ୍ତି୤ ନୂଆ ବହିଟା ଭିତରେ ଖୁବ୍‌ ସମୟ ଯାଏ ନାକ ମାଡ଼ି, ତା’ ପୃଷ୍ଠାମାନଙ୍କରୁ ବାହାରୁଥିବା ବାସ୍ନାକୁ ଶୋଷିନିଅନ୍ତି୤ ମନେ ମନେ କହନ୍ତି, କାଲି କେମିତି ରାତି ପାହିଲେ ସ୍କୁଲରେ ଯାଇ ସାଙ୍ଗମାନଙ୍କ ଆଗରେ ଏପରି ଏକ ଦୁର୍ଲଭ ବସ୍ତୁ ଦେଖାଇବାକୁ ପଡ଼ିବ୤

ପୃଷ୍ଠା ସଂଖ୍ୟା : 1 2 3 4 5

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ଅରବିନ୍ଦ ରାୟ, ଭୁବନେଶ୍ବର
ବୃତ୍ତିରେ ଜଣେ ସରକାରୀ ଚାକିରିଆ ହୋଇ ସୁଦ୍ଧା ଅରବିନ୍ଦ ରାୟ ସାହିତ୍ୟ ରଚନାରେ ସିଦ୍ଧହସ୍ତ୤ ଶ୍ରୀ ରାୟ ଏକାଧାରରେ ଜଣେ ଗାଳ୍ପିକ, ଔପନ୍ୟାସିକ ଏବଂ ଶିଶୁ ସାହିତ୍ୟିକ ଅଟନ୍ତି୤ ତାଙ୍କର ପ୍ରକାଶିତ ଗଳ୍ପଗ୍ରନ୍ଥ ମଧ୍ୟରେ ‘ଦି ପାଦ ପୃଥିବୀ’, ‘ଅନ୍ତରଙ୍ଗ ମଣିଷ’ ‘ ଛାଇ ଲେଉଟାଣି ’, ଉପନ୍ୟାସ ମଧ୍ୟରେ ‘ଚାଲ୍‌ ଫେରିଯିବା’, ‘ ଗୋଲାମ ନଗରୀ ଘୋଡ଼ା’ ଏବଂ ଶିଶୁ ସାହିତ୍ୟ ମଧ୍ୟରେ ‘ଅଟର ମଟର କଟର କେଁ ’ ଆଦି ଅନ୍ୟତମ୤ ଜଣେ ନିଆରା ଢଙ୍ଗର ଗାଳ୍ପିକ ଭାବେ... [ କ୍ରମେ ସବିଶେଷ ]
 

ମତାମତ ସଂଖ୍ୟା - ୧୨ ଆପଣଙ୍କ ମତାମତ ?

  • ୧. KISHORE |  ଅଗଷ୍ଟ୍ ୩, ୨୦୧୨ - ୭:୨୫ ପୂର୍ବାହ୍ନ

    BHALA LAGILA APANKA GAPA PADHI KINTU ATE DUKHA LAGILA JE SATARE MO AKHIRU LUHA JHARIGALA.

  • ୨. Ranjit |  ଅଗଷ୍ଟ୍ ୧୨, ୨୦୧୨ - ୧୨:୪୫ ଅପରାହ୍ନ

    Galpati bahuta bahuta bhala thila. Mu mo ghar katha monepakaili. Galpati mo pain jibanta thila. Bahuta Bahuta dhanyabad.
    Keep it up. Thanks a lottttttttttttt.

  • ୩. sonali ghatuary |  ଅଗଷ୍ଟ୍ ୨୭, ୨୦୧୨ - ୧୧:୨୮ ପୂର୍ବାହ୍ନ

    lekha bahut bhala heichi…… ei gapa re…..manisa ra prakrita mukha ti jana padhi chi……

  • ୪. ଧୀରଞ୍ଜନ |  ଅଗଷ୍ଟ୍ ୨୮, ୨୦୧୨ - ୧୧:୫୫ ପୂର୍ବାହ୍ନ

    ଅତ୍ୟନ୍ତ ସରଳ ଅଭିବ୍ୟକ୍ତି| ସାର୍ ମୋତେ ଲାଗେ କୌଣସି ସୃଜନାତ୍ମକ ଜିନିଷର କାମ ହେଲା ଏକ ଭାବନାକୁ ନିଜ ସାଙ୍ଗେ ପାଛୋଟି ଆଣିବା, କେଉଁ ଏକ ମୂହୁର୍ତ୍ତ କୁ ନିଜ ଭିତରେ ବାନ୍ଧି ରଖିବା| ନିତ୍ୟାନନ୍ଦଙ୍କର ତାଙ୍କ ବାପାଙ୍କ ମୃତ୍ୟୁରେ ଶୋକ, ଓ ତାଙ୍କର ଶ୍ରାଦ୍ଧ କୁ ଭୁଲିଯିବାର ଗ୍ଲାନି କୁ ମୁଁ ସମ୍ପୂର୍ଣ ରୂପେ ଅନୁଭବ କରି ପାରିଲି| ଧନ୍ୟବାଦ୍ ଏ ଲେଖା ପାଇଁ ଓ ତା ମାଧ୍ୟମରେ ବାନ୍ଧିରଖିଥିବା ସେ ମୂହୁର୍ତ୍ତ ଆଉ ତା ଭିତରର ଭାବନା ପାଇଁ |

  • ୫. ଆଶୁତୋଷ ଆଲୋକ ପଣ୍ଡା |  ସେପ୍ଟେମ୍ବର୍ ୧୩, ୨୦୧୨ - ୧:୪୯ ପୂର୍ବାହ୍ନ

    ବହୁତ୍ ସରଳ ଆଉ ସୁନ୍ଦର୤ ଘରୁ ବହରେ ରହୁଛୁ୤ ଆମ ପାଇଁ ତ ଏହା ଏକ ବରଦାନ୤
    Keep up the nice work.

  • ୬. Gyanendra Mohanty, Bomikhal,Bhubaneswar |  ଅକ୍ଟୋବର୍ ୧୪, ୨୦୧୨ - ୧୧:୧୭ ପୂର୍ବାହ୍ନ

    Sambad ra barshika bisesanka 2012 ru aapanka “Bou” gapa ti mate khub bhala lagila. Ebe “Bapa” gapa ti bi manachuana hoichi. Dhanyabad.

  • ୭. ଆଲୋକ, ଅନୁଗୁଳ |  ଜାନୁଆରୀ ୨, ୨୦୧୩ - ୫:୫୪ ପୂର୍ବାହ୍ନ

    ବହୁତ ଭଲ ହେଇଛି ୤ ମନିଷ ଜୀବନର ବ୍ୟବହାରିକ ସତ୍ୟତା ଏଠାରେ ପ୍ରତିଫଳିତ ହୋଇଛି ୤

  • ୮. debendra lenka, cuttack odisha |  ମେ ୧୦, ୨୦୧୩ - ୧୨:୨୧ ପୂର୍ବାହ୍ନ

    just a wonderful story

  • ୯. ଶୁଭାଶିସ ମହାନ୍ତି, ରାଉରକେଲା |  ସେପ୍ଟେମ୍ବର୍ ୬, ୨୦୧୩ - ୯:୪୦ ପୂର୍ବାହ୍ନ

    ବହୁତ୍ ସରଳ ଆଉ ସୁନ୍ଦର୤ ଘରୁ ବାହାରେ ରହୁଛୁ୤ ଆମ ପାଇଁ ତ ଏହା ଏକ ବରଦାନ/ ବହୁତ ଉପାଦେୟ ଲେଖା ସମସ୍ତ ଙ୍କ ପାଇ

  • ୧୦. ସାଗର, ହାଇଦ୍ରାବାଦ୍ |  ସେପ୍ଟେମ୍ବର୍ ୨୫, ୨୦୧୩ - ୧:୨୮ ଅପରାହ୍ନ

    ବହୁତ୍ ଭଲ ଲାଗିଲା……ସରଲ ଏବଂ ସୁନ୍ଦର ଭାବରେ ଲେଖାଯାଇଥିବା ଏ ଗଳ୍ପ ଖୁବ୍ ମନ ଛୁଆଁ ହୋଇପରିଛି” ନିଜ ଲୋକ ମାନଙ୍କ ଭିତରେ ସମ୍ପର୍କ କେମିତି ଦୂରେଇ ଯାଉଛି ନିଜ ପରମ୍ପରା କୁ କିପରି ହେୟ ମନେ କରୁଛି ତହା ସୁନ୍ଦର ଭବରେ ପ୍ରତିଫଳିତ ହୋଇପରଛି…

  • ୧୧. ସୋମେନ୍ଦ୍ର ମହାପାତ୍ର, ମୁମ୍ବଇ |  ଡିସେମ୍ବର୍ ୧୬, ୨୦୧୬ - ୧:୧୮ ପୂର୍ବାହ୍ନ

    ଅତି ଚମତ୍କାର।
    ଆଜି ର ନିରାଟ ସତ କଥ

  • ୧୨. ଅକ୍ଷୟ କୁମାର ରଥ, ଗୁଣପୁର, ଜିଲ୍ଲା- ରାୟଗଡ, ଓଡିଶା |  ଫେବୃଆରୀ ୧୦, ୨୦୧୭ - ୯:୩୫ ପୂର୍ବାହ୍ନ

    ଭୂମେର୍ଗରିୟସୀ ମାତା ସ୍ୱର୍ଗାତ୍ ଉଚ୍ଚତରଃ ପିତା ॥
    ଅନ୍ନଦାତା ଭୟତ୍ରାତା ବିଦ୍ୟାଦାତା ତଥୈବଚ
    ଜନିତା ଚୋପନେତା ଚ ପଞ୍ଚୈତେ ପିତରଃ ସ୍ମୃତାଃ ॥ (ଚାଣକ୍ୟ)
    ଯନ୍ମାତାପିତରୌ ବୃତ୍ତଂ ତନୟେ କୁରୁତଃ ସଦା
    ନ ସୁପ୍ରତିକାରଂ ତତ୍ତୁ ମାତ୍ରା ପିତ୍ରା ଚ ଯତ୍କୃତମ୍ ॥
    (ରାମାୟଣ, ଅଯୋଧ୍ୟା କାଣ୍ଡ) (ଭାବାର୍ଥ-The deeds done by mother and father for their children constantly…, there is no requital to these actions performed by the parents.

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤