ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ସର୍ବମୋଟ ମତଦାନ: ୧୮୧୬ Back to Vote Screen

ଲେଖକ ଓ ଲେଖିକା

ଡ.ହରେକୃଷ୍ଣ ମହତାବ
ନୀଳକଣ୍ଠ ଦାସ
ସ୍ବଭାବ କବି ଗଙ୍ଗାଧର ମେହେର
ଦୟାନିଧି ମିଶ୍ର
ତ୍ରିନାଥ ସିଂହ
କାଳିନ୍ଦି ଚରଣ ପାଣିଗ୍ରାହୀ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ବାଘ
  ଦେବବ୍ରତ ମଦନରାୟ, ବିହାରୀବାଗ, କଟକ
 
 
ତା: ମେ ୫, ୨୦୧୧  
 

ଜଙ୍ଗଲ ସବୁଜ, ଘଞ୍ଚ ଓ ନିରାପତ୍ତାଶୂନ୍ୟ୤ ଗାଡ଼ି ପଥୁରିଆ ରାସ୍ତାରେ ଯେତିକି ଆଗକୁ ଯାଉଥିଲା, ମୁଁ ଦେଖିପାରୁଥିଲି ଉଚ୍ଚା ଉଚ୍ଚା ଶାଳଗଛ ମୂଳରେ ଅଳ୍ପ ଅଳ୍ପ ଅନ୍ଧାର, ଭୟଭୀତ ଶାଳିଆପତନି, କଦବା କ୍ବଚିତ ଧୂର୍ତ୍ତ ଶିଆଳ୤
ସୂର୍ଯ୍ୟାସ୍ତର ହଳଦିଆ ଆଲୁଅରେ ସବୁ ଅସ୍ପଷ୍ଟ, ମଳିନ୤

ଗଛଗୁଡ଼ିକର ଛାଇ ଆଉ ଅନ୍ଧାର ସୂଚେଇଦେଉଥିଲା, ସମୟ ଅତିକ୍ରାନ୍ତ୤ ଅବଶ୍ୟ ସେଥିପାଇଁ ଡ୍ରାଇଭରକୁ ଦୋଷ ଦେଇ ଲାଭ ନାହିଁ୤ ବାହାରିବା ବେଳକୁ ପ୍ରବଳ ବର୍ଷା୤ ଆଉ ବର୍ଷା ଥମିବା ପର୍ଯ୍ୟନ୍ତ ଆମକୁ ଅପେକ୍ଷା କରିବାକୁ ହେଲା ଗଣ୍ଡମୁଣ୍ଡା ଗାଁରେ୤ କାମାକ୍ଷାନଗରରୁ ଷୋହଳ ସତର କିଲୋମିଟର ଦୂର୤ ପାହାଡ଼ ଉପରେ୤ ସମ୍ଭବତଃ ଅପ୍ରତ୍ୟାଶିତ ବର୍ଷା ଏତିକି ଚାହିଁଥିଲା୤
କାହିଁକି କେଜାଣି ଗାଡ଼ିଟି ଗଡ଼ାଣିଆ ନାଳ ଦେଇ ଯାଉଥିବା ବେଳେ ଡ୍ରାଇଭରକୁ ଅତି ଧୀରେ ପଚାରିଲି, ‘ଏଠି ବାଘ ଅଛନ୍ତି ?’

ହସିଲା ସେ, ହଳଦିଆ ଦାନ୍ତ ଦେଖାଇ୤ ତାକୁ ନିଶା ଟିକେ ହୋଇଯାଇଥିଲା ବୋଧେ୤ ଗଣ୍ଡମୁଣ୍ଡା ଗାଁରେ ହାଣ୍ଡିଆ ପିଇ୤ ମଥା ହଲାଇ କହିଲା, ‘ନାଇଁ ଆଜ୍ଞା, ଏଠି ବାଘଫାଘ କୁଆଡ଼ୁ ଆସିବେ ? ଆଗେ କିନ୍ତୁ ଭାଲୁଗୁଡ଼ାଏ ଥିଲେ୤ ଏଇ ଆଦିବାସୀମାନେ ତୀର ମାରି ସବୁ ମାରିଦେଲେ୤ ଏବେ ଜଙ୍ଗଲ ଫାଙ୍କା୤’

ତା’ର ବକ୍ତବ୍ୟ ଏତିକିରେ ଶେଷ ହେଲା ନାହିଁ୤ ଅବଶ୍ୟ ସେ ଅଟକିଗଲା କିଛି ସମୟ ପାଇଁ୤ କୌଣସି କଥାକୁ ମନେ ପକାଉଥିବାର ସମ୍ଭାବନା ତା’ ଭିତରେ ଉଙ୍କିମାରିଲା୤ ପୁଣି କହିଲା, ‘ଏଇ ବାଟେ ଯାଉଥିଲି୤ ହେଲାଣି ଗୁଡ଼ାଏ ଦିନ୤ ଆଉ ଟିକେ ଫର୍ଚ୍ଚା ଥିଲା୤ ଶିଆଳ ଗୋଟେ କୁଆଡୁ ଧାଇଁ ଆସି ମାଡ଼ିବସିଲା ଛେଳିଟାକୁ୤ ଏଇ ବୁଦୁବୁଦିଆ ରାସ୍ତା କଡ଼ରେ୤ ଗାଡ଼ି ଅଟକାଇ ଦେଇ ଡେଇଁପଡ଼ିଲି୤ ମୋ’ ସାଙ୍ଗରେ ଆଉ ଜଣେ ଥିଲା୤ ଜଗ୍‌ ରଡ୍‌ ନେଇ ଦୁହେଁ ଗୋଡ଼ାଇଲୁ୤ ଛାଡ଼ି ପଳାଇଲା ଶିଆଳ୤ ଆମେ କାନ୍ଧରେ ଛେଳିକୁ ବୋହିଆଣିଲୁ୤ ଓଜନ ପାଞ୍ଚ ସାତ କିଲେ ହେବ୤ ଗାଡ଼ିରେ ପକେଇ ନେଇଗଲୁ୤ ଆଉ ଗାଁରେ ସେଦିନ ଭୋଜି୤’

ତା’ କଥା ଶୁଣିବାବେଳେ ମୋର ବୋଧ ହେଲା ଘଟଣାଟି କିଛି ସମୟ ପୂର୍ବରୁ ହିଁ ଘଟିଛି୤ ରାସ୍ତା ଉପରେ ଝରିପଡ଼ିଛି ଟୋପା ଟୋପା ରକ୍ତ୤ ଛେଳି ଦେହରୁ୤ ଏବଂ ଆତଙ୍କିତ ମୁହୂର୍ତ୍ତଟି ସେଇଠି କୋଉଠି ଲୁଚିରହିଛି୤
ଆହୁରି ନଇଁଆସିଲା ଅନ୍ଧାର୤ ପତ୍ର ଦେହରେ ବୋଳିହୋଇଗଲା ଥରଥର ଭାବ୤ ପବନ ନାହିଁ୤ ଅଥଚ ଟପ୍‌ଟପ୍‌ ହୋଇ ଖସିପଡ଼ିଲା କେତୋଟି ପାଣି ଟୋପା୤ ଜଙ୍ଗଲ ଭିତରଟି ମନେହେଲା ଅଧିକ ଅନ୍ଧାର ଆତଙ୍କିତ ଶାଳଗଛ ଭିତରେ୤

ରାସ୍ତା ଭିଡ଼ିମୋଡ଼ି ହେଉଥାଏ ସରୀସୃପ ପରି୤ ଗୋଟେ ବୁଲାଣିରେ ଡ୍ରାଇଭର କହିଲା, ‘ଏଇ ସେପଟେ ସୁଆଗିନାଳି ଗାଁ୤ ସେଠି କେତେଜଣଙ୍କୁ କୃଷି ଋଣ ଦିଆଯାଇଛି୤’
ଶାଳଗଛ ଉହାଡ଼ରେ ସେଇ ଆଡ଼କୁ ଚାହିଁବାବେଳେ ଝାପ୍‌ସା ହୋଇ କାହା ମୁହଁ ଝଲସିଉଠିଲା୤ ଚେପ୍‌ଟା ନାକ୤ ଚକ୍‌ଚକ୍‌ ଆଖି୤ ବାଙ୍ଗରା୤ ସବୁବେଳେ ନିଜ ଭିତରେ ସେ ନିଜେ ହଜିଯାଉଥିଲା, ତାହା କେହି ଜାଣିପାରୁ ନ ଥିଲେ୤ କିଏ ସେହି ? ଆରେ, ହଁ୤ ସେହି ଜଣକ ହେଉଛି ବାଘ ପଧାନ୤ ମୋ’ ସାଥିରେ ପଢୁଥିଲା ଢେଙ୍କାନାଳରେ୤ ଅବଶ୍ୟ ପଢ଼ାପଢ଼ି ତା’ର ସେତେ ଭଲ ହେଉ ନ ଥିଲା୤ ମାତ୍ର ଖେଳରେ ହେଉଥିଲା ପ୍ରଥମ୤ ଦୌଡ଼ିବା, ଡେଇଁବାରେ ତା’ର ସମକକ୍ଷ କେହି ନ ଥିଲେ୤ ଲୁହା ପରି ଟାଣ ତା’ ହାତମୁଠା୤ ଗୋଟିଏ ବିଧାରେ ନଡ଼ିଆ ଭାଙ୍ଗି ଦି’ ଫାଳ କରିଦେଉଥିଲା୤ ଅହେତୁକ ଜିଦ୍‌ ଥିଲା ତା’ ଭିତରେ୤ ଦିନେ ସନ୍ଧ୍ୟାବେଳେ ମୋ’ଠାରୁ ସାଇକେଲ ମାଗିନେଇଥିଲା୤ ଆଉ ଫେରାଇଲା ତା’ ପରଦିନ ସକାଳ ଆଠଟାରେ୤ କୁଆଡ଼େ ଯାଇଥିଲୁ ବୋଲି ପଚାରିବାରୁ ସେ ଠୋସ୍‌ କରି ଉତ୍ତର ଯାହା ଦେଇଥିଲା ତାହା ବିଶ୍ବାସ କରିପାରି ନ ଥିଲି୤ ତା’ ନିଦା ଦେହକୁ ଥରେ ଚାହିଁ ନଜର ଫେରାଇନେଇଥିଲି ପାଣି ଓହଳା ପାହାଡ଼ ଆଡ଼କୁ୤ ବାଘ ପଧାନ ମୋତେ ଲାଗିଥିଲା ଆଉ ଏକ ପାହାଡ଼ ଯେମିତି୤

ସେ ଚାଲିଯିବା ପରେ ବୁଝିଥିଲି, କିଛି ସମୟ ପୂର୍ବରୁ ସେ ଯାହା କହିଥିଲା ତାହା ସତ୤ ବାଘନାଚ ଦେଖିବା ପାଇଁ ସେ କଟକ ଯାଇଥିଲା୤ କେହି ଜଣେ ତାକୁ କହିଥିଲା, ବାଲିଯାତ୍ରାରେ ବାଘନାଚ ହେଉଚି୤ ବାଘନାଚ ଦେଖିବା ପ୍ରତି ତା’ ଆଗ୍ରହ ତାକୁ ପାଖାପାଖି ଦେଢ଼ଶହ କିଲୋମିଟର ଗୋଟେ ରାତି ଭିତରେ ଅତିକ୍ରମ କରାଇଦେଇଚି, ତାହା ବିଶ୍ବାସଯୋଗ୍ୟ ହୋଇ ନ ଥିଲେ ହେଁ ଆପାତତଃ ସତ୤

କିଛିଦିନ ପରେ ମୁଁ ଦେଖିଥିଲି, ତା’ ଚାଲିଚଳନରେ କିଛିଟା ପରିବର୍ତ୍ତନ ଘଟିଛି୤ ଏକା ଏକା ଥିଲାବେଳେ ସେ ବାଘ ପରି ପାହୁଣ୍ଡ ପକାଇ ଚାଲୁଚି୤ ଆଖି ଡ଼ୋଳା ନଚଉଚି୤ କାନ୍ଧକୁ ଅଳ୍ପ ଟେକୁଚି୤ ନହେଲେ ଟିକେ ପଛକୁ ଘୁଞ୍ଚିଆସି ପୁଣି ଆକ୍ରମଣ କରିବା ଢଙ୍ଗରେ ଲମ୍ଫ ପ୍ରଦାନ କରୁଚି୤ ମନେହେଲା, ବାଘ ପଧାନ ଆଉ ମଣିଷ ନୁହେଁ, ବରଂ ସତକୁ ସତ ଗୋଟେ ବାଘ୤
ତା’ ପରେ ? ପାଠ ଅଧାରୁ ଛାଡ଼ି ସେ ଚାଲିଗଲା କୁଆଡ଼େ ? ମୁଁ ଆଉ ତା’ ଖବର ଜାଣିପାରି ନାହିଁ୤ ଏତିକି ଜାଣିପାରିଥିଲି, ଟଙ୍କାପଇସା ଅଭାବରୁ ସେ ଆଉ ଆଗକୁ ପଢ଼ିପାରି ନ ଥିଲା୤ ଏହା ପଛରେ ତା’ ବାପାଙ୍କର ଅକାଳ ବିୟୋଗ ଏକ କାରଣ ବୋଲି ମୁଁ ଗ୍ରହଣ କରିନେଇଥିଲି୤


ସୁଆଗିନାଳି ହେଉଚି ବାଘ ପଧାନର ଗାଁ୤ ଶାଳଗଛ କଡ଼ରେ ତା’ ମୁହଁ ସ୍ପଷ୍ଟ ହୋଇ ଦିଶିଲା ଯେମିତି୤ କିପରି ଅଛି ସେ ? ନାଳ, ପଥର, ପାହାଡ଼କୁ ଅତିକ୍ରମ କରି ଚଢୁଥିବା ଗୋଟେ ଜିଦ୍‌ରେ ନିଶ୍ଚେ୤ ମହୁଲି ନିଶାରେ ନାଚୁଥିବ ବାଘ ପରି୤ କେହି ଜଣେ ଡାକିଲା ସେଇ ଗାଁ ଭିତରୁ ସତେ ଯେପରି୤ ସେ ସ୍ବର କାହାର ? ବାଘ ପଧାନର ନୁହଁ ତ ! ଗୋଟେ ବ୍ୟାକୁଳତା ମୋତେ ଅଣନିଶ୍ବାସୀ କରିପକାଇଲା
ସୁଆଗିନାଳି ହେଉଚି ବାଘ ପଧାନର ଗାଁ୤ ଶାଳଗଛ କଡ଼ରେ ତା’ ମୁହଁ ସ୍ପଷ୍ଟ ହୋଇ ଦିଶିଲା ଯେମିତି୤ କିପରି ଅଛି ସେ ? ନାଳ, ପଥର, ପାହାଡ଼କୁ ଅତିକ୍ରମ କରି ଚଢୁଥିବା ଗୋଟେ ଜିଦ୍‌ରେ ନିଶ୍ଚେ୤ ମହୁଲି ନିଶାରେ ନାଚୁଥିବ ବାଘ ପରି୤ କେହି ଜଣେ ଡାକିଲା ସେଇ ଗାଁ ଭିତରୁ ସତେ ଯେପରି୤ ସେ ସ୍ବର କାହାର ? ବାଘ ପଧାନର ନୁହଁ ତ ! ଗୋଟେ ବ୍ୟାକୁଳତା ମୋତେ ଅଣନିଶ୍ବାସୀ କରିପକାଇଲା୤ ଦୁଇ ବଖରା ଘର୤ ପଛଆଡ଼କୁ ବାରି୤ କଣ୍ଟା ବାଡ଼ରେ ସୁରକ୍ଷିତ୤ ତା’ ଭିତରେ ସୁମ୍ଭାବନାମୟ ପରିପୂର୍ଣ୍ଣ ଫସଲ୤ ବାଇଗଣ, ଝୁଡ଼ଙ୍ଗ, କଲରା, ଲଙ୍କା ଆଉ କାଙ୍କଡ଼ରେ ଭରା ଟୋକେଇ ଧରି ଯାଉଥିବ ବାଘ ପଧାନ୤ ସ୍ତ୍ରୀ ବସିଥିବ ପିଣ୍ଡା ଉପରେ୤ ସମ୍ଭବତଃ ଲେମ୍ବୁଗଛରେ ଝୁଲିଥିବା ପ୍ରତ୍ୟାଶାର ପାଚିଲା ଲେମ୍ବୁକୁ ଚାହିଁରହି୤ ଆଉ ତା’ ପାଖରେ ପିଲାଟି ଖେଳୁଥିବ୤ ଧୂଳିରେ ବୋଳିହୋଇ୤

ଏ କଥା ଭାବିବାବେଳେ ଗୋଟେ ଖୁସି ସଂସାରର ଚିତ୍ର ଆଙ୍କିହୋଇଗଲା ମୋ’ ମନ ଭିତରେ୤ ସତ କହୁଚି, ଏଇ ଚିତ୍ରଟି କେବଳ ବାଘ ପଧାନ ଯୋଗୁ ହିଁ ଆଙ୍କି ହୋଇଯାଇଥିଲା୤ ବିଶ୍ବାସ ଓ ପ୍ରେମର ରଙ୍ଗର ସମ୍ମିଶ୍ରଣରେ୤ ସେହି ସଂସାରକୁ ଟିକେ ଦେଖିବା ପାଇଁ ଡ୍ରାଇଭରକୁ କହିଲି, ‘ଚାଲ, ଗାଁ ଭିତରକୁ୤’

ପୃଷ୍ଠା ସଂଖ୍ୟା : 1 2 3

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ଦେବବ୍ରତ ମଦନରାୟ, ବିହାରୀବାଗ, କଟକ
author photo
୧୯୫୭ ମସିହାରେ ଜନ୍ମଗ୍ରହଣ କରିଥିବା ଗାଳ୍ପିକ ଦେବବ୍ରତ ମଦନରାୟ ସ୍ବତନ୍ତ୍ର ଓ ସାବଲୀଳ ଶୈଳୀରେ ଗଳ୍ପ ରଚନା କରି ପାଠକଙ୍କୁ ନୂତନ ସ୍ବାଦ ଦେଇପାରିବାର ସାମର୍ଥ୍ୟ ରଖନ୍ତି୤ ୧୫ଟି ଗଳ୍ପ ସଙ୍କଳନର ରଚୟିତା ଶ୍ରୀ ମଦନରାୟଙ୍କର ଉଲ୍ଲେଖନୀୟ କୃତିଗୁଡିକ ମଧ୍ୟରେ ଆଲୁଅର ଛାଇ, ସୂର୍ଯ୍ୟର ଅନେକ ରଙ୍ଗ, ଦୁଃଖ ଅରଣ୍ୟ, କହ୍ନେଇର ବଂଶୀ, ସ୍ବର୍ଗାରୋହଣ, ସପ୍ତଲୋକ, ସାରାରାତି ଜହ୍ନରାତି, ଜଳପରୀ, ସହଯାତ୍ରୀ, ଅସୁନ୍ଦରୀ, ପ୍ରିୟ ସଖୀ, ଚିତ୍ରମାଟି, ବର୍ଣ୍ଣମାଳା ଓ ମହାଦେବୀ ଆଦି ଅନ୍ୟତମ୤ ଦୁଇଟି ଉପନ୍ୟାସ ମଧ୍ୟରେ କ୍ରୁଶବିଦ୍ଧ ଓ ନିର୍ବାଣ ଉଲ୍ଲେଖନୀୟ୤ ତାଙ୍କର ସମ୍ପାଦନାରେ ଆମ ସମୟର ସ୍ବନିର୍ବାଚିତ ଶ୍ରେଷ୍ଠକଥା, ଶେଷକଥା ଓ ଭୋକକଥା ଆଦି ସଙ୍କଳନ ତଥା ସାହିତ୍ୟ ପତ୍ରିକା ନବଲିପି ଓଡ଼ିଆ ସାହିତ୍ୟର ପ୍ରତିନିଧିତ୍ବ କରେ୤ ଶ୍ରୀ ମଦନରାୟ ଭୁବନେଶ୍ବର ପୁସ୍ତକମେଳା ପୁରସ୍କାର, ପ୍ରଜାତନ୍ତ୍ର ଓ ଝଙ୍କାର ପୁରସ୍କାର, ଅଖିଳମୋହନ କଥା ସମ୍ମାନ ତଥା ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ୤ ସାମୟିକ ଅଧ୍ୟାପନା ପରେ ୧୯୮୪ ଠାରୁ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ୍‌‌ରେ କାର୍ଯ୍ୟରତ୤
 

ମତାମତ ସଂଖ୍ୟା - ୫ ଆପଣଙ୍କ ମତାମତ ?

  • ୧. fanibhusan ratha |  ଜୁନ୍ ୨୧, ୨୦୧୧ - ୭:୩୫ ପୂର୍ବାହ୍ନ

    debabrata madanray odia galpa sahityara eka utunga uchharana. mora sasradha pranam.

  • ୨. ତ୍ରିଲୋଚନ ଦାଶ |  ଜୁଲାଇ ୨୬, ୨୦୧୧ - ୨:୦୧ ଅପରାହ୍ନ

    ଚରିତ୍ର ମାନଙ୍କର ସଠିକ ମୁଲ୍ୟାୟନ ଲେଖକଙ୍କ ଦ୍ବାରା ହୋଇ ପାରିଥିବା ଯୋଗୁଁ ଲେଖାଟି ଅତି ଉଚ୍ଚକୋଟୀର ପ୍ରତୀୟମାନ ହେଉଚି ଓ ଏହା ଅତୀବ ଉଚ୍ଚଲକୋଟିର ମଧ୍ୟ, ଏହାକୁ ନିଶ୍ଚିତ ପାଠକ ମାନେ ପଢିବା ଉଚିତ୍ ୤

  • ୩. ଅମିତ୍ରଜିତ୍ |  ଅଗଷ୍ଟ୍ ୩୧, ୨୦୧୧ - ୭:୨୮ ପୂର୍ବାହ୍ନ

    ହୃଦୟବିଦରକ

  • ୪. rasmi |  ସେପ୍ଟେମ୍ବର୍ ୨୯, ୨୦୧୧ - ୧:୪୯ ଅପରାହ୍ନ

    ସୁନ୍ଦର ଗଳ୍ପ ଟିଏ ୤

  • ୫. ସୁଦାମବଂଧୁ ଭଟ୍ଟମିଶ୍ର |  ଅକ୍ଟୋବର୍ ୧୮, ୨୦୧୧ - ୫:୦୦ ପୂର୍ବାହ୍ନ

    ଭଲ ଗପଟିଏ ପଢ଼ିଲି୤

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤