ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ଫକୀରମୋହନ ସେନାପତି
କମଳା ଶତପଥି
ସୁରେନ୍ଦ୍ର ମହାନ୍ତି
ବିଷ୍ଣୁପ୍ରିୟା ମହାପାତ୍ର
ରମାକାନ୍ତ ରଥ
କିଶୋରୀକିଙ୍କର ଦାସ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ବାଘ
  ଦେବବ୍ରତ ମଦନରାୟ, ବିହାରୀବାଗ, କଟକ
 
 
ତା: ମେ ୫, ୨୦୧୧  
 

କଥା ଶେଷ ହେବାବେଳକୁ ଅଟକିଗଲା ବାଘ ପଧାନ୤ ବୋଧେ ଆଉ କିଛି ତା’ର କରିବାର ନ ଥିଲା୤ ତା’ ଆଡ଼କୁ ଚାହିଁଲା୤ ଫଟୋଟିକୁ ନେଇ ପୁଣି ଝୁଲାମୁଣିରେ ପୂରାଇଲା୤ ସେଇ ହାତଟି ପଦାକୁ ବାହାରିଯିବାବେଳକୁ ଅଙ୍ଗୁଳିରେ ନଖଗୁଡ଼ିକ ବାଘ ନଖ ପରି ମୋତେ ଦିଶିଲା୤ କଳା ଓ ହଳଦିଆ ରଙ୍ଗର ଲୋମ ଗଜୁରିଉଠିଥାଏ ସେଥିରେ୤ ଗୋଟେ ହିଂସ୍ର ବାଘର ପଞ୍ଝା ପାଲଟିଯାଇଥିଲା ତା’ ହାତ ବୋଧେ୤ ଚମକିପଡ଼ିଲି ମୁଁ୤ ତା’ ମୁହଁକୁ ଚାହିଁବା ପାଇଁ ମୋର ସାହସ ହେଲା ନାହିଁ୤ ସେ ଉଠିପଡ଼ିଲା ହଠାତ୍‌୤ ଯେମିତି ଆସିଥିଲା ସେମିତି ସେ ଚାଲିଗଲା୤
ଧୀରସ୍ଥିର ହୋଇ ମୁଁ ତା’ ଯିବା ବାଟକୁ ଚାହିଁ ରହିଲି୤ ନୀରବରେ, ଧୈର୍ଯ୍ୟର ସହିତ୤ ଏତେ ଦୁଃଖ ସତ୍ତ୍ବେ ସେ ବଦଳି ନାହିଁ ଜମା୤ ଗୋଟେ ବିଧାରେ ନଡ଼ିଆ ଭାଙ୍ଗି ଦେବାର ସାମର୍ଥ୍ୟ ରଖିଥିବା ବାଘ ପଧାନ ବିଚାର ଅପେକ୍ଷାରେ ଅଛି ନା, ତା’ ପାଇଁ ବିଚାର ଅପେକ୍ଷା କରିଛି, ତାହା ମୁଁ ଜାଣିପାରିଲି ନାହିଁ୤ ମାତ୍ର ଅନୁଭବ କଲି, ମୋ’ ଦେହ ଭିତରେ କମ୍ପନଟିଏ ସୃଷ୍ଟି ହେଲା ଏବଂ ତାହାର ତରଙ୍ଗ ବ୍ୟାପିଗଲା ମୋ’ ସାରା ଶରୀରରେ୤ ଏହା କାହିଁକି ହେଲା ? ଏମିତି କଥା ଭାବିଲାବେଳକୁ ଗୋଟେ ମୁହଁ ମୋ’ ଆଖି ଆଗରେ ଭାସିଉଠିଲା୤ କିଛି ସମୟ ପୂର୍ବରୁ ଯେଉଁ ଫଟୋଟିକୁ ବାଘ ପଧାନକୁ ଫେରାଇଦେଇଥିଲି, ଏଇ ମୁହଁଟି ସେଇ ଝିଅର୤ ଢଳଢଳ ଆଖି, ପୂରିଲା ଓଠ ସହ ଭରପୁର ଦେହ୤ ସେଇ ଆଖିରେ ଦେଖାଗଲା ଲୁହ୤ ସେଇ ଓଠରୁ ଶୁଣାଗଲା ଦରଦ କଥା୤ ଆଉ ଦେହ କଥା ପଚାରନା୤ ଗୋଟେ କୋହରେ ଥରିଗଲା ସାରା ଦେହ୤

ଦେଖ, କେତେଦିନ ଅପେକ୍ଷା କରିରହିବି ତାଙ୍କୁ୤ ଏଠି, ଏକା ଏକା୤ ସନ୍ନ୍ଯାସୀର ଚେଲା ହୋଇ ସେ ମଠରେ ରହିବେ ଆଉ ମୁଁ ଏକା ଏକା ସାରା ଜୀବନ କେମିତି କାଟିବି ? ମୁଁ ତ ପାଷାଣୀ ଅହଲ୍ୟା ନୁହେଁ, ସବୁ କିଛି ସହିନେବି୤ ମୋ’ ଦେହର ତ ଗୋଟେ ଦାବୀ ଅଛି !
ପୋତିହୋଇଗଲି ଯେମିତି ଗୋଟେ ବ୍ୟାକୁଳତାରେ୤ ଏଇ ବ୍ୟାକୁଳତା ଗୋଟେ ଝିଅର ନୁହେଁ, ବରଂ ସମଗ୍ର ନାରୀ ଜାତିର୤ ମୋ’ ଭିତର ନୀରବତା ଆଚ୍ଛନ୍ନ କରିଦେଲା ସେଇ କୋଠରିକୁ୤ ମାତ୍ର ମୁଁ ଧୀରେ ଧୀରେ ବିଚଳିତ ହୋଇପଡ଼ିଛି୤ ଏଇ କଥା କିପରି ବୁଝିପାରୁ ନାହାନ୍ତି ବାଘ ପଧାନର ଗୁରୁଜଣଙ୍କ ? ମୋହମାୟାର ଊର୍ଦ୍ଧ୍ବରେ ରହି ସଂସାରତ୍ୟାଗୀ ସନ୍ନ୍ଯାସୀଜଣଙ୍କର ହୃଦୟ କ’ଣ ନାହିଁ ? ଖାଲି ମିଛରେ ସନ୍ନ୍ଯାସୀର ପୋଷାକ ପିନ୍ଧିଛନ୍ତି୤ ଯେମିତି ଗେରୁଆ ପୋଷାକ ପିନ୍ଧିଛି ବାଘ ପଧାନ୤

ଏଇ ସଙ୍କଟର ସମାଧାନର ସୂତ୍ର ଖୋଜିବାବେଳେ ମୁଁ ବାଟବଣା ହୋଇଗଲି୤ ଜଙ୍ଗଲ ଭିତରେ ଉଚ୍ଚା ଉଚ୍ଚା ଶାଳଗଛ ମଝିରେ ବାଟ ଖୋଜି ପାଉ ନ ଥିବା ବ୍ୟକ୍ତିଜଣକ କେବଳ ମୁଁ୤ ମୋ’ ଛଡ଼ା ଆଉ କେହି ନୁହେଁ ବୋଲି ଜାଣିବା ପରେ ଭୟ ଓ ଆଶଙ୍କାରେ ଜଡ଼ସଡ଼ ହୋଇଗଲି ଏବଂ ଘଟଣାଟି ତା’ ବାଟରେ ଯାଉ ଭାବିନେଇ ସବୁକିଛି ବାଘ ପଧାନ ଉପରେ ଛାଡ଼ିଦେଲି୤
ସେଇ ମୁହୂର୍ତ୍ତରେ ମୁଁ ମୁକ୍ତ ହେଲି ଚାପା ଉତ୍ତେଜନାରୁ୤ ବ୍ୟାଙ୍କ୍‌ କାର୍ଯ୍ୟରେ ବ୍ୟସ୍ତ ରହିଲି୤ ବାଘ ପଧାନ ଦିନେ ଆସି ତା’ କାହାଣୀର ଶେଷ ଭାଗ ଶୁଣାଇବ, ତାହା ଭୁଲିଗଲି୤ ଅନେକଥର ଗଣ୍ଡମୁଣ୍ଡା ଯାଇଥିଲେ ବି ମୁଁ ଆଉ କେବେ ଗଲି ନାହିଁ ସୁଆଗିନାଳି୤ ସେଇ ଗାଁରେ ବାଘ ପଧାନର ଘର ଅଛି ବୋଲି ମନେ ପକାଇଲି ନାହିଁ୤

ଭୁଲିଗଲି ସବୁ କିଛି୤ କୃତଜ୍ଞ ହୋଇପଡ଼ିଲି ସମୟ ପ୍ରତି୤ ମାତ୍ର ଏହି ସମୟ ହିଁ ଅକୃତଜ୍ଞ ହୋଇଗଲା୤ ପୁଣି ଥରେ ଭେଟ କରାଇଲା ମୋତେ ବାଘ ପଧାନ ସହ୤ ହାଟ ଭିତରେ୤ ମୋତେ ସେ ଦେଖି ତରତର ହୋଇ କିଛି ଜିନିଷ ତା’ ଝୁଲାରେ ପୂରାଇଦେଲା୤ ଗେରୁଆ ରଙ୍ଗର ଝୁଲାରେ ଲାଗିଗଲା ହଳଦିଆ ରଙ୍ଗରୁ ମେଞ୍ଚାଏ୤ ମୁଁ କିଛି ପଚାରିବା ପୂର୍ବରୁ ସେ ଦଉଡ଼ିଲା ଭଳି ଚାଲିଗଲା୤ ଚାଲିଗଲାନି ତ ମୋତେ ଲାଗିଲା ସେ ଉଡ଼ିଗଲା ଉଦ୍‌ଭ୍ରାନ୍ତ ପକ୍ଷୀ ପରି୤

ଏତିକିବେଳେ ଡ୍ରାଇଭର କହିଲା, ‘ସୁଆଗିନାଳି ଗାଁର ଜଣେ ଲୋକ ସହ ମୋର ଭେଟ ହୋଇଥିଲା୤ ବାଘ ପଧାନ କଥା ତାକୁ ପଚାରିବୁଝୁଥିଲି୤ ସେ ସେଇ ମଠରେ ଅଛି୤ ସେଇ ସନ୍ନ୍ଯାସୀଜଣକ ତାକୁ ଛାଡ଼ି ନାହାନ୍ତି୤ ଆଉ ବର୍ଷେ ତାଙ୍କ ପାଖରେ ରହିବା ସକାଶେ କଥା ସ୍ଥିର ହୋଇଛି୤ ସେ ଏତେ ସହଜରେ ତାକୁ ଛାଡ଼ିବେ ନାହିଁ ବୋଲି କହିଛନ୍ତି୤ ତାଙ୍କର ଯୁକ୍ତି ହେଉଚି, ପୁଅ ହେଇଥିଲେ ତାଙ୍କୁ ସେ ସାରା ଜୀବନ ପୋଷିଥାନ୍ତା୤ ସାରା ଜୀବନ ପୋଷିବାରେ ଯାହା ଖର୍ଚ୍ଚ ହୋଇଥାନ୍ତା ତାଠାରୁ ତାଙ୍କର ଦାବି କ’ଣ କମ୍‌ ନୁହେଁ ? ନିଶ୍ଚୟ କମ୍‌ ଅଟେ୤’
ନିଜ ପ୍ରଶ୍ନର ଉତ୍ତର ଦେଇ ଡ୍ରାଇଭର ସନ୍ତୁଷ୍ଟ ଦେଖାଗଲା୤ ମାତ୍ର ମୁଁ ଚାହିଁଥିଲି ଜନଗହଳି ଭିତରେ ହଜିଯାଇଥିବା ବାଘ ପଧାନ ଆଡ଼କୁ୤ ସେ ଏବେ କେଉଁଠି ? ଜନଗହଳି ଟପି କେଉଁ ରାସ୍ତାରେ ସେ ଏବେ ଚାଲିଥିବ ? ସୁଆଗିନାଳି, ଯେଉଁଠି ତା’ ପ୍ରେମିକା ଅପେକ୍ଷା କରିଥିବା ନା ପଚାଶ କିଲୋମିଟର ଦୂରରେ ଥିବା ମଠକୁ, ଯେଉଁଠି ପହଞ୍ଚି ସେ ଋଣମୁକ୍ତ ହେବ ?
ପ୍ରକୃତରେ ମୁଁ କୌଣସି ନିଶ୍ଚିତ ଉତ୍ତର ପାଇବାରେ ସଫଳ ହେଲି ନାହିଁ ଏବଂ ବାଘ ପଧାନକୁ ତା’ ଦୁର୍ଦ୍ଦଶା ସମୟରେ କିଛି ଟଙ୍କା ନ ଦେଇଥିବାରୁ ମୁଁ ନିଜକୁ କ୍ଷମା କରିପାରିଲି ନାହିଁ୤
କ’ଣ କରିବି କିଛି ଚିନ୍ତା କରି ନ ପାରି ପରଦିନ ସକାଳେ ତା’ ଗାଁରେ ପହଞ୍ଚିଥିଲି୤ ଗାଁ ସାରା ନିସ୍ତବ୍ଧ୤ ଝଡ଼ ବହିଯାଇଚି ଯେମିତି କିଛି ସମୟ ପୂର୍ବରୁ୤ ବିପର୍ଯ୍ୟସ୍ତ ଦିଶୁଚି ଆମ୍ବଗଛ୤ ଘରଦ୍ବାର ଛିନ୍ନଛତ୍ର ହୋଇପଡ଼ିଛି୤ ଫାଟିଯାଇଚି ମାଟି କାନ୍ଥ୤ ସମସ୍ତଙ୍କ ମୁହଁରେ ସ୍ପଷ୍ଟ ହୋଇ ଥିଲା ଦୁଃଖ ଓ ଯନ୍ତ୍ରଣା୤ ମୁଁ ଆପାତତଃ ସଙ୍କୁଚିତ ହୋଇପଡ଼ିଲି୤ କାହାକୁ କିଛି ପଚାରିବା ପାଇଁ ସାହସ ହେଲା ନାହିଁ୤ ଏତିକିବେଳେ ଜଣେ ବୟସ୍କ ଲୋକ ମୋ’ ସାମନାକୁ ଆସିଲେ୤ ଥରଥର ସ୍ବରରେ କହିଲେ, ‘ଗତକାଲି ରାତିରେ ବାଘ ପଧାନ ଆସି ଏଇ ପଥର ଉପରେ ବସିରହିଲା୤ ତାକୁ ଯେତେ ଯିଏ କହିଲେ ଘରକୁ ଯିବା ପାଇଁ, ସେ ମନା କରିଦେଲା୤ ଶେଷରେ କର୍ପୂରୀ ଆସିଥିଲା୤ ତା’ କଥା ବି ସେ ଶୁଣିଲା ନାହିଁ୤ ଝୁଲାରେ ଆଣିଥିବା ରଙ୍ଗରେ ନିଜ ଦେହକୁ ରଙ୍ଗେଇଦେଲା୤ ମୁହଁରେ ପିନ୍ଧିଲା ବାଘ ମୁଖା୤ ଆଉ ବହେ ନାଚିଲା ଏଠିସେଠି୤ ତା’ ନାଚରେ ଥରିଉଠିଲା ସାରା ଗାଁ୤ ଏଇ ଦେଖୁନା, ହଳଦିଆ ଆଉ କଳାରଙ୍ଗ କେମିତି ପଡ଼ିଚି ଚଟାଣ ଉପରେ୤ ତା’ ଆଖିରୁ ନିଆଁ ବାହାରୁଥିଲା୤ ଆମେ ଜଳକା ହୋଇ ଚାହିଁରହିଥିଲୁ୤ ସେ ସତକୁସତ ବାଘ ପାଲଟିଗଲା୤ ଆଉ ହେଣ୍ଟାଳିଲା୤ ତା’ ହେଣ୍ଟାଳରେ ଗାଁ ଫଟାଇଦେଲା୤

ଆମେ ଭୟରେ ତାଟିକବାଟ ଦେଇଦେଲୁ୤ ସେ ଲାଞ୍ଜ ପିଟି ଜଙ୍ଗଲ ଭିତରକୁ ପଳାଇଲା୤ ଆଉ ଆଜି….୤’
ବିସ୍ମିତ ହେଲି୤ ପଚାରିଲି, କ’ଣ ହେଲା ଆଜି ?
ଆହୁରି ଥରିଉଠିଲା ସେଇ ଲୋକର କଣ୍ଠସ୍ବର୤ ଛେପ ଢୋକି କହିଲା, ‘ଘଣ୍ଟାଏ ତଳେ ଖବର ପାଇଲୁ ଗୋଟେ ବାଘ ମଠରେ ଥିବା ସନ୍ନ୍ଯାସୀର ତଣ୍ଟିକୁ କଣା କରି ମାରିଦେଇଚି୤’
ମନେ ମନେ ଭାବିଲି, ବାଘ ପଧାନର ଗେରୁଆ ରଙ୍ଗର ଝୁଲାରେ ହଳଦିଆ ରଙ୍ଗ ସହ କଳା ରଙ୍ଗ ନିଶ୍ଚେ ଲାଗିଥିବ୤ ହେଲେ, ତାହା ମୋ’ ନଜରକୁ ଏଡ଼ାଇଦେଲା କିପରି ? ମୋ’ ନଜରକୁ ତ ଏଡ଼ାଇଗଲା ଅଥଚ କର୍ପୂରୀର ନଜରରେ ତ ତାହା ଧରାପଡ଼ିଥାନ୍ତା ! ସେ କ’ଣ ଚାହିଁଥିବ ଏତେ ଭଲ ପାଇଥିବା ମଣିଷଟି ତା’ ଅଜାଣତରେ ବାଘ ପାଲଟିଯାଉ ! କେବେ ନୁହେଁ୤ ଏହା ନିର୍ମମ ଓ ଆକସ୍ମିକ ଘଟଣା ତା’ ପାଇଁ ନିଶ୍ଚେ୤

ଗାଡ଼ି ପାଖକୁ ଫେରି ଆସିବାବେଳେ ନଜର ପଡ଼ିଲା ମଥା ନୁଆଁଇ ବସିଥିବା ଝିଅଟି ଉପରେ୤ ହଠାତ୍‌ ଅନୁଭବ କଲି ଏକ ଶିହରଣ ସଞ୍ଚରିଯାଉଚି ମୋ’ ରକ୍ତକଣିକାରେ୤ ହାଡ଼ର ମଞ୍ଜ ଭିତରେ୤ ଚିହ୍ନିଲି ସେଇ ଝିଅକୁ୤ ସେ ହେଉଚି, କର୍ପୂରୀ୤ ବାଘ ପଧାନର ପ୍ରେମିକା୤ ତା’ ମୁହଁରେ ଖେଳୁଚି ମୁଗ୍ଧ ହସର ବିହ୍ବଳିତ ରେଖା୤ ଆଉ ତା’ ହାତ ପାପୁଲି ଜୁଡୁବୁଡୁ ହୋଇଚି କଳା ରଙ୍ଗରେ୤
ଆଞ୍ଜୁଳାଏ ପବନ ବିଞ୍ଚିହୋଇଗଲା ମୋ’ କାନ ପାଖରେ୤ ଶୁଣିଲି, କେହି ଜଣେ ଫୁସ୍‌ଫୁସ୍‌ କରି କହୁଚି, ଭୋକ ନୁହେଁ, ବରଂ ଭଲ ପାଇବା ହିଁ ମଣିଷକୁ ବାଘ କରିଦିଏ୤ ସତସତିକା ବାଘ୤

ପୃଷ୍ଠା ସଂଖ୍ୟା : 1 2 3

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ଦେବବ୍ରତ ମଦନରାୟ, ବିହାରୀବାଗ, କଟକ
author photo
୧୯୫୭ ମସିହାରେ ଜନ୍ମଗ୍ରହଣ କରିଥିବା ଗାଳ୍ପିକ ଦେବବ୍ରତ ମଦନରାୟ ସ୍ବତନ୍ତ୍ର ଓ ସାବଲୀଳ ଶୈଳୀରେ ଗଳ୍ପ ରଚନା କରି ପାଠକଙ୍କୁ ନୂତନ ସ୍ବାଦ ଦେଇପାରିବାର ସାମର୍ଥ୍ୟ ରଖନ୍ତି୤ ୧୫ଟି ଗଳ୍ପ ସଙ୍କଳନର ରଚୟିତା ଶ୍ରୀ ମଦନରାୟଙ୍କର ଉଲ୍ଲେଖନୀୟ କୃତିଗୁଡିକ ମଧ୍ୟରେ ଆଲୁଅର ଛାଇ, ସୂର୍ଯ୍ୟର ଅନେକ ରଙ୍ଗ, ଦୁଃଖ ଅରଣ୍ୟ, କହ୍ନେଇର ବଂଶୀ, ସ୍ବର୍ଗାରୋହଣ, ସପ୍ତଲୋକ, ସାରାରାତି ଜହ୍ନରାତି, ଜଳପରୀ, ସହଯାତ୍ରୀ, ଅସୁନ୍ଦରୀ, ପ୍ରିୟ ସଖୀ, ଚିତ୍ରମାଟି, ବର୍ଣ୍ଣମାଳା ଓ ମହାଦେବୀ ଆଦି ଅନ୍ୟତମ୤ ଦୁଇଟି ଉପନ୍ୟାସ ମଧ୍ୟରେ କ୍ରୁଶବିଦ୍ଧ ଓ ନିର୍ବାଣ ଉଲ୍ଲେଖନୀୟ୤ ତାଙ୍କର ସମ୍ପାଦନାରେ ଆମ ସମୟର ସ୍ବନିର୍ବାଚିତ ଶ୍ରେଷ୍ଠକଥା, ଶେଷକଥା ଓ ଭୋକକଥା ଆଦି ସଙ୍କଳନ ତଥା ସାହିତ୍ୟ ପତ୍ରିକା ନବଲିପି ଓଡ଼ିଆ ସାହିତ୍ୟର ପ୍ରତିନିଧିତ୍ବ କରେ୤ ଶ୍ରୀ ମଦନରାୟ ଭୁବନେଶ୍ବର ପୁସ୍ତକମେଳା ପୁରସ୍କାର, ପ୍ରଜାତନ୍ତ୍ର ଓ ଝଙ୍କାର ପୁରସ୍କାର, ଅଖିଳମୋହନ କଥା ସମ୍ମାନ ତଥା ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ୤ ସାମୟିକ ଅଧ୍ୟାପନା ପରେ ୧୯୮୪ ଠାରୁ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ୍‌‌ରେ କାର୍ଯ୍ୟରତ୤
 

ମତାମତ ସଂଖ୍ୟା - ୫ ଆପଣଙ୍କ ମତାମତ ?

  • ୧. fanibhusan ratha |  ଜୁନ୍ ୨୧, ୨୦୧୧ - ୭:୩୫ ପୂର୍ବାହ୍ନ

    debabrata madanray odia galpa sahityara eka utunga uchharana. mora sasradha pranam.

  • ୨. ତ୍ରିଲୋଚନ ଦାଶ |  ଜୁଲାଇ ୨୬, ୨୦୧୧ - ୨:୦୧ ଅପରାହ୍ନ

    ଚରିତ୍ର ମାନଙ୍କର ସଠିକ ମୁଲ୍ୟାୟନ ଲେଖକଙ୍କ ଦ୍ବାରା ହୋଇ ପାରିଥିବା ଯୋଗୁଁ ଲେଖାଟି ଅତି ଉଚ୍ଚକୋଟୀର ପ୍ରତୀୟମାନ ହେଉଚି ଓ ଏହା ଅତୀବ ଉଚ୍ଚଲକୋଟିର ମଧ୍ୟ, ଏହାକୁ ନିଶ୍ଚିତ ପାଠକ ମାନେ ପଢିବା ଉଚିତ୍ ୤

  • ୩. ଅମିତ୍ରଜିତ୍ |  ଅଗଷ୍ଟ୍ ୩୧, ୨୦୧୧ - ୭:୨୮ ପୂର୍ବାହ୍ନ

    ହୃଦୟବିଦରକ

  • ୪. rasmi |  ସେପ୍ଟେମ୍ବର୍ ୨୯, ୨୦୧୧ - ୧:୪୯ ଅପରାହ୍ନ

    ସୁନ୍ଦର ଗଳ୍ପ ଟିଏ ୤

  • ୫. ସୁଦାମବଂଧୁ ଭଟ୍ଟମିଶ୍ର |  ଅକ୍ଟୋବର୍ ୧୮, ୨୦୧୧ - ୫:୦୦ ପୂର୍ବାହ୍ନ

    ଭଲ ଗପଟିଏ ପଢ଼ିଲି୤

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤