ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ସୁରେନ୍ଦ୍ର ମହାନ୍ତି
ଚନ୍ଦ୍ରଶେଖର ରଥ
ସୁବ୍ରତ ପ୍ରିୟବ୍ରତ ମହାନ୍ତି
ସୁଧାଂଶୁ ଶେଖର ପାତ୍ର
ବିଜୟ ମିଶ୍ର
ଫତୁରାନନ୍ଦ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ଆଉ ଏକ ନଚିକେତା
 |- ଅରବିନ୍ଦ ପଟ୍ଟନାୟକ
 
 
ତା: ଜୁଲାଇ ୪, ୨୦୧୨  
ମୂଳ ପୃଷ୍ଠାଗଳ୍ପଆଧୁନିକ
 

‘ଦେଖ ଯଦି ମରିବା…
ସୁକନ୍ୟାର କଥା ନଶୁଣି ଚିତ୍କାର କଲା ନଚିକେତା ଦେଖ, ତୁମେ ଯଦି ମୋତେ ସ୍ବାଭାବିକ ମୃତ୍ୟୁକୁ ଦେଖିବାର ସୁଯୋଗ ଦେବ ନାହିଁ ତେବେ ମୁଁ ନିଶ୍ଚୟ ଅସ୍ବାଭାବିକ ମୃତ୍ୟୁକୁ ଚାହିଁବି୤’
ଡରିଗଲା ସୁକନ୍ୟା୤ କାରଣ ସେ ନିଜ ସ୍ବାମୀର ପ୍ରତିଟି ଅକ୍ଷାଂଶ ଦ୍ରାଘିମାର ପରିଚୟ ବେଶ୍‌ ଭଲଭାବରେ ଜାଣିଥିଲା୤
ଆଉ ସବୁ ସୁକନ୍ୟାମାନେ ସବୁବେଳେ ପତି ଅନୁଗତା ପତ୍ନୀ ସାଜି ଥାଆନ୍ତି୤ ସେ ବି ସାଜିଥିଲା୤
ଆଜି କାହିଁକି କେଜାଣି ସୁକନ୍ୟାର ସ୍ମୃତି ନଚିକେତାକୁ ବିବ୍ରତ କରି ପକାଇଲା୤

ହେଃ୤
କାହିଁକି ସୁକନ୍ୟାର ସ୍ମୃତି ଆଜି ଏତେ ଭାରି ମନେ ହେଉଛି୤ ନଚିକେତା କ୍ରମଶଃ ଅସ୍ଥିର ହୋଇ ପଡ଼ିଲା୤ ସେଥିପାଇଁ ସେ ପଛରେ ହାତଛନ୍ଦି ରେଷ୍ଟସେଡ଼୍‌ ଭିତରେ ବୁଲିବାକୁ ଲାଗିଲା୤
ଦୁଇଜଣ କେନଷ୍ଟବଳ ରାତି ରାଉଣ୍ଡରେ ଆସୁଥିବାବେଳେ ନଚିକେତାର ଉପସ୍ଥିତି ଆବିଷ୍କାର କରି ବେଶ୍‌ ଚଢ଼ାଗଳାରେ ପଚାରିଲେ-
‘କିଏବେ ଶଳା ?’
ଅନ୍ଧାରର ଢେଉକାଟି ବାହାରିଲା ସେ୤ ଭଦ୍ରବେଶଧାରୀ ନଚିକେତାକୁ ଦେଖି ସେମାନେ ଟିକିଏ ନରମି ଗଲେ୤
‘ଏତେ ରାତିରେ କ’ଣ କରୁଛ ?’
‘ଖୋଜୁଛି ?’
‘କାହାକୁ ?’
‘ମୁତ୍ୟୁକୁ୤’
ଗୋଟିଏ କନେଷ୍ଟବଳ ନିଜ ମୁହଁକୁ ନଚିକେତା ମୁହଁ ନିକଟକୁ ଲମ୍ବାଇ ଦେଇ ଚିତ୍କାର କରି ଉଠିଲା ‘ମାତାଲ୍‌ଟାଏ ବେ ?’
ପରମୁହୂର୍ତ୍ତରେ ଗୋଟିଏ ହସର ବିସ୍ଫୋରଣ ଭିତରେ ସେମାନେ ମିଳାଇ ଗଲେ୤
ଆକାଶକୁ ଚାହିଁଲା ନଚିକେତା୤ ଫିକା ହସୁଥିବା ଜହ୍ନଟାକୁ ଦେଖି ସେ ବି ହସିଲା୤
ମାତାଲ କିଏ ? ସେ ନା ଏମାନେ ?
ସେମାନେ ଜୀବନର ନିଶାରେ ମାତାଲ ହେଲାବେଳେ ମରଣର ନିଶାରେ ନଚିକେତା ମାତାଲ୤ କିନ୍ତୁ ସେ କିଛି କହିଲା ନାହିଁ୤ ତାହାଛଡ଼ା କହିଲେ ମଧ୍ୟ ନିଜଛଡ଼ା ଶୁଣିବାକୁ ଆଉ କେହି ନଥିଲେ୤ ଆଉ ନଚିକେତା ନିଜକୁ କହିବାକୁ କେବେହେଲେ ଭଲ ପାଏ ନାହିଁ୤
ନିଶାର ଝୁଙ୍କଟା ଟିକିଏ ଓହ୍ଲାଇ ଯାଇଥିଲା୤ ସେଥିପାଇଁ ସେ ରାଜରାସ୍ତାକୁ ଓହ୍ଲାଇ ପଡ଼ିଲା୤

ତା’ର ବର୍ତ୍ତମାନ କର୍ତ୍ତବ୍ୟ କ’ଣ କିଛି ସମୟ ଚିନ୍ତା କଲାପରେ ସେ ଶୋଇ ପଡ଼ିଥିବା ରାସ୍ତାର ପ୍ରତିଫଳନକୁ ଦେଖିବାକୁ ଚେଷ୍ଟାକଲା, ପାଖାପାଖିଥିବା ହାଇରାଇଜ୍‌ ବିଲଡ଼ିଂଗୁଡ଼ିକ ଉପରକୁ୤ ଯେଉଁ ବିଲଡ଼ିଂ ଭିତରେ କେତେଜଣ ସ୍ବପ୍ନ ଦେଖିବାକୁ ଚାହୁଁଛନ୍ତି୤ କେତେଜଣ ସ୍ବପ୍ନ ଦେଖୁଛନ୍ତି, କେତେଜଣ ସ୍ବପ୍ନ ନଦେଖି ପାରିବାର ବ୍ୟର୍ଥତାରେ ଗୁମୁରି ଗୁମୁରି କାନ୍ଦୁଛନ୍ତି, ଶେଷ ବସନ୍ତରେ ପତ୍ରଝଡ଼ା ଦେଇଥିବା ଗଛପରି୤
ବିଲଡ଼ିଂମାନଙ୍କ ଉପରୁ ନିଜର ଦୃଷ୍ଟିକୁ ନଚିକେତା ପହଁରାଇ ଆଣିଲା ଦିଗ୍‌ବଳୟ ଉପରକୁ୤
ସିନ୍ଦୂରା ଫାଟିବାକୁ ଆଉ ବିଳମ୍ବ ନାହିଁ୤
ଇସ୍‌ ବର୍ତ୍ତମାନ ପର୍ଯ୍ୟନ୍ତ ସେ ମୃତ୍ୟୁର ଶେଷସ୍ବାକ୍ଷର ଦେଖିବା ଦୂରେ ଥାଉ, ପ୍ରଥମ ଅକ୍ଷରଟିକୁ ମଧ୍ୟ ଦେଖିପାରିଲା ନାହିଁ୤
(ସମସ୍ତେ ମରିବାକୁ ନ ଚାହିଁ ମଧ୍ୟ ମରିଯାଆନ୍ତି, ଅଥଚ ସେ ମରିବାକୁ ଚାହିଁ ମଧ୍ୟ ମରି ପାରୁନାହିଁ କାହିଁକି ?)
ଆହୁରି ଗୋଟାଏ ଦିନ୤ ଗୋଟିଏ ଦିନର ଅସରନ୍ତି ମୁହୂର୍ତ୍ତଗୁଡ଼ିକୁ କାଟି ଖିନ୍‌ଭିନ୍‌ କରିବାକୁ ପଡ଼ିବ୤
ହେ ଭଗବାନ !
ନଚିକେତା ଆର୍ତ୍ତନାଦ କଲା୤ ଦେହରେ ଆଉ ବଳ ନାହିଁ୤ ଶରୀରର ମାଂସପେଶୀଗୁଡ଼ିକ କ୍ରମଶଃ ଓଜନିଆ ମନେ ହେଲାଣି୤ ଆଃ ଏଇ ଓଜନିଆ ମାଂସପେଶୀମାନଙ୍କୁ ଧରି ଆଉ କେତେ ସମୟ ବା ଚାଲିବ୤ କେତେ ଦୂର ବା ଚାଲିବ ?
ତଥାପି ସେ ଚାଲିଲା ସେଇ ଅବାସ୍ତବ ବାସ୍ତବତାର ଅନ୍ବେଷଣରେ୤ କିନ୍ତୁ ତା’ର ବଢ଼ନ୍ତା ପାଦ ଆଗରେ ଗୋଟିଏ ଛାୟାମୂର୍ତ୍ତିକୁ ଦେଖି ଥମିଗଲା୤
ହାତ ବଢ଼ାଇଲା ନଚିକେତା୤ ଦେଖି ହେଉଛି ଅଥଚ ଛୁଇଁ ହେଉନାହିଁ୤ କି ଆଶ୍ଚର୍ଯ୍ୟ !
କାଳେ ସେ ସ୍ବପ୍ନ ଦେଖୁନାହିଁ ତ ! ଆଖି ମଳିମଳି ପୁଣି ଚାହିଁଲା୤ ନା ସେ ଠିକ୍‌ ଦେଖିଛି୤

‘ତୁମେ ମୃତ୍ୟୁର ପରିଚୟ ଖୋଜୁଛ ?’
ହଁ ! ଚିହ୍ନା କଣ୍ଠସ୍ବର ଅଥଚ ନକ୍‌ସାଟା ଅଚିହ୍ନା ମନେ ହେଲା କାହିଁକି ନଚିକେତାର !
‘ଆଶ୍ଚର୍ଯ୍ୟ୤ ମୃତ୍ୟୁକୁ ପାଇବା ପାଇଁ ଏତେ ଉପାଦାନ ଥାଉ ଥାଉ ତୁମେ ମୃତ୍ୟୁକୁ ପାଇ ପାରୁନାହିଁ ?’
‘କିନ୍ତୁ ସେଥିରେ ମୃତ୍ୟୁକୁ ପାଇହେବ, ତା’ର ପରିଚୟ ନୁହେଁ୤’
‘ମୃତ୍ୟୁର ପରିଚୟ, ଅବଜ୍ଞାର ହସ ହସି କହିଲା ଛାୟା ମୂର୍ତ୍ତି !’ ମଣିଷର ପରିଚୟ ଯେପରି ମଣିଷ, ଜୀବନର ପରିଚୟ ଯେପରି ଜୀବନ, ଠିକ୍‌ ସେହିପରି ମୃତ୍ୟୁର ପରିଚୟ ହେଉଛି ମୃତ୍ୟୁ, ନା କୌଣସି ସଫିକ୍ସ, ନା କୌଣସି ପ୍ରିଫିକ୍ସ୤
ତୁମେ ଭୁଲ୍‌ କହୁଛ୤ ମଣିଷର ପରିଚୟ କେବଳ ମଣିଷ ନୁହେଁ୤ ସେ ପଶୁ ହୋଇପାରେ, ହୋଇପାରେ ମହାମାନବ !
ଆଉ ଜୀବନର ପରିଚୟ ?
ଦୃଢ଼ କଣ୍ଠରେ ନଚିକେତା କହିଲା, ‘ଜୀବନର ପରିଚୟ କେବଳ ଜୀବନ ନୁହେଁ, ନିଜର ସ୍ଥିତିଟା ଖାଲି ବଜାୟ ରଖିବାଟା ବି ଜୀବନର ପରିଚୟ ନୁହେଁ, ମଣିଷ ପରି ବଞ୍ଚିବା ହେଉଛି ଜୀବନର ପ୍ରଥମ, ଶେଷ ଓ ଏକମାତ୍ର ପରିଚୟ୤’

‘ତୁମେ ଅତି ବିଜ୍ଞ ହୋଇ ଏପରି ଅଜ୍ଞ ହେଲ କିପରି ନଚିକେତା ?’ ଶ୍ଳେଷ ଗଳାରେ ଛାୟାମୂର୍ତ୍ତିଟି କହିଲା, ‘ତୁମେ କ’ଣ ଜାଣିନା, ଯେଉଁମାନେ ମରଣକୁ ଡରନ୍ତି ନାହିଁ, ସେମାନେ ତା’ର ପରିଚୟ ବି ପାଆନ୍ତି ନାହିଁ ?’
ଏଇଥର ନଚିକେତା ଜାଣିପାରିଲା୤ ଜାଣିପାରିଲା ବୋଲି ତ ତା’ର ପଦକ୍ଷେପ ଦ୍ରୁତ ହେଲା !
ହସିଲା ଛାୟାମୂର୍ତ୍ତି ! ‘କୁଆଡ଼େ ଯାଉଛ ?’
‘ବଞ୍ଚିବାକୁ୤’
ଛାୟାମୂର୍ତ୍ତିର ହସଟା ଏଥର ଅଟ୍ଟହାସରେ ପରିଣତ ହୋଇ ଯାଇଥିଲେ ମଧ୍ୟ ନଚିକେତା ଶୁଣି ପାରି ନଥିଲା୤ କାରଣ ସେ ଦୌଡ଼ିବାକୁ ଆରମ୍ଭ କରି ଦୌଡ଼ୁଥିଲା… ଦୌଡ଼ୁଥିଲା ଆଉ ଦୌଡ଼ୁଥିଲା !

ପୃଷ୍ଠା ସଂଖ୍ୟା : 1 2

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ଅରବିନ୍ଦ ପଟ୍ଟନାୟକ, ବ୍ରହ୍ମପୁର
ବୃତ୍ତିରେ ଜଣେ ବ୍ୟାଙ୍କ୍‌ ଅଧିକାରୀ ଭାବେ କାର୍ଯ୍ୟରତ ଥାଇ ସୁଦ୍ଧା ଜଣେ ଗାଳ୍ପିକ ଭାବେ ଅରବିନ୍ଦ ପଟ୍ଟନାୟକ ଓଡ଼ିଆ ସାହିତ୍ୟ ଜଗତରେ ଜଣେ ପରିଚିତ ନାମ୤ ମୁଖ୍ୟତଃ ଗଳ୍ପ ରଚନା ସହିତ ଅନୁବାଦକ ଭାବେ ସେ ସାହିତ୍ୟ ସାଧନାରେ ବ୍ରତି ରହିଛନ୍ତି୤ ତାଙ୍କର ଗଳ୍ପଗ୍ରନ୍ଥ ମଧ୍ୟରେ ଶେଷ ଦଧିଚି ମଲାପରେ, ପ୍ରେମିକାର ନାଁ ମାମୁନି ଓ ଅନ୍ଧାର ମଣିଷ ଏବଂ ଅନୁବାଦ ଗ୍ରନ୍ଥ ମଧ୍ୟରେ ମଡେଲ୍‌ ଅନ୍ୟତମ୤
 

ମତାମତ ସଂଖ୍ୟା - ୨ ଆପଣଙ୍କ ମତାମତ ?

  • ୧. ପ୍ରିୟରଞ୍ଜନ |  ଅଗଷ୍ଟ୍ ୩୦, ୨୦୧୨ - ୩:୦୮ ପୂର୍ବାହ୍ନ

    ଭଲ ଲାଗିଲା୤ ଜୀବନ ଦର୍ଶନକୁ ଖୁବ ଭଲ ଭାବରେ ଦର୍ଶାଇ ବାକୁ ସମର୍ଥ୤

  • ୨. ଲକ୍ଷ୍ମୀନାରାୟଣ ପଟ୍ଟନାୟକ, ସୁରତ୍, ଗୁଜରାଟ. |  ଡିସେମ୍ବର୍ ୧୬, ୨୦୧୭ - ୧୧:୧୬ ଅପରାହ୍ନ

    ପରବ୍ରମ୍ହଣେ ନମଃ।ଆପଣଂକ ଆଲେଖ୍ୟ ଟି ମନଛୁଆଁ ଏବଂ ଚମତ୍କାର
    ହେଇଛି।ଅଜାଣତରେ ମୃତ୍ୟୁ ଖୋଜୁଛି ତା ପ୍ରେମିକା ଜୀବନକୁ ଏବଂ ଲୁଚକାଳି ଖେଳ ଶେଷ ହେବ ନିଃଶ୍ଚିତ ଏକ ଅହେତୁକ ମୂହୁର୍ତରେ।
    ଆଶା ଊର୍ବଶୀ ର ଶେଷ ସପ୍ନ କୁ ନେଇ ଏମିତି ଏକ ମନଛୁଆଁ ଗଳ୍ପ ଟିଏ ଜନ୍ମ ଦେବେ।ନମଷ୍କାର ଏବଂ ଅନେକ ଶୁଭେଚ୍ଛା ର ସହ।

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤