ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ଅମିୟବାଳା ପଟ୍ଟନାୟକ
ତ୍ରିନାଥ ସିଂହ
ସୁଧାଂଶୁ ଶେଖର ପାତ୍ର
ଦୀପକ ମିଶ୍ର
ବରେନ୍ଦ୍ର କୃଷ୍ଣ ଧଳ
ବିଦ୍ୟୁତପ୍ରଭା ଦେବୀ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ଆଉ ଏକ ନଚିକେତା
 |- ଅରବିନ୍ଦ ପଟ୍ଟନାୟକ
 
 
ତା: ଜୁଲାଇ ୪, ୨୦୧୨  
ମୂଳ ପୃଷ୍ଠାଗଳ୍ପଆଧୁନିକ
 

ବୋଧହୁଏ ନଚିକେତାର ପିଇବାଟା ମାତ୍ରାତିରିକ୍ତ ହୋଇଯାଇଥିଲା୤ ସେଥିପାଇଁ ତା’ର ଲମ୍ବା ଲମ୍ବା ଗୋଡ଼ ଦୁଇଟା ତା’ମନ ସହ ଅସହଯୋଗ କରିବା ଆରମ୍ଭ କରିଦେଇଥିଲେ୤ ବାଧ୍ୟହୋଇ ଅନ୍ଧାରୁଆ ରେଷ୍ଟସେଡ଼୍‌ ଭିତରେ ବସି ପଡ଼ିଲା ନଚିକେତା୤
ଧୀରେ ଧୀରେ ନିଶା ଚଢ଼ି ଆସୁଥିଲା୤ ଉତୁରି ଆସୁଥିଲା ମହାଜାଗତିକ ଭାବନା୤
ଶଳା ମରିବ ତ ମରିବ, ଖାଇପିଇ ମରିବ୤ ମରିଗଲା ପରେ ସାପ ହେବ କି ବେଙ୍ଗ ହେବ (ମୃତ୍ୟୁପର ଅବସ୍ଥାର କ’ଣ କିଛି ଚାକ୍ଷୁସ ପ୍ରମାଣ ଅଛି ?) ତାହା ଯଦି କେହି କହିପାରି ନାହାନ୍ତି, ତେବେ ଏତେଗୁଡ଼ିଏ ନୀତିନିୟମ ମାନି ନିଜ ଶରୀରକୁ, ନିଜ ମନକୁ କାହିଁକି କଷ୍ଟଦେବ ସ୍ବଳ୍ପାୟୁ ମଣିଷଟାଏ ?
ଚାର୍ବାକ୍‌ ଥାଉ ଥାଉ କାହିଁକି ସେ ବୁଦ୍ଧଦେବ, ମହାବୀରଙ୍କୁ ଖାତିର କରିବ କିମ୍ବା ଶଙ୍କରାଚାର୍ଯ୍ୟଙ୍କର ମୋହମୁଦ୍‌ଗର ପଢ଼ିବ ?

ନିଜ ଭିତରେ ଏତେ ପର୍ଯ୍ୟନ୍ତ ଶୋଇରହିଥିବା ଦାର୍ଶନିକକୁ ଉଠାଇବାର ସଫଳତାରେ ମନଖୋଲା ହସଟାଏ ହସିଲା ନଚିକେତା୤ କିନ୍ତୁ ପର ମୁହୂର୍ତ୍ତରେ ନିଜ ଉପରେ ଆଲୋକ ପଡ଼ିଗଲା ଭାବି ଶଙ୍କିଗଲା ସେ ! ପ୍ରଥମ ପାପ କରୁଥିବା କିଶୋରୀ ପରି ନଚିକେତା ଚାରିଆଡ଼େ ଚାହିଁଲା୤
ନା ! କେହି ତା’ର ଉପସ୍ଥିତିକୁ ଆଙ୍ଗୁଠି ଦେଖାଇ ନାହାନ୍ତି୤
ହାଃ ହାଃ !
ଦୀର୍ଘଶ୍ବାସଟିଏ ତା’ ହୃଦୟକୁ ରିକ୍ତ କରିଦେଇ ବାହାରି ଆସିଲା୤ ନା, ଏତେ ଜୋର୍‌ରେ ହସିବା ଭଲ ନୁହେଁ, କାଳେ କିଏ ଦେଖିଦେବ ! ବରଂ ଚୁପ୍‌ଚାପ୍‌ ବସି ଛିଣ୍ଡି ଯାଇଥିବା ଚିନ୍ତାର ଜାଲକୁ ଯୋଡ଼ିବା ଶ୍ରେୟସ୍କର୤ ତଥାପି ନଚିକେତାର ଦୁଇଓଠର ଫାଙ୍କାରେ ଆଞ୍ଜୁଳା ଅହଙ୍କାର ହସର ଫୁଲ ହୋଇ ଫୁଟିଲା୤
ଲୋକମାନେ ମରିବାକୁ ଏତେ ଡରନ୍ତି କାହିଁକି ? କାହିଁକି ବା ବଞ୍ଚିବାକୁ ଏତେ ଭଲ ପାଆନ୍ତି ?
ଦାନ୍ତଚିପି ନିଜକୁ ପୋଷ୍ଟମର୍ଟମ କରିବା ଆରମ୍ଭ କରିଦେଇଥିଲା ନଚିକେତା୤
କାହିଁ ସେ’ତ କେବେହେଲେ ମରିବା ପାଇଁ ଡରିନାହିଁ ! ବରଂ ମୃତ୍ୟୁର ପରିଚୟ ପାଇଁ ତା’ର ଏକାନ୍ତ ଜିଜ୍ଞାସା, ତା’କୁ ଅନନ୍ୟ କରି ରଖିଥିଲା ଅନ୍ୟମାନଙ୍କଠାରୁ୤
ଯେଉଁ ବୟସରେ ସମସ୍ତେ ଅଣନିଃଶ୍ବାସୀ ହୋଇ ରୋମାଞ୍ଚ ପଛରେ ଦୌଡ଼ନ୍ତି, ଯେଉଁ ସମୟରେ ପ୍ରଜାପତି ଦେଖିଲେ ମନ ନାଚିଉଠେ ଧରିବାପାଇଁ, ସେହି ସମୟରେ ନଚିକେତା ଗୋଟିଏ କଙ୍କାଳ ଆଗରେ ବସି ଖୁଣ୍ଟି ନାଣ୍ଟି ଦେଖୁଥାଏ ! ରହସ୍ୟ ଜାଣିବାକୁ ଚେଷ୍ଟା କରେ ସେଇ କଙ୍କାଳର୤

ସେଇଥିପାଇଁ ଥରେ ସେ ତା’ର ମାମାଙ୍କୁ ପଚାରିଥିଲା-ମାମା ମଣିଷ ମଲେ କ’ଣ କଙ୍କାଳହୁଏ ?
‘ହଁ !’ ନଚିକେତାର ଜିଜ୍ଞାସାକୁ ସାଧାରଣ ବାଳକର ପ୍ରଶ୍ନ ଭାବିଥିଲେ ମାମା ! କିନ୍ତୁ ନଚିକେତାର ପରବର୍ତ୍ତୀ ପ୍ରଶ୍ନ ଚମକାଇ ଦେଇଥିଲା ତାଙ୍କୁ୤ (ଋଷି ବାଜଶ୍ରବା ମଧ୍ୟ ତ ଦିନେ ଚମକି ଯାଇଥିଲେ ନଚିକେତାର କଥାରେ୤)
ମାମା, ମୁଁ କ’ଣ ମଲାପରେ କଙ୍କାଳ ହୋଇଯିବି ?
ସେଇ ଅଶୁଭ ଶବ୍ଦଗୁଡ଼ିକୁ ହତ୍ୟା କରିବା ପାଇଁ ନଚିକେତାର ମାମା ଲୁହ ଛଳଛଳ ଆଖିରେ ନିଜ ପୁଅର ପାଟି ଉପରେ ନିଜ ହାତ ଚାପି ଧରିଥିଲେ୤
(ମନୁଷ୍ୟ ମାତ୍ରେ ମରଣଶୀଳ୤ ତଥାପି ଏଇ ମାଆମାନେ କାହିଁକି ଯେ ଆଶା କରନ୍ତି ତାଙ୍କ ସନ୍ତାନମାନେ କାଳଜୟୀ ହୁଅନ୍ତୁ ବୋଲି, ସେଦିନ ତାହା ନଚିକେତା ବୁଝିପାରି ନଥିଲା୤)

ସ୍ବପ୍ନର ଦ୍ବୀପକୁ ଯିବାପାଇଁ ଇନ୍ଦ୍ରଧନୁରେ ଚଢ଼ିବା ଦିନ ନଚିକେତା ସିଦ୍ଧାନ୍ତ ନେଇଥିଲା ଯେ ମୃତ୍ୟୁର ପରିଚୟ ଖୋଜିବା ପାଇଁ ଆଉ ଗୋଟିଏ ମହାବୀର କିମ୍ବା ବୁଦ୍ଧ ନହୋଇ ସେ ତା ନିଜସ୍ବ ରାସ୍ତା ଖୋଜି ବାହାର କରିବ୤ ସେଥିପାଇଁ ସେ ମୃତ୍ୟୁକୁ ଖୋଜିବା ଆରମ୍ଭ କରିଦେଇଥିଲା ବ୍ଲାକ୍‌ଡ଼ଗ୍‌, ରୟାଲ ସାଲ୍ୟୁଟର ପ୍ରତିଟି ଟୋପାରେ୤ ଜୁଲି, ପାମେଲା, ନୀଲାମାନଙ୍କର ଦେହର ପ୍ରତିଟି ବକ୍ରାଂଶରେ… ଆଉ ମାଣ୍ଡ୍ରେକ୍ସ, ହେରୋଇନ୍‌, ବ୍ରାଉନ୍‌ସୁଗାରର ପ୍ରତିଟି ଧୂଳି କଣାରେ…୤
ନିଜ ସ୍ବାମୀର ସବୁ କାର୍ଯ୍ୟକଳାପକୁ ସୁକନ୍ୟା ଖାଲି ଆଖି ଖୋଲି ଦେଖୁଥିଲା, କିନ୍ତୁ ବୁଝି ପାରୁ ନଥିଲା, ଜାଣି ପାରୁ ନଥିଲା ଯେ ସେ କ’ଣ ଦେଖୁଛି୤ ଆଉ ଗୋଟିଏ ନଚିକେତାକୁ ନା ଏକ ଦୂରନ୍ତ ଝଡ଼କୁ୤ କିଏ ଜାଣେ ସେ ମୃତ୍ୟୁର ପରିଚୟ ପାଇବା ପୂର୍ବରୁ ନିଜ ପରିଚୟ ହଜାଇ ବସିବ ?

ସେଥିପାଇଁ ସୁକନ୍ୟା ଆପତ୍ତି କରି ନଥିଲା୤ ହଁ, ଆପତ୍ତି କରିଥିଲା ସେଦିନ, ଯେଉଁଦିନ ନଚିକେତା ତା’କୁ ଛାଡ଼ପତ୍ର ଦେବାପାଇଁ ଚାହିଁଥିଲା୤ ସ୍ବାମୀକୁ ବୁଝାଇ
ସେ କହିଥିଲା ‘ଦେଖ ହିନ୍ଦୁ ଶାସ୍ତ୍ରାନୁସାରେ ପ୍ରତ୍ୟେକ ସ୍ବାମୀ ତା ସ୍ତ୍ରୀ ପାଇଁ ଖାଲି ଗୋଟିଏ ପୁରୁଷ ନୁହେଁ, ଗୋଟାଏ ପ୍ରତୀକ, ସ୍ନେହ ଆଉ ଶ୍ରଦ୍ଧାର୤ ସେଥିପାଇଁ ତ ପ୍ରତ୍ୟେକ ହିନ୍ଦୁ ସ୍ତ୍ରୀ, ତା ସ୍ବାମୀର ଚିରକାଳ ସାଥୀ, ହସରେ, କାନ୍ଦରେ, ଜୀବନରେ ତଥା ମରଣରେ୤

ନିଜ ସ୍ତ୍ରୀର ଅନ୍ଧ ଆନୁଗତ୍ୟକୁ ଲକ୍ଷ୍ୟକରି ଯଦିଓ ଭିତରେ ଭିତରେ ଖୁବ୍‌ ଖୁସି ହୋଇଥିଲା ନଚିକେତା ତଥାପି ବାହାରକୁ ଗୋଟିଏ ଦାର୍ଶନିକର ନିର୍ଲିପ୍ତତା ଦେଖାଇ ସେ କହିଲା ‘ଦେଖ, ମୁଁ ଶାନ୍ତିରେ ମରିବାକୁ ଚାହେଁ୤’

ପୃଷ୍ଠା ସଂଖ୍ୟା : 1 2

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ଅରବିନ୍ଦ ପଟ୍ଟନାୟକ, ବ୍ରହ୍ମପୁର
ବୃତ୍ତିରେ ଜଣେ ବ୍ୟାଙ୍କ୍‌ ଅଧିକାରୀ ଭାବେ କାର୍ଯ୍ୟରତ ଥାଇ ସୁଦ୍ଧା ଜଣେ ଗାଳ୍ପିକ ଭାବେ ଅରବିନ୍ଦ ପଟ୍ଟନାୟକ ଓଡ଼ିଆ ସାହିତ୍ୟ ଜଗତରେ ଜଣେ ପରିଚିତ ନାମ୤ ମୁଖ୍ୟତଃ ଗଳ୍ପ ରଚନା ସହିତ ଅନୁବାଦକ ଭାବେ ସେ ସାହିତ୍ୟ ସାଧନାରେ ବ୍ରତି ରହିଛନ୍ତି୤ ତାଙ୍କର ଗଳ୍ପଗ୍ରନ୍ଥ ମଧ୍ୟରେ ଶେଷ ଦଧିଚି ମଲାପରେ, ପ୍ରେମିକାର ନାଁ ମାମୁନି ଓ ଅନ୍ଧାର ମଣିଷ ଏବଂ ଅନୁବାଦ ଗ୍ରନ୍ଥ ମଧ୍ୟରେ ମଡେଲ୍‌ ଅନ୍ୟତମ୤
 

ମତାମତ ସଂଖ୍ୟା - ୨ ଆପଣଙ୍କ ମତାମତ ?

  • ୧. ପ୍ରିୟରଞ୍ଜନ |  ଅଗଷ୍ଟ୍ ୩୦, ୨୦୧୨ - ୩:୦୮ ପୂର୍ବାହ୍ନ

    ଭଲ ଲାଗିଲା୤ ଜୀବନ ଦର୍ଶନକୁ ଖୁବ ଭଲ ଭାବରେ ଦର୍ଶାଇ ବାକୁ ସମର୍ଥ୤

  • ୨. ଲକ୍ଷ୍ମୀନାରାୟଣ ପଟ୍ଟନାୟକ, ସୁରତ୍, ଗୁଜରାଟ. |  ଡିସେମ୍ବର୍ ୧୬, ୨୦୧୭ - ୧୧:୧୬ ଅପରାହ୍ନ

    ପରବ୍ରମ୍ହଣେ ନମଃ।ଆପଣଂକ ଆଲେଖ୍ୟ ଟି ମନଛୁଆଁ ଏବଂ ଚମତ୍କାର
    ହେଇଛି।ଅଜାଣତରେ ମୃତ୍ୟୁ ଖୋଜୁଛି ତା ପ୍ରେମିକା ଜୀବନକୁ ଏବଂ ଲୁଚକାଳି ଖେଳ ଶେଷ ହେବ ନିଃଶ୍ଚିତ ଏକ ଅହେତୁକ ମୂହୁର୍ତରେ।
    ଆଶା ଊର୍ବଶୀ ର ଶେଷ ସପ୍ନ କୁ ନେଇ ଏମିତି ଏକ ମନଛୁଆଁ ଗଳ୍ପ ଟିଏ ଜନ୍ମ ଦେବେ।ନମଷ୍କାର ଏବଂ ଅନେକ ଶୁଭେଚ୍ଛା ର ସହ।

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤