ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ସର୍ବମୋଟ ମତଦାନ: ୧୮୨୮

ଲେଖକ ଓ ଲେଖିକା

ଦେବେନ୍ଦ୍ର ମହାନ୍ତି
ଗନ୍ତାୟତ ଶିବପ୍ରସାଦ
ସଦାନନ୍ଦ ତ୍ରିପାଠୀ
ଦିଲ୍ଲୀପ ଦାସ
ଶୈଳେନ୍ଦ୍ର କୁମାର ଜେନା
ବାମାଚରଣ ମିତ୍ର

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

 
 
ତା: ଡିସେମ୍ବର୍ ୨୬, ୨୦୧୧  
ମୂଳ ପୃଷ୍ଠାପ୍ରଚ୍ଛଦ
 

prativa shatpathi
ପ୍ରତିଭା ଶତପଥୀଙ୍କ ସୃଷ୍ଟି

କବିତା ସଙ୍କଳନ:
ଗ୍ରନ୍ଥ ସମୟ(୧୯୭୪), ସାହାଡ଼ା ସୁନ୍ଦରୀ(୧୯୭୮), ନିୟତ ବସୁଧା(୧୯୯୦), ନିମିଷେ ଅକ୍ଷର(୧୯୮୫), ମହାମେଘ(୧୯୮୮), ଶବରୀ(୧୯୯୧), ତନ୍ମୟଧୂଳି(୧୯୯୯), ଅଧା ଅଧା ନକ୍ଷତ୍ର(୨୦୦୧)

ଅନୁବାଦ: ନୀଳ ନୀଶିଥର ତାରା

ସମାଲୋଚନା: କଳ୍ପନାର ଅଭିଷେକ, ଉତ୍ତର ଆଧୁନିକ ଓଡ଼ିଆ କବିତା ଓ ଅନ୍ୟାନ୍ୟ ପ୍ରବନ୍ଧ,

ଲଳିତ ନିବନ୍ଧ : ପ୍ରତିଫଳନ

ସମ୍ମାନ
ଶବରୀ- ଇମ୍ଫା ଶିଳ୍ପ ଗୋଷ୍ଠୀ ପ୍ରଦତ୍ତ ଶାରଳା ପୁରସ୍କାର
“ତନ୍ମୟ ଧୁଳି”- କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର
“ଅଧା ଅଧା ନକ୍ଷତ୍ର”- ଶାଶ୍ବତୀ ରାଷ୍ଟ୍ରୀୟ ପୁରସ୍କାର (କର୍ଣ୍ଣାଟକ)

ପ୍ରତିଭା ଶତପଥୀଙ୍କ ସହ ସାକ୍ଷାତକାର

ଆପଣ “ତନ୍ମୟଧୂଳି” କବିତା ସଙ୍କଳନ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଛନ୍ତି୤ “ତନ୍ମୟଧୂଳି” କେଉଁ ସ୍ବତନ୍ତ୍ରତା ଦାବୀ କରେ?
ଉତ୍ତର:- “ତନ୍ମୟ ଧୂଳି” ମୋ ଦୃଷ୍ଟିରେ ମଣିଷର ତୁଚ୍ଛ ସତ୍ତା ଅଥଚ ତାହା ବିଶ୍ବସଭା ସହ ଏକାକାର ହୋଇପାରେ୤ ଧୂଳି ତୁଚ୍ଛ କିନ୍ତୁ ତା ଭିତରେ ଉତ୍ତରଣର ପ୍ରୟାସ ଏକ ବିଶେଷତ୍ବ୤ ତାର ଛନ୍ଦରେ କିଛି ମାତ୍ରାରେ ସାଙ୍ଗୀତିକତା ରହିଛି୤

ଆପଣଙ୍କର “ଆଦ୍ୟପର୍ବ” ରଚନାରେ ରୋମାଣ୍ଟିକ୍‌ ତନ୍ମୟର ଆବେଗ ପରିଲକ୍ଷିତ କିନ୍ତୁ ପରେ ରହସ୍ୟବାଦର ଉପଲବ୍‌ଧି ଆଡକୁ ଅଗ୍ରସର ହୋଇଛନ୍ତି୤ ଏହାର କାରଣ କଣ?
ଉତ୍ତର:- ମୋର କବିତା ରଚନାର ଆଦ୍ୟକାଳରେ ଏକ ବିହ୍ବଳ ଭାବ ଆବୋରି ରହିଥିଲା୤ ବାସ୍ତବତାକୁ ତୀକ୍ଷ୍ଣଭାବେ ପ୍ରତ୍ୟକ୍ଷ କରିନଥିଲି୤ ଜୀବନ ପଥରେ ଅଗ୍ରସର ହେଲାବେଳକୁ ଏକ ବିପୁଳ ଉପଲବ୍ଧି ମୋତେ ଆବିଷ୍ଠ କଲା୤ ଜୀବନର ଗଭୀରତାର ବ୍ୟାପ୍ତିକୁ ମୁଁ କେତେକାଂଶରେ ଉପଲବ୍ଧି କରିପାରିଲି୤ ତାହାହିଁ ହୋଇଥାଇପାରେ ଏହାର କାରଣ୤

ଆପଣଙ୍କ ପ୍ରତିଟି ସଙ୍କଳନପରି “ଶବରୀ”ର ଆବେଦନ ସ୍ବତନ୍ତ୍ର୤ ଓଡ଼ିଆ ଦୀର୍ଘ କବିତା ରଚନା ଧାରାରେ ଏହା ଏକ ମୌଳିକ ଭାବନିଷ୍ଠ ସଂଯୋଗ୤ ଏହାର ସୃଷ୍ଟିବୈଚିତ୍ର୍ଯମୟ, ମିଥ୍‌ ତଥା ଲୋକ ସଂସ୍କୃତି ପ୍ରୟୋଗର ଆବଶ୍ୟକତା ସମ୍ପର୍କରେ ସୂଚନା ଦିଅନ୍ତୁ୤
ଉତ୍ତର:- “ଶବରୀ” ନିଶ୍ଚୟ ଏକ ନୂତନ ମୌଳିକ ଦୃଷ୍ଟିଭଙ୍ଗୀକୁ ବହନ କରିଛି୤ ଏହା ମିଥ୍‌ ଆଧାରିତ ସତ୍ୟ ମାତ୍ର ସମକାଳୀନ ପ୍ରାସଙ୍ଗିକତାକୁ ନେଇ ଏଥିରେ ମିଥ୍‌କୁ ମଧ୍ୟ କିଛିଟା ପରିବର୍ତ୍ତନ କରାଯାଇଛି୤ ଏଇ ପରିବର୍ତ୍ତନ ସକାରାତ୍ମକ “ଶବରୀ”ରେ ମାନବ ସତ୍ତାର ସର୍ବୋତ୍ତମ ଉତ୍ତୀର୍ଣ୍ଣ ସତ୍ତାସହ ସମ୍ପର୍କକୁ ବିଶ୍ଳେଷଣ କରାଯାଇଛି୤

“ତନ୍ମୟ ଧୂଳି”ରେ “ତୁମେ” ଓ “ମୁଁ” ସ୍ବରୂପ ଓ ସମ୍ପର୍କର ପରିଭାଷା ସ୍ପଷ୍ଟ୤ ତେବେ କାବ୍ୟ ସ୍ବରୂପିଣୀ କହିଛନ୍ତି ସୁଗୋଲ ପୂର୍ଣ୍ଣତା ବୋଲି କିଛି ନାହିଁ୤ ତେଣୁ ତାର ସ୍ବରୂପ କଣ?
ଉତ୍ତର:- “ତନ୍ମୟ ଧୂଳି”ରେ “ତୁମେ” ଓ “ମୁଁ” ମୋର ଗୋଟେ ଅନ୍ତର୍ଗତ ସତ୍ତା ଏବଂ ତାର ଅନ୍ୟ ସ୍ବରୂପ ମୋର ଏକ ବୁଝିପାରୁଥିବା ଆତ୍ମୀୟ ବା ପାଠକୀୟ ସତ୍ତା ୤ ସୁଗୋଲ ପୂର୍ଣ୍ଣତା, ମନେ କରନ୍ତୁ, ମଣିଷ ବୋଲି ବୋଲି କିଛି ନାହିଁ୤ ସବୁ ଖଣ୍ଡିତ ପୂର୍ଣ୍ଣତାକୁ ସେ କଳ୍ପନା କରେ, ଉପଲବ୍ଧି ଭାବେ ଧରିପାରେ୤ କିନ୍ତୁ ତାର ଆଶା ଓ ସ୍ବପ୍ନ ପୂର୍ଣ୍ଣ ବୋଲି କୁହାଯାଇପାରିବ ନାହିଁ୤ ଏଇ କଥା ଉପଲ୍‌ବ୍ଧିରେ ଆଣି ନିଜ ଅପୂର୍ଣ୍ଣତା ବିଷୟରେ ସାନ୍ତ୍ବନା ଦେଇପାରିବ୤

“ଅଧା ଅଧା ନକ୍ଷତ୍ର”ରେ ବାମବାଦୀ ପ୍ରଖୟ ବାରିହୋଇଥାଏ୤ ସାହିତ୍ୟରେ ଏଇ ବାମାବାଦି ଚିନ୍ତାଧାରା ଆଜି କେତେ ଆବଶ୍ୟକ ?
ଉତ୍ତର:- ତାହା ବାମବାଦୀ ନୁହେଁ ବାମାବାଦୀ୤ ବାମାବାଦୀ ନ କହି ବରଂ ନାରୀବାଦ ବୋଲି କୁହନ୍ତୁ୤ ବାମା ଶବ୍ଦଟି ବିବଦମାନ୤ ଏକଦା ପୁରୁଷର ବାମ ପାର୍ଶ୍ବରେ ଉପବେଶନ କରୁଥିବାରୁ ନାରୀକୁ ବାମା କୁହାଯାଉଥିଲା୤ ବର୍ତ୍ତମାନ ତାହା ଗ୍ରହଣଯୋଗ୍ୟ ନୁହଁ୤ ନାରୀମାନେ ସବୁକ୍ଷେତ୍ରରେ ନିଜର ଶକ୍ତି ଓ କୁଶଳତାର ଯୋଗ୍ୟ ପରିଚୟ ଦେଉଛନ୍ତି୤ ତଥାପି ସାସାଂରିକ ତଥା ସାମାଜିକ ଜୀବନରେ ଏଯାବତ୍‌ ସେମାନେ ପ୍ରାପ୍ୟ ସମ୍ମାନ ପାଇନାହାଁନ୍ତି୤ ସେ ଦିଗରୁ ବାସ୍ତବ ଅଭିଜ୍ଞତାକୁ ରୂପ ଦେଲାବେଳେ ନାରୀର ଅର୍ନ୍ତବେଦନା ଓ ତାର ଆକାଙ୍କ୍ଷା ସ୍ବାଭାବିକ ଭାବେ ଆସିଯାଏ୤ “ଅଧା ଅଧା ନକ୍ଷତ୍ର” ଅପେକ୍ଷା ମୋର ପରବର୍ତ୍ତୀ ସଙ୍କଳନ “କହି ନହେଲେ”ରେ ନାରୀବାଦୀ ସ୍ବର ପ୍ରଖର ଓ ଏହାର ପ୍ରତିବାଦର ରୂପ ପରିଗ୍ରହଣ କରିଛି୤

ଆପଣଙ୍କ “ଉଦ୍‌ଭାଷା” ପତ୍ରିକା ଉତ୍ତର ଆଧୁନିକତାର ପ୍ରତିନିଧିତ୍ବ କରେ୤ ଏ ବିଷୟରେ କିଛି କୁହନ୍ତୁ ?
ଉତ୍ତର:- ଉତ୍ତର ଆଧୁନିକତାକୁ ଏତେ ଶୀଘ୍ର ଗୋଟିଏ ପାରାଗ୍ରାଫ୍‌ରେ କହିହେବନି୤ ଏହା ଏକ ଅବବୋଧ୤ ଏଥିରେ କବି ନିଜର ପରିବେଶ ପ୍ରତି ସମ୍ପର୍କୀୟମାନଙ୍କ ପ୍ରତି ନିଜମାଟିର ବିଶେଷତ୍ବ ପ୍ରତି ନିଜର ଆତ୍ମା ପ୍ରତି ଅଧିକ ସତ୍ୟନିଷ୍ଠ୤ ଏ ସମ୍ପର୍କରେ ମୋର ଗୋଟିଏ ପ୍ରବନ୍ଧ ପୁସ୍ତକ ଅଛି “ଉତ୍ତର ଆଧୁନିକ ଓଡ଼ିଆ କବିତା ଓ ଅନ୍ୟାନ୍ୟ ପ୍ରବନ୍ଧ” ତଥା “ଉଦ୍‌ଭାଷ”ରେ ଉତ୍ତର ଆଧୁନିକ ଚେତନା ସମ୍ପର୍କରେ କେତେକ ପ୍ରବନ୍ଧ ପ୍ରକାଶ ପାଇଛି୤ ଉତ୍ତର ଆଧୁନିକତା ଉପରେ ହିଁ ପ୍ରତିଷ୍ଠା ଲାଭ କରିଛି ଓ ଆଧୁନିକତାର ବିଷାଦ ଓ ଦୁର୍ବୋଧ୍ୟତା ଆଦି ନକାରତ୍ମକ ଗୁଣକୁ ବିରୋଧ କରୁଛି୤ କୌଣସି ତତ୍ବ ଆଲୋଚନା ନକରି ବର୍ତ୍ତମାନ କାଳରେ ଲିଖିତ କବିତା ପଢିଲେ ପାଠକ ଏହାର ସ୍ବରୂପ ଚିହ୍ନି ପାରିବ୤

ଅନୁବାଦ କର୍ମରେ ଆପଣ ସ୍ବକୀୟ ନିଷ୍ଠା ଓ ବ୍ୟୁତ୍ପତ୍ତି ପ୍ରଦର୍ଶନ କରିଛନ୍ତି୤ ଓଡ଼ିଆ ଅନୁବାଦ ସାହିତ୍ୟର ବିକାଶ ପାଇଁ ଅନୁବାଦକମାନେ କେଉଁ ଦିଗପ୍ରତି ସଚେତନ ହେବା ଆବଶ୍ୟକ ବୋଲି ଆପଣ ଭାବୁଛନ୍ତି୤
ଉତ୍ତର:- ଅନୁବାଦ କଲାବେଳେ ଦୁଇଟି ଦିଗକୁ ଧ୍ୟାନ ଦେବାକୁ ପଡ଼େ୤ ଗୋଟିଏ ମୂଳଭାଷା ଓ ଅନ୍ୟଟି ଲକ୍ଷ୍ୟ ଭାଷା୤ ଏ ଦୁଇ ଭାଷା ଉପରେ ଅନୁବାଦକର କିଛିଟା ବ୍ୟୁତ୍ପତ୍ତିଥିବା ଆବଶ୍ୟକ୤ ଅନୁବାଦଟି ଯଦି ମୌଳିକ ଲେଖାଭଳି ସରସ ଲାଗିଲା ତାହେଲେ ତାହାର ସାର୍ଥକତା ଥାଏ୤ ତେବେ କବିତାର ଅନୁବାଦ କଷ୍ଟକର୤ ମୂଳ ଲେଖାଠାରୁ ବେଳେବେଳେ ଲକ୍ଷ୍ୟ ଭାଷା କିଛିଟା ହ୍ରାସ ପାଇଥାଏ୤ ଏଣୁ କବିତା ଅନୁବାଦର ସାର୍ଥକତା ପାଇଁ ଅନୁବାଦକକୁ ଅଧିକ ଯତ୍ନଶୀଳ ହେବା ଆବଶ୍ୟକ୤

ସାମ୍ପ୍ରତିକ କବିତାର ଆଙ୍ଗୀକ ପରିବର୍ତ୍ତନର ସୂଚନା ଉପଲବ୍ଧ ହେବାରେ ଲାଗିଛି୤ ଧୀରେ ଧୀରେ ସାଙ୍ଗୀତିକତାକୁ କବିମାନେ ପୁନଃ ପ୍ରୟୋଗ କରିବାକୁ ପ୍ରୟାସ କଲେଣି୤ ଏଥିରେ ଆପଣଙ୍କ ମତ କଣ ?
ଉତ୍ତର :- ବର୍ତ୍ତମାନ କବିମାନେ ଯେଉଁ ଦିଗକୁ ଆଗୋଉଛନ୍ତି ଆଗାନ୍ତୁ୤

ଓଡ଼ିଆ ସମାଲୋଚନା ସାହିତ୍ୟ ଭଣ୍ଡାରକୁ ଆପଣଙ୍କର ଦାନ ଉଲ୍ଲେଖଯୋଗ୍ୟ୤ ଆପଣଙ୍କ ଦୃଷ୍ଟିରେ ସମାଲୋଚକମାନେ କେଉଁ ଦିଗ ପ୍ରତି ସଚେତନ ହେବା ଦରକାର୤
ଉତ୍ତର :- ସମାଲୋଚକମାନେ ପ୍ରଥମେ ସମାଲୋଚୀୟ ବିଷୟଟିକୁ ଭଲ ପାଇବା ଦରକାର ଏବଂ ଗଠନ ମୂଳକ ଭାବେ ସମାଲୋଚନା କରିବା ଦରକାର୤

ଆପଣଙ୍କ ବ୍ୟକ୍ତିଗତ ଜୀବନ ସାହିତ୍ୟ ସୃଷ୍ଟିକୁ କିପରି ପ୍ରଭାବିତ କରିଛି ?
ଉତ୍ତର :- ମୋ କବିତା ଓ ବ୍ୟକ୍ତିଗତ ଜୀବନ ଭିତରେ ପ୍ରଭେଦ କିଛି ନାହିଁ୤ ମୁଁ ଯେମିତି ବଞ୍ଚେ ସେପରି କବିତା ଲେଖେ୤ ଯାହା ଅନୁଭବ କରେ, ଯେଉଁ ଦିଗକୁ ଅନାଏ ତାକୁ ଶବ୍ଦ ମାଧ୍ୟମରେ ଚିତ୍ରଣ କରେ୤

ଆପଣଙ୍କ ଆତ୍ମଜୀବନୀ ସମ୍ପର୍କରେ ଦୁଇପଦ କୁହନ୍ତୁ୤
ଉତ୍ତର :- ମୋର ଆତ୍ମକଥା ଶୈଶବରୁ ଏ ଯାଏଁ ମୁଁ ଭେଟିଥିବା ମଣିଷ, ପ୍ରତ୍ୟକ୍ଷ କରିଥିବା ପରିବେଶ ଓ ବଞ୍ଚୁଥିବା ଅନୁଭବମାନଙ୍କୁ ସାକାର କରିବାକୁ ଚେଷ୍ଟା କରିଛି ମାତ୍ର୤

ଆପଣଙ୍କର ସୁଯୋଗ୍ୟା କନ୍ୟା ପାରମିତା ଶତପଥୀ ଓଡ଼ିଆ ସାହିତ୍ୟରେ ଏକ ପରିଚିତ ନାମ ତଥା ‘ବିରଳ ରୂପକ’ ପାଇଁ ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାର ପ୍ରାପ୍ତ୤ ତାଙ୍କ ସୃଷ୍ଟି ଧାରା ସମ୍ପର୍କରେ କିଛି କୁହନ୍ତୁ ?
ଉତ୍ତର :- ପାରମିତା ପିଲାଦିନୁ ସାହିତ୍ୟ ପ୍ରତି ଆକୃଷ୍ଟ ଥିଲା୤ ତାର ପ୍ରଥମ ଗଳ୍ପ ବି.ଏ. ପଢ଼ିଲା ବେଳେ ପ୍ରକାଶ ପାଏ ଏବଂ ଏମ୍‌.ଏ. ପଢ଼ିଲା ବେଳେ ଝଙ୍କାରରେ ‘ତାଙ୍କ ସହ ସବୁ ଦିନ’ ଶୀର୍ଷକ ଗଳ୍ପ ପ୍ରକାଶ ପାଇ ପାଠକୀୟ ଆଦର ଲାଭ କରିଥିଲା୤ ସେ ଗଳ୍ପ ପାଇଁ ଅନେକ ପୁରସ୍କାର ପାଇଛି୤ ଭୁବନେଶ୍ବର ପୁସ୍ତକମେଳା ପୁରସ୍କାର, ଭାରତୀୟ ଭାଷାପରିଷଦର ଯୁବା ଲେଖକ ପୁରସ୍କାର ଇତ୍ୟାଦି୤ ତେବେ ସେ ଖୁବ୍‌ ଭଲ କବିତା ମଧ୍ୟ ଲେଖେ୤ ଏବେ କେନ୍ଦ୍ର ସାହିତ୍ୟ ଏକାଡେମୀ ଆନୁକୁଲ୍ୟରେ ଅଷ୍ଠିତ ସର୍ବଭାରତୀୟ କବିତା ଉତ୍ସବରେ କବିତା ପାଠ କରି ବହୁ ପ୍ରଶଂସା ପାଇଛି୤ ତା ମା ଭାବରେ ମୁଁ ଗୌରବାନ୍ବିତ୤ ସେ ଗଳ୍ପ ଓ କବିତା ଉଭୟକୁ ସମାନ ଧ୍ୟାନ ଦେଇ ତାର ରଚନା ଜାରି ରଖିଛି୤

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 

ମତାମତ ସଂଖ୍ୟା - ୨ ଆପଣଙ୍କ ମତାମତ ?

  • ୧. ବିଜନ ରାୟ୍ |  ଡିସେମ୍ବର୍ ୨୯, ୨୦୧୧ - ୫:୫୫ ପୂର୍ବାହ୍ନ

    ସାକ୍ଷାତକାରଟି ବହୁତ ଭଲ ଲାଗିଲା. କବିଙ୍କୁ ଧନ୍ୟବାଦ.

  • ୨. ବଳଭଦ୍ର କର |  ଜାନୁଆରୀ ୪, ୨୦୧୨ - ୨:୦୩ ପୂର୍ବାହ୍ନ

    କବିଙ୍କ ସହିତ ସାକ୍ଷାତକାରଟି ବହୁତ ଭଲ ଲାଗିଲା, କବିଙ୍କ ଲେଖା ପ୍ରକାଶ କରନ୍ତୁ ୤

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤