ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ଭକ୍ତକବି ମଧୁସୂଦନ ରାଓ
ଭଗବତୀ ଚରଣ ପାଣିଗ୍ରାହୀ
ସନ୍ୟାସୀ ନାୟକ
କେ.ଶ୍ୟାମବାବୁ ଦୋରା
ନୀଳମଣି ବିଦ୍ୟାରତ୍ନ
ସୁବ୍ରତ ପ୍ରିୟବ୍ରତ ମହାନ୍ତି

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

 
 
ତା: ଅଗଷ୍ଟ୍ ୩୧, ୨୦୧୨  
ମୂଳ ପୃଷ୍ଠାପ୍ରଚ୍ଛଦ
 


ପଦ୍ମଶ୍ରୀ ଶ୍ରୀନିବାସ ଉଦ୍‌ଗାତା ଓଡ଼ିଆ ସାହିତ୍ୟରେ ଜଣେ ପ୍ରଚଣ୍ଡ ପ୍ରତିଭାଶାଳୀ ସାହିତ୍ୟିକ ଭାବେ ପରିଗଣିତ୤ ଏକାଧାରରେ ଜଣେ କବି, ଗାଳ୍ପିକ, ଅନୁବାଦକ, ନାଟ୍ୟକାର, ପ୍ରାବନ୍ଧିକ ସହିତ ବିଭିନ୍ନ ସାହିତ୍ୟ ଅନୁଷ୍ଠାନ ସହିତ ଜଡ଼ିତ ରହି ଡ.ଉଦ୍‌ଗାତା ଓଡ଼ିଆ ସାହିତ୍ୟର ପ୍ରଚାର ଓ ପ୍ରସାର ଦିଗରେ ସାଧନାରତ୤ ବଲାଙ୍ଗୀର ସହରରେ ବାସ କରୁଥିବା ଓ ସମ୍ପ୍ରତି ୭୭ବର୍ଷରେ ପଦାର୍ପଣ କରିଥିବା ଡ.ଉଦ୍‌ଗାତାଙ୍କ ବର୍ତ୍ତମାନ ସୁଦ୍ଧା ୨୧୦ଟି ପୁସ୍ତକ ପ୍ରକାଶିତ ହୋଇସାରିଛି୤ ଚଳିତବର୍ଷ ଶେଷ ସୁଦ୍ଧା କବିତା, ଗଳ୍ପ ଆଦି ଉପରେ ଅତି କମ୍‌ରେ ୩ଟି ପୁସ୍ତକ ପ୍ରକାଶିତ କରିବା ନିମନ୍ତେ ସେ କାର୍ଯ୍ୟରତ ରହିଛନ୍ତି୤ ଅନୁବାଦ ପାଇଁ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର ଓ ସାରଳା ପୁରସ୍କାର ସହିତ ରାଜ୍ୟ ଓ ଜାତୀୟ ସ୍ତରରେ ଅନେକ ସମ୍ମାନ ଓ ପୁରସ୍କାରରେ ସମ୍ମାନୀତ ଓ ସମ୍ବର୍ଦ୍ଧିତ ହୋଇଛନ୍ତି ଡ.ଉଦ୍‌ଗାତା୤

ଡ.ଶ୍ରୀନିବାସ ଉଦ୍‌ଗାତାଙ୍କ ସୃଷ୍ଟି

କବିତା ସଙ୍କଳନ: ପୂରବୀ(୧୯୬୧), ଆପଣାର ଗୀତ(୧୯୭୮), ପୁନଶ୍ଚ..ପୁନଶ୍ଚ(୧୯୮୭), ଚୈତ୍ରରଥ(୧୯୮୧), ପ୍ରିୟତମାସୁ(୨୦୦୧), ଅପ୍ରମେୟସୁ(୨୦୦୨) ଓ ଭାବ ସମାଧି(୨୦୦୪) ଇତ୍ୟାଦି୤

ଗଳ୍ପ ସଙ୍କଳନ: ପୂର୍ଣ୍ଣିମା(୧୯୫୭), ପାର୍ବତୀ(୧୯୬୨), ଦିବ୍ୟ ପୁରୁଷ(୧୯୯୦) ଇତ୍ୟାଦି୤

ଉପନ୍ୟାସ: ନୀଳ ନୟନ ତଳେ(୧୯୫୭), ଶେଷ ରାତ୍ରୀ ପ୍ରଥମ ସକାଳ(୧୯୬୧), ଆଲୁଅର ଡାକ(୨୦୦୩), ବ୍ୟାଘ୍ରାରୋହଣ(୧୯୯୯) ଇତ୍ୟାଦି୤

ଅନୁବାଦ ଗ୍ରନ୍ଥ : ସଂସ୍କୃତରୁ ନାଟ୍ୟଶାସ୍ତ୍ରମ୍‌(୨୦୦୩), ବଙ୍ଗଳାରୁ କବି କାହାଣୀ, ଶୋଭାଯାତ୍ରା, ଇଂରାଜୀରୁ ଭବଭୂତି, ହିନ୍ଦୀରୁ ନୀଳ ହ୍ରଦ (ଗଳ୍ପସଂଗ୍ରହ) , ଶବଯାତ୍ରା( ଉପନ୍ୟାସ), ଉତ୍ସବା(କବିତା), ମଧୁଶାଳା ସମେତ ଆହୁରି ଅନେକ୤

(୧) ଆପଣଙ୍କ ସାହିତ୍ୟ ଜୀବନ କିପରି ଆରମ୍ଭ ହୋଇଥିଲା ?
ବିସ୍ମୟ, ଜିଜ୍ଞାସା, ରତି-ଆସକ୍ତିରେ ନିଶ୍ଚିତ ଭାବରେ୤ କେହି ବି କିଛି ଆରମ୍ଭ ଓ ଶେଷ କରି ପାରିବ ନାହିଁ, ସେହି ସର୍ବଶ୍ରେଷ୍ଠ କବି, କଳାକାର, ଗାୟକ ଶିରୋମଣି ଅପ୍ରମେୟ ପୁରୁଷ ସହିତ ମାତା ଭାଷା-ଭାରତୀ ଶାରଦା ସରସ୍ବତୀ ଇଚ୍ଛା ନକଲେ୤ ମୁଁ କିଛି ବୁଝେଇ କହିବା ଆଗରୁ, ଯାହା ପରିଣତ ବୟସରେ ଅନୁଭବ କରୁଛି ତାହା ପ୍ରକାଶ କରୁଛି୤ ସାରସ୍ବତ ସର୍ଜନା ପ୍ରକ୍ରିୟା ଏକ ତନ୍ମୟ ତପସ୍ୟା, ବିଳାସ ନୁହେଁ୤ ମାତ୍ର ଅପରିଣତ ଅବିଜ୍ଞ କାଳରେ ତାହା ମୋ ଭିତରେ ବିସ୍ମୟ ଭାବରେ ଜାଗରିତ ହୋଇଥିଲା୤

(୨) ଆପଣଙ୍କର ପ୍ରଥମ ପ୍ରକାଶିତ ପୁସ୍ତକ ବାବଦରେ ଆପଣଙ୍କର ମତ୤
ପାଠକ ସିନା ସର୍ବଶ୍ରେଷ୍ଠ ବିଚାରକ ? ମୁଁ ମୋର ଆପଣା ସର୍ଜନା ସପକ୍ଷରେ କଣ ବୋଲି କହିବି ? ସ୍ବାଭାବିକ ଯେ, ତାହା ନିଶ୍ଚିତଭାବରେ ମୋତେ ପରିତୁଷ୍ଟ କରିଥିଲା୤ ମୋର ପ୍ରକାଶିତ ପ୍ରଥମ ପୁସ୍ତକ କବିତା୤ ମୌଳିକ ସିନେଟ ସଙ୍କଳନ ‘ପୂରବୀ’ ତାର ମୁଖବନ୍ଧ ରଚନା କରିଥିଲେ କବିବନ୍ଧୁ ସ୍ବର୍ଗତ ଚିନ୍ତାମଣି ବେହେରା୤ ପ୍ରଶଂସିତ ହୋଇଥିଲା୤ କାବ୍ୟାନ୍ତରଣରେ ବି ପ୍ରଥମ ପ୍ରକାଶିତ ରଚନା କବିତା୤ ହିନ୍ଦୀର ମୂଳରଚନା ସ୍ବର୍ଗତ ଜୟଶଙ୍କର ପ୍ରସାଦଙ୍କର କାଳଜୟୀ କୃତି ‘ଆଁସୂ’୤ ତାର ଦୁଇଟି ସଂସ୍କରଣ ପ୍ରକାଶିତ ହୋଇ ସାରିଛି୤ ବିନା ଅନୁପ୍ରେରଣାରେ ଆଗେଇବା ଜମାରୁ ସମ୍ଭବ ନୁହେଁ ୤ ଯାତ୍ରା ଯେତେ ଦୀର୍ଘ ପଥର ହେଉ ନା କାହିଁକି ତାହା ତ ଗୋଟାଏ ପାହୁଣ୍ଡରୁ ହିଁ ଆରମ୍ଭ ହୋଇଥାଏ୤ ସେତେବେଳେ ପାଠକ, ଆଲୋଚକଙ୍କର ମନଘେନା ହୋଇ ନଥିଲେ ସମ୍ପ୍ରତି (ଅଗଷ୍ଟ ୨୦୧୨) ଭାରତୀୟ ସାରସ୍ବତ କ୍ଷେତ୍ରରେ ମୋର ପ୍ରକାଶିତ ପୁସ୍ତକର ସଂଖ୍ୟା ୨୧୦ ହୋଇ ନଥାନ୍ତା୤ ତାହା ସହିତ ଚାରୋଟି କବିତା ସଙ୍କଳନ ପ୍ରକାଶନାଧୀନ ହୋଇ ରହି ନଥାନ୍ତା (୧- ‘କୃଷ୍ଣା’- କଟକ ଷ୍ଟୁଡ଼େଣ୍ଟସ୍‌ ଷ୍ଟୋର୤ ୨- ‘ରାଧାମାଧବ’- ତିଥି ବୁକ୍ସ, ଓଡ଼ିଆ ବଜାର, କଟକ, ୩- କବି ବିଶ୍ବନାଥ ପ୍ରସାଦ-ଆତ୍ମପ୍ରକାଶନୀ ଓ ୪- ଶୋକ ସବ୍ୟସାଚୀକା)୤ ଆଗାମୀ ପୂଜା ପର୍ଯ୍ୟନ୍ତ ତାହା ପ୍ରକାଶିତ ହୋଇଯିବ ବୋଲି ଆଶା୤

(୩) ଆପଣ ଏକାଧାରରେ ଜଣେ କବି, ଲେଖକ, ଔପନ୍ୟାସିକ, ନାଟ୍ୟକାର ଏବଂ ଅନୁବାଦକ ମଧ୍ୟ୤ ଏହି ସମସ୍ତ ମଧ୍ୟରୁ କେଉଁ ଗୋଟିକୁ ଆପଣ ସବୁଠାରୁ ପ୍ରାଧାନ୍ୟ ଦେଇଥାନ୍ତି ଓ କେଉଁଟିକି ଅଧିକ ଭଲ ପାଆନ୍ତି୤
ଏହା ସହିତ ଅନେକ ପ୍ରବନ୍ଧ ଓ ଆପାତତଃ ସବୁ ମାଧ୍ୟମରେ ଚିତ୍ର ରଚନା ବି କରିଛି୤ ମୋର ଧାରଣା କାଗଜ କଲମରେ ଅଭିବ୍ୟକ୍ତ ଭାବ ଯଦି କବିତା ତାହା ହିଁ ରଙ୍ଗ ତୂଳୀରେ ଚିତ୍ରଭାବରେ ପ୍ରକଟିତ ହୋଇଥାଏ୤ ପ୍ରିୟ ନ ହେଲେ ତାହା ଅନୁରାଗରହିତ ହୋଇଯିବ୤ କୌଣସି ବି ସୁକୁମାର ସର୍ଜନା ଅନୁରାଗ ବିନା ଅର୍ଥହୀନ, ମୂଲ୍ୟହୀନ ହୋଇଯିବା ସ୍ବାଭାବିକ୤ ତେଣୁ ସମସ୍ତ ଧାରା ମୋର ପ୍ରିୟ୤ ତେବେ କବିତା ମୋର ପ୍ରିୟ ସର୍ଜନା ଭୂମି୤ କାରଣ, ମୋର ମନେ ହୁଏ, ମୁଁ ଯେମିତି କବିତାରେ ନିଜକୁ କିଛି ଅଧିକ ସ୍ପଷ୍ଟ ଓ ପ୍ରାଞ୍ଜଳ କରିଥାଏଁ୤ ଚେତନାରେ ଜାଗରିତ ଭାବ ଅଲକ୍ଷରେ ଆପଣାର ପଥ ଠଉରେଇ ନେଇଥାଏ ବୋଲି ସେହି ଧାରାକୁ ସ୍ବୀକାର କରିନେବାକୁ ମନ ଢଳିଯାଏ୤

(୪) ଆପଣଙ୍କ ଅନେକ ଲେଖା ଶ୍ରୀଜଗନ୍ନାଥ ଚେତନା ଉପରେ ପର୍ଯ୍ୟବେଶିତ୤ ଆପଣଙ୍କ ସାହିତ୍ୟ ସୃଷ୍ଟି ପାଇଁ ଜଗନ୍ନାଥ ଚେତନା କିପରି ପ୍ରଭାବିତ କରିଛି ?
ମୁଁ ପ୍ରମୁଦିତ ଯେ ଆପଣ ମୋର ସର୍ଜନା ଭିତରେ ଶ୍ୟାମସଖାଙ୍କୁ ଭେଟିଛନ୍ତି୤ ବିଭୁ କରୁଣାରୁ ପୂଜ୍ୟ ପ୍ରୋ. ବିଭୁଲୀନ ଡ.କାହ୍ନୁଚରଣ ମିଶ୍ରଙ୍କ ଦ୍ବାରା ପ୍ରତିଷ୍ଠିତ ‘ଓଡ଼ିଶା ସଂସ୍କୃତି ପରିଷଦ’ ମୋତେ ୨୦୧୦ରେ ଜଗନ୍ନାଥାଶ୍ରୟୀ ସାରସ୍ବତ ସର୍ଜନା ପାଇଁ ‘ସଂସ୍କୃତି ସମ୍ମାନ’ ପ୍ରଦାନ କରିଥିଲେ୤ ସେ ସମ୍ବନ୍ଧରେ କହିଦେବା ଉଚିତ୍‌ ହେବ ଯେ କାହା ଚିତ୍ତରେ କିଛି ବି ଚେତନାର ଉନ୍ମେଷ ମୂଳରେ ସେହି ଲୀଳାମୟ ମାୟାଧରର ଇଚ୍ଛା ଅବଶ୍ୟ ଥାଏ୤ ସେ କରିଥାଏ, କରାଇଥାଏ ବୋଲି କର୍ତ୍ତା ଏବଂ ସେହି କର୍ତ୍ତାପଣର ଐଶ୍ବର୍ଯ୍ୟ ପ୍ରଦର୍ଶନ ହେତୁ ସେ କେବଳ ଏକ ନିମିତ୍ତ ଲୋଡ଼ିଥାଏ୤ ଯେମିତି ସବ୍ୟସାଚୀ, ତୁମେ ନିମିତ୍ତମାତ୍ର, ଯାହା କରିବି ତାହା ମୁଁ କରିବି, ତୁମେ ତାର ଦ୍ରଷ୍ଟା୤ ସବୁକିଛି ସେଇ କରୁଣାବରୁଣାଳୟର କରୁଣା୤ ଜୀବନରେ ଭାଷା-ଭାରତୀର ମାଧ୍ୟମରେ ମୁଁ କିଛି ବୋଲି କିଛି କରିନାହିଁ୤ ସବୁକିଛି ଶ୍ରୁତଲେଖ ମୁଁ ଲିପିକାର୤

(୫) ଅଦ୍ୟାବଧି ଆପଣଙ୍କଦ୍ବାରା ଲିଖିତ ଓ ପ୍ରକାଶିତ ପୁସ୍ତକଗୁଡ଼ିକ ମଧ୍ୟରୁ କେଉଁଟି ଆପଣଙ୍କର ସର୍ବାଧିକ ପ୍ରିୟ ଅଟେ୤ ଏହାର କାରଣ କ’ଣ ?
ପ୍ରିୟଭାଇ, ଆଜି ଆପଣଙ୍କର ଏ ପ୍ରଶ୍ନର ଉତ୍ତର ଦେଲାବେଳକୁ ମୋର ନାମରେ ୨୧୦ ପୁସ୍ତକ ପ୍ରକାଶିତ ହୋଇ ସାରିଛି୤ ମୋର ଅପରିତୋଷ ଯେ, ଏଯାଏଁ ଗୋଟାଏ ବି ସାର୍ଥକପୂର୍ଣ୍ଣ ପରିତୋଷୀ ସର୍ଜନା ସମ୍ଭବ ହୋଇନାହିଁ୤ ଇଚ୍ଛା ଓ ଉଦ୍ୟମ ଦୁଇ କଥା କରୁଛି୤ ଏଯାବତ୍‌ ଯାହା ହୋଇଯାଇଛି ସମସ୍ତେ ମୋର ପ୍ରିୟ ସମାନ୤ ସେହି ‘ଭଲ’ ବହିଟିର ଅପେକ୍ଷାରେ ରହିଛି, ଯାହାକୁ ମୁଁ ମୋର ସର୍ବାଧିକ ପ୍ରିୟ ବୋଲି କହି ଦେଇପାରିବି, ନିର୍ଦ୍ଦ୍ବନ୍ଦରେ୤

(୬) ଜଣେ ଅନୁବାଦକ ଭାବରେ ଆପଣ ବେଶ ପରିଚିତ୤ ସାମ୍ପ୍ରତିକ ଓଡ଼ିଆ ସାହିତ୍ୟରେ ଅନୁବାଦ ଦିଗ ଉପରେ ଅଧିକ ଗୁରୁତ୍ବ ଦିଆଯାଉ ନଥିବା ନେଇ ଆଲୋଚନା ହେଉଛି୤ ଏ ବାବଦରେ ଆପଣଙ୍କ ମତ କ’ଣ ?
ମୋର ଅନୁବାଦଗୁଡ଼ିକ କୁ ହୁଏତ ଆପଣ ଲକ୍ଷ୍ୟ କରିଥିବେ୤ ସେମାନେ ଅନୁବାଦ (Translation) ନୁହଁନ୍ତି ଅନୁସର୍ଜନା (Trans-creation)୤ ଓଡ଼ିଆ ସାହିତ୍ୟର ସର୍ବାଧିକ ପ୍ରିୟ ଓ ସାର୍ଥକ ଅନୁସର୍ଜନା ଆଦିକବି ଶୂଦ୍ରମୁନି ଶାରଳା ଦାସଙ୍କର ମହାଭାରତ, ଜଗନ୍ନାଥ ଦାସଙ୍କର ଭାଗବତ ଓ ବଳରାମ ଦାସଙ୍କର ରାମାୟଣ୤ ସେମାନେ ଗୋସ୍ବାମୀ ତୁଳସୀ ଦାସଙ୍କର ରାମଚରିତ ମାନସ ସଦୃଶ୤ ସାମ୍ପ୍ରତିକ ଓଡ଼ିଆ ସାହିତ୍ୟ ସମେତ ସମଗ୍ର ଭାରତୀୟ ସାରସ୍ବତ ସର୍ଜନା କ୍ଷେତ୍ରରେ ‘ଅନୁବାଦ’ ଏକ ଗୌଣ କର୍ମଭାବରେ ବିବେଚିତ ୤ ତାହା ନିଶ୍ଚିତ ଭାବରେ ଏକ ଦୁର୍ଭାଗ୍ୟପୂର୍ଣ୍ଣ ବିଡ଼ମ୍ବନା୤ ମୂଳ ରଚନାକାର ଗୋଟାଏ ଭାଷାର ପ୍ରବୀଣ, ମାତ୍ର ଅନୁବାଦକ ଭିତରେ ଉଭୟ ଭାଷାର ପ୍ରବୀଣତା ସହିତ ବୋଧ ମର୍ମଜ୍ଞତା ନଥିଲେ ସର୍ଜନା କଦାପି ସାର୍ଥକ ସୁନ୍ଦର ହେବନାହିଁ୤ ମର୍ମଜ୍ଞତା ରୂପାନ୍ତରଣରେ ମୂଳ ଭାବକୁ ଅକ୍ଷୁର୍ଣ୍ଣ ରଖି ବିଶ୍ବସ୍ତ କରିଥାଏ୤ ତେଣୁ, ତାହା ମୂଳ ରଚନାଠାରୁ ଅଧିକ ଏକ କଠିନ କର୍ମ୤ ଭାରତ ସଦୃଶ ଏକ ବହୁଲାବଣ୍ୟବତୀ ଭାଷାର ଦେଶରେ ଅନୁବାଦ ଭାବାତ୍ମକ ଏକାତ୍ମତା ର ପ୍ରତିଷ୍ଠା ଏକ ମହତ କର୍ମ୤ ତେଣୁ, ମୁଁ ତାକୁ ଏକ ମିଶନ (ଧେୟ, ବ୍ରତ) ଭାବରେ ସ୍ବୀକାର କରିଛି୤ ମୋର ପ୍ରକାଶିତ ଗ୍ରନ୍ଥସମୂହର ଅର୍ଦ୍ଧାଧିକ ସେଇ ଧାରାର ରୂପାନ୍ତରଣ ୤ ଫଳସ୍ବରୂପ ଆଉ କିଛି ମିଳୁ ନ ମିଳୁ ଆକୁମାରୀ ହିମାଚଳ ବିଶାଳ ଭୂମିର ମିତ୍ରମୟ ଆଦର ଅବଶ୍ୟ ପାଇଛି୤ ମୋର ମାତୃଭାଷା କୋସଲି୤ ରଚନାର କ୍ଷେତ୍ର ଓଡ଼ିଆ,ହିନ୍ଦୀ ଓ ଇଂରାଜୀ ଏବଂ ଭାବାତ୍ମକର ଆତ୍ମୀୟ ଅନ୍ତରଙ୍ଗ ଆଧାର ସଂସ୍କୃତ, ଇଂରାଜୀ, ଊର୍ଦ୍ଦୁ (ଲିପ୍ୟନ୍ତରିତ) ବଙ୍ଗଳା ଓ କୋସଲି ଭାଷା ବର୍ଗର ଅବଧି, ବ୍ରଜ ସମେତ ପୂର୍ବାଞ୍ଚଳୀୟ ଭାଷା୤ କୋସଲି ମୋର ମାଆ, ଅପୂର୍ବ ସୁନ୍ଦରୀ ଓ ସ୍ନେହଶୀଳା ମାତ୍ର ମୋର ମାଉସୀମାନେ ତା’ଠାରୁ କାଣିଚାଏ ବି ଊଣା ନୁହନ୍ତି୤ ସେଇମାନେ ମୋତେ ଏକ ମିତ୍ରମୟ ଭାରତର ଅଲୌକିକ ପାବନଭୂମି ଦେଇଛନ୍ତି୤

(୭) ଓଡ଼ିଆ ଭାଷାରେ ପାଠକମାନଙ୍କୁ ଆକୃଷ୍ଟ କଲାଭଳି ଅଧିକ ଲେଖା ପ୍ରକାଶିତ ହେଉନାହିଁ ବୋଲି ଆଲୋଚନା ହେଉଛି୤ ଏହା ଉପରେ ଆପଣଙ୍କର ମତାମତ କ’ଣ ?
ମୋର ତ ଧାରଣା ଯେ କେହି ବି କବି ଲେଖକକୁ ଆକୃଷ୍ଟ କରିବ ବୋଲି କିଛି ତଥ୍ୟ ବା କଥ୍ୟ ନେଇ କୌଣସି ସର୍ଜନଶୀଳ ରଚନା କରିନାହିଁ୤ ବିଶ୍ବର ଆଦିକାବ୍ୟ ରାମୟଣର ସର୍ଜନାର ପ୍ରେରକ ତ କବି ଚିତ୍ତର ଶୋକାତୁରତା୤ ତା’ର ଉଦ୍ଦେଶ୍ୟ କଦାପି ପାଠକ ଚିତ୍ତଘେନା କରିବା ନୁହେଁ୤ ମହାକବି କାଳିଦାସ ପାଠକ ଚିତ୍ତଘେନା କରିବାକୁ ମେଘଦୂତ, କୁମାର ସମ୍ଭବମ୍‌ ଆଦିର ସର୍ଜନା କରି ନଥିଲେ୤ କବିଗୁରୁ ରବୀନ୍ଦ୍ରନାଥଙ୍କର ଅପ୍ରମେୟ ଅପ୍ରମିତ ରଚନା ଆପଣାର ସ୍ବତଃସ୍ଫୂର୍ତ୍ତ ଆବେଗର ଅଭିବ୍ୟକ୍ତି୤ ସନ୍ଥକବି ଭୀମଭୋଇ, ସ୍ବଭାବକବି ଗଙ୍ଗାଧର, ଉତ୍କଳମଣି ଗୋପବନ୍ଧୁ ଆଦିଆଦି ଆପଣାଆପଣା ଭାବାବେଗକୁ, ଆପଣାର ଆତୁରତା, ତନ୍ମୟ ଅଭୀସ୍ପା, ପୀଡ଼ାକୁ ଭାଷା-ଭାରତୀର ମାଧ୍ୟମରେ ବ୍ୟକ୍ତ କରିଦେଇ ସତେ ଯେମିତି ନିଜେ ନିଜକୁ ସାନ୍ତ୍ବନା ଦେଇଛନ୍ତି୤ ସେହିପରି ଉପସ୍ଥିତ କାଳ ପର୍ଯ୍ୟନ୍ତ ସମସ୍ତେ୤ ସେନାପତି ଫକୀରମୋହନଙ୍କର ସେନାପତିତ୍ବର କିଛି ବିକଳ୍ପ ଚିନ୍ତା କରିବା ସମ୍ଭବ କି ? ସାରସ୍ବତ ସର୍ଜନାର ଆଦି କାଳରୁ ପ୍ରଚଳିତ ଅନୁସୃତ ପଦ୍ୟର ଧାରା ବଦଳରେ ସାଧାରଣ ଭାବ ବିନିମୟର ଗଦ୍ୟରେ ଯେତେ ଯାହା କହିଯାଇଛନ୍ତି ତାହା ପାଠକ ଚିତ୍ତଘେନା କରିବା ଉଦ୍ଦେଶ୍ୟରେ ନୁହେଁ, ଆକ୍ଷେପର ଉତ୍ତର ଦେବାକୁ, ଆପଣାର ଅଧିକାର ସାବ୍ୟସ୍ତ କରିବାର ଦାମ୍ଭୀକତାରେ ସଂଗ୍ରାମ କରିବାକୁ; ପାଠକର ମନୋରଞ୍ଜନ କରିବା ଇଚ୍ଛାରେ କଦାପି ନୁହଁ୤

ପ୍ରତିଟି ରଚନା ଭିତରେ ନିଜେ ତାର ସ୍ରଷ୍ଟା ଉଣା ଅଧିକେ ବିଦ୍ୟମାନ ହୋଇ ରହିଥାଏ୤ ତାର ସୁଖ-ଦୁଃଖ, ଭାବ-ଅଭାବ ଅଭିବ୍ୟକ୍ତ ହୋଇ ରହିଥାଏ, ଯାହା ତାର ଏକାନ୍ତ ନିଜର ଏବଂ ସେହି ଉଚ୍ଚାରିତ ସତ୍ୟ ସାର୍ବଜନୀନ ସତ୍ୟରେ ପରିଣତ ହୋଇ ବୃହତ୍ତମ ମାନବ-ଚିତ୍ତଭୂମିରେ ଅବତରିତ ହୋଇ, ଏପରି କି ସର୍ବକାଳୀନ ସତ୍ୟଭାବରେ ଗୌରବାନ୍ବିତ ହୋଇଥାଏ୤ ବେଳେବେଳେ ଈର୍ଷା-ଅସୂୟାର କବଳିତ ହୋଇ ସ୍ବାଭିମାନୀ ସତ୍‌ବିରୋଧ କରିଥିବା ଓ ପରବର୍ତ୍ତୀ କାଳରେ ତାହା ଆଦୃତ ପ୍ରଶଂସିତ ହୋଇଥିବାର ଦୃଷ୍ଟାନ୍ତ ତ ମହାକବି ଭବଭୂତି, ଓଡ଼ିଆ ସାହିତ୍ୟରେ ଦୀନକୃଷ୍ଣ, କବିସୂର୍ଯ୍ୟ ଆଦିଆଦି୤ ପରବର୍ତ୍ତୀ ସମୟରେ ସେମାନେ କାଳର ସ୍ବୀକୃତି ଲାଭକରି କାଳଜୟୀ ହୋଇଛନ୍ତି୤

ଆପଣଙ୍କ ପ୍ରଶ୍ନରେ ସତ୍‌ସର୍ଜନା ଅଧିକ ହେଉନାହିଁ ବୋଲି ଅଭିଯୋଗ ରହିଛି, ତେବେ କିଛି ତ ହେଉଛି ? ସବୁ କାଳରେ ସତୀର୍ଥ ହୋଇ ଅନେକ ଥାଆନ୍ତି୤ କାଳ ନାମକ ଫାଜିଲ ଟୋକାଟି ସିଲଟ ଖଡ଼ିରେ ଗୋଟିଗୋଟି ଲେଖି ଚିପି ରଖୁଥାଏ ଆଉ ପୁଣି ଲିଭେଇ ଚାଲିଥାଏ ‘ହଂସବୁଦ୍ଧି’ରେ, ସତ୍‌-ଅସତ୍‌, ଭଲ-ଭେଲକୁ ବାରି ଦେଇ୤ ଚିନ୍ତା କରନ୍ତୁ ନାହିଁ, ସତ୍‌ ଅମର ହୋଇ ରହିବ, ଅସତ୍‌ ହଜି ଯିବ, ତପସ୍ୟା ସିଦ୍ଧ ହୋଇ ରହିବ ସିନା, ବିଳାସ ବିସ୍ମୃତ ହୋଇଯିବ୤

(୮) ଆମ ଦେଶରେ ଅନ୍ୟଭାଷାରୁ ଓଡ଼ିଆ ଏବଂ ଓଡ଼ିଆରୁ ଅନ୍ୟଭାଷାର ଉତ୍କୃଷ୍ଟ ଲେଖାର ଅନୁବାଦ ପାଇଁ ଆବଶ୍ୟକ ଚେଷ୍ଟା ବା ପ୍ରୋତ୍ସାହନର ଅଭାବ ରହିଛି ବୋଲି ଆଲୋଚନା ହେଉଛି୤ ଏ ବାବଦରେ ଆପଣ କ’ଣ କହିବେ ?
ଆପଣଙ୍କର ଷଷ୍ଠ ପ୍ରଶ୍ନର ଉତ୍ତରଭାବରେ ମୁଁ ତ ମୋର ମତ ସଂକ୍ଷେପରେ ଦେଇ ସାରିଛି୤ ସେଥି ସକାଶେ ବୋଧଦର୍ଶୀ ଉଭୟଭାଷା ପ୍ରବୀଣ ଅନୁବାଦକଙ୍କର ଉଦ୍ୟମ ଆବଶ୍ୟକ୤ ଆମର ଅଭାବ ଅଛି୤ ସିଂହଭାଗ ଅନୁବାଦକଙ୍କର ଉଭୟ ଭାଷାର ଦକ୍ଷତା ନାହିଁ୤ ଓଡ଼ିଆକୁ ହିନ୍ଦୀରେ ଅନୁବାଦ ହେଉଛି ସେମାନେ କିଛି ଓଡ଼ିଆକୁ ଆଣୁନାହାଁନ୍ତି, ବଙ୍ଗଳାରୁ ଅନୁବାଦ କରୁଛନ୍ତି କିନ୍ତୁ ବଙ୍ଗଳାରୁ କିଛି ଦେଇ ପାରିବାର କ୍ଷମତା ନାହିଁ୤ ପାଶ୍ଚାତ୍ୟ ସାହିତ୍ୟର ଅନୁବାଦ ହିନ୍ଦୀ ବା ବଙ୍ଗଳାର ଆଧାରରେ କରୁଛନ୍ତି୤ ତାହା ବି ଅଧାରୁ ଅଧିକ ନବୁଝି୤ ତାହା ଏକ ସ୍ବତନ୍ତ୍ର ଆଲୋଚନାର ପ୍ରସଙ୍ଗ୤

(୯) ପଶ୍ଚିମ ଓଡ଼ିଶାର ଆଞ୍ଚଳିକ ଭାଷା ସାହିତ୍ୟ ଓ ମୁଖ୍ୟ ଓଡ଼ିଆ ଭାଷା ସାହିତ୍ୟ ମଧ୍ୟରେ ପ୍ରଭେଦ କ’ଣ ?
କିଛି ନାହିଁ ୤ ଧର୍ମ ସମାନ ୤ ତେବେ, କଥ୍ୟର ବ୍ୟାପକତା ସେଇ ସେଇ ଭେଦକୁ ଦେଖେଇ ଥାଏ୤ ତାହା ଚିନ୍ତନର ବ୍ୟାପ୍ତି ଯେତିକି, ସେହି ଭଳି ଆତ୍ମୀୟ ଭାବ ଚିନ୍ତନର ସୂକ୍ଷ୍ମତା ବି୤ କାଳିନ୍ଦୀ ଚରଣଙ୍କର ‘ମାଟିର ମଣିଷ’ ତ କଟକର ଗ୍ରାମୀଣ ଭାଷାର ରଚନା; ବସନ୍ତ କୁମାରୀଙ୍କର ‘ଅମଡ଼ା ବାଟ’ ତ କଟକୀ କରଣ ପରିବାରର ଏକଦା ପ୍ରଚଳିତ ଭାଷାର ଅପୂର୍ବ କୃତି୤ ପ୍ରତ୍ୟେକ ଭାଷାର ସ୍ବାତନ୍ୟ୍ତ୍ର, ବିଶେଷତ୍ବ ଅବଶ୍ୟ ରହିଛି, ଏପରିକି ଗୋଟିଏ ଭାଷାର ‘ନାଗରୀ’ ଓ ‘ଲୋକ’ ବୃତ୍ତରେ ବି ସେଇ ମୌଳିକତା ବାରି ହୋଇଯାଏ୤

(୧୦) ଓଡ଼ିଆ ସାହିତ୍ୟରେ ଉପକୂଳବର୍ତ୍ତୀ ଅଞ୍ଚଳର ସାହିତ୍ୟିକମାନେ ଅଧିକ ପ୍ରଭାବ ବିସ୍ତାର କରୁଛନ୍ତି କି ? ଯଦି ହଁ ତେବେ କିପରି, ଯଦି ନାଁ ତେବେ କ’ଣ ଅବସ୍ଥା ରହିଛି ?
ତାହା ପ୍ରଭାବ ବିସ୍ତାର ନୁହେଁ, ସ୍ଥିତି ଅନୁକୂଳ ବୋଲି ଅଧିକ ସୁବିଧା ପାଉଛନ୍ତି୤ ସବୁ ପୁସ୍ତକ ପ୍ରକାଶକ କଟକ ଭୁବନେଶ୍ବରରେ ଅଛନ୍ତି୤ ଯେତେ ସବୁ ଖବରକାଗଜ ମୂଳତଃ ସେଠାରୁ ପ୍ରକାଶିତ ହେଉଛି୤ ସବୁରି ସାରସ୍ବତ କ୍ରୋଡ଼ପତ୍ର ଏକା ସାଙ୍ଗରେ ସାରା ଓଡ଼ିଶା ପାଇଁ ସେଠାରୁ ପ୍ରକାଶିତ ହେଉଛି୤ ସେମାନେ ଖବର ପାଉଛନ୍ତି ଆଗ ଓ ଯୋଗାଯୋଗ କରିବା ସେମାନଙ୍କ ସକାଶେ ସହଜ୤ ପ୍ରଭାବ କଥାଟି ରଚନାକାରର ସର୍ଜନା ପ୍ରତିଭା ଉପରେ ଅଧିଷ୍ଠିତ୤ କିନ୍ତୁ ଅଧିକ ବିଡ଼ମ୍ବନା କବଳିତ ସ୍ଥିତି ହେଉଛି ଯୁବପିଢ଼ୀର ସିଂହଭାଗ ରଚନା୤ କେହି ପ୍ରକାଶକଙ୍କ ନାଆଁରେ ପ୍ରକାଶିତ ହେଲେ ବି ତାହା ରଚନାକାରର ଅର୍ଥରେ ହେଉଛି୤ କେହି ଲେଖକ ନିଜେ ପ୍ରକାଶନର ବ୍ୟବସ୍ଥା କଲେ କିଛି ବି ବ୍ୟବସାୟିକ ସୂତ୍ର ପାଉନାହିଁ ଫଳତଃ ମୂଳଧନ ବି ଫେରି ଆସୁନାହିଁ୤ ସେହି ଦୁର୍ଦ୍ଦଶା ସାରା ଓଡ଼ିଶାର ଯୁବଲେଖକ ଭୋଗ କରୁଛନ୍ତି୤ ଏପରି କି କିଛି ପ୍ରବୀଣ ଓ ପ୍ରତିଷ୍ଠିତ ବୋଲି ମନେ କରୁଥିବା ଲେଖକ ବି ସେହି ଅବସ୍ଥାରେ ରହୁଛନ୍ତି୤

(୧୧) ଆପଣଙ୍କ ଲିଖିତ ଓ ପ୍ରକାଶିତ ଗୋଟିଏ ଉପନ୍ୟାସ ହେଉଛି ‘ଶେଷ ରାତ୍ରୀ ପ୍ରଥମ ସକାଳ’ ଏହାର ନାମକରଣ ଓ ବିଶେଷତ୍ବ ଉପରେ କହନ୍ତୁ ?
ଉପନ୍ୟାସଟି ମୁଁ ପ୍ରକାଶିତ କରି ନଥିଲି୤ ୧୯୬୧ ରେ କଟକର ମେଘମାଳା ପବ୍ଲିକେଶନ କରିଥିଲେ୤ ମୁଁ ଏ ଯାବତ୍‌ ମୋର କୌଣସି ବି ପ୍ରକାଶନ ସକାଶେ କିଛି ଖର୍ଚ୍ଚ କରିନାର୍ହି୤ ଯାହା କରିଛନ୍ତି ପ୍ରକାଶକ କରିଛନ୍ତି୤ ପୂରା ନ ହେଲେ ବି କିଛି କିଛି ରାଜଭାଗ ଦେଇଛନ୍ତି୤ ‘ମେଘମାଳା’ସେତେବେଳେ ଉପନ୍ୟାସ ମାସିକ ପତ୍ରିକା ଭାବରେ ପ୍ରକାଶିତ ହେଉଥିଲା୤ ଅପରିଣତ ବୟସର ଲେଖା୤ ପ୍ରେମ କଥା ତାର ଆଧାର୤ ‘ରାତି ଓ ସକାଳ’ ପ୍ରତୀକାତ୍ମକ୤ ବିଷାଦର ପ୍ରତୀକ ରାତି, ହର୍ଷ ଆନନ୍ଦର ପ୍ରତୀକ ସକାଳ୤ ବେଦନାର ରାତି ପାହି ପ୍ରମୋଦର ସକାଳ ହେଲା୤ ଅର୍ଥାତ ଏକ ମିଳନାତ୍ମକ ପରିସମାପ୍ତି୤ ତାର ରଚନାଶୈଳୀର କାହାଣୀଧର୍ମୀ ଉପମା ଚିତ୍ରକଳ୍ପର ସଂଯୋଗ ସେତେବେଳେ ପାଠକୀୟ ଆଦର ଲାଭ କରିଥିଲା୤ ମେଘମାଳାର ସମ୍ପାଦକ ଥିଲେ ଆମ ସମୟର ଜଣେ ଲୋକପ୍ରିୟ ଔପନ୍ୟାସିକ ପ୍ରସନ୍ନକୁମାର ମହାପାତ୍ର୤ ତାଙ୍କର ‘ସ୍ତ୍ରୀ’, ଶକୁନ୍ତଳାଙ୍କ ଉପରେ ଆଧାରିତ ବିଶାଳ ଉପନ୍ୟାସ ‘ଫ୍ରେଣ୍ଡସ୍‌ ପ୍ରକାଶନ ସଂସ୍ଥା ’ ପ୍ରକାଶ କରିଥିଲେ୤

(୧୨) ସମ୍ପ୍ରତି ଓଡ଼ିଆ ସାହିତ୍ୟରେ ପୁରସ୍କାର ଓ ସମ୍ମାନ ବାବଦରେ ଅନେକ ବାଦାନୁବାଦ ଲାଗି ରହିଛି୤ ଏ ବାବଦରେ ଆପଣ କ’ଣ କହିବେ ?
ତାହା ନିଶ୍ଚିତ ଦୁର୍ଭାଗ୍ୟ୤ ଗୋଟାପଣେ ଅସାହିତ୍ୟିକ କର୍ମ୤ ମୋର କହିବାର କିଛି ନାହିଁ୤ ଜାଣିଛି ଏ ପାର୍ଥିବ ସ୍ବୀକୃତି ଚରମ ସ୍ବୀକୃତି ନୁହେଁ୤ ପାଠକ ଶ୍ରେଷ୍ଠତମ ବିଚାରକ୤ ପାଠକ ଭଲ ପାଉଛନ୍ତି ବୋଲି ସିନା ପ୍ରକାଶକ ଆଉ କିଛି ଛାପିବାର ମନ କରୁଛନ୍ତି ଓ ସେଇ କାରଣରୁ ଆଜି ଭାରତୀୟ ସାରସ୍ବତ କ୍ଷେତ୍ରରେ ମୁଁ ୨୧୦ ପୁସ୍ତକର ସହଭାଗିତା ସମର୍ଥ ହେବାର କରୁଣା କରିଛନ୍ତି ମାତା ଶାରଦା ସରସ୍ବତୀ ଓ ଶ୍ୟାମସଖା୤

(୧୩) ଜଗତୀକରଣ ଓ ବିଶ୍ବାୟନ ପ୍ରକ୍ରିୟାରେ ଓଡ଼ିଆ ସାହିତ୍ୟର ସ୍ଥିତି ଓ ଅବସ୍ଥିତି ବାବଦରେ ସଂକ୍ଷିପ୍ତ ଭାବେ କହନ୍ତୁ !
ସ୍ଥିତି ସମ୍ପୂର୍ଣ୍ଣ ଦୁର୍ବଳ୤ ସେ ସମ୍ବନ୍ଧରେ ଆପଣମାନେ ମୋଠାରୁ ଅଧିକ ନିଶ୍ଚିତ ଜାଣିଛନ୍ତି ବୋଲି ସିନା ତାର ବିକାଶ ହେତୁ ‘ଓଡ଼ିଆ ସାହିତ୍ୟ ଡଟ୍‌କମ୍‌’ କଥା ଚିନ୍ତାକରି ଉଦ୍ୟମ କରୁଛନ୍ତି୤

(୧୪) ସାହିତ୍ୟ ସାଧନାରେ ଆପଣଙ୍କ ପରିବାରର ଭୂମିକା ବା ପ୍ରଭାବ ଉପରେ କୁହନ୍ତୁ ?
କ୍ଷେତ୍ରର ଉର୍ବରତା ଉପରେ ବାନସ୍ପତିକ ବିକାଶ ନିର୍ଭର କରିବା ଭଳି ସର୍ଜନାର ଧାରା ବି ସେପରି ଅଙ୍କୁରିତ, ପଲ୍ଳବିତ, ପୁଷ୍ପିତ, ଫଳବନ୍ତ ହୋଇଥାଏ୤ ଆମର ମୂଳ ନିବାସ ଅବିଭକ୍ତ ପୁରୀ ଜିଲ୍ଲା ଦିବ୍ୟସିଂହପୁର ଶାସନ୤ ତାକୁ ଲାଗି ମାଣିକାଗୋଡ଼ା୤ ପୂଜ୍ୟ ସୁରେନ୍ଦ୍ର ମହାନ୍ତି ‘ନୀଳଶୈଳ’ ଉପନ୍ୟାସରେ ସେ ଦୁଇ ଜନପଦର ଉଲ୍ଲେଖ କରିଛନ୍ତି୤(ପିତାମହ ସ୍ବର୍ଗତ କପିଳ ରାୟଗୁରୁ ମୁକ୍ତି ମଣ୍ଡପ ସଭା ପଣ୍ଡିତ ଥିଲେ ଚନ୍ଦ୍ରଚୋର ରାୟଗୁରୁ, ଲକ୍ଷ୍ମୀ ପରମଗୁରୁ, ଗୋଦାବରୀ ବର୍ଦ୍ଧନ ରାୟଗୁରୁ, ଆଦିଙ୍କର ଦାୟାଦ) ପିତା, ଶ୍ରୀଧର ଉଦ୍‌ଗାତା ଅପ୍ରମିତ ପ୍ରତିଭାଧର, ଗୋପବନ୍ଧୁଙ୍କ ସହକର୍ମୀ, ସିଦ୍ଧ କବି ଓ ଚିତ୍ରକର, ଏକଦା ଶାନ୍ତି ନିକେତନର କଳା ବିଭାଗର ଛାତ୍ର, ଏକ ବିରାଟ ପାଠାଗାର, ମୋର ବଡ଼ଭାଇ ସ୍ବର୍ଗତ ଗୋବିନ୍ଦଚନ୍ଦ୍ର ଉଦ୍‌ଗାତା, ପୂଜ୍ୟ ଶ୍ରଦ୍ଧାକର ସୂପକାର ଆଦି ତାଙ୍କର ଶିଷ୍ୟ୤ ଗୋବିନ୍ଦ ଭାଇନା ମୋର ଅଗ୍ରଜ ଓ ଶିକ୍ଷାଗୁରୁ୤ ସେ ପ୍ରସିଦ୍ଧ କବି ରମାକାନ୍ତ ରଥଙ୍କର ବି ଗୁରୁ୤ ଆମରି ପରିବାରର ଦଦେଇମାନେ ବଲାଙ୍ଗୀରରେ ସଂସ୍କୃତ ଶିକ୍ଷା, ଜ୍ୟୋତିଷ, କର୍ମକାଣ୍ଡ ଓ ସାରସ୍ବତ ଭୂମିର ପ୍ରତିଷ୍ଠାତା୤ ସେଇ ଅଧ୍ୟୟନ ଓ ସର୍ଜନାର ଅନୁକୂଳ କ୍ଷେତ୍ର ମୋତେ ବିଭୁକୃପାରୁ ପ୍ରାପ୍ତ ହୋଇଥିଲା୤

ମୋର ବାଲ୍ୟ ସହଚରୀ, ସହଭାଗିନୀ, ସହଧର୍ମିଣୀ ଭାବରେ ଅଭାବରେ ଭାବ ଭରି ମୋ ଜୀବନରେ ଆସିବା ନିଶ୍ଚିତଭାବରେ ଶ୍ୟାମସଖାଙ୍କର ମହାଦାନ୤ ସେ ସୁଲେଖିକା, ବିବିଧ କ୍ଷେତ୍ରରେ ସମ୍ମାନିତା, ଓଡ଼ିଶା ସାହିତ୍ୟ ଏକାଡ଼େମୀ କର୍ତ୍ତୃକ ପୁରସ୍କୃତା ଓ ଅଭିନନ୍ଦିତା ଶ୍ରୀମତୀ ସୌଦାମିନୀ ଉଦ୍‌ଗାତା୤ ତାଙ୍କର ବି ଏଯାବତ ୧୬ଟି ପୁସ୍ତକ ପ୍ରକାଶିତ ହୋଇ ସାରିଛି୤ ତାଙ୍କରି ସକାଶେ ମୁଁ ପାରିବାରିକ ଜଞ୍ଜାଳରୁ ମୁକ୍ତ ହୋଇ ଅଧ୍ୟୟନ, ସାରସ୍ବତ ସର୍ଜନା ଓ ବେଳ ପାଇଲେ ଚିତ୍ର-ରଚନାରେ ନିୟୋଜିତ ହୋଇ ରହିଛି୤

(୧୫) ଆପଣଙ୍କ ପରବର୍ତ୍ତୀ ବା ଆଗାମୀ ସାହିତ୍ୟ ସୃଷ୍ଟି ବା ପ୍ରକାଶ ଅପେକ୍ଷାରେ ଥିବା ପୁସ୍ତକ ବିଷୟରେ କିଛି ମତ ଦିଅନ୍ତୁ୤
ମୋର ଚାରୋଟି ଗ୍ରନ୍ଥ ପ୍ରକାଶନ ଅପେକ୍ଷାରେ ରହିଛି୤ ୧. ‘ରାଧାମାଧବ’- ଏକ ଅନୁପମ କାବ୍ୟଗ୍ରନ୍ଥ-ମୂଳ ରଚନା-ଉଦ୍‌ଭ୍ରାନ୍ତ-ହିନ୍ଦୀର କାବ୍ୟାନ୍ତରଣ-ପ୍ରକାଶକ ‘ତିଥି ବୁକ୍ସ, କଟକ’୤ ୨- ଶାରାଳାଦାସଙ୍କ ‘ମହାଭାରତ’ର ମହାନାୟିକା ‘କୃଷ୍ଣା’ଙ୍କୁ ନେଇ ଏକ କାବ୍ୟ୤ ତାର ପ୍ରକାଶକ- କଟକ ଷ୍ଟୁଡ଼େଣ୍ଟସ ଷ୍ଟୋର, ତାହା ପୂଜା ଅବକାଶରେ ପ୍ରକାଶିତ ହେବ୤ ୩- ଅନ୍ତରଙ୍ଗ କବି ବନ୍ଧୁ ଭାଇ ବିଶ୍ବନାଥ ପ୍ରସାଦ ତିୱାରୀଙ୍କର ଅଭିନନ୍ଦନ-ସ୍ବାଗତ ସକାଶେ ତାଙ୍କର ହିନ୍ଦୀ କବିତା ସଙ୍କଳନ ‘କବି ନେ କହା’ର ନିର୍ବାଚିତ କିଛି ଅଂଶ ର ଓଡ଼ିଆ ରୂପାନ୍ତରଣ ସହିତ ‘କବି ବିଶ୍ବନାଥ ତିୱାରୀ’ ଶୀର୍ଷକ ଏକ ପୁସ୍ତକ ଆତ୍ମପ୍ରକାଶନୀ, ଉତ୍କଳ ଚାରିଟେବୁଲ ଟ୍ରଷ୍ଟର ଅର୍ଥାନୁକୂଲ୍ୟରେ ପ୍ରକାଶ କରୁଛନ୍ତି୤ ୪- ଡକ୍ଟର ପଞ୍ଚାନନ ମିଶ୍ରଙ୍କର କବିତା ସଙ୍କଳନ ‘ସବ୍ୟସାଚୀର ଶୋକ’ ର ‘ଶୋକ ସବ୍ୟସାଚୀ କା’ ଶୀର୍ଷକରେ ହିନ୍ଦୀ କାବ୍ୟନ୍ତରଣ ମଧ୍ୟ ଶୀଘ୍ର ଦେବାର୍ପିତ ହେବ୤

ସମ୍ପ୍ରତି ତିନୋଟି ପୁସ୍ତକ ଉପରେ କାମ କରୁଛି୤ ବୟସ ହେତୁ ଲେଖିପାରିବାର ଶୈଥିଲ୍ୟ ପ୍ରତିହାର କରି ସିଧାସଳଖ କମ୍ପ୍ୟୁଟରରେ, ୧- ମୋର ମନସୋତ୍ତର କିଛି ମୌଳିକ ଓଡ଼ିଆ ଗଳ୍ପର ଏକ ସଙ୍କଳନ ସକାଶେ ପାଣ୍ଡୁଲିପି ପ୍ରସ୍ତୁତ କରୁଛି୤ ୨- କବି ଶ୍ରୀ ବିଜୟ କୁମାର ତ୍ରିପାଠୀଙ୍କର ‘ଶୂନ୍ୟସୀମନ୍ତିନୀ ରାଧା’ ଏବଂ ସୁଲେଖିକା କବୟିତ୍ରୀ ଡ. ଶ୍ରୀମତୀ ମନୋରମା ମହାପାତ୍ର ବିଶ୍ବାଳଙ୍କର ‘ସାତ ସମୁଦ୍ର ତେର ନଈ’ ଗଦ୍ୟ ରଚନାର ହିନ୍ଦୀ ରୂପାନ୍ତରଣ କରୁଛି୤ ଗଦ୍ୟ ଚିଟା ଲାଗିଲେ ଫାଇଲରେ କାମ କରିବା ଏକ ପ୍ରକାର ମାନସିକ ବିଶ୍ରାମ ଓ ଆମୋଦ, ତାହା ଅନୁଭବ କରି ଏକା ସାଙ୍ଗରେ ତିନୋଟି ଫାଇଲରେ କାମ କରୁଛି୤ ପ୍ରତିଦିନ ବଲାଙ୍ଗୀର କବି କୁଟୀରରେ ଥିଲେ ମୁଁ ପଢ଼ିବା-ଲେଖିବାରେ ପ୍ରାୟ ଆଠଘଣ୍ଟା ଅତିବାହିତ କରିଥାଏଁ୤ ସେଇ ମୋର ଆରାଧନା୤ ଶ୍ୟାମସଖା ଯାହା ଶ୍ରୁତଲେଖ ଭାବରେ କହି ଦିଅନ୍ତି, ତାହା ହିଁ ଲିପିବଦ୍ଧ କରିଥାଏଁ୤ ଯାହା ଆଗାମୀ କାଳରେ ବରଗି ଦେବେ ତାହା କ୍ରୀତଦାସ ଭାବରେ ତୁଲେଇ ଦେବି୤ ସେ ମୋତେ ଶରୀରତଃ ସ୍ବସ୍ଥ ସାନନ୍ଦ ରଖିଛନ୍ତି୤

(୧୬) ବର୍ତ୍ତମାନର ସମୟ ଓଡ଼ିଆ ସାହିତ୍ୟ ଇତିହାସରେ କିପରି ସ୍ମରଣୀୟ ହୋଇ ରହିବ ବୋଲି ଆପଣ ଭାବୁଛନ୍ତି ?
ଆଗାମୀ କାଳ ଅବଶ୍ୟ ଆଦରରେ ସ୍ମରଣ କରିବ୤ କାଳ କାଳର ସତ୍ୟ ଯେ ସତ୍‌ ସ୍ଥାୟୀ ଓ ଅସତ୍‌ ଏକ ଭେଳିକି୤ ପରିପୁଷ୍ଟ ଶସ୍ୟ ସିନା ଲୋଡ଼ା ହେବ ଆପଣାଛାଏଁ ‘ଅଗାଡ଼ି’ ବାଛି ହୋଇଯିବେ୤ ଚିନ୍ତା କରନ୍ତୁ ନାହିଁ୤ ଟିକିଏ ଦୁଃଖଲାଗେ ଯେ ପ୍ରବୀଣ ଓ ନବୀନମାନେ ‘ମୁଁ’ ‘ମୋର’ ରେ ମାତି ରହିଛନ୍ତି ‘ଆମର’ ବୋଲି ଉଚ୍ଚାରଣ କରୁ ନାହାନ୍ତି୤ ଈର୍ଷା, ଅସୂୟା ମତ୍ସରରହିତ ସାଧନା ହିଁ ସିଦ୍ଧ ହୋଇଥାଏ୤ କାରଣ, ସାରସ୍ବତ ନିଷ୍ଠା ଓ ଯେ କୌଣସି ଚାରୁକଳାର ଅର୍ଚ୍ଚନା ଏକ ତପସ୍ୟା ବିଳାସ ନୁହେଁ୤ ଆଳସ୍ୟରହିତ ଅଧ୍ୟୟନବ୍ରତୀ ହେବାକୁ ଅନୁଜମାନଙ୍କ ପ୍ରତି ମୋର ନିବେଦନ୤ ପଢ଼ନ୍ତୁ ଅଧିକ୤ ମୋର ଅନୁଭବ ଯେ ଶହେଭାଗ ନ ପଢ଼ିଲେ ପାଞ୍ଚଭାଗ ଲେଖିବା ସମ୍ଭବ ହେବନାହିଁ୤

(୧୭) ଓଡ଼ିଆ ସାହିତ୍ୟ ଡଟ୍‌କମ୍‌ ପାଇଁ ଆପଣଙ୍କର ବାର୍ତ୍ତା କ’ଣ ?
ମୁଁ ତ ଓଡ଼ିଆ ସାହିତ୍ୟ ଡଟ୍‌କମ୍‌ ପ୍ରତି ମୋର ଆସ୍ଥାବ୍ୟକ୍ତ କରି ସାରିଛି, ଆପଣଙ୍କର ପୂର୍ବ ପ୍ରଶ୍ନର ଉତ୍ତର ମାଧ୍ୟମରେ୤ ସଦୁଦ୍ୟମ ଅବଶ୍ୟ ସିଦ୍ଧ ସଫଳ ହୋଇଥାଏ୤ ଶ୍ୟାମସଖା ସିଦ୍ଧିଦାନ କରନ୍ତୁ, ପ୍ରତି ପଦରେ ସହାୟକ ହୁଅନ୍ତୁ ବୋଲି ପ୍ରାର୍ଥନା କରୁଛି୤

ଡ.ଶ୍ରୀନିବାସ ଉଦ୍‌ଗାତାଙ୍କ ସହିତ ଯୋଗାଯୋଗ କରି ପତ୍ରମାଧ୍ୟମରେ ଏହି ସାକ୍ଷାତକାରଟି ଓଡ଼ିଆସାହିତ୍ୟ ଡଟ୍‌ କମ୍‌ ପକ୍ଷରୁ ଏହାର ସଂଯୋଜକ ମହେନ୍ଦ୍ର ମିଶ୍ରଙ୍କ ଦ୍ବାରା ଅଗଷ୍ଟ ୨୦୧୨ରେ ପ୍ରସ୍ତୁତ କରାଯାଇଛି୤

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 

ମତାମତ ସଂଖ୍ୟା - ୧ ଆପଣଙ୍କ ମତାମତ ?

  • ୧. Bikash |  ସେପ୍ଟେମ୍ବର୍ ୨, ୨୦୧୨ - ୨:୦୫ ପୂର୍ବାହ୍ନ

    I have a special regard for this writer. God has a given an immense talented person to Odisha in the name of Srinivas Udgata! I pray God for his healthy and prosper living.

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤