ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ସର୍ବମୋଟ ମତଦାନ: ୧୮୩୦ Back to Vote Screen

ଲେଖକ ଓ ଲେଖିକା

ରମେଶ ଚନ୍ଦ୍ର ଦାସ
ସେନାପତି ପ୍ରଦ୍ୟୁମ୍ନ କେଶରୀ
ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର
ଫତୁରାନନ୍ଦ
ଫନି ମହାନ୍ତି
ଭାନୁଜୀ ରାଓ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

 
 
ତା: ଫେବୃଆରୀ ୨୨, ୨୦୧୨  
ମୂଳ ପୃଷ୍ଠାପ୍ରଚ୍ଛଦ
 

ନାଟକ :- ଶେଷ ଅଶ୍ରୁ (୧୯୬୬), ଅସ୍ତରାଗର ଚନ୍ଦ୍ର (୧୯୬୭) ମଞ୍ଚନାୟିକା (୧୯୬୮), ରାଜହଂସ (୧୯୭୦) (ସର୍ବଭାରତୀୟ ପ୍ରତିଯୋଗୀତା, ଅହମ୍ମଦାବାଦରେ ପ୍ରଥମ-୧୯୭୨), ଅପଦେବତା (୧୯୭୩), ପୁନଶ୍ଚ ପୃଥିବୀ (୧୯୭୭), କଳଙ୍କିତ ସୂର୍ଯ୍ୟ (୧୯୭୪), (ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାର ପ୍ରାପ୍ତ) ମୁଖା (୧୯୮୦), ଅଥଚ ଚାଣକ୍ୟ (୧୯୮୨), ପକ୍ଷ ଓ ଚରିତ୍ର (୧୯୮୭), ନାଟ୍ୟ ରତ୍ନାକର (୨୦୭), ତ୍ରିଆରା (୨୦୦୬), ସୁନାକଳସ (୧୯୯୮) ଓ ଆହୁରି ଅନେକ୤

କ୍ଷୁଦ୍ରଗଳ୍ପ- ଗପ (୧୯୭୨) ମୁଠାଏ ଶୂନ୍ୟତା (୧୯୭୩) କହ ଲଳିତା (୧୯୭୭), ସୂର୍ଯ୍ୟାସ୍ତର ଉପବନ (୧୯୭୯), ଋତୁର ନାମ ପିପାସା (୧୯୮୩), ନିଷିଦ୍ଧ ଶୃଙ୍ଗାର (୧୯୮୪)

ଉପନ୍ୟାସ- ରାତ୍ରୀର ରଜନୀଗନ୍ଧା (୧୯୬୫), ଅବ୍ୟକ୍ତ ଗୋଧୁଳି (୧୯୬୭), ଲୁହ ଲହରୀ (୧୯୬୩), ଫୁଲଫଗୁଣ (୧୯୬୮)

ଆଲୋଚନା ଓ ସମାଲୋଚନା- କବିଗୋପାଳକୃଷ୍ଣ (୧୯୭୦), ଉଦ୍ଭଟ ନାଟ୍ୟ ପରମ୍ପରା (୧୯୭୦), ଓଡ଼ିଆ ନାଟକର ଉଦ୍ଭବ ବିକାଶ (୧୯୭୮), (ପି.ଏଚ୍‌.ଡ଼ି. ଉପାଧି ସନ୍ଦର୍ଭ), ସନ୍ଥକବି ଅଚ୍ୟୁତାନନ୍ଦ (୧୯୯୮), ଆଧୁନିକ ଓଡ଼ିଆ ନାଟକ ଏକତୁଳନାତ୍ମକ ଅଧ୍ୟାୟ (୨୦୦୧) ଓ ସନ୍ଥ ସାହିତ୍ୟ କୋଷ (୧୯୯୮) ବୈଷ୍ଣବ ସାହିତ୍ୟ ଅଭିଧାନ୤

ଅନୁବାଦ- ଭିରେଶ ଲିଙ୍ଗମ୍‌ (ସାହିତ୍ୟ ଏକାଡ଼େମୀ ନୂଆଦିଲ୍ଲୀ) ପଞ୍ଜାବୀ ଏକାଙ୍କି ଏନ୍‌.ବି.ଟି. ନୂଆଦିଲ୍ଲୀ)

ସମ୍ପାଦନା- ଅଚ୍ୟୁତାନନ୍ଦ ରଚନାବଳୀ, ଆଜିର ଗଳ୍ପ, ଆଜିର ପ୍ରବନ୍ଧ, କାବ୍ୟ-କବିତା, ସ୍ବାଧିନତ୍ତୋର ଓଡ଼ିଆ ସାହିତ୍ୟ, ଓଡ଼ିଆ ଭାଷାକୋଷ ୮ ଖଣ୍ଡ ଓ ପରବର୍ତ୍ତୀ ଖଣ୍ଡ ସମ୍ପାଦନା କର୍ମରେ ଜଡ଼ିତ୤

ଇଂଲିଶ୍‌- Achyutan nanda Das, Contribution of ‘Pancha sakha’s the five saint- poets of Orissa.

ଚଳଚିତ୍ର- ଶୂନ୍ୟ ସ୍ବରୂପ- (କାହାଣୀ ଓ ସଂଳାପ)- ଜାତୀୟ ପୁରସ୍କାର ପ୍ରାପ୍ତ ଆର୍ନ୍ତଜାତିକ ପାନୋରମାରେ ବର୍ଲିନ୍‌ରେ ପ୍ରଦର୍ଶିତ୤

ପୁରସ୍କାର ଓ ସମ୍ମାନ :-୧) ଶ୍ରେଷ୍ଠ ନାଟ୍ୟକାର ସମ୍ମାନ- ଅହମ୍ମଦାବାଦ ସର୍ବଭାରତୀୟ ନାଟ୍ୟ ପ୍ରତିଯୋଗିତା (୧୯୭୨)
୨) ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାର (୧୯୭୫ ପାଇଁ ନାଟକ)
୩) ଧରିତ୍ରୀ- ସାହିତ୍ୟ ସମ୍ମାନ- ୧୯୮୦ ମସିହା (ସାମଗ୍ରୀକ ବୃତ୍ତି)
୪) ପ୍ରଜାତନ୍ତ୍ର- ବିଷୁବ ପୁରସ୍କାର- ୧୯୮୫ ମସିହା (କ୍ଷୁଦ୍ର ଗଳ୍ପ)
୫) ୟୁରେକା ସମ୍ମାନ, କଟକ- ୧୯୮୧ ମସିହା (ସାମଗ୍ରୀକ ବୃତ୍ତି)
୬) ଉନ୍ମେଷ ସମ୍ମାନ, କଟକ- ୧୯୮୩ ମସିହା (ସମାଲୋଚନା ସାହିତ୍ୟ)
୭) ସମ୍ମାନଜନକ ଆଦି- ନାଟ୍ୟକାର ସମ୍ମାନ- ୧୯୯୩ ମସିହା (ନାଟକ)
୮) ରାମଚନ୍ଦ୍ର ମିଶ୍ର- ନାଟ୍ୟ ସମ୍ମାନ- ୧୯୯୫ ମସିହା
୯) ତୁଳସୀ ସାହିତ୍ୟ ସଂସଦ- ନାଟ୍ୟଶ୍ରୀ ସମ୍ମାନ- ୧୯୯୭ ମସିହା
୧୦) ଶ୍ରେଷ୍ଠ ନାଟ୍ୟକାର ସମ୍ମାନ- ଉତ୍କଳ ସାହିତ୍ୟ ସମ୍ମାନ- ୧୯୯୯ ମସିହା
୧୧) ଗଣକବି ବୈଷ୍ଣବ ପାଣି ସମ୍ମାନ- ୧୯୯୯ ମସିହା
୧୨) ନାଟ୍ୟ ଭୂଷଣ ସମ୍ମାନ- ଇଣ୍ଟରନ୍ୟାସ୍‌ନାଲ ଥିଏଟର ଫେଷ୍ଟିଭାଲ (୧୯୦୩) ଇତ୍ୟାଦି୤

ପ୍ରଶ୍ନ ଓ ଉତ୍ତର :-

୧) ‘ଅଥଚ ଚାଣକ୍ୟ’ ଆପଣଙ୍କର ଏକ ବହୁଚର୍ଚ୍ଚିତ ସଫଳ ନାଟକ୤ ଭାରତୀୟ ମିଥ୍‌ ଉପରେ ଆଧାରିତ ‘ଅଥଚ ଚାଣକ୍ୟ’ର ଚାଣକ୍ୟ ଏକ ଆରୋଗାଣ୍ଟ ମାକିଆଭେଲି ଚରିତ୍ର ନ ହୋଇ ଏକ ଆଇଡ଼ିଆଲିଷ୍ଟିକ୍‌କୁ ପରିବର୍ତ୍ତିତ ହୋଇଛି କାହିଁକି ? ଏହାର ପୃଷ୍ଠଭୂମି ସମ୍ପର୍କରେ ମଧ୍ୟ କୁହନ୍ତୁ ?

ଉତ୍ତର :- ମୋର ଧାରଣାରେ ଭାରତ ବର୍ଷରେ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିଥିଲେ ଚାଣକ୍ୟ୤ ନନ୍ଦ ଶାସନର କୁଶାସନକୁ ବଦଳାଇ ଦେଇ ତାଙ୍କର ମାନସ ସନ୍ତାନ ଚନ୍ଦ୍ରଗୁପ୍ତ ‘ଏକ ବ୍ୟକ୍ତିକୁ’ ଶାସନର କେନ୍ଦ୍ର ସ୍ଥଳରେ ରଖିଥିଲେ୤ ଦିଲ୍ଲୀରେ ବୁଲୁବୁଲୁ ‘ଚାଣକ୍ୟପୁରୀ’ ଦେଖିଲାବେଳେ ମନକୁ ଆସିଲା ଏହାର ନାମ କାହିଁକି ଚାଣକ୍ୟପୁରୀ ହୋଇଛି୤ ଏଠାରେ ବହୁ ରାଜନୈତିକ ପ୍ରତିନିଧି ଅଛନ୍ତି୤ ଏଣୁ ଏହାର ନିର୍ମାଣ ରାଜନୈତିକ ନା ପୁରାତନ୤ ଚନ୍ଦ୍ରଗୁପ୍ତ ଓ ଚାଣକ୍ୟ ଉପରେ ଅଧ୍ୟୟନ କଲି୤ ସେ ଗୋଟିଏ ବିଦ୍ରୋହୀ ଆତ୍ମା ଯିଏ ରାଷ୍ଟ୍ରପ୍ରେମ ଓ ମାନବବାଦୀ ଆତ୍ମାଟିଏ ହୋଇଥିବ୤ ମନୁଷ୍ୟର ସନ୍ତୁଳିତ ଯନ୍ତ୍ରଣାକୁ ସିଏ ସଜ୍ୟ କରିପାରି ନଥିବ୤ ଚନ୍ଦ୍ରଗୁପ୍ତ ଭଳି ଏକ ଶିଷ୍ୟକୁ ମୂର୍ତ୍ତିମାନ କରିଥିବ୤ ତାର ଅବଶିଷ୍ଟ ଜୀବନରେ ସ୍ବପ୍ନକୁ ଚନ୍ଦ୍ରଗୁପ୍ତ ମାଧ୍ୟମରେ ଜାଣିବାକୁ ଚାହିଁଛି୤ ଯଦି ମଣିଷର ମାନସିକତା ଓ ସମ୍ବେଦନଶୀଳତା ନ ବଦଳିବ ତାହେଲେ ଶୋଷଣ ଶାସନ ଏକ ଭାବରେ ଚାଲିବ୤ ଏହା ସର୍ବକାଳୀନ କାହାଣୀ୤ ଶାସନ ଓ ଶୋଷଣର ଫର୍ମୁଲା ଏକ୤ କାଳେ କାଳେ ଶାସନ ଓ ଶୋଷଣର ଫର୍ମୁଲା ଏକ୤ ଏଇ ପୃଷ୍ଠଭୂମି ଉପରେ ‘ଅଥଚ ଚାଣକ୍ୟ’ ରଚିତ୤

୨) ଆପଣଙ୍କ ମନସ୍ତାତ୍ବିକ ‘ରାଜହଂସ’ ନାଟକ ଓଡ଼ିଆ ନାଟ୍ୟ ସାହିତ୍ୟର ଏକ ଅମୂଲ୍ୟ ସଂପଦ୤ ଏହି ନାଟକ ରଚନା କରିବାରେ କେଉଁ ଅନୁଭବ ଆପଣ ବର୍ତ୍ତମାନ ସୁଦ୍ଧା ପାଶୋରି ପାରିନାହାଁନ୍ତି ସେ ବାବଦରେ କୁହନ୍ତୁ ?

ଉତ୍ତର :- ‘ରାଜହଂସ’ ନାଟକର ଉଦ୍‌ଘାଟନ ଉତ୍ସବରେ ମଞ୍ଚକୁ କାଳିଚରଣ ପଟ୍ଟନାୟକ ଆସିଥିଲେ୤ ଅସୁସ୍ଥ ଥାଇ ମଧ୍ୟ ଶେଷ ପର୍ଯ୍ୟନ୍ତ ସେ ଥିଲେ୤ ‘ସେ କହିଲେ ଏଥିରେ ଯେଉଁ ମାନସିକତାକୁ ଧରିଛି ସେ ନାୟକର ଆତ୍ମାଭିତରେ ତୁମେ ହିଁ ଅଛ୤’ ‘ରାଜହଂସ’ରେ ବାର୍ତ୍ତା ମଣିଷ ଯିଏ ଯେଉଁ ବୃତ୍ତି କରୁ ନା କାହିଁକି ତାର ସ୍ବାତନ୍ତ୍ରତାର ପ୍ରବୃତ୍ତିରୁ ଜଣାପଡ଼େ୤ ବୃତ୍ତି ଓ ପ୍ରବୃତ୍ତି ଅଲଗା ଜିନିଷ୤ ଜଣେ ଡାକ୍ତର ହୋଇ ମଧ୍ୟ ଲେଖକ ହୋଇପାରିବ୤ ଯାହା ପାଖରେ ପଇସା ଅଛି ସେ ପ୍ରତିଭାବନା ବ୍ୟକ୍ତି ଏହା କାଳେ କାଳେ ଭୁଲ ବୋଲି ପ୍ରମାଣିତ ହୋଇଛି୤ ବୃତ୍ତି ଓ ପ୍ରବୃତ୍ତିର ମାନସିକସ୍ତର ସଂଘର୍ଷରେ ମଣିଷ ନ କରିବା କଥା କରିପକାଏ୤ ଏଇଟା ଡାକ୍ତର ଅତନୁ ଓ ପ୍ରଫେସର ପାଖରେ ମଧ୍ୟ ହୋଇଛି୤ ମୋଟ ଉପରେ ମଣିଷର ମନ ଅଧିକ କ୍ଷମତାଶାଳୀ କେନ୍ଦ୍ର୤ ଏହା ବ୍ୟକ୍ତିତ୍ବ ବୃତ୍ତି ପରିସ୍ଥିତିକୁ ପରିଚାଳିତ କରେ୤ ପ୍ରାଚୀନ ଓଡ଼ିଆ ସାହିତ୍ୟରେ ମନକୁ ହଂସ ସହ ତୁଳନା କରାଯାଇଛି୤ ‘ରାଜହଂସ’ ନାଟକ ସେହିପରି ଶ୍ରେଷ୍ଠତମ ହଂସର କାହାଣୀ୤

୩) ଆପଣ ଜଣେ ସଫଳ ଏକାଙ୍କିକା ସ୍ରଷ୍ଟା ତଥା ବହୁ ଏକାଙ୍କିକାର ରଚୟିତା୤ ‘କଳଙ୍କିତ ସୂର୍ଯ୍ୟ’ ଏକାଙ୍କିକା ପାଇଁ ଆପଣ ଓଡ଼ିଆ ସାହିତ୍ୟ ଏକାଡ଼େମୀ ପୁରସ୍କାର ଲାଭ କରିଛନ୍ତି୤ ଏହା ସ୍ବାତନ୍ତ୍ରତା ସମ୍ପର୍କରେ ଦୁଇପଦ କୁହନ୍ତୁ ?

ଉତ୍ତର :- ଯେତେବେଳେ ମିଥ୍‌କୁ ପରୀକ୍ଷାବାଦୀମାନେ ମାଧ୍ୟମ ରୂପେ ଗ୍ରହଣ କଲେ, ସେତେବେଳେ ତାର ଭାବାବେଗ ଧୂଆଁଳିଆ ହୋଇଗଲା୤ ସାଧାରଣ ଲୋକେ ତତ୍ତ୍ବକୁ ଅନୁଭବ କରି ସାହିତ୍ୟର ମୂଲ୍ୟବୋଧକୁ ହଜମ କରିବା ପାଇଁ ସକ୍ଷମ ହୋଇପାରିଲେ ନାହିଁ୤ ସେଇ ସମୟରେ ବହୁପ୍ରଚଳିତ ଲୋକାଭିମୁଖୀକୁ ଆଶ୍ରୟ କରି ‘କଳଙ୍କିତ ସୂର୍ଯ୍ୟ’ ଲେଖାଯାଇଥିଲା୤ ଅନ୍ଧ ଛ ହାତୀ ଦେଖିବା, ହାତୀର ଆକାର ପ୍ରକାର ଉପରେ ଭିନ୍ନ ଭିନ୍ନ ମତଦେବା ମତମତାନ୍ତର ପରିଣତ ହେବା ଏକ ସର୍ବକାଳୀନ ସତ୍ୟ୤ ଅନୁରୂପ ଭାବରେ ଜୀବନ ବିଷୟରେ ଛଅଟି ଅନୁଭବି ଚରିତ୍ର ଗତିଶୀଳ କରିଛନ୍ତି୤ ଏଥିରେ ଥିବା ‘ଶୂନ୍ୟତାରେ ସିଡ଼ି’ ଆଧୁନିକ ନାଟକର ପରୀକ୍ଷା ନିରୀକ୍ଷାର ଗୋଟିଏ ଶେଷ ସୀମା୤ ଏଥିରେ ସଂଳାପ ଚରିତ୍ର ଚିତ୍ରଣ କଥାବସ୍ତୁ ସବୁ ବିଚିତ୍ର୤ ଅନେକ ପରିମାଣରେ ଅସଭଗ୍ନ ସଂକ୍ଷପରେ ହୋଇଛି ପରୀକ୍ଷା ‘ଥାଉ’ ଶବ୍ଦର ଯଥାର୍ଥ ବ୍ୟବହାର୤ କାହାଣୀର ଆରମ୍ଭ ନାହିଁ କି ଶେଷ ନାହିଁ୤ ତୃତୀୟ ଏକାଙ୍କିକା ‘ଖୋଲା ଆକାଶ’ରେ ପାଣି ଜାହାଜଟିଏ ଦୁର୍ଘଟଣା ମୁଖ୍ୟ ହୋଇ ତା ଭିତରେ ଚାରିପାଞ୍ଚଜଣ ଯାତ୍ରୀଙ୍କର ମାନସିକତାକୁ ନେଇ ଏ ଏକାଙ୍କିକା ରଚିତ୤ ଚରିତ୍ର ଗୁଡ଼ିକ ପରିବର୍ତ୍ତନଶୀଳ୤ ଏହା ତତ୍ତ୍ବ ନିଷ୍ଠ ପରୀକ୍ଷାବାଦୀ ଛୋଟ ନାଟକ୤

୪) ଓଡ଼ିଆ ଉଭବ ନାଟକ ନବନାଟ୍ୟ ଆନ୍ଦୋଳନର ମୁଖ୍ୟ ସ୍ବର୤ ସେ ପରମ୍ପରା ନାଟକ ଦର୍ଶକ ମନୋରଞ୍ଜନ ଦେବାରେ ବିଫଳ ହେବା ସଙ୍ଗେ ସଙ୍ଗେ କାଳଜୟୀ ମଧ୍ୟ ହୋଇପାରିନାହିଁ୤ ଆପଣ ଜଣେ ସଫଳ ଉଦ୍‌ଭଟ ନାଟକ ସ୍ରଷ୍ଟା ତଥା ସମାଲୋଚକ କାହିଁକି, ଉଦ୍‌ଭଟ ନାଟକ ସ୍ଥାୟୀ ହୋଇ ପାରିଲା ନାହିଁ କାହିଁକି ?

ଉତ୍ତର :- ଉଦ୍‌ଭଟ ନାଟକ ଆରମ୍ଭ ହେଲା ବିଶ୍ବ ସାହିତ୍ୟରେ ଦ୍ବିତୀୟ ବିଶ୍ବଯୁଦ୍ଧ ପରେ୤ ସେଠି ମଣିଷର ଅଶାନ୍ତ ମନକୁ ବିଶ୍ଳେଷଣ କରିବାକୁ ଚେଷ୍ଟା କରାଯାଇଥିଲା୤ ଚିରନ୍ତନ ମୂଲ୍ୟବୋଧ ସାମାଜିକ ଜୀବନଧାରା ଆତ୍ମୀୟତା ଭଲପାଇବା ବିଶ୍ବଯୁଦ୍ଧର ଘନଘଟା ମଧ୍ୟରେ ନଷ୍ଟ ହୋଇଯାଇଥିଲା୤ ମଣିଷ ମନର ଅଶାନ୍ତ ଇଚ୍ଛାକୁ ଚିତ୍ରତ କରିବା ପାଇଁ ଏହି ଆନ୍ଦୋଳନ ପାଶ୍ଚାତ୍ୟ ସାହିତ୍ୟରେ ଦେଖା ଦେଇଥିଲା୤ ତେବେ ଭାରତରେ ସେଭଳି ସ୍ଥିତି ନଥିଲା୤ ଈଶ୍ବର ମରିଲେଣି ବୋଲି ଜଣେ ଦାର୍ଶନିକ ଘୋଷଣା କଲାବେଳେ ଭାରତୀୟ ଲୋକେ ସୁଦୁ ପଥରକୁ ଦେବତା ଭାବରେ ଗ୍ରହଣ କରୁଥିଲେ୤ ତେଣୁ ଭାରତୀୟ ନୈରାଶ୍ୟ ହତାଶା ଈଶ୍ବରଭିତ୍ତିକ ନହୋଇ ଅର୍ଥନୀତିକ ଥିଲା୤ ଭାରତରେ ହତାଶା ଆସିଛି ଅର୍ଥନୀତିରୁ୤ ଏଇ ହତାଶା ପାଶ୍ଚାତ୍ୟ ଉଦ୍ଭଟ ସହ ସମ୍ପର୍କ ନଥିଲା୤ ସ୍ବାଧୀନତା ପରେ ଅର୍ଥନୀତିର ସମସ୍ୟା ଉଗ୍ର ହେଲା୤ କିଛିବର୍ଷ ପରେ ଦେଖାଗଲା ଧନ ସୀମିତ ଗୋଷ୍ଠୀ ମଧ୍ୟରେ ରହିଲାନି୤ ଭାରତୀୟ କଳାଧନରେ ଧନିକ ଶ୍ରେଣୀ ତିଆରି ହେଲେ୤ ଧନରୁ ରାଜନେତା ସୃଷ୍ଟି ହେଲେ୤ ଧନିକ ଶ୍ରେଣୀ ନୈରାଶ୍ୟ ରହିଲା୤ ନୈରାଶ୍ୟ ହେଲା ବହୁମୂଖୀ ଓ ବ୍ୟକ୍ତି କୈନ୍ଦ୍ରିକ୤ ଏଇ ବ୍ୟକ୍ତି କୈନ୍ଦ୍ରିକ ନୈରାଶ୍ୟ ଗ୍ରହଣୀୟ ସମସ୍ୟା ହୋଇ ରହିଲା ନାହିଁ୤ ଏଣୁ ଉଦ୍ଭଟ ଥିଲା (ଫର୍ମୁଲା) Formula ପକା୤ ତେଣୁ ଲୋକପ୍ରିୟ ହେଲା ନାହିଁ୤

୫) ନାଟକ ସହିତ ଆପଣ ଜଣେ ସଫଳ ଗାଳ୍ପିକ୤ ବହୁ ଗଳ୍ପ ସଙ୍କଳନର ସ୍ରଷ୍ଟା୤ ଆଜିର ଓଡ଼ିଆ ଗଳ୍ପ ସାହିତ୍ୟ ପାଇଁ ଗାଳ୍ପିକର ସାମାଜିକ ଅଙ୍ଗୀକାର ରହିବା ଉଚିତ୍‌ କି ନାହିଁ ?

ଉତ୍ତର :- ସମାଜକୁ ଛାଡ଼ି ଯିଏ ସାହିତ୍ୟ ଲେଖେ ପରୀକ୍ଷା ନିରୀକ୍ଷାର କଥା କହେ ସେ ସମ୍ମାନ ପାଇବାକୁ ହକ୍‌ଦାର ନୁହେଁ୤ ସାହିତ୍ୟ ସୃଷ୍ଟି ପାଇଁ ବିଦ୍ୟମାନସ ଆସିବା ଦରକାର୤ ସାହିତ୍ୟ ସର୍ବକାଳୀନ ହେବା ଦରକାର୤

୬) ନାଟକୀୟ ଜୀବନ ବଡ଼ ବିଚିତ୍ର୤ ଆପଣ ସୌଖିନ ତଥା ବହୁ ସାଧାରଣ ନାଟ୍ୟ ପ୍ରତିଷ୍ଠାନସହ ସମ୍ପର୍କ ଥିବ୤ ଏହି ନାଟକୀୟ ଜୀବନ ମଧ୍ୟରେ ସ୍ମରଣୀୟ ଅନୁଭୂତିଟିଏ କୁହନ୍ତୁ ?

ଉତ୍ତର :- ‘ରାଜହଂସ’ ମୋର ଏମ୍‌ଏ ପଢୁଥିବା ସମୟର ଲେଖା୤ ମୁଁ ଯେତେବେଳେ ରାଜେନ୍ଦ୍ର କଲେଜରେ ଯୋଗ ଦେଲି ସେତେବେଳେ ଏହି ନାଟକ ସେଠି ମଞ୍ଚସ୍ଥ ହେଲା୤ ସେତେବେଳେ ସେକ୍ରେଟେରିଏଟ୍‌ ରିକ୍ରେସନ କ୍ଲବ, ଭୁବନେଶ୍ବର ପକ୍ଷରୁ ଅହମ୍ମଦାବାଦରେ ଏହି ନାଟକ ୧୯୭୧ ରେ ମଞ୍ଚସ୍ତ କଲା୤ ଏ ଡ୍ରାମା ସେଠାରେ ଚାରୋଟି ଶ୍ରେଷ୍ଠ ପୁରସ୍କାର ପାଇଲା୤ ଏହି ସଫଳତା ପାଇଁ ଭୁବନେଶ୍ବର ସେକ୍ରେଟେରିଏଟ୍‌ ଦିନେ ବନ୍ଦ ରହିଲା୤ ସେକ୍ରେଟେରିଏଟ୍‌ରେ ମଞ୍ଚସ୍ଥ ହେବା ଦିନ ମୋର ବୀର କିଶୋର ଦାସଙ୍କ ସହ ସାକ୍ଷାତ୍‌ ହେଲା୤ ସେ ରଜତ କରଙ୍କ ସାକ୍ଷାତ୍‌ ଚାହୁଁଥିଲେ୤ ସେଠାରେ ‘ରାଜହଂସ’ ଦେଖିବା ପାଇଁ ଆଗରେ ବସିଲି୤ ମନ୍ତ୍ରୀ ଆସିବେ ଏଇ ସମୟରେ ବ୍ୟାଚ୍‌ପିନ୍ଧା ଲୋକ ଆସି ଚେୟାରରୁ ଉଠାଇ ଦେଲା୤ ମୋତେ ଅପମାନ ଲାଗିଲା୤ ମୁଁ ଫାଟକ ପାଖରେ ଆସି ପହଞ୍ଚିଲି୤ ଗୋଟିଏ ଗାଡ଼ିରେ ବୀରବାବୁ ଓ କିଛି ନାଟ୍ୟପ୍ରେମୀଙ୍କ ସହ ଆସି ପହଞ୍ଚିଲେ୤ ମୋତେ ନେବାକୁ ଚେଷ୍ଟାକଲେ୤ ଏହା ମୋର ସ୍ମରଣୀୟ ଅନୁଭୂତି୤

୭) ଆପଣଙ୍କ ଗବେଷଣା ନିବନ୍ଧ ‘ଓଡ଼ିଆ ନାଟକର ଉଦ୍ଭବ ବିକାଶ’ ଓଡ଼ିଆ ନାଟ୍ୟ ସାହିତ୍ୟ ସମାଲୋଚନାର ମାଇଲ ଖୁଣ୍ଟ୤ ଏହାକୁ ସମ୍ପୂର୍ଣ୍ଣ କରିବାର ଅନୁଭୂତି ମଧ୍ୟରୁ ଯେଉଁଟି ଆଜି ଯାଏଁ ଆପଣଙ୍କୁ ଆଚ୍ଛନ୍ନ କରି ରଖିଛି ସେ ସମ୍ପର୍କରେ କୁହନ୍ତୁ ?

ଉତ୍ତର :- ସେତେବେଳେ କୌଣସି କାମ ହୋଇନଥିଲା୤ ଜଗନମୋହନ ଲାଲାଙ୍କୁ ପ୍ରଥମ ନାଟ୍ୟକାର ବୋଲି ପ୍ରମାଣିତ କରିବାର ଭାବନାଟି ମୋ ଭିତରେ ଥିଲା୤ କାଳୀଚରଣ ପଟ୍ଟନାୟକ ଓ ଓଡ଼ିଶା ଥିଏଟର ଗଠନ ହେବା ପର୍ଯ୍ୟନ୍ତ ଓଡ଼ିଆ ନାଟକର ବିଧିବଦ୍ଧ ବିକାଶକୁ ଉପସ୍ଥାପନ କରିବା ମୋ ଗବେଷଣାର ମୂଳ ଲକ୍ଷ୍ୟ୤ ଏ ଦିଗରେ ମୁଁ ସଫଳ ହୋଇଛି ବୋଲି ଭାବୁଛି୤ ଏହା କାଳିଚରଣଙ୍କୁ ମନୋରଞ୍ଜନ ପର୍ଯ୍ୟନ୍ତ ଆଲୋଚନା କରିନାହିଁ୤ ମନୋରଞ୍ଜନ ଦାସଙ୍କ ନବନାଟ୍ୟ ଆନ୍ଦୋଳନର ଉତ୍‌ଥାନ ପତନ ପର୍ଯ୍ୟନ୍ତ ମୁଁ ‘ଉଦ୍ଭଟନାଟ୍ୟ ପରମ୍ପରା’ଙ୍କ ଆଲୋଚନା କରିଛି୤

୮) ଆଜି ପୁରସ୍କାର ଓ ସମ୍ମାନ ନେଇ ବହୁ ବିତର୍କ ହେଉଛି୤ ଏବେ ଓଡ଼ିଆ ସାହିତ୍ୟ ଏକାଡ଼େମୀ ଓ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାରକୁ ବିତର୍କ ଚାଲିଛି୤ ବହୁ ବାଦବିବାଦ ସମ୍ବାଦପତ୍ର ମଣ୍ଡନ କରୁଛନ୍ତି୤ ଏ ସମ୍ପର୍କରେ ଆପଣ ସ୍ବକୀୟ ମତ ପ୍ରଦାନ କରନ୍ତୁ ?

ଉତ୍ତର :- ପ୍ରଥମ କଥା ହେଉଛି ସାହିତ୍ୟିକ ସମ୍ମାନ କୌଣସି ସାହିତ୍ୟିକର ବଡ଼ପଣ ବଢ଼ାଏ ନାହିଁ୤ ପୁରସ୍କାର ହେଉଛି ସାମାଜିକ ସ୍ବୀକୃତି୤ ବିଶ୍ବରେ ଭାରତବର୍ଷ ଓ ଏପରି ଓଡ଼ିଶାରେ କୌଣସି ସମ୍ମାନ ନପାଇ ବହୁ ବଡ଼ ବଡ଼ ପ୍ରତିଷ୍ଠିତ ସ୍ରଷ୍ଟାମାନେ ମୁଣ୍ଡ ଟେକି ରହିଛନ୍ତି୤ ସମ୍ମାନ ପ୍ରତି ଆଶା ଲେଖକର ଏକ ସାମାଜିକ ବ୍ୟାଧି୤ ସ୍ରଷ୍ଟା ସୃଷ୍ଟି କରି ଚାଲୁ୤ ପୁରସ୍କାର ପଛରେ ନଚାଲୁ ତା ପଛରେ ପୁରସ୍କାର ଗୋଡ଼ାଉ୤ ତା ହେଲେ ସାହିତ୍ୟର ସମ୍ମାନ ବଢ଼ିବ୤ ଏ ବିବାଦ ମାନ ପରିସ୍ଥିତି ପୁରସ୍କାର ପାଇବାର ଲିପ୍‌ସା ଓ ଆଉ ଦଳେ ବିଧିବଦ୍ଧ ବ୍ୟବସ୍ଥାକୁ ଉଲଘଂନ କରି ପୁରସ୍କୃତ କରିବାର ଧାରା ଓଡ଼ିଆ ସାହିତ୍ୟକୁ କଳଙ୍କିତ କରୁଛି୤

୯) କେଉଁ ନାଟ୍ୟକାରଙ୍କ ଶୈଳୀ ଆଉ ଦର୍ଶନ ଆପଣଙ୍କୁ ଆଜି ଯାଏ ପ୍ରୋତ୍ସାହିତ କରୁଛି ତଥା ଆପଣଙ୍କ ଆଦର୍ଶ କିଏ ?

ଉତ୍ତର :- ପ୍ରାଣବନ୍ଧୁ କର ଓ କାଳୀଚରଣ ପଟ୍ଟନାୟକ ମୋର ଆଦର୍ଶ୤

୧୦) ସାହିତ୍ୟ କର୍ମରେ ଆପଣଙ୍କ ପରିବାର ବର୍ଗ କିଭଳି ସହଯୋଗ କରନ୍ତି ?

ଉତ୍ତର :- ସାହିତ୍ୟ କର୍ମରେ ମୋର ପତ୍ନୀ ବରାବର ସାହାଯ୍ୟ ଓ ସହଯୋଗ କରନ୍ତି, ତାର ସାହିତ୍ୟିକ ମାନସିକତାଟିଏ ଅଛି୤ ଶିଶୁ ଓ କିଶୋର ମାନଙ୍କ ପାଇଁ ସେ ୧୭/୧୮ ଖଣ୍ଡ ବହି ଲେଖିଛନ୍ତି୤ ପୁଅ, ଝିଅ ବୃତ୍ତିଭିତ୍ତିକ ଝିଅ ସାହିତ୍ୟ ପଢ଼େ, ସାହିତ୍ୟର ପ୍ରଶଂସା କରେ ବୃତ୍ତିରେ ଇଞ୍ଜିନିୟର୤ ପୁଅର ଆଗ୍ରହ କମ୍‌୤

୧୧) ଆପଣଙ୍କର ପରବର୍ତ୍ତୀ ସୃଷ୍ଟି କଣ ?

ଉତ୍ତର :- ମୋର ପରବର୍ତ୍ତୀ ପୁଣି କଣ ? ଅଚ୍ୟୁତା ନନ୍ଦଙ୍କ ଦୁଷ୍ପାପ୍ୟ ପୋଥି ସଂଗ୍ରହ କରି ତାଙ୍କ ବୃତ୍ତି ଶୁଦ୍ଧ ପ୍ରକାଶନ କରିବାର ଧାରା ଅବ୍ୟାହିତ ରଖିଛି୤ ଓଡ଼ିଆ ଭାଷାକୋଷରେ ୧୦ ଖଣ୍ଡରେ ଶେଷ ହେବ୤ ୯ ଖଣ୍ଡ ପ୍ରକାଶିତ୤ ଆତ୍ମାନୁଭୂତିରେ ଓଡ଼ିଶା ଓ ଓଡ଼ିଆ, ଓଡ଼ିଶାର ଲେଖକ ଓ ରାଜନୈତିକ ନେତାମାନଙ୍କୁ ନେଇ ମୋର ଜୀବନଚର୍ଯ୍ୟା ପ୍ରକାଶ ଚାଲିଛି ଓ ଲେଖା ମଧ୍ୟ ଚାଲିଛି୤ ‘ଜନସୁଧା’ ପତ୍ରିକାରେ କ୍ରମାଗତ ଭାବେ ଲେଖା ପ୍ରକାଶ ପାଉଛି୤

୧୨) ଓଡ଼ିଆ ସାହିତ୍ୟ ଡଟ୍‌.କମ୍‌ କୁ ଆପଣଙ୍କର ବାର୍ତ୍ତା ?

ଉତ୍ତର :- ଏଭଳି ଏକ କାର୍ଯ୍ୟଧାରା ଚାଲିଛି ମୁଁ ମୁଗ୍ଧ ହେଲି୤ ମୋ ଜାତିର ଲୋକ ସଚେତନ ହୋଇ ଆନ୍ତର୍ଜାତିକ ସ୍ତରରେ ଓଡ଼ିଆ ସାହିତ୍ୟକୁ ଉପସ୍ଥାପନା କରୁଛନ୍ତି୤ ଏହାଠାରୁ ଖୁସିର ଖବର କ’ଣ ଥାଇପାରେ୤ ସାହିତ୍ୟ ସଂସ୍କୃତି ଓ ଭାଷାର ନିଷ୍ଠାପର ସେବକମାନେ ଏଭଳି ଏକ ପଦକ୍ଷେପ ନେଇଛନ୍ତି ଜାଣି ଓ ସେମାନଙ୍କ ପ୍ରତି କୃତଜ୍ଞାତରେ ମୋର ହୃଦୟ ଭରି ଉଠୁଛି୤ ମା ଉତ୍କଳ ଜନନୀ ସେମାନଙ୍କର ମଙ୍ଗଳ କରନ୍ତୁ ଏବଂ ସାହିତ୍ୟ ସଂସ୍କୃତିର ରୁଦ୍ଧିମନ୍ତ ଚିତ୍ର ବିଶ୍ବର କୋଣେ ଅନୁକୋଣେ ଠିକ୍‌ ଭାବେ ପହଞ୍ଚାନ୍ତୁ୤

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 

ମତାମତ ସଂଖ୍ୟା - ୧ ଆପଣଙ୍କ ମତାମତ ?

  • ୧. Mr. Santosh Kumar Panda(M.Pharm) |  ମାର୍ଚ୍ଚ୍ ୬, ୨୦୧୨ - ୧୨:୩୫ ପୂର୍ବାହ୍ନ

    Ebhali eka sahitya ra chirantana saswata srastha nku mora koti kori pranam…….

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤