ନବ ପ୍ରତିଭା

କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ
କଣ୍ଟା
|- ଶୈଳେନ୍ଦ୍ର କୁମାର ଜେନା

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ଭାନୁଜୀ ରାଓ
କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର
କିଶୋରୀକିଙ୍କର ଦାସ
ଦେବେନ୍ଦ୍ର ମହାନ୍ତି
ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର
ଅମରେନ୍ଦ୍ର ଖଟୁଆ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

 
 
ତା: ସେପ୍ଟେମ୍ବର୍ ୩, ୨୦୧୧  
ମୂଳ ପୃଷ୍ଠାଅତିଥି ସମ୍ପାଦକ
 

Haraprasad Parichha Patnaikଉତ୍ତର ସତୁରୀରେ ଆଧୁନିକ ଓଡ଼ିଆ କବିତାର ଏକ ବଳିଷ୍ଠ, ସମ୍ବେଦନଶୀଳ ବୌଦ୍ଧିକ ଉଚ୍ଚାରଣ:ଡକ୍ଟର ହରପ୍ରସାଦ ପରିଛା ପଟନାୟକ୤ ଓଡ଼ିଆ ସାହିତ୍ୟ ଜଗତରେ ସେ’ ନିଜେ ହିଁ ନିଜର ବିକଳ୍ପ୤ ଆଧୁନିକତାର ଭୂମିରେ ଛିଡାହୋଇ ପରମ୍ପରାକୁ ଆଲିଙ୍ଗନ କରିବା କଳାରେ ଡକ୍ଟର ପରିଛା ପଟନାୟକ ଅନନ୍ୟ, ଯାହାଙ୍କ ଗଭୀର ଭଲପାଇବା ଭିତରୁ ବି ବାଦ୍‌ ଯାଇନାହାଁନ୍ତି ମାନବେତର ଚରିତ୍ରମାନେ୤ ଆପଣାର କାବ୍ୟଚେତନାରେ ଜହ୍ନରାତି, କୀଟ, ଫୁଲ, ପ୍ରଜାପତି, ସମୁଦ୍ର, ନଈ, ଆକାଶ, ପକ୍ଷୀ, ନକ୍ଷତ୍ର ଇତ୍ୟାଦିଙ୍କ ସାମିଲ୍ ହିଁ ଜୀବନ ଓ ପୃଥିବୀ ସମ୍ପର୍କରେ ତା’ଙ୍କ ନିବିଡ଼ତା ଓ ଅନ୍ତର୍ଦୃଷ୍ଟିକୁ ପ୍ରତିପାଦିତ କରେ୤ ସାଧରଣ ନିସ୍ପେଷିତ ଚରିତ୍ର ଭିତରେ ପ୍ରତିରୋଧର ସ୍ବର ତିଆରିକରି ସେ ସେମାନଙ୍କୁ ଠିଆ କରାଇଛନ୍ତି ସମାଜର ବଡ଼ଦାଣ୍ଡରେ ଅପରାଜେୟ ମୁଦ୍ରାରେ୤

ଧୀରେ ଧୀରେ କରି ବେକ କାଟିବୁରେ ଦୁଲ୍‌ମିଆଁ, ଦୁଲ୍‌ମିଆଁ
ମାଇପି ଲୁହରେ ବନ୍ୟା ହୋଇଲେ, ମେଦିନୀ ଥରିବ
ବୁଡ଼ିଯିବ ଯେତେ କୋଠାଘର ସବୁ, ଅପଦସ୍ତ ହେବ ମାଲିକ ତୋହର
ବିଧାନ ସଭାରେ ଜଳିବ ନିଆଁ, ଦୁଲ୍‌ମିଆଁ, ଦୁଲ୍‌ମିଆଁ୤

ଅଶୀ ଦଶକରେ ଜନ୍ମ ନେଇଥିବା ଏଇ କବିତା, “ଦୁଲ୍‌ମିଆଁ ପ୍ରତି କୁକୁଡ଼ାର ଉକ୍ତି”, ଏବେ ମଧ୍ୟ ପାଠକଙ୍କ କଣ୍ଠରେ ଅନୁରଣିତ୤ ଦୁଲ୍‌ମିଆଁର କବି ଭାବେ ସମଗ୍ର ଭାରତ ବର୍ଷରେ ପରିଚିତ ଓ ଚର୍ଚିତ ହରପ୍ରସାଦ ପେଷାରେ ଅଧ୍ୟାପକ ହେଲେ ମଧ୍ୟ ତାଙ୍କ ବୃତ୍ତିଗତ ଜୀବନର ଅନେକ ସମୟ ପ୍ରଶାସନିକ କାର୍ଯ୍ୟରେ ବିତିଛି୤ ଓଡ଼ିଆ ସାହିତ୍ୟ ପ୍ରତି ସମର୍ପଣଭାବ ଓ ନିଜର ଦକ୍ଷତା ପାଇଁ ଓଡ଼ିଶା ସରକାର ତାଙ୍କୁ ଦୁଇ ଦୁଇଥର ଓଡ଼ିଶା ସାହିତ୍ୟ ଏକାଡ଼େମୀର ସଚିବ ଭବେ ଅବସ୍ଥାପିତ କରିଛନ୍ତି୤ କେବଳ ସେତିକି ନୁହେଁ, ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟର କୂଳ ସଚିବ ଭାବେ ଦାୟିତ୍ବ ନେଇ ଏହାକୁ ଏକ ନୂତନ ରୂପଦେବାରେ ସେ ସଫଳ ହୋଇଛନ୍ତି୤ ସମ୍ପ୍ରତି ଡକ୍ଟର ପରିଛା ପଟନାୟକ “ଓଡ଼ିଶା ରାଜ୍ୟ ପାଠ୍ୟପୁସ୍ତକ ପ୍ରଣୟନ ଓ ପ୍ରକାଶନ ସଂସ୍ଥା”ର ନିର୍ଦ୍ଦେଶକ ଭାବେ ଅବସର ଗ୍ରହଣ ପରେ ସାହିତ୍ୟ ସାଧନାରେ ମଗ୍ନ ଅଛନ୍ତି୤

ଏକାଧାରରେ ଜଣେ ବିଶିଷ୍ଟ କବି, ଶିକ୍ଷାବିତ୍ ଓ ପ୍ରଶାସକଙ୍କୁ ଓଡ଼ିଆ ସାହିତ୍ୟ ଡଟ୍ କମ୍ ନିଜର ଅତିଥି ସମ୍ପାଦକ ଭାବରେ ପାଇ ଗର୍ବିତ୤ ସେପ୍ଟେମ୍ବର୍ ପହିଲା ୨୦୧୧ ରୁ ସେ ଏହି କାର୍ଯ୍ୟଭାର ଆନୁଷ୍ଠାନିକ ଭାବେ ଗ୍ରହଣ କରିଛନ୍ତି୤

ସମ୍ୟକରେ ଡକ୍ଟର ହରପ୍ରସାଦ ପରିଛା ପଟନାୟକ:

Haraprasad parichha Patnaikଦୀର୍ଘ ଚାରି ଦଶନ୍ଧି ଧରି ସାହିତ୍ୟର ବିଭିନ୍ନ ବିଭାଗ ତଥା କଳା ଓ ସଂସ୍କୃତି କ୍ଷେତ୍ରରେ ସେ ନିରନ୍ତର ସୃଜନଶୀଳ୤ ସମକାଳୀନ ଓଡ଼ିଆ ସାହିତ୍ୟରେ ହରପ୍ରସାଦ ପରିଛା ପଟନାୟକଙ୍କ ଅବଦାନ ବେଶ ସ୍ବୀକୃତ ଓ ସମାଦୃତ୤ ଉତ୍କଳୀୟ ପରମ୍ପରା, ମିଥ୍ ଓ ଇତିହାସ ପ୍ରତି ପ୍ରବଳ ଅନୁରକ୍ତି ତାଙ୍କ ରଚନାଗୁଡ଼ିକରେ ବେଶ୍‌ ସୁନ୍ଦର ଭାବେ ଉତ୍କୀର୍ଣ୍ଣ୤ ଗଭୀର ମନନଶୀଳ କବିତା ରଚନା ସହିତ ପ୍ରବନ୍ଧ ଏବଂ ଅନୁବାଦରେ ମଧ୍ୟ ଡକ୍ଟର ପରିଛା ପଟନାୟକଙ୍କ ଉତ୍କର୍ଷତା ଲକ୍ଷ୍ୟ କରାଯାଏ୤ ତାଙ୍କ ରଚନାରେ ମାନବୀୟ ଚେତନା ଓ ମାନବିକ ସମ୍ବେଦନା ହିଁ ପାଠକ ମାନଙ୍କୁ ଏତେ ବେଶୀ ଅନ୍ତରଙ୍ଗତାରେ ବାନ୍ଧିରଖେ୤

ହରପ୍ରସାଦଙ୍କ କବିତାର ସବୁଠୁ ମହତ୍ତ୍ବପୂର୍ଣ୍ଣ ଦିଗଟି ହେଲା ମାଟି ମନସ୍କତା୤ ସ୍ବାଧୀନତା ପରବର୍ତ୍ତୀ ଓଡ଼ିଆ କବିତାରେ ଯେଉଁ ପ୍ରୟୋଗାତ୍ମକ ବିଭବଟି ସଚ୍ଚି ରାଉତରାୟ, ଗୁରୁପ୍ରସାଦ, ବେଣୁଧର, ରମାକାନ୍ତ, ସୀତାକାନ୍ତ, ସୌଭାଗ୍ୟ ପ୍ରମୁଖ କବିଙ୍କ କବିତାରେ ପ୍ରକଟିତ ହୋଇଛି, ସେହି ବିଭବଟି କିନ୍ତୁ ଏହି ଧାରାର ଶେଷଆଡ଼କୁ ଆବିର୍ଭୁତ କବି ହରପ୍ରସାଦ ପରିଛା ପଟନାୟକଙ୍କ ଠାରୁ ଏକ ନୂତନ ମୋଡ଼ ନେଇଛି୤ ୧୯୮୦ ଦଶକରେ ଏକ ଅର୍ଖ ନୂଆ ଶୈଳୀ ଓ ସ୍ବର ଆବିଷ୍କାର କରି ପରବର୍ତ୍ତୀ ପିଢ଼ିର କବିମାନଙ୍କୁ ଏକ ନୂତନ ଦିଶା ଦେଖାଇବାରେ ଯଥେଷ୍ଟ ସଫଳ ହୋଇଛନ୍ତି କବି ପରିଛା ପଟନାୟକ୤ ଷାଠିଏ ଓ ସତୁରୀ ଦଶକର ବିଦେଶୀ ସାହିତ୍ୟ ପ୍ରଭାବରୁ ଓଡ଼ିଆ କବିତାକୁ ମୁକ୍ତକରି ନିଜ ମାଟିର ବାସ୍ନାରେ ଭରା ନୂଆ ଗୋଟିଏ କାବ୍ୟଚେତନା ଓଡ଼ିଆ ସାହିତ୍ୟକୁ ଉପହାର ଦେଇଛନ୍ତି ସେ୤

ସଂସାରର ଯାବତୀୟ ସଂଘାତକୁ ଏଡ଼ିଯାଇ ଆଗକୁ ମାଡ଼ିଚାଲିବାର ସଂଗ୍ରାମୀ ସତ୍ତାଟିଏ ହେଲେ କବି ପରିଛା ପଟନାୟକ୤ ସାମ୍ପ୍ରତିକ ଅବକ୍ଷୟୀଷ୍ଣୁ ସାଂସ୍କୃତିକ ଜୀବନଧାରାକୁ ସୁଗମ କରିବାର ସ୍ବପ୍ନ ଓ ସଂଗ୍ରାମ ହିଁ ତାଙ୍କ କବିତାର ପ୍ରାଣ୤ ସେଇଥିପାଇଁ ତ କବି କେତେବେଳେ ଭାଗ୍ୟବାଦୀ,ତ କେତେବେଳେ ମୁକ୍ତିପ୍ରୟାସୀ୤ ସମାଜରେ ଦେଖାଦେଉଥିବା ବହୁବିଧ ସମସ୍ୟା ଓ ମଣିଷ ହୃଦୟରେ ସୃଷ୍ଟି ହେଉଥିବା ଚେତନାପ୍ରବାହୀ ଭାବ ସମ୍ବେଗ ଓ ମନନଶୀଳତାକୁ କବି ଯଥାର୍ଥ ଭାବେ ନିଜ କବିତାରେ ଚିତ୍ରଣ କରିଛନ୍ତି୤ ଜୀବନ ଓ ଜଗତର ବାହ୍ୟ ଓ ଅନ୍ତଃ ପରିବେଷକୁ ସୁଚାରରୂପେ ପରଖିଥିବାରୁ ତାଙ୍କର କୃତିଗୁଡ଼ିକ କାଳଜୟୀ ପ୍ରତିପାଦିତ ହୋଇଛନ୍ତି୤ କବିତାରେ ଭାବ ସହ ମାନବିକ ମୂଲ୍ୟବୋଧ,ସାମାଜିକ ଅଙ୍ଗିକାରବଦ୍ଧତା ଓ ସମ୍ବେଦନଶୀଳ ମନୋଭାବର ମଧୁର ସମନ୍ନୟ ହିଁ ହରପ୍ରସାଦଙ୍କ ସାର୍ଥକତା୤

ଉତ୍ତର ସତୁରୀ ଓଡ଼ିଆ କବିମାନଙ୍କ କବିତାରେ ରୂପ ଅତୀବ ଗୁରୁତ୍ତ୍ବପୂର୍ଣ୍ଣ ସ୍ଥାନ ଅକ୍ତିଆର କରିଥିବା ବେଳେ, ହରପ୍ରସାଦଙ୍କ କବିତାଗୁଡ଼ିକ ଏନେଇ ଏକ ମାର୍ଗଦର୍ଶକର ଭୂମିକା ନିର୍ବାହ କରେ, ଏଥିରେ ଦ୍ବିମତ ନାହିଁ୤ ତାଙ୍କର ପ୍ରତିଟି ସୃଷ୍ଟି ବିଚିତ୍ର ବର୍ଣ୍ଣ ବୈଭବରେ ରୂପବନ୍ତ୤ ଆପଣାର ପ୍ରତିଟି କବିତାରେ ନିଜର ସ୍ବତନ୍ତ୍ର ଭାଷା ଶୈଳୀର ପରିଚୟ ଦେବାସହ ଛନ୍ଦ, ଉପମା, ପ୍ରତୀକ, ଚିତ୍ରକଳ୍ପ ଆଦିର ବହୁଳ ପ୍ରୟୋଗକରି ସମସାମୟିକ କବିମାନଙ୍କ ମଧ୍ୟରେ ନିଜ ପାଇଁ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟିକରିପାରିଛନ୍ତି୤ ଡକ୍ଟର ପରିଛା ପଟନାୟକଙ୍କ କବିତା ସ୍ଥଳବିଶେଷରେ ସରଳଭାଷୀ ଓ ସ୍ବାଭାବିକ ଅଥଚ ଅନ୍ତରୀଣ ଛନ୍ଦରେ ଗୀତିମୟ ଓ ବ୍ୟଞ୍ଜନାଧର୍ମୀ୤ ତାଙ୍କ କବିତାରେ ପରମ୍ପରା ଓ ଆଧୁନିକତା ସବୁବେଳେ ହାତ ଧରାଧରି ହୋଇ ଚାଲନ୍ତି୤ ଉଭୟ ଗ୍ରାମ୍ୟ ଓ ସାଧୁଶବ୍ଦର ପ୍ରୟୋଗ ମାଧ୍ୟମରେ ଓଡ଼ିଆ ମାଟିର ସାଂସ୍କୃତିକ ଜୀବନ ନିର୍ଯ୍ୟାସକୁ ପରିବେଷଣ କରିବାରେ କବି ହରପ୍ରସାଦଙ୍କର ଏକ ସ୍ବତନ୍ତ୍ରତା ରହିଛି୤

ସାହିତ୍ୟ କୃତ୍ତି:

ଗଣତିରେ ନୁହେଁ ଗୁଣରେ ବିଶ୍ବାସ ରଖୁଥିବା କବି ହରପ୍ରସାଦ ନିଜ ସୃଜନସେବାର ଦୀର୍ଘ ଚାରି ଦଶନ୍ଧି ମଧ୍ୟରେ ଓଡିଆ ସାହିତ୍ୟକୁ ଯାହା ଦେଇଛନ୍ତି ତାହାର ମହତ୍ତ୍ବ ଏଠି ବଖାଣିବା ଅନାବଶ୍ୟକ୤ ପରିମାଣାତ୍ମକ ଦୃଷ୍ଟିରୁ ନହେଲେ ମଧ୍ୟ ଗୁଣାତ୍ମକ ଦୃଷ୍ଟିକୋଣରୁ ତାଙ୍କ କବିତା ସମଗ୍ର ନିଶ୍ଚିତ ଭାବେ ଏକ ସ୍ବତନ୍ତ୍ର ପରିଚିତି ଦାବିକରେ୤

ଏଯାବତ୍ ପ୍ରକାଶିତ ତାଙ୍କର କବିତା :

କବିତା ସଙ୍କଳନ: ପିଙ୍କି କଥା (୧୯୭୬), ଏକା ଏକା ସନ୍ୟାସୀ (୧୯୮୧), ଅଥୟ ସୂର୍ଯ୍ୟ (୧୯୯୦), ଆୟୁଷ୍ମାନ ସମୟ (୧୯୯୫), ସବୁଅନ୍ଧାର ଆଜି ରାତିରେ (୧୯୯୬), ଜୀବନ ଜଙ୍ଘା (୨୦୦୪) ଓ ଅରଣ୍ୟରେ ଯେତେ ଦିନ (୨୦୦୭)୤

ଅନୁବାଦ : ନିରବତାର ସ୍ବର (୧୯୭୮) (ଗ୍ରୀକ୍ କବିତାଗୁଡ଼ିକର ଓଡ଼ିଆ ଅନୁବାଦ), Solder in Exile (୧୯୮୯) (କବି ରମାକାନ୍ତ ରଥଙ୍କ କିଛି କବିତାର ଇଂରାଜୀ ଅନୁବାଦ), Hawk and Other Stories (୧୯୯୦) (ଗାଳ୍ପିକ ଡକ୍ଟର ହୃଷୀକେଶ ପଣ୍ଡାଙ୍କ ଗପର ଇଂରାଜୀ ଅନୁବାଦ ଓ ସମ୍ପାଦନା), Selected Oriya Poems (କବି ସୀତାକାନ୍ତ ମହାପାତ୍ର ଓ ଅନ୍ୟମାନଙ୍କ ସହ ଓଡ଼ିଆ କବିତାର ଇଂରାଜୀ ଅନୁବାଦ), ଓ ସୂର୍ଯ୍ୟତୃଷ୍ଣା(କବି ସୀତାକାନ୍ତ ମହାପାତ୍ରଙ୍କ ସମ୍ପାଦନାରେ ଅନ୍ୟମାନଙ୍କ ସହ ମେସିଡୋନିଆ କବିତାର ଓଡ଼ିଆ ଅନୁବାଦ) ୤

ଏତଦ୍‌ଭିନ୍ନ, କବି ହରପ୍ରସାଦ ପରିଛା ପଟନାୟକ ମଧ୍ୟ ଅନେକ ସମ୍ମାନସ୍ପଦ ସାହିତ୍ୟ ପତ୍ରିକାର ସମ୍ପାଦନା କାର୍ଯ୍ୟ ଖୁବ୍ ସଫଳତାର ସହ ତୁଲାଇଛନ୍ତି୤ ତନ୍ମଧ୍ୟରୁ, Probitas & Vortex (ଇଂରାଜୀ), ଆବର୍ତ୍ତ (୧୯୮୨-୮୪) (ମାସିକ ଓଡ଼ିଆ ସାହିତ୍ୟ ପତ୍ରିକା), Sun Times (ଇଂରାଜୀ ଖବରକାଗଜର ସାହିତ୍ୟ ପୃଷ୍ଠା) ଇତ୍ୟାଦି ଉଲ୍ଲେଖଯୋଗ୍ୟ୤ କବି ସ୍ବାମୀ ଅରୁପାନନ୍ଦଙ୍କ ଦ୍ବାରା ଇଂରାଜୀରେ ଲିଖିତ ଦୁଇଗୋଟି କବିତା ପୁସ୍ତକ-Songs for Kanha, Corals of Time, ଗବେଷଣାଧର୍ମୀ ପୁସ୍ତକ Sorrow of Cosmos ର ସମ୍ପାଦନା କରିଛନ୍ତି୤

ଓଡ଼ିଆ ସାହିତ୍ୟରେ ନିଜର ଉଲ୍ଲେଖନୀୟ ଅବଦାନ ପାଇଁ ଶ୍ରୀ ପରିଛା ପଟନାୟକ ଅନେକ ପୁରସ୍କାର ଓ ସମ୍ମାନରେ ସମ୍ମାନୀତ୤

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →