ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ସର୍ବମୋଟ ମତଦାନ: ୧୮୨୮ Back to Vote Screen

ଲେଖକ ଓ ଲେଖିକା

ରବି ଶତପଥୀ
ଶକ୍ତି ମହାନ୍ତି
ସେନାପତି ପ୍ରଦ୍ୟୁମ୍ନ କେଶରୀ
ମୃଣାଳ
ଅମିୟବାଳା ପଟ୍ଟନାୟକ
ଗୋପୀନାଥ ମହାନ୍ତି

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

 
 
ତା: ମାର୍ଚ୍ଚ୍ ୩୦, ୨୦୧୨  
ମୂଳ ପୃଷ୍ଠାପ୍ରଚ୍ଛଦ
 


ଅଳକା ଚାନ୍ଦଙ୍କ ସୃଷ୍ଟି

ଗଳ୍ପ ସଙ୍କଳନ : ଧୁମାଳ(୧୯୭୭), କହଇ ମନ ଆରେ(୧୯୮୯), ମୁଁ ନୁହେଁ କମଳେଶ୍‌ କହୁଛି(୧୯୮୯), ସେତୁର ନାମ କାଜ୍‌ରୀ(୧୯୯୬), ସ୍ଥିର ନକ୍ଷତ୍ର(୨୦୦୦), ଭାରତ ଫେରୁଛି(୨୦୦୨), ଶାଶୁ ଘର ଗାଁ(୨୦୦୪), ଡାକଘର ଓ ଜହ୍ନ(୨୦୦୮), ନିଃସର୍ତ୍ତ ସମ୍ପର୍କ(୨୦୧୦)

ଉପନ୍ୟାସ :- ସାଆନ୍ତେ ଥିଲେ ବୋଲି (୧୯୯୦), ଡାଲିମ୍‌ ବୋଲି ଝିଅଟିଏ(୨୦୦୧)

ଅନୁବାଦ :-ମାନବ ଭୂମି -୨୦୦୨ (ଶୀର୍ଷେନ୍ଦୁ ମୁଖୋପାଧ୍ୟାୟଙ୍କ ମାନବ ଜମିନ୍‌), ଅନୁଭବ-୨୦୦୬ (ଦ୍ବିବେନ୍ଦୁ ପାଲିତଙ୍କ ଅନୁଭବ), ମୈମନ ସିଂ ଗୀତିକା, କନକ ଲତା (ସୁନୀଲ ଗଙ୍ଗୋପାଧ୍ୟାୟଙ୍କ ମୂଳ ଲେଖା)

ପ୍ରବନ୍ଧ ସଙ୍କଳନ :- ଆରଣ୍ୟକର ଇତିବୃତ(ସମ୍ପାଦନା)
ଏହା ବ୍ୟତୀତ ଲେଖିକା କେନ୍ଦ୍ର ସାହିତ୍ୟ ଏକାଡ଼େମୀ ଦ୍ବାରା ପ୍ରକାଶିତ ଏବଂ ନିଜର କେତେକ କୃତିକୁ ମଧ୍ୟ ଅନ୍ୟ ଭାଷାରେ ଅନୁବାଦ କରିଛନ୍ତି୤
ପୁରସ୍କାର ଓ ସମ୍ମାନ :- ଓଡ଼ିଶା ସାହିତ୍ୟ ଏକାଡ଼େମୀ (୨୦୦୨) ଏବଂ ଅନ୍ୟାନ୍ୟ ଅନେକ ପୁରସ୍କାର ଓ ସମ୍ମାନ

୧) ଆପଣଙ୍କ ରଚିତ ପ୍ରଥମ କ୍ଷୁଦ୍ରଗଳ୍ପ କେଉଁଟି? ତାହା ପ୍ରକାଶ ପାଇବା ପରେ କଣ ଆପଣଙ୍କ ଅନୁଭବ ଥିଲା ?
ଉ-“ଶବ୍ଦ ତରଙ୍ଗ” ମୋର ପ୍ରଥମ ଗଳ୍ପ୤ ଏହା ଝଙ୍କାରରେ ୧୯୭୧ ମସିହାରେ ଯେଉଁଦିନ ପ୍ରକାଶ ପାଇଲା ସେହିଦିନ ମୁଁ ଖୁବ୍‌ ଆନନ୍ଦିତ ହୋଇଥିଲି୤ ପାଠକମାନେ ଯେ ମୋତେ ଗ୍ରହଣ କରିବେ ଏଇ ସ୍ବପ୍ନ ମୋରି ଭିତରେ ତିଆରି ହୋଇଥିଲା୤ ବିଶେଷ କରି ହରେକୃଷ୍ଣ ମହତାବଙ୍କ ଉପରେ ମୁଁ ବେଶି ଖୁସି ହୋଇ ଯାଇଥିଲି୤ ପରେ ତାଙ୍କ ସହ ସାକ୍ଷାତ୍‌ ହେବାରୁ ମୁଁ ତାଙ୍କର ଆଶୀର୍ବାଦ ଭିକ୍ଷା କରିଥିଲି୤

୨) “ଧୂମାଳ” କ୍ଷୁଦ୍ରଗଳ୍ପ ସଙ୍କଳନରୁ ଆପଣଙ୍କର ଓଡ଼ିଆ ଗଳ୍ପ ସାହିତ୍ୟରେ ପ୍ରବେଶ୤ “ଧୂମାଳ” କ୍ଷୁଦ୍ରଗଳ୍ପ ସଙ୍କଳନ ସମ୍ପର୍କରେ ଆପଣ ଅଭିମତ ପ୍ରଦାନ କରନ୍ତୁ?
ଉ-ତା”ପରେ ମୋର ଅନେକ ଗଳ୍ପ “ଝଙ୍କାର”, “ନବଲିପି” ଓ ଇତ୍ୟାଦି ବହୁ ପ୍ରତିଷ୍ଠିତ ପତ୍ରିକାର ପ୍ରକାଶ ପାଇଲା୤ ଫ୍ରେଣ୍ଡସ୍ ପବ୍ଲିଶର୍ସର ମୁଖ୍ୟ ସହଦେବ ପ୍ରଧାନ ସ୍କୁଲମାନଙ୍କୁ ବହି ଯୋଗାଇବା ପାଇଁ ରାଉରକେଲା ଆସିଥାନ୍ତି୤ ସେତେବେଳେ ମୁଁ ଶିକ୍ଷକତା ପେଶାରେ ଚାକିରି କରୁଥାଏ୤ ମୋର ସ୍ବାମୀ ଇସ୍ପାତ ଜେନେରାଲ ହସ୍ପିଟାଲ୍‌ରେ ଡାକ୍ତର ଥାଆନ୍ତି୤ ସେହି ସମୟରେ ମୋର ଭେଟ ହୁଏ ସହଦେବ ପ୍ରଧାନଙ୍କ ସହିତ୤ ତାଙ୍କୁ ମୁଁ ଅନୁରୋଧ କଲି ଏବଂ ସେ “ଧୁମାଳ”କୁ ପ୍ରକାଶିତ କରିବାର ଦାୟିତ୍ବ ନେଲେ ଓ ପ୍ରକାଶ କଲେ୤ ତା’ପରେ ଦ୍ବିତୀୟ ସଙ୍କଳନ “କହଇ ମନ ଆରେ” ପ୍ରକାଶ କଲେ୤ ସହଦେବ ବାବୁ ମୋ ଉପରେ ଟିକିଏ ଆନନ୍ଦିତ ହେବାରୁ ମୁଁ ଅଧିକ ଉତ୍ସାହିତ ହେଲି୤ କ୍ରମାଗତ ଭାବରେ ସେ ମୋର ୭ ଖଣ୍ଡ କ୍ଷୁଦ୍ରଗଳ୍ପ ସଙ୍କଳନ ଏବଂ “ସାଆନ୍ତେ ଥିଲେ ବୋଲି” ଉପନ୍ୟାସକୁ ୧୯୯୦ ମସିହାରେ ପ୍ରକାଶ କଲେ୤ ପ୍ରକାଶକ ଭାବେ ମୋର ତାଙ୍କ ପ୍ରତି ଗଭୀର କୃତଜ୍ଞତା ରହିଛି୤ ସାହିତ୍ୟ କ୍ଷେତ୍ରରେ ବଢ଼ିବା ପାଇଁ ସେ ମୋତେ ପ୍ରୋତ୍ସାହନ ଦେଇଛନ୍ତି୤ ଏତେ ଦୂରରେ ଥାଇ ମଧ୍ୟ ଆଗକୁ ବଢ଼େଇ ନେବାରେ ତାଙ୍କର ସହଯୋଗ ଭୁଲିବାର ନାହିଁ୤

୩) “ଶାଶୂଘର ଗାଁ” କ୍ଷୁଦ୍ରଗଳ୍ପ ସଙ୍କଳନ ସମ୍ପର୍କରେ ଅଭିମତ ପ୍ରକାଶ କରନ୍ତୁ ?
ଉ- ଜଣେ ବୁଢ଼ୀ ତା ଶାଶୂଘରକୁ କେତେ ଭଲ ପାଏ ସେହି କଥାବସ୍ତୁ ଉପରେ “ଶାଶୂଘର ଗାଁ” ସଙ୍କଳନ ଆଧାରିତ୤ ଗାଁ ଛାଡି ଜଣେ ବର୍ଷିୟାନ ବୁଢ଼ୀ ନିଜ ଝିଅ ଘରେ ରହିଛି୤ ସବୁ ପ୍ରକାର ସ୍ନେହ, ଯତ୍ନ ସତ୍ତ୍ବେବି ତାରି ପରିପୂର୍ଣ୍ଣତା ଆସୁନାହିଁ୤ ଗାଁରେ ଛାଡ଼ି ଆସିଥିବା ଉଇଖିଆ ଶାଶୂଘରକୁ ସେ ଜମା ଭୁଲିପାରୁନାହିଁ୤ ଯଥେଷ୍ଟ ଯତ୍ନ ଓ ସହରର ସମସ୍ତ ଆଧୁନିକ ବ୍ୟବସ୍ଥା ତା ମନକୁ ବାନ୍ଧି ପାରୁନାହିଁ୤ ସେ ଅସୁସ୍ଥତା ହେତୁ ଇସ୍ପାତ ଜେନେରାଲ୍‌ ହସ୍ପିଟାଲରେ ଭର୍ତ୍ତି ହୁଏ୤ କିନ୍ତୁ ଯେତେବେଳେ ସେ ପଦାକୁ ବାହାରି ଆସେ ସେତେବେଳେ ତା‘ର ମନେ ପଡ଼େ ଗାଁର ପବିତ୍ର ମାଟି, ତା’ ଜୀବନର ଗଙ୍ଗା ତା ବାଡ଼ି ପୋଖରୀ ଓ ଗାଁ ପବନ, ଏ ସମସ୍ତ ତା ପ୍ରାଣରେ ଝଙ୍କୃତ ହୁଏ୤ ସେ ଅନୁନୟ କରେ ଶାଶୂଘରକୁ ଫେରିଯିବାକୁ୤ ଏଇ କଥାବସ୍ତୁ ଉପରେ “ଶାଶୂଘର ଗାଁ” ଗଳ୍ପ ଲିଖିତ୤

୪) ଆଜିର ଓଡ଼ିଆ କ୍ଷୁଦ୍ରଗଳ୍ପ ପାଠକର କେତେ ନିକଟତର ବୋଲି ଆପଣ ଭାବୁଛନ୍ତି ?
ଉ- ଆଜିର କେତେକ ଓଡ଼ିଆ କ୍ଷୁଦ୍ରଗଳ୍ପ ଶକ୍ତିଶାଳୀ୤ କିନ୍ତୁ ଅଧିକାଂଶ ଗଳ୍ପ ନିଷ୍ପ୍ରାଣ, ଗତିବିହୀନ ବା ଜୀବନ ସହିତ ସମ୍ପର୍କ ନଥିବା ପ୍ଲଟ୍‌ ଉପରେ ଆଧାରିତ ନକାରାତ୍ମକ ଗଳ୍ପ୤ କହିବାକୁ ଗଲେ ନକାରାତ୍ମକ ଭାବ ପୋଷଣ କରୁଥିବା ଯାହା ଗଳ୍ପ ପାଠକଙ୍କୁ ସ୍ପନ୍ଦିତ କରେ ନାହିଁ୤ ଯେପରି ଫକୀର ମୋହନ, ସୁରେନ୍ଦ୍ର ମହାନ୍ତି, ମନୋଜ ଦାସ, ଶାନ୍ତନୁ ଆଚାର୍ଯ୍ୟ, ବୀଣାପାଣି ମହାନ୍ତି ଏଇ ମାନଙ୍କୁ ପଢ଼ିଲେ ମନେ ହୁଏ, ଏ ଚରିତ୍ର ସବୁ ଆମ ଗାଁର, ଆମ ଓଡ଼ିଶାର, ଆମ ମାଟି ପବନର ବା ଆମ ପରିବାରର ସ୍ବାଭାବିକ କଥା୤ ସେମାନଙ୍କ ସାହିତ୍ୟ କାଳଜୟୀ୤ ଗଳ୍ପର ମନସ୍ତାତ୍ତ୍ବିକ ଦିଗଟି ଏଇମାନଙ୍କ କଥାରେ ଯଥେଷ୍ଟ ପ୍ରଭାବଶାଳୀ୤

୫) ପ୍ରଥମେ ଗଳ୍ପ ରଚନା କରିବା ପାଇଁ ଆପଣ କାହାଠାରୁ ପ୍ରେରଣା ଲାଭ କରିଥିଲେ ?
ଉ- ପ୍ରକୃତରେ ମୁଁ ଜଣେ ସଙ୍ଗୀତ ଶିଳ୍ପୀ୤ ରାଉରକେଲା ଆସିବା ପର୍ଯ୍ୟନ୍ତ ମୁଁ ଗାଉଥିଲି ଓ କବିତା ଲେଖୁଥିଲି୤ ମୋର ଛୋଟ ଛୋଟ କବିତା ଓ ଗଳ୍ପ “ସମାଜ” ଓ “ପ୍ରଜାତନ୍ତ୍ର”ରେ ପ୍ରକାଶ ପାଉଥିଲା୤ ରାଉରକେଲାରେ ଶିକ୍ଷକତା କରିବା ପରେ (ଚତୁର୍ଭୁଜ ନନ୍ଦୀ, ଔପନାସିକ ଶଶିଭୁଷଣ ମହାପାତ୍ର, ଏଇ ମାନଙ୍କ ସହ ମୋର ପ୍ରତ୍ୟେକ ଦିନ ସାକ୍ଷାତ୍‌ ହେଲା ଇସ୍ପାତ ବିଦ୍ୟାଳୟ ପରିସରରେ୤ ସେମାନେ ମଧ୍ୟ ଶିକ୍ଷକତା କରୁଥିଲେ ସେହି ବିଦ୍ୟାଳୟରେ୤ ସେମାନେ ଉଭୟ ଉଚ୍ଚମାନର ସାହିତ୍ୟିକ ଥିଲେ୤ ସେମାନଙ୍କ ସହ ଆଲୋଚନା କରିବା, ଆଲୋଚନା ଶୁଣିବା- ଏ ସବୁ ଥିଲା ମୋ ପ୍ରୋତ୍ସାହନର ଆଦ୍ୟ ଓଁକାର୤ ତା’ପରେ ରାଉରକେଲାର ସବୁଜିମା, ପାହାଡ଼, ପର୍ବତ, ବ୍ରାହ୍ମଣୀର ଉତ୍ପତ୍ତି ସ୍ଥଳ ତ୍ରିବେଣୀ ସଙ୍ଗମ ବେଦବ୍ୟାସ ଆଦି ମୋ କବି ପ୍ରାଣକୁ ଉଦ୍‌ବେଳିତ କରୁଥିଲା୤ ଏହି ସମୟରେ ସଙ୍ଗୀତ ଶିଳ୍ପୀ ଭାବରେ ମଧ୍ୟ ମୁଁ ସ୍ବୀକୃତି ଲାଭକଲି୤ ଝଙ୍କାର ପରି ପତ୍ରିକାରେ ମୋର ଗଳ୍ପ ସ୍ଥାନିତ ହେବା ସହିତ “ଧୁମାଳ” ପ୍ରକାଶିତ ହେବା ମୋତେ ସାହିତ୍ୟ ଓ ସଙ୍ଗୀତ ସୃଷ୍ଟି ପାଇଁ ପ୍ରୋତ୍ସାହିତ କଲା୤ ୧୯୭୬ ରେ ମୁଁ ଆଲାହାବାଦ ବନାରସ୍ ମ୍ୟୁଜିକ୍ ସର୍କଲରେ ସଙ୍ଗୀତ ଦେଖିବା ଓ ଶୁଣିବାର ସୁଯୋଗ ପାଇଥିଲି୤ ପରେ ଇଂଲଣ୍ଡ ଭ୍ରମଣରେ ଗଲି ଓ ସେଠାରେ LOYAL COLLEGE OF MUSIC ଭ୍ରମଣ କରି ଫେରିବା ପରେ ମୋ ଭିତରେ ନୂଆ ଉଦ୍ଦୀପନା ସଞ୍ଚରିତ ହେଲା୤ ଇତି ମଧ୍ୟରେ ରାଉରକେଲାଠାରେ ନୃତ୍ୟ ସଙ୍ଗୀତ ମହାବିଦ୍ୟାଳୟ ପ୍ରତିଷ୍ଠାର ୩୪ ବର୍ଷ ପୂରଣ ହୋଇଛି୤ ଓଡ଼ିଶା ସରକାର, କେତେକ ଶିଳ୍ପପତି ଓ ଶିଳ୍ପ ଅନୁଷ୍ଠାନ ସହିତ ବିଧାୟକ ଓ ସାଂସଦ, ମନ୍ତ୍ରୀ ତଥା ଇସ୍ପାତ କାରଖାନାର ସହଯୋଗରେ ଏକ ଆଖିଦୃଷ୍ଟିଆ ସଙ୍ଗୀତ ଅନୁଷ୍ଠାନ “ମ୍ୟୁଜିକ୍ ସର୍କଲ୍” ସ୍ଥାପନା ଓ ପରିଚାଳନା ସମ୍ଭବ ହୋଇପାରିଛି୤

୬) ଆପଣଙ୍କ ସାହିତ୍ୟିକ ଜୀବନର ଆଦର୍ଶ କିଏ ?
ଉ- ଔପନ୍ୟାସିକ ଶୀର୍ଷେନ୍ଦୁ ମୁଖୋପାଧ୍ୟାୟ୤ ତାଙ୍କ ସାହିତ୍ୟର ସ୍ବତନ୍ତ୍ରତା ମୋତେ ତାଙ୍କ ସାହିତ୍ୟକୁ ଅନୁବାଦ କରିବା ପାଇଁ ଉଦ୍‌ବୁଦ୍ଧ କଲା୤ ତାଙ୍କ ସାହିତ୍ୟରେ ଜୀବନର କଥା ଓ ଦରଦୀ ପଣିଆ ଅଛି୤ ସେଥିପାଇଁ ମୁଁ ତାଙ୍କୁ ମୋ ସାହିତ୍ୟ ଜୀବନର ଆଦର୍ଶ ଭାବେ ଗ୍ରହଣ କରେ୤

୭) ସାହିତ୍ୟିକମାନଙ୍କର ସାମାଜିକ ଅଙ୍ଗୀକାରବଦ୍ଧତା ରହିବା ଉଚିତ୍ କି ନାହିଁ ?
ଉ- ନିହାତି ଆବଶ୍ୟକ୤ ସାହିତ୍ୟିକ ଯଦି ତା କଥା କହିବ ତେବେ ସମାଜଠାରୁ ତା ସାହିତ୍ୟ ଖୁବ୍ ଦୂରରେ ଥିବ୤ ଯେଉଁ ସାହିତ୍ୟରେ ଖାଲି ଗୁଡ଼ିଏ ନକାରାତ୍ମକ ବା ଆଜେବାଜେ କଥା ଥିବ ପାଠକ ସେହି ସାହିତ୍ୟ ପ୍ରତି ବିମୁଖ ହେବା ସାର ହେବ୤

୮) ଅନୁବାଦ “ମାନବଭୂମି ପାଇଁ” ଆପଣ ରାଜ୍ୟ ସାହିତ୍ୟ ଏକାଡ଼େମୀ ପୁରସ୍କାର ପ୍ରାପ୍ତ୤ ତେବେ କୁହନ୍ତୁ ଜଣେ ଅନୁବାଦକ କେଉଁ ଦିଗ ପ୍ରତି ଅଧିକ ଯତ୍ନବାନ୍ ହେବା ଉଚିତ୍ ?
ଉ- ପ୍ରଥମେ ଭାଷା ଓ ଶୈଳୀର ମୌଳିକତା ରକ୍ଷା କରିବା, ମୂଳ ଲେଖକର ମାନସିକତା ପ୍ରତି ଯତ୍ନଶୀଳ ହେବା୤ ଯେମିତିକି ଅନୁବାଦକୁ ନେଇ ମୂଳ ଲେଖକ କ୍ଷୁବ୍ଧ ନହୁଏ ବା ଦୁଃଖ ନପାଏ୤ ତା’ର ମୂଳ ଲେଖା ପରିବର୍ତ୍ତିତ ନହେବା ପାଇଁ ଚେଷ୍ଟା କରିବା ଉଚିତ୍୤ ମୂଳ ଲେଖାରେ ଥିବା ସଂସ୍କୃତି ଓ ସ୍ଥାନର ଭୌଗୋଳିକ ଅବସ୍ଥିତି ସମ୍ପର୍କରେ ଅନୁବାଦକର ଧାରଣା ଥିବା ଦରକାର୤

୯) “ମାନବ ଜମିନ୍” ଅନୁବାଦ କରିବା ପାଇଁ କାହିଁକି ନିଷ୍ପତ୍ତି ନେଲେ?
ଉ- କେନ୍ଦ୍ର ସାହିତ୍ୟ ଏକାଡ଼େମୀ କର୍ତ୍ତୃପକ୍ଷଙ୍କ ଅନୁରୋଧରେ ମୁଁ ତାହା କରିଛି୤ ଏଥିପାଇଁ ମୋତେ ଅଢ଼େଇ ବର୍ଷ ଲାଗିଥିଲା୤ ଏହି ଅନୁବାଦକୁ ଲେଖିଲା ବେଳେ ମୁଁ ବହୁତ କାନ୍ଦିଛି୤

୧୦) ନିକଟରେ ଓଡ଼ିଆ ସାହିତ୍ୟ ଏକାଡ଼େମୀ ଓ କେନ୍ଦ୍ର ସାହିତ୍ୟ ଏକାଡ଼େମୀର ପୁରସ୍କାର ନେଇ ବାଦାନୁବାଦ ପରିସ୍ଥିତି ସୃଷ୍ଟି ହୋଇଛି୤ ଏ ସମ୍ପର୍କରେ ଆପଣଙ୍କର ଅଭିମତ ପ୍ରଦାନ କରନ୍ତୁ?
ଉ- ଏ ବାବଦରେ ମୋର କିଛି କହିବାର ନାହିଁ୤

୧୧) ଜଗତୀକରଣ ପ୍ରକ୍ରିୟାରେ ଓଡ଼ିଆ ସାହିତ୍ୟର ଭବିଷ୍ୟତ କ’ଣ ବୋଲି ଆପଣ ଭାବୁଛନ୍ତି ?
ଉ- ଆମେ ପରିଶ୍ରମକାତର ଅଟୁ୤ ଆମ ଦେଶରେ ନିଷ୍ଠାର ଅଭାବ୤ ଅନ୍ୟ ଦେଶ ଯଦି ଆଗେଇ ପାରୁଛି ଆମେ କାହିଁକି ଆଗେଇ ପାରିବାନି୤ ଭାବପ୍ରବଣତା ଥିଲେ ଓଡ଼ିଆ ସାହିତ୍ୟ ବଢ଼ିବ୤

୧୨) ସାହିତ୍ୟିକମାନେ କେଉଁ ଆଦର୍ଶରେ ପରିଚାଳିତ ହେବା ଉଚିତ୍?
ଉ- ବିଭିନ୍ନ ପରିପେକ୍ଷୀରେ ବିଭିନ୍ନ ଆଦର୍ଶ୤ ଗୋଟିଏ ଆଦର୍ଶରେ ଚଳିବା ଉଚିତ୍ ନୁହେଁ୤ ମାନବବାଦ ମୂଳ ଆଦର୍ଶ ହେବା ଉଚିତ୍୤ ଯେପରି ଶୀର୍ଷେନ୍ଦୁ ତାଙ୍କ ଲେଖାରେ ଅପରାଧୀମାନଙ୍କୁ କ୍ଷମା ଦେଇଛନ୍ତି୤

୧୩) ଆପଣଙ୍କ ପରବର୍ତ୍ତୀ ସୃଷ୍ଟି କଣ?
ଉ- କ୍ଷୁଦ୍ରଗଳ୍ପ ସଙ୍କଳନ (ଅନୁଚ୍ଚାରିତ ପ୍ରେମର ସିନୋପସିସ୍) ପ୍ରକାଶ ପାଇବା ଅପେକ୍ଷାରେ୤ ଏହା ବ୍ୟତୀତ “ମା‘ ମୋର ଚାଲିଗଲା” କବିତା ସଙ୍କଳନ ମଧ୍ୟ ପ୍ରକାଶ ପାଇବା ଅପେକ୍ଷାରେ୤

୧୪) କେଉଁଥିରେ ଆପଣ ଅଧିକ ଆତ୍ମତୃପ୍ତି ପାଆନ୍ତି? ସାହିତ୍ୟରେ ନା ସଙ୍ଗୀତ ସାଧନାରେ ?
ଉ- ଉଭୟ ସାଧନା ମୋର ଅତି ପ୍ରିୟ୤ ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାର ପାଇବା ପରେ ସାହିତ୍ୟରେ ଆଗେଇଲି୤ ନାଟକ, ସାହିତ୍ୟ ଓ ସଙ୍ଗୀତ ତ୍ରିବେଣୀ ସଙ୍ଗମ ହେଉଛି ମୁଁ ସ୍ଥାପନା କରିଥିବା ଅନୁଷ୍ଠାନ “ମ୍ୟୁଜିକ୍ ସର୍କଲ୍”୤

୧୫) ସଙ୍ଗୀତ ସାଧନା ପାଇଁ ରାଉରକେଲାରେ ଆପଣ ସ୍ଥାପନ କରିଛନ୍ତି ମ୍ୟୁଜିକ୍ ସର୍କଲ୍‌୤ ଏହି ବୃହତ୍ତର ଅନୁଷ୍ଠାନର ମୂଳ ଲକ୍ଷ୍ୟ କଣ?
ଉ- ଏହା ମାଧ୍ୟମରେ ରାଉରକେଲା ଓ ପାଖାପାଖି ଅଞ୍ଚଳରେ ରହୁଥିବା ଛୋଟ ଛୋଟ ପିଲାମାନଙ୍କର ରୁଚି ଓ ଇଚ୍ଛାକୁ ପ୍ରୋତ୍ସାହନ ଦେବା ସହ ଉତ୍ତମ ପ୍ରଶିକ୍ଷକଙ୍କ ଦ୍ବାରା ସେମାନଙ୍କୁ ଏ ବାବଦରେ ଅଧିକ ପ୍ରଶିକ୍ଷଣ ଦେବା୤ ଏହା ବ୍ୟତୀତ ବିଭିନ୍ନ ସମୟରେ ଆଞ୍ଚଳିକ ଓ ରାଜ୍ୟସ୍ତରର ନୃତ୍ୟ, ସଙ୍ଗୀତ ଓ ସାହିତ୍ୟ କାର୍ଯ୍ୟକ୍ରମ ଆୟୋଜନ କରିବା ହେଉଛି ଅନ୍ୟ ଏକ ଉଦ୍ଦେଶ୍ୟ୤

୧୬) ଓଡ଼ିଆ ସାହିତ୍ୟ ଡଟ୍ କମ୍ ପାଇଁ ଆପଣଙ୍କ ବାର୍ତ୍ତା ?
ଉ- ସାମ୍ପ୍ରତିକ ସମୟରେ ଏହା ସ୍ବାଗତଯୋଗ୍ୟ ପଦକ୍ଷେପ୤

ଓଡ଼ିଆ ସାହିତ୍ୟ ଡଟ୍‌ କମ୍‌ ପକ୍ଷରୁ ଏହାର ସଂଯୋଜକ ଉମାକାନ୍ତ ମିଶ୍ରଙ୍କ ଦ୍ବାରା ‘ମ୍ୟୁଜିକ୍‌ ସର୍କଲ୍‌, ରାଉରକେଲା’ ପରିସରରେ ଫେବୃଆରୀ-୨୦୧୨ ରେ ଉପରୋକ୍ତ ସାକ୍ଷାତକାରଟି ନିଆଯାଇଥିଲା୤

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 

ମତାମତ ସଂଖ୍ୟା - ୧ ଆପଣଙ୍କ ମତାମତ ?

  • ୧. ମନ୍ମଥ କୁମାର ଦଳେଇ |  ସେପ୍ଟେମ୍ବର୍ ୧୭, ୨୦୧୬ - ୧୧:୧୫ ପୂର୍ବାହ୍ନ

    ସାହିତ୍ୟିକ ଅଳକା ଚାନ୍ଦ ଜଣେ ଅତି ଉଚ୍ଚକୋଟୀର ଲେଖିକା । ବିଚକ୍ଷଣ ତାଙ୍କର ଚିନ୍ତାଧାରା । ସାକ୍ଷାତକାର ବହୁତ ଭଲ ଲାଗିଲା ।

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤