ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ରମାକାନ୍ତ ରଥ
ମନୋରଞ୍ଜନ ପାଣିଗ୍ରାହୀ
ବିଜୟ ମିଶ୍ର
ଫକୀରମୋହନ ସେନାପତି
ମନମୋହନ ମିଶ୍ର
ବିରଜା ବଳ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

 
 
ତା: ଜୁଲାଇ ୩୧, ୨୦୧୩  
ମୂଳ ପୃଷ୍ଠାପ୍ରଚ୍ଛଦ
 

ବହୁମୁଖୀ ପ୍ରତିଭାର ଅଧିକାରୀ ସେ, ସରସ୍ବତୀଙ୍କ ବରପୁତ୍ର୤ ସାହିତ୍ୟର ସମସ୍ତ ବିଭାଗରେ ଲେଖନୀ ଚାଳନା କରି ଅଜସ୍ର ପାଠକୀୟ ଶ୍ରଦ୍ଧା ତଥା ପୁରସ୍କାର ଓ ସମ୍ମାନ ସାଉଁଟିଥିବା ସେଇ ସିଦ୍ଧ ସାଧକ ହେଉଛନ୍ତି ପ୍ରଫେସର ଚନ୍ଦ୍ରଶେଖର ରଥ୤ ସାହିତ୍ୟ ବାତାୟାନ ଆରପଟେ ସେ ହେଉଛନ୍ତି ଜ୍ୟୋତ୍ସ୍ନା ବିଧୌତ ଚନ୍ଦ୍ରମା-ଜଣେ ଭଲ ସ୍ଥପତି ଆଉ ଚିତ୍ରଶିଳ୍ପୀ୤ ୧୯୨୯ ମସିହା ଅଗଷ୍ଟ ୧୭ ତାରିଖରେ ବଲାଙ୍ଗୀର ସହରରେ ଜନ୍ମ ଗ୍ରହଣ କରିଥିବା ଏହି ସାରସ୍ବତ ସାଧକଙ୍କର ଶିକ୍ଷାଦାନ ଥିଲା ଜୀବନର ଆଉ ଏକ ଅଙ୍ଗ୤ ଉପନିଷଦୀୟ ଆଧ୍ୟାତ୍ମିକ ଦର୍ଶନ ତାଙ୍କ ପ୍ରବନ୍ଧ, ଗଳ୍ପ, ଉପନ୍ୟାସ ତଥା କବିତାର ଛତ୍ରେ ଛତ୍ରେ ଫୁଟି ଉଠିଛି୤ ପିଲାବେଳୁ ବେଦ ପାଠରୁ ଜୀବନ ଆରମ୍ଭ କରିଥିବା ଏହି ସାହିତ୍ୟ ସାଧକଙ୍କ ସହିତ “ଓଡ଼ିଆ ସାହିତ୍ୟ ଡଟ୍‌କମ୍‌ର” ପ୍ରତିନିଧି ସାକ୍ଷାତ କରିଥିଲେ୤

ଚନ୍ଦ୍ରଶେଖର ରଥଙ୍କ ସୃଷ୍ଟି ସମ୍ଭାର:

ଉପନ୍ୟାସ: ଯନ୍ତ୍ରାରୂଢ (୧୯୬୭), ଅସୂର୍ଯ୍ୟ ଉପନିବେଶ (୧୯୭୪), ନବଜାତକ (୧୯୮୧)

କ୍ଷୁଦ୍ରଗଳ୍ପ ସଙ୍କଳନ: ଅନେକ ବନ୍ୟାପରେ (୧୯୭୮), ଅଶ୍ବାରୋହୀର ଗଳ୍ପ (୧୯୭୯), ସମ୍ରାଟ ଓ ଅନ୍ୟମାନେ (୧୯୮୦), ଅନ୍ୟ ଏକ ସକାଳ (୧୯୮୧), ସବୁଯାକ ସ୍ବପ୍ନ (୧୯୮୪), ବାଘ ସବାର (୧୯୮୭), ଏତେ ପାଖରେ ସମୁଦ୍ର (୧୯୮୮), ବିକ୍ରୀ ପାଇଁ ଫୁଲମାଳ (୧୯୯୦), ସ୍ବପ୍ନ ବାହାକ (୧୯୯୨), ସବୁଠାରୁ ଦୀର୍ଘରାତି (୧୯୯୪), ଅନ୍ତିମ (୧୯୯୬), କ୍ରମଶଃ ଗଭୀର ନଈ (୧୯୯୬), ଶିଖର ଲଙ୍ଘନ (୨୦୦୨), ନାଗାନ୍ତକ ବିଦ୍ୟା (୨୦୦୪), ସନ୍ଧିକାଳ (୨୦୦୭),

ନିବନ୍ଧ ସଙ୍କଳନ: ଦୃଷ୍ଟି ଓ ଦର୍ଶନ (୧୯୭୧), ଏ ଯେଉଁ ପୃଥିବୀ (୧୯୭୫), ମୁଁ ସତ୍ୟଧର୍ମା କହୁଛି (୧୯୭୭), ମଧୁସନ୍ଧାନ (୧୯୭୮), ଉତ୍ତର ଅରଣ୍ୟ (୧୯୭୦/୮୦), ଅଶ୍ରୁତ ସ୍ବର (୧୯୮୧), କ୍ରୀତଦାସର ସ୍ବପ୍ନ (୧୯୮୧), ରଥ ସପ୍ତକ (୧୯୮୫), ବିଶେଷ କଥନ (୨୦୦୫), ଲଘୁ ସଂହିତା (୨୦୧୨), ନିବନ୍ଧ ସଂଗ୍ରହ (୨୦୧୨), ଉନ୍ମୋଚିତ ଦିଗ୍‌ବଳୟ (୨୦୧୨)

କବିତା ସଙ୍କଳନ : ତୁମ ପାଇଁ ପକ୍ଷୀଗାନ (୨୦୦୦), ଆଗକୁ ବନସ୍ତ (୨୦୦୨), ମୋ ଘର ବହୁତ ଦୂର (୨୦୧୨)

ଅନ୍ୟାନ୍ୟ ସଙ୍କଳନ: ଅତିବଡ଼ୀ ଶ୍ରୀମଦ୍‌ ଭାଗବତ ଗୀତା ଭାଷ୍ୟ-ଆଚାର୍ଯ୍ୟ ଶଙ୍କର (୨୦୦୯), ରିଚାର୍ଡ ବାକ୍‌ଙ୍କ ଜନାଥନ୍‌ ସି’ଗଲ୍‌ର ଓଡ଼ିଆ ଅନୁବାଦ ‘ସାଗର ବିହଙ୍ଗ’, ପାଠଚକ୍ର ଡାଏରୀ (୨୦୦୨), ମୃତ୍ୟୁ ଆରପାରିରୁ ସଙ୍କେତ (୨୦୦୩) ଆଦି୤

ଲେଖକୀୟ ସ୍ବୀକୃତି: ପ୍ରଜାତନ୍ତ୍ର ବିଷୁବ ପୁରସ୍କାର (୧୯୬୩), ଝଙ୍କାର ପୁରସ୍କାର (୧୯୭୪), ୧୯୭୭ ମସିହାରେ ରମ୍ୟ ରଚନା ଓ ୧୯୮୨ ମସିହାରେ ଉପନ୍ୟାସ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ସାରଳା ପୁରସ୍କାର (୧୯୮୧), କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର (୧୯୯୭), ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ(୨୦୧୦) ଇତ୍ୟାଦି୤

(୧) ସାହିତ୍ୟର ବିଭିନ୍ନ ବିଭାଗରେ ଆପଣ ପାରଦର୍ଶୀ୤ କେମିତି ସମ୍ଭବ ?
ଅନେକ ସାରସ୍ବତ ସାଧକ ସାହିତ୍ୟର ଗୋଟିଏ ବର୍ଗରେ ଆଜୀବନ ସୀମିତ ରହିବାର ଦୃଷ୍ଟାନ୍ତ ଅନେକ୤ କିନ୍ତୁ ସେମାନେ ତାଙ୍କର ଅନ୍ତରଙ୍ଗ ଆଳାପରେ ସ୍ବୀକାର କରିଥିବାର ମଧ୍ୟ ଜଣାଯାଏ ଯେ, ସେମାନେ ଅନ୍ୟାନ୍ୟ ବର୍ଗରେ ମଧ୍ୟ ପରୀକ୍ଷା ନିରୀକ୍ଷା କରିଛନ୍ତି୤ ଆତ୍ମପ୍ରକାଶର ମାଧ୍ୟମ ଭାବରେ ଯେଉଁ ବର୍ଗଟି ତାଙ୍କ ଇଚ୍ଛା ଓ ଚେତନାର ଅନୁକୂଳ ତାହା ହିଁ ସେ ସ୍ବୀକାର କରିଥାନ୍ତି୤ ମୋ କ୍ଷେତ୍ରରେ ମୁଁ ସେପରି କିଛି ଯୋଜନାବଦ୍ଧ ଭାବରେ ବିଭିନ୍ନ ବର୍ଗରେ ଲେଖିବାକୁ ପ୍ରୟାସ କରି ନାହିଁ୤ ରମ୍ୟ ରଚନା ମାଧ୍ୟମରେ ହିଁ ମୁଁ ଓଡ଼ିଆ ସାହିତ୍ୟରେ ପ୍ରବେଶ କରିଥିଲି୤ କବିତାଧର୍ମୀ ଗଦ୍ୟ ଏବଂ ଦାର୍ଶନିକ ଓ ଆଧ୍ୟାତ୍ମିକ ଉପଲବ୍ଧିର ସ୍ପର୍ଶଥିବା ଲେଖାଗୁଡିକୁ ତା’ର ଭାଷାଶୈଳୀ ଦୃଷ୍ଟିରୁ ପ୍ରଥମେ ରମ୍ୟ ରଚନା ବୋଲି କୁହାଗଲା୤ କିନ୍ତୁ ପରେ ସର୍ବ ଭାରତୀୟସ୍ତରରେ ସ୍ବୀକୃତିପ୍ରାପ୍ତ ଲଳିତ ନିବନ୍ଧ ବର୍ଗରେ ସ୍ଥାନିତ କରାଗଲା୤ ବହୁ ବିଦଗ୍ଧ ପାଠକ ଓ ସମାଲୋଚକ ମୋର ନିବନ୍ଧ ସାହିତ୍ୟକୁ ସ୍ବତନ୍ତ୍ର ସମ୍ମାନ ଦେବା କଥା ମୁଁ ଜାଣେ୤ ତାହା ହିଁ ମୋ ସକାଶେ ସର୍ବଶ୍ରେଷ୍ଠ ମାଧ୍ୟମ ବୋଲି ସେମାନଙ୍କର ମତ ମଧ୍ୟ ମୋ ପାଖରେ ପହଞ୍ଚିଛି୤ କିନ୍ତୁ ଅନିବାର୍ଯ୍ୟ ଭାବରେ ମୁଁ ଗଳ୍ପ ଏବଂ ଉପନ୍ୟାସ କ୍ଷେତ୍ରରେ ମଧ୍ୟ ପ୍ରବେଶ କରିଗଲି୤ ଅନିବାର୍ଯ୍ୟ ଏଇଥିପାଇଁ ଯେ, ମୋର ସୃଜନ କେନ୍ଦ୍ରରେ ମୋର ଭାବ ଓ ଅନୁଭବଗୁଡ଼ିକ ଯେଭଳି ଭାବରେ ବିନ୍ୟସ୍ତ ହୁଅନ୍ତି ଓ ରୂପ ପରିଗ୍ରହ କରନ୍ତି, ତାହା ମୋ ସକାଶେ ଏକ ରହସ୍ୟମୟ ଅଜ୍ଞାତ ପ୍ରକ୍ରିୟା୤ ଏଣୁ ଗଳ୍ପ ରୂପରେ ଆସିଥିବା ସୃଷ୍ଟିକୁ ମୁଁ ରଚନାର ରୂପ ଦେଇ ପାରିବି ନାହିଁ ବା ରଚନାକୁ ଗଳ୍ପ କରିପାରିବି ନାହିଁ୤ ପ୍ରତ୍ୟେକ ବର୍ଗରେ ସ୍ବତନ୍ତ୍ର ଆବେଦନ ଓ ସ୍ବତନ୍ତ୍ର ପ୍ରକାଶଭଙ୍ଗୀ ରହିଛି୤ ମୁଁ ଅନୁଭବ କରିଛି ଯେ କେବଳ ନିବନ୍ଧ ଲେଖିଥିଲେ ମୋର ଅନେକ ଅବିସ୍ମରଣୀୟ ଗଳ୍ପ ଲେଖା ହୋଇପାରି ନଥାନ୍ତା ବା ‘ଯନ୍ତ୍ରାରୂଢ’ ଭଳି ଅନେକ କ୍ଲାସିକ୍‌ ଉପନ୍ୟାସ ଲେଖା ହୋଇପାରି ନଥାନ୍ତା୤ କହିବାର ତାତ୍ପର୍ଯ୍ୟ ହେଲା ଯେ, ଉପାଦାନ ବିଭିନ୍ନ ଭୂମିରେ ଜୀବନର ବିଭିନ୍ନ ସଙ୍ଘାତରୁ ଉତ୍ପନ୍ନ ହୁଏ୤ ଉପାଦାନର ସ୍ତରରେ ତା’ର ବର୍ଗୀକରଣ ନାହିଁ୤ ବର୍ଗୀକରଣ ଆସେ ବିନ୍ୟାସରୁ, ରୂପ ପରିଗ୍ରହଣରୁ୤ ମୁଁ ଭିନ୍ନ ବର୍ଗରେ ଲେଖିଛି, କାରଣ ତାହା ନ କରିଥିଲେ ମୁଁ ଆପଣାକୁ ସମ୍ପୂର୍ଣ୍ଣ ପ୍ରକାଶ କରିପାରି ନଥାନ୍ତି୤ ବିଭିନ୍ନ ବର୍ଗରେ ସାର୍ଥକତା ଓ ସ୍ବୀକୃତି ପରବର୍ତ୍ତୀକାଳୀନ ବିଚାର୤ ମୋର ମନେହୁଏ ଉପାଦାନ ଶୁଦ୍ଧ ଓ ସତ୍ୟନିଷ୍ଠ ହେଲେ ଯେକୌଣସି ବର୍ଗର ଲେଖାରେ ତା’ର ଔଜଲ୍ୟ ଓ ମୌଳିକତା ରହିବ ଓ ବିଦଗ୍ଧ ପାଠକଙ୍କ ଦୃଷ୍ଟିରେ ପଡିବ୤ ସେଥିପାଇଁ ବୋଧହୁଏ ମୁଁ ସବୁ ବର୍ଗର ଲେଖାରେ ପାଠକଙ୍କ ଶ୍ରଦ୍ଧା ଓ ଆନୁଷ୍ଠାନିକ ସମ୍ମାନ ଲାଭ କରିଛି ୤

(୨) ଉପନ୍ୟାସ ଲେଖିବାରେ ଆପଣ ସିଦ୍ଧହସ୍ତ ୤ ‘ଯନ୍ତ୍ରାରୂଢ’, ‘ଅସୂର୍ଯ୍ୟ ଉପନିବେଶ’ ଆଦି ଅତି ଉଚ୍ଚକୋଟୀର୤ ଥରେ ପଢିଲେ ତା’ ଅଜାଣତରେ ପାଠକ ଭିନ୍ନ ଏକ ଜଗତରେ ବିଚରଣ କରିବାକୁ ବାହାରି ଯାଏ୤ ଆପଣ କେଉଁଭଳି ପରିବେଶ, ଚରିତ୍ରମାନଙ୍କ ଭିତରେ କେତେ ମାତ୍ରାରେ ଦଗ୍ଧ ହେବା ପରେ ଏଭଳି ଲେଖା ଲେଖିପାରିଛନ୍ତି ?
ଉପନ୍ୟାସରେ ଚରିତ୍ର ଓ ପରିସ୍ଥିତି ବାସ୍ତବକ୍ଷେତ୍ରରେ ନଥାନ୍ତି୤ ଚରିତ୍ରର ବିଭିନ୍ନ ଲକ୍ଷଣ ଓ ବୈଶିଷ୍ଟ୍ୟ, ବିଭିନ୍ନ ସମୟରେ ବିଭିନ୍ନ ସ୍ଥାନରେ ଓ ପରିବେଶରେ ଦେଖିଥିବା ମଣିଷମାନଙ୍କର କିଛି କିଛି ସ୍ମୃତି ମୋ ଭିତରେ ଗଚ୍ଛିତ ଥାଏ୤ ଏକ କିମ୍ଭୁତ ପ୍ରକ୍ରିୟାରେ ସେସବୁ ଅକସ୍ମାତ ବିନ୍ୟସ୍ତ ହୋଇ ଏକ ଚରିତ୍ର ରୂପେ ଠିଆ ହୁଏ, ଏବଂ ସ୍ରଷ୍ଟାର ସ୍ପର୍ଶରେ ତା’ର ଜୀବନ୍ୟାସ ହୁଏ୤ ସେ ତେଣିକି ବିଚରଣ କରେ, ତେଣିକି ଦୁଃଖସୁଖ ଭୋଗ କରେ, ଆନନ୍ଦ, ଉଲ୍ଲାସ ମଧ୍ୟ ଭୋଗ କରେ୤ ମୁଁ ସେ ଜୀବନ୍ତ ଚରିତ୍ରର ଅନୁଗାମୀ ହୋଇ ଯାହା ଦେଖେ ତାହା ହିଁ ବର୍ଣ୍ଣନା କରିଯାଏ୤ ସନାତନ ଦାସଙ୍କୁ, ଜୟରାମ ବା ଜୟନ୍ତ ପରିଡାଙ୍କୁ ମୁଁ କେଉଁଠି ଦେଖିଛି ବୋଲି ଅନେକ ପ୍ରଶ୍ନ କରନ୍ତି୤ ମୋର ଏକମାତ୍ର ଉତ୍ତର ହେଲା ଯେ, ମୁଁ ସେମାନଙ୍କୁ ମୋ ମନକେନ୍ଦ୍ରରୁ ହିଁ ଆବିଷ୍କାର କରିଛି୤ ସେମାନଙ୍କୁ ଚାକ୍ଷୁଷ ବା ପ୍ରତ୍ୟକ୍ଷ ଭାବରେ ଦେଖି ନାହିଁ୤ ଏଣୁ ସେମାନଙ୍କର ଇତିହାସ, ଭୂଗୋଳ ନିର୍ଦ୍ଦିଷ୍ଟ ନୁହେଁ୤ ତାଙ୍କୁ ବାସ୍ତବ ଭୂମିରେ ଖୋଜିଲେ ମିଳିବେ ନାହିଁ୤ ‘ଯନ୍ତ୍ରାରୂଢ’ ‘ଅସୂର୍ଯ୍ୟ ଉପନିବେଶ’ ଓ ‘ନବଜାତକ’କୁ କେତେକ ବିଦ୍ବାନ, ସମାଲୋଚକ ଉପନ୍ୟାସ ତ୍ରୟୀ ବୋଲି ଆଖ୍ୟା ଦେଇଛନ୍ତି୤ ତାଙ୍କ ମତରେ ‘ଯନ୍ତ୍ରାରୂଢ’ ଥେସିସ୍ (Thesis), ତା’ର ବିପରୀତ ଅସୂର୍ଯ୍ୟ ଉପନିବେଶ’ ଆଣ୍ଟି ଥେସିସ୍ (Anti thesis) ଏବଂ ‘ନବ ଜାତକ’ ଏ ଦୁଇଟିର ସମନ୍ବୟ ବା ସିନ୍ଥେସିସ୍ (Synthesis)୤ ତାଙ୍କ ମତରେ ଉପନ୍ୟାସ କ୍ଷେତ୍ରରେ ମୋର ସମସ୍ତ ବକ୍ତବ୍ୟ ଏ ତିନୋଟି ଉପନ୍ୟାସରେ ହିଁ କୁହାଯାଇ ସାରିଥିବାରୁ ମୁଁ କୌଣସି ମୌଳିକ ଉପନ୍ୟାସ ହୁଏତ ଲେଖିପାରିବି ନାହିଁ୤ ଏ ମନ୍ତବ୍ୟ ସହିତ ମୁଁ ଆଂଶିକ ଭାବରେ ସହମତ୤ କିନ୍ତୁ ଏକ କ୍ରିୟାଶୀଳ ସୃଜନ କେନ୍ଦ୍ରରେ କେବେ ହେଲେ ସମ୍ଭାବନା ସରିଯାଏ ନାହିଁ୤ ସେଥିପାଇଁ ମୋର ଉପନ୍ୟାସ ସମାହାରରେ ମୋର ଆଉ ପାଞ୍ଚୋଟି କୃତି ସ୍ଥାନିତ ହୋଇଛି୤ ସେଥିରେ ଅଲୌକିକ ଜଗତର ଏକ ବିଦେହୀ ଆତ୍ମାର ଚରିତ୍ର (ଜମାନବନ୍ଦୀ), ଗୋଟିଏ ପକ୍ଷୀ ଚରିତ୍ରରେ ପ୍ରତିକ୍ଷିତ ମାନବ ଜୀବନର ଆଧ୍ୟାତ୍ମିକ ବିକାଶ (ସାଗର ବିହଙ୍ଗ), ‘ଦୃଶ୍ୟପଟ୍ଟ ସକାଳରୁ ସକାଳ’ ଏକ ସାମ୍ପ୍ରତିକ ସମାଜର ବିଶ୍ଳେଷଣ ଏବଂ ଜୀବନର କିଛି ଗଭୀର ଅନୁଭବ୤ ‘ପିତୃମେଧ’ ଆମ ସମୟର ତଥାକଥିତ ଗଣତାନ୍ତ୍ରିକ ରାଜନୀତିର ଏକ ନଗ୍ନ ଓ ନିର୍ଭୀକ ଚିତ୍ର୤ ‘କ୍ରମଶଃ ଗଭୀର ନଈ’ ଏକ ମନସ୍ତାତ୍ତ୍ବିକ ଉପନ୍ୟାସ୤ କହିବାର ତାତ୍ପର୍ଯ୍ୟ ହେଲା ଯେ କୁମ୍ଭାର ଚକ ଘୂରୁଥିବା ପର୍ଯ୍ୟନ୍ତ ମାଟିଘଟ ତିଆରି ଚାଲିଥିବ୤ କହି ହେବ ନାହିଁ ଆଗକୁ କେଉଁ ରୂପରେ ତାହା ପ୍ରକଟିତ ହେବ୤ ଏ ସଂକ୍ରାନ୍ତରେ ଅନେକ କିଛି କହିବାର ଥିଲେ ସୁଦ୍ଧା ମୁଁ ଏଇଠି ଏଇ ବୟାନକୁ ବିରାମ ଦେଉଛି୤

(୩)ଅନେକ ସାହିତ୍ୟିକ କହନ୍ତି ଉପନ୍ୟାସରେ ଚରିତ୍ର ଚିତ୍ରଣ କରିବା ଆଉ ଗଳ୍ପରେ ଚରିତ୍ର ଚିତ୍ରଣ କରିବା ଭିତରେ ଅନେକ ଫରକ ରହିଛି୤ ଆପଣ ଏ ପାର୍ଥକ୍ୟ ଅନୁଭବ କରନ୍ତି କି? ଆପଣଙ୍କୁ ଆପଣଙ୍କ ଉପନ୍ୟାସ ଆଉ ଗଳ୍ପର ଚରିତ୍ରମାନେ କିଭଳି ସମ୍ମୋହିତ କରନ୍ତି ?
ଗଳ୍ପ ଓ ଉପନ୍ୟାସ ଦୁଇଟି ସ୍ବତନ୍ତ୍ର ସାହିତ୍ୟିକ ବର୍ଗ୤ ଉପନ୍ୟାସକୁ କ୍ଷୁଦ୍ରାକାର କରିଦେଲେ ତାହା ଗଳ୍ପ ହେବ ନାହିଁ ଏବଂ ଗଳ୍ପକୁ ବିସ୍ତାରିତ କରିଦେଲେ ତାହା ଉପନ୍ୟାସ ହେବ ନାହିଁ୤ ତେଣୁ ପାର୍ଥକ୍ୟ ଆକାରଗତ ନୁହେଁ୤ କିନ୍ତୁ ନିଜ ନିଜ ସୀମା ଭିତରେ ଉଭୟେ ଜୀବନର ସମ୍ପୂର୍ଣ୍ଣ ଚିତ୍ର ୤ ମନେହୁଏ ସତେବା ଗଳ୍ପ ଏକ ତାତ୍କାଳିକ ଆଲୋକଚିତ୍ର, ଉପନ୍ୟାସ ସେହି ପ୍ରକ୍ରିୟାରେ ଚଳଚ୍ଚିତ୍ର୤ ଗଳ୍ପରେ ସବୁ ପ୍ରଶ୍ନର ସମାଧାନ ନିର୍ଦ୍ଦିଷ୍ଟ ସୀମା ଭିତରେ ମିଳିଯାଏ୤ ଅବଶ୍ୟ ଗଳ୍ପ କ୍ଷେତ୍ରରେ ସମଗ୍ର ପୃଥିବୀରେ ଯେତେ ପ୍ରକାର ପରୀକ୍ଷା ହୋଇଛି ସେଥିରେ ତା’ର ବିବିଧତା ଏତେ ବେଶୀ ଯେ, ତାକୁ କୌଣସି ନିର୍ଦ୍ଦିଷ୍ଟ ସଜ୍ଞାରେ ସୀମିତ ରଖିହେବ ନାହିଁ୤ ଅନେକ ଗଳ୍ପ ଏକ ଅସମାୟିକ ପ୍ରଶ୍ନ ରୂପେ ସରିଯାଏ ଏବଂ ଅନେକ ଉପନ୍ୟାସ ସରିଗଲା ପରେ ଅନେକ କିଛି କହିବାର ଥିଲା ବୋଲି ମନେହୁଏ୤

ଏହା ସପକ୍ଷରେ ଯୁକ୍ତି ହେଲା ଯେ, ବିଭିନ୍ନ ପରିସ୍ଥିତିରେ ଯେପରି ଆଦ୍ୟ, ମଧ୍ୟ, ପ୍ରାନ୍ତ ପାଇଁ ଏକ ବର୍ତ୍ତୁଳତା ଦେଖିବାକୁ ମିଳେନା ଏବଂ ଜୀବନ ଉଭୟ ଦିଗରେ (Open Ended) ସେହିପରି ସାହିତ୍ୟରେ ମଧ୍ୟ ଉପନ୍ୟାସ ଓ ଗଳ୍ପ ମାଧ୍ୟମରେ ଆମେ କୌଣସି ପରିପୂର୍ଣ୍ଣତା ଆଶା କରିପାରିବା ନାହିଁ୤ ଗଳ୍ପର ଚରିତ୍ରରେ ବେଳେବେଳେ ନାଟକୀୟ ପରିବର୍ତ୍ତନ ଆସିଥାଏ୤ ତଦ୍ବାରା ସମଗ୍ର ଗଳ୍ପଟି ଏକ ଭିନ୍ନ ମୋଡ଼ ନେଇଯିବାକୁ ବାଧ୍ୟ୤ ଗଳ୍ପର ଅର୍ଥ ଓ ପରିସର ବଦଳିଯାଏ୤ ସେଥିପାଇଁ ପ୍ରାୟ ଗଳ୍ପର ଆରମ୍ଭରୁ ଦେଖା ଦେଇଥିବା ଚରିତ୍ରଗୁଡ଼ିକ ଶେଷଯାଏଁ ଅପରିବର୍ତ୍ତିତ ରହିଥାନ୍ତି୤ କିନ୍ତୁ ଉପନ୍ୟାସରେ ଚରିତ୍ରଟି ସମ୍ପୂର୍ଣ୍ଣ ବିବର୍ତ୍ତିତ ଓ ବିକଶିତ ହେବା ପାଇଁ ଯଥେଷ୍ଟ ଅବକାଶ ଥାଏ୤ ଗଳ୍ପ ଏକ କ୍ରମବର୍ଦ୍ଧିଷ୍ଣୁ ପ୍ରବହମାନ ଧାରା୤ ଶେଷ ପର୍ଯ୍ୟନ୍ତ ପାଠକର ଆଗ୍ରହ ସୃଷ୍ଟିକରି ଚାଲିଥିବା ଏକ ସଫଳ ଉପନ୍ୟାସ୤ ଉପସଂହାରରେ ପୂର୍ଣ୍ଣ ବିରତି ଲାଭ କରେ ଏବଂ ହୁଏତ ଏକ ଦୀର୍ଘଶ୍ବାସରେ ଉପନ୍ୟାସଟି ସମାପ୍ତ ହୁଏ୤ ଗଳ୍ପକୁ ମଧ୍ୟ ବେଳେବେଳେ ଏଭଳି ଅସାଧାରଣ ସିଦ୍ଧି ପ୍ରାପ୍ତ ହୋଇଥାଏ୤ ପାଠକ ରୁଦ୍ଧଶ୍ବାସ ହୋଇ ତାକୁ ପଢ଼ି ଦେଲା ପରେ ସନ୍ତୋଷ ଲାଭ କରେ୤ ମୋଟ ଉପରେ ପାଠକର ମାନସିକତା ବା ରୁଚିବୋଧ ତା’ର ମୂଲ୍ୟବୋଧ ସହିତ ଲେଖକ ସବୁବେଳେ ସମତାଳ ରକ୍ଷା କରିପାରେ ନାହିଁ୤ ଏହି ମୌଳିକ ବିଭେଦ ପାଇଁ ଜଣେ ଲେଖକ ତା’ ଲେଖା ପାଇଁ ପାଠକୀୟ ସ୍ବୀକୃତି ପାଏ ବା ପାଏ ନାହିଁ୤ ଅବଶ୍ୟ ଏଠାରେ ଉଲ୍ଲେଖଯୋଗ୍ୟ ଯେ, ପାଠକକୁ ସନ୍ତୁଷ୍ଟ କରିବା ଲେଖକ ସକାଶେ ଅନିବାର୍ଯ୍ୟ ନୁହେଁ୤ କିନ୍ତୁ ତାକୁ ଉଦ୍‌ବେଳିତ, ଚକିତ ଏବଂ ବେଳେବେଳେ ଭାବାନ୍ତରିତ କରିବା ଦାୟିତ୍ବ ତା’ର ଅଛି ୤ ପାଠକ ଓ ଲେଖକର ସମ୍ପର୍କ ସବୁବେଳେ ଘନିଷ୍ଠ ଓ ତାତ୍ପର୍ଯ୍ୟପୂର୍ଣ୍ଣ୤ ଉଭୟ ସେଥିପାଇଁ ସଚେତନ ରହିବା ଭାବସଞ୍ଚାର ପାଇଁ ଆବଶ୍ୟକ ବୋଲି ମନେହୁଏ୤

(୪)ଆପଣଙ୍କ ଗଳ୍ପଗୁଡ଼ିକ ପାଠକ ହୃଦୟରେ ଯେତିକି ଭାବାବେଶ ସୃଷ୍ଟିକରେ ତା’ଠାରୁ ଅଧିକ ଚରିତ୍ରମାନଙ୍କ ଭିତରେ ବିଲୟ ଘଟାଇ ଦିଏ୤ ଏଭଳି କାହିଁକି ହୁଏ ?
ତା’ର କାରଣ ହେଲା ଯେ, ପାଠକ ସହୃଦୟ ଓ ସମ୍ବେଦନଶୀଳ ଥିଲେ ଗଳ୍ପର ଚରିତ୍ରକୁ ନିଜେ ଅଙ୍ଗୀଭୂତ କରିନିଏ୤ ଚରିତ୍ର ସହିତ ଏକାତ୍ମବୋଧ ହିଁ ଭାବାବେଗ ସୃଷ୍ଟି କରେ୤ ସେହି ପ୍ରକ୍ରିୟାରେ ପାଠକ ଚରିତ୍ର ଭିତରେ ନିମଗ୍ନ ହୋଇଯାଏ୤ ଚରିତ୍ରର ଅନୁଭବ, ତା’ର ନିଜର ଅନୁଭବ ପରି ଲାଗେ୤ ଏପରି ଘଟିବା ବା ଘଟାଇବା ଏକ ସୁଲେଖକର ଲକ୍ଷଣ୤ ଅନେକ ସମୟରେ କେବଳ ଚରିତ୍ର ନୁହେଁ, ତା’ର ସମଗ୍ର ପରିବେଶ ଓ ଘଟଣାକ୍ରମ ଭିତରେ ପାଠକ ବୁଡ଼ିଯାଏ୤ ଚେକଭ୍‌ଙ୍କ କିଛି କିଛି ଗଳ୍ପରେ ପ୍ରଭାବିତ ହୋଇ ପାଠକ ଅଶ୍ରୁବର୍ଷଣ କରିବାର ଦୃଷ୍ଟାନ୍ତ ଅଛି୤ ଏହା ଅବଶ୍ୟ ଏକ ଆପେକ୍ଷିକ ପରିଣତି୤ ସେହି ଗଳ୍ପ ପଢ଼ି ସବୁ ପାଠକ ଏ ପ୍ରକାର ପ୍ରଭାବିତ ହେବେ ନାହିଁ ବା ପ୍ରତିକ୍ରିୟା ପ୍ରକାଶ କରିବେ ନାହିଁ୤ ତାହା ଏକ ଯୋଗାଯୋଗ ପ୍ରକ୍ରିୟା୤ କିଛି ଲେଖକଙ୍କର ଗଳ୍ପରେ କିଛି ଚରିତ୍ର କେତେକ ବିଶିଷ୍ଟ ପାଠକଙ୍କର ହୃଦୟତନ୍ତ୍ରୀରେ ଆଘାତ କରେ୤ ସେମାନେ ବିଚଳିତ ବୋଧ କରନ୍ତି୤ ତାହାସହିତ ସେହି ଚରିତ୍ରରେ ନିମ୍ନ ଓ ତା’ର ଜୀବନରେ ସହଭାଗୀ ହୋଇଥାନ୍ତି୤ ଏ ସମସ୍ତ ପ୍ରକ୍ରିୟା, ଆବେଗ ପ୍ରବଣତା, ଆବେଗ ସଞ୍ଚାର ଓ ଭାବାବିଷ୍ଟ ହେବାର ଧାରା ସବୁବେଳେ ଘଟେ ନାହିଁ୤ କିନ୍ତୁ କ୍ବଚିତ୍‌ ଏହା ସତ୍ୟ୤

(୫) ଗୋଟିଏ ଛୋଟ ଘଟଣାର ବର୍ଣ୍ଣନା ଆପଣଙ୍କ ଗଳ୍ପରେ ଅତି ଚମତ୍କାର ତଥା ଭିନ୍ନ ଢଙ୍ଗରେ ହୋଇଥାଏ, ଯାହା ପାଠକ ପଢ଼ୁ ପଢ଼ୁ ହଠାତ୍‌ ଆବିଷ୍କାର କରେ୤ ଇଏ କ’ଣ ଆପଣଙ୍କର ଖାଲି ଶିଳ୍ପକଳା ନା ଆଉ କିଛି ?
କବିତା ଭଳି କବିତାକ୍ରାନ୍ତ ଗଳ୍ପ ମଧ୍ୟ ଅତ୍ୟନ୍ତ ସ୍ବଳ୍ପ ପରିସର ମଧ୍ୟରେ ପାଠକକୁ ଚମତ୍କୃତ କରିବାର ସାମର୍ଥ୍ୟ ରଖେ୤ ଏହା କେବଳ ଶିଳ୍ପକଳା ନୁହେଁ ବା ବର୍ଣ୍ଣନା ଚାତୁରୀ ନୁହେଁ କିମ୍ବା ଯୋଜନାବଦ୍ଧ ଭାବରେ ବିସ୍ମୟ ସଞ୍ଚାର କରିବାର ଉଦ୍ଦେଶ୍ୟ ନୁହେଁ୤ ଯେକୌଣସି ଗୋଟିଏ ଘଟଣାକୁ ଅସଂଖ୍ୟ ଦିଗରୁ ଦେଖାଯାଇପାରେ ଓ ବୁଝାଯାଇପାରେ୤ ଏହା ପାଠକର ଦୃଷ୍ଟିଭଙ୍ଗୀ ଉପରେ ନିର୍ଭର କରେ୤ ତା’ର ମାନସିକତା ଉପରେ ମଧ୍ୟ ନିର୍ଭର କରିଥାଏ୤ ମୋ ମତରେ ଯାହା ଦେଖାଯାଏ ତାହା ହିଁ କେବଳ ଏକମାତ୍ର ସତ୍ୟ ନୁହେଁ୤ ତା’ ପଶ୍ଚାତରେ ସ୍ତରୀଭୂତ ବ୍ୟଞ୍ଜନା ମୋତେ ଦେଖାଯାଏ୤ ଏଣୁ ସାଧାରଣ ଘଟଣାଟି ମୋ ଦୃଷ୍ଟିରୁ ଦେଖି ବର୍ଣ୍ଣନା କଲାବେଳେ ହୁଏତ ତାହା ଅସାଧାରଣ ଦିଶୁଥାଇପାରେ୤ ଏହା କୌଣସି ଏକକ ଘଟଣାରେ ସୀମିତି ନ ରହି ମୋ ରଚନା, ଗଳ୍ପ ଓ ଉପନ୍ୟାସର ପୂର୍ଣ୍ଣ ବିସ୍ତାର ମଧ୍ୟରେ ବି ଦେଖାଯାଇପାରେ୤ ଏପରି ମଧ୍ୟ ସମ୍ଭବ ଯେ, ଘଟଣାଟି ପରି ମୋର ବର୍ଣ୍ଣନା ମଧ୍ୟ ସାଧାରଣ, କିନ୍ତୁ ପାଠକର ଦୃଷ୍ଟିଭଙ୍ଗୀ ଅସାଧାରଣ୤ ତା’ର ସ୍ପର୍ଶକାତରତା, ତା’ର ଗ୍ରହଣଶୀଳତା, ସମ୍ବେଦନଶୀଳତା ଅସାଧାରଣ୤

(୬) ‘ଅଶ୍ବାରୋହୀର ଗଳ୍ପ’ ହେଉ ଅବା ‘ବାଘ ସବାର’ ଆପଣଙ୍କ ଏଇ ଗଳ୍ପଗୁଡିକ ପାଠକୀୟ ଲୋକପ୍ରିୟତାର ଶୀର୍ଷରେ୤ ତେବେ ପରବର୍ତ୍ତୀ ସମୟରେ ଆପଣଙ୍କ ଲେଖନୀରେ ଗଳ୍ପର ଚରିତ୍ରଗୁଡ଼ିକ ଭିନ୍ନ ଭାବ, ପରିବେଶରେ ଗଢ଼ି ଉଠିଥିବା ଅନେକ ପାଠକ ଅଭିଯୋଗ କରନ୍ତି୤ ଏ କଥା କେତେ ସତ ?
ଏହା ସମ୍ପୂର୍ଣ୍ଣ ସତ୍ୟ୤ କାରଣ କୌଣସି ଲେଖା ଏକ ସ୍ଥିରବିନ୍ଦୁ ନୁହେଁ୤ ମୁଁ ଏକ ଗତିଶୀଳ ସ୍ରଷ୍ଟା୤ ଏଣୁ ଯାହା ଲେଖା ସରିଛି ତାକୁ ଅତିକ୍ରମ କରିଯିବା କିମ୍ବା ବାଟଭାଙ୍ଗି ଅନ୍ୟଦିଗରେ ଚାଲିଯିବା ଅତ୍ୟନ୍ତ ସ୍ବାଭାବିକ୤ ‘ଅଶ୍ବାରୋହୀର ଗଳ୍ପ’ ଓ ‘ବାଘ ସବାର’ରେ ଯଦି ମୁଁ ଅଟକି ଯାଇଥାନ୍ତି ତାହାହେଲେ ‘ଜାଇ କୁମ୍ଭାରୁଣୀ’ କିମ୍ବା ‘ନାଗାନ୍ତକ ବିଦ୍ୟା’ ଲେଖିପାରି ନ ଥାନ୍ତି୤ ଏକ ବର୍ଦ୍ଧିଷ୍ଣୁ ବୃକ୍ଷପରି ଜଣେ ଲେଖକ ତା’ର ବିକାଶ ଧାରାରେ ନିଜକୁ ନିଜ ଅତିକ୍ରମ କରୁଥାଏ୤ ହୁଏତ ଶୃଙ୍ଗରୁ ଶୃଙ୍ଗକୁ ପଦକ୍ଷେପ ନେଉଥାଏ୤ ସେଥିପାଇଁ ‘ଅଶ୍ବାରୋହୀର ଗଳ୍ପ’କୁ ଭଲ ପାଉଥିବା ପାଠକଙ୍କୁ ଯଦି ପରବର୍ତ୍ତୀକାଳରେ ମୁଁ ଆଉ ଗୋଟିଏ ‘ଅଶ୍ବାରୋହୀ’ ଦେଇ ପାରି ନାହିଁ ତାହା ମୋ ଆୟତଃର କଥା ନୁହେଁ୤ ମୁଁ ତାଙ୍କୁ ଭିନ୍ନ ଭୂମିକୁ ନେବାକୁ ଚେଷ୍ଟା କରିଛି୤ ଆଶା କରୁଛି ଯେ ‘ରୁନି ପାଇଁ ନିରବ ପ୍ରାର୍ଥନା’ କିମ୍ବା ‘ଛାୟା ପ୍ରବେଶ’ ଗଳ୍ପର ରସ ଆସ୍ବାଦନ କଲେ ବିଶେଷ ନିରାସ ହେବେ ନାହିଁ୤ ଲେଖକ ସ୍ବୟଂ ସୀମା ଅତିକ୍ରମ କଲାବେଳେ ପାଠକକୁ ମଧ୍ୟ ତା’ ସହିତ ଗତି କରିବାକୁ ସେ ଆଶା କରେ୤

(୭)‘ନାଗାନ୍ତକ ବିଦ୍ୟା’, ‘ସବୁଠାରୁ ଦୀର୍ଘରାତି’, ‘ସନ୍ଧିକାଳ’ ଏସବୁ ଗଳ୍ପ ସଙ୍କଳନଗୁଡ଼ିକ ଅତିମାତ୍ରାରେ ହୃଦୟସ୍ପର୍ଶୀ୤ ଏସବୁ ଗଳ୍ପଗୁଡ଼ିକ ଲେଖିବାବେଳେ କି ପ୍ରକାର ଉପାୟ ଅବଲମ୍ବନ କରିଥିଲେ୤ ଏସବୁ ଆପଣଙ୍କ ସାହିତ୍ୟିକ ଜୀବନର ସବୁଠାରୁ ଭଲ ଲେଖକୀୟ ଅନୁଭୂତି କି ?
ସର୍ବଶ୍ରେଷ୍ଠ ଅନୁଭୂତି ଏକ ସ୍ଥିରବିନ୍ଦୁ୤ କିନ୍ତୁ କୌଣସି ପ୍ରବହମାନ ଧାରାରେ ସ୍ଥିରବିନ୍ଦୁ ନାହିଁ ୤ ଏଣୁ ଏହି ଗଳ୍ପ ସଙ୍କଳନଗୁଡ଼ିକରେ ପ୍ରକାଶିତ ଗଳ୍ପ ମୋର ସେ ସମୟ ପର୍ଯ୍ୟନ୍ତ ସୀମା ନିର୍ଦ୍ଦେଶ କରୁଥାଇପାରନ୍ତି୤ କିନ୍ତୁ କୌଣସି ତୁଠରେ ନଦୀ ଅଟକି ଯାଏନା୤ ସେ ଆଗକୁ ପ୍ରବାହିତ ହୋଇଯିବା ପାଇଁ ବାଧ୍ୟ୤ ‘ସନ୍ଧିକାଳ’, ‘ନାଗାନ୍ତକ ବିଦ୍ୟା’ ଇତ୍ୟାଦି ମୋର ମଧ୍ୟ ପ୍ରିୟ ଗଳ୍ପ୤ କିନ୍ତୁ ପ୍ରିୟ ଗଳ୍ପର ତାଲିକା କଲାବେଳେ ଅତ୍ୟନ୍ତ ଦୀର୍ଘସୂଚୀ ଦେବାକୁ ପଡ଼ୁଥିବାରୁ ମୁଁ ସେ ପ୍ରୟାସ କରେ ନାହିଁ୤ ଗୋଟାଏ ଦୃଷ୍ଟିରୁ ଛୋଟବଡ଼ ସବୁ ଲେଖା ମୋର ପ୍ରିୟ୤ କାରଣ ମୁଁ ସେମାନଙ୍କର ସ୍ରଷ୍ଟା ଆଉ ଜନୟିତା୤ ଅପତ୍ୟରେ ଭେଦଭାବ ନାହିଁ୤

(୮) କବିତାରେ ଆପଣ ସଚ୍ଚୋଟ ଏବଂ ଗଦ୍ୟ କବିତାର ଧାରାରୁ ଅଲଗା ହୋଇ ନାହାନ୍ତି୤ ବିଦେଶୀ ଇଂରାଜୀ କବିଙ୍କ ପ୍ରଭାବ ଆପଣଙ୍କ କବିତାରେ ପଡ଼ିଥିବା ଭଳି ଅଭିଯୋଗ ପାଠକ କରିଥିବା ନଜରକୁ ଆସିଛି୤ ‘ତୁମ ପାଇଁ ପକ୍ଷୀ ଗାନ’, ‘ଆଗକୁ ବନସ୍ତ’ ଆଦି କବିତା ସଙ୍କଳନଗୁଡ଼ିକ ଏସବୁର ପରିପନ୍ଥି ନୁହେଁ ୤ କ’ଣ କହିବେ ?
ପାଠକକୁ ତା’ ଅନୁଭବରେ ଆକଟ କରିବାକୁ ମୁଁ କିଏ ? ସେ ଅନୁଭବ କରିଛି ଯେ ପାଶ୍ଚାତ୍ୟ କବିମାନଙ୍କର ଛାପ ମୋ କବିତାକୁ ପ୍ରଭାବିତ କରିଛି୤ ଆଉ ଜଣେ ହୁଏତ ସେପରି କହିଛନ୍ତି ଯେ, ଉପନିଷଦୀୟ ଅନୁଭବ ପ୍ରତ୍ୟେକ କବିତାରେ ସ୍ପନ୍ଦିତ ହେଉଛି୤ ପାଠକ ନିଜ ଢଙ୍ଗରେ ବୁଝେ ଏବଂ ନିଜ ମତ ପ୍ରକାଶ କରିବାରେ ତା’ର କୌଣସି ବାଧା ନାହିଁ୤ କିନ୍ତୁ ମୁଁ ସେମାନଙ୍କ ସହିତ ଏକମତ କି ନୁହଁ ଏହା ଏକ ଜଟିଳ ପ୍ରଶ୍ନ୤ ବିଭିନ୍ନ ସାହିତ୍ୟ ଓ ଦର୍ଶନ ସହିତ ବହୁକାଳ ଧରି ଘନିଷ୍ଠ ଭାବରେ ସମ୍ପର୍କିତ ଏ ଲେଖକ୤ ତା’ର ଭାବଭୂମିରେ ଅନେକାନେକ ସ୍ମୃତି ବହନ କରେ୤ ସେସବୁ ତା’ର ଚେତନ, ଅବଚେତନରେ ଗଚ୍ଛିତ ଥାଆନ୍ତି୤ କବିତା ଲେଖିଲାବେଳେ ସେ ଯଥା ସମ୍ଭବ ପ୍ରଭାବମୁକ୍ତ ହୋଇ ନିଜ କେନ୍ଦ୍ରରେ ପ୍ରତିଷ୍ଠିତ ରହିବାକୁ ଚେଷ୍ଟା କରି ଆସିଛି୤ ଯଦି ବିଦ୍ବାନ ପାଠକ କିଛି ପ୍ରଭାବ ଆବିଷ୍କାର କରନ୍ତି ତାହା ତାଙ୍କର ବିଦୋବତ୍ତାର ପରିଣାମ୤ ତାହା ମୋର ଦୋଷ କିମ୍ବା ଗୁଣ ନୁହେଁ୤ ମୁଁ ବିଦେଶୀ ସାହିତ୍ୟ ପଢିଛି୤ ପାଶ୍ଚାତ୍ୟ ଦର୍ଶନ ସହିତ ପ୍ରାଚ୍ୟ ଓ ବିଶେଷ କରି ଭାରତୀୟ ଦର୍ଶନ ସହିତ ସୁପରିଚିତ୤ ଏହା ଏକ ପ୍ରକାର ଭୂମି କର୍ଷଣର କ୍ରିୟା୤ ଭୂମି ପ୍ରସ୍ତୁତ ହେବା ପରେ ସେଥିରୁ କ’ଣ ଜାତ ହେବ ତାହା ସହିତ ଏହାର କାର୍ଯ୍ୟକାରଣ ସମ୍ପର୍କ ନାହିଁ୤

(୯) ଆପଣ ପ୍ରବନ୍ଧ ରଚନାରେ ବି ସିଦ୍ଧହସ୍ତ୤ ପ୍ରବନ୍ଧଗୁଡ଼ିକର ଭାଷାରେ ତଥାପି ଗଳ୍ପ, ଉପନ୍ୟାସର ଭାବ ବାରି ହୋଇଯାଏ୤ ଆପଣଙ୍କ ସାହିତ୍ୟିକ ଜୀବନର ପରିଶିଷ୍ଟ ପ୍ରବନ୍ଧ କି ?
ଗୋଟାଏ ଦୃଷ୍ଟିରୁ ମୁଁ ପ୍ରବନ୍ଧ ଲେଖି ନାହିଁ୤ ପ୍ରବନ୍ଧର ଏକ ଲଳିତ ରୂପ ଯାହାକୁ ଲଳିତ ନିବନ୍ଧ ବୋଲି ଆଖ୍ୟାତ କରାଯାଏ-ମୋତେ ଆକୃଷ୍ଟ କରିଛି୤ ମୂଳତଃ ତାହା ରମ୍ୟ ରଚନା ରୂପେ ପରିଚିତ ଥିଲା୤ ଏବେ ମଧ୍ୟ କେହି କେହି ତାକୁ ରମ୍ୟ ରଚନା କହନ୍ତି୤ କିନ୍ତୁ ମୋ ରଚନାରେ ରମ୍ୟତା ଓ ମନୋରଞ୍ଜନ ଅପେକ୍ଷା ଗମ୍ଭୀର ଦାର୍ଶନିକ ତତ୍ତ୍ବର ଚଟୁଳ ପରିପ୍ରକାଶ ହିଁ ଅଧିକ ଲକ୍ଷଣୀୟ୤ ସାହିତ୍ୟକ୍ଷେତ୍ରରେ ପ୍ରଥମ ପ୍ରବେଶ ଦିନଠାରୁ ମୁଁ କେବଳ ଏହି ଲଳିତ ନିବନ୍ଧ ହିଁ ଲେଖିଛି ବହୁ ବର୍ଷଧରି୤ ତଦ୍ବାରା ଓଡ଼ିଆ ଗଦ୍ୟ ସାହିତ୍ୟରେ ଏକ ନୂତନ ବର୍ଗ ଓ ଧାରା ପ୍ରଚଳିତ ହେଲା ବୋଲି ଅନେକେ କହିଥାନ୍ତି୤ ସେମାନେ କହନ୍ତି ଯେ ଲେଖକ ଭାବରେ ଏ ରଚନା ସାହିତ୍ୟ ହିଁ ମୋର ଅନନ୍ୟତା, ମୋର ବୈଶିଷ୍ଟ୍ୟ୤ ସେମାନଙ୍କର ଯୁକ୍ତି ହେଲା ଯେ ରମ୍ୟ ରଚନା କ୍ଷେତ୍ରରେ ମୁଁ ଅନୁକରଣୀୟ ଓ ଅନତିକ୍ରମ୍ୟ୤ ହୋଇପାରେ ସେମାନେ ସବୁ ମୁଗ୍ଧ ପାଠକ ବା ହୋଇପାରେ ତାଙ୍କ କଥାରେ କିଛି ସତ୍ୟତା ବି ଅଛି୤ ରମ୍ୟରଚନା ଲେଖୁଥିବାବେଳେ ମୋ ସକାଶେ କିଛି ବାଡ଼ ବନ୍ଧ ନ ଥିଲା୤ ବିଷୟ ନିର୍ବାଚନରେ କୌଣସି ଆକଟ ନ ଥିଲା୤ ଯେତେ ସହଜ ଭାବରେ ମୁଁ ‘ଅଶ୍ରୁତ ସ୍ବର’ ବା ‘କଣ୍ଟାର ମୁକୁଟ’ ଲେଖିଛି ସେତିକି ସହଜ ଭାବରେ ‘ଶୂନ’, ‘ଇତ୍ୟାଦି’, ‘ଶୁଣନ୍ତୁ’ ମଧ୍ୟ ରଚନା ଲେଖିଛି୤ ଜଣେ ବୟୋଜ୍ୟେଷ୍ଠ ଲେଖକ ଏକଦା ତାଙ୍କର ବିସ୍ମୟ ପ୍ରକାଶ କରି କହିଥିଲେ ଯେ ‘ଇତ୍ୟାଦି’ ଉପରେ କିଭଳି ନିବନ୍ଧ ରଚନା କରାଯାପାରେ ? ତୁମକୁ ନ ପଢ଼ିବା ପର୍ଯ୍ୟନ୍ତ କେହି କଳ୍ପନା କରିପାରିବ ନାହିଁ୤ କିଛି ବର୍ଷ ତଳେ ଏହି ରଚନା ବା ଲଳିତ ନିବନ୍ଧ ହିଁ ମୋର ପ୍ରିୟ ମାଧ୍ୟମ ଏବଂ ମୋର ପାଠକମାନଙ୍କ ପାଇଁ ସେହି ପରିମାଣରେ ପ୍ରିୟ ସୁଖପାଠ୍ୟ ସାହିତ୍ୟ୤ ରଚନାରେ ଛତ୍ରେ ଛତ୍ରେ କବିତାର ସ୍ପର୍ଶ, ସଚେତନ ପାଠକ ପାଇଁ ଅତ୍ୟନ୍ତ ସ୍ପଷ୍ଟ୤ ସେଥିରେ ନାଟକୀୟ ସଂଳାପ ଓ ଦାର୍ଶନିକ ତତ୍ତ୍ବ ମଧ୍ୟ ଲକ୍ଷଣୀୟ୤ ତା’ର ମୌଳିକତା ହେଲା, ଯେକୌଣସି ଏକ ଗମ୍ଭୀର ବିଷୟ ଆଲୋଚନା କଲାବେଳେ ଭାଷା ଗମ୍ଭୀର, ଜଟି, ଏବଂ କଷ୍ଟସାଧ୍ୟ ହେବାକୁ ବାଧ୍ୟ ନୁହେଁ୤ ଯଦି ବଟ୍ରାଣ୍ଡ ରସେଲ ଈଶ୍ବରଙ୍କ ବିଷୟ ଆଲୋଚନା କଲାବେଳେ ତାଙ୍କ ସହିତ ଦି’ପଦ ପରିହାସ କରିପାରନ୍ତି, ମୁଁ ବା କାହିଁକି ‘ସତ୍ୟଧର୍ମ’ ନବିନ୍ଧରେ ଚଟୁଳ ଭାଷା ପ୍ରୟୋଗ କରିପାରିବି ନାହିଁ ? ମୋର ମନେହୁଏ ପ୍ରକାଶଭଙ୍ଗୀର ସରଳତା ହିଁ ଜ୍ଞାନର ଗଭୀରତାକୁ ରୂପ ଦେବା ପାଇଁ ଅପରିହାର୍ଯ୍ୟ୤ ଏକଦା ଆଇନଷ୍ଟାଇନ୍‌ କହିଥିଲେ ଯେ ସମଗ୍ର ବିଶ୍ବର ଗୂଢ଼ତମ ନିୟମଟି ନିହାତି ସରଳ ହୋଇଥିବ (The ultimate law of this universe because God is good and great) ମୋର ଉପନ୍ୟାସ, ଗଳ୍ପ, କବିତା ଯେଉଁ କେନ୍ଦ୍ରରୁ ନିଃସରିତ ହୁଏ ସେହି କେନ୍ଦ୍ରରୁ ହିଁ ଜନ୍ମ ନିଏ ଲଳିତ ନିବନ୍ଧ୤ ଏଣୁ ଗୋଟିଏ ବର୍ଗରେ ଅନ୍ୟ ଏକ ବର୍ଗର ଲକ୍ଷଣ ବେଳେ ବେଳେ ଦିଶିଯିବା ବିଚିତ୍ର ନୁହେଁ୤

(୧୦) ଆପଣଙ୍କ ଜୀବନରେ ସାହିତ୍ୟ ସୃଷ୍ଟିର ଅୟମାରମ୍ଭ କେବେ ହେଲା ? କେଉଁ ବୟସରେ ଭାବରେ ବାନ୍ଧି ହୋଇଗଲେ ଆଉ ଗୋଟେ ରଚନାତ୍ମକ ଜୀବନ ବଞ୍ଚିଲେ ?
ଦେଶ ଏବଂ କାଳରେ (Space & Time) ଯେପରି କୌଣସି ପ୍ରାରମ୍ଭ ବିନ୍ଦୁ ନାହିଁ ସେପରି ମୋ ଭିତରେ ବୀଜ ରୂପରେ ଅପ୍ରକଟ ଲେଖକୀୟ ସମ୍ଭାବନା ମଧ୍ୟ କୌଣସି ଏକ ନିର୍ଦ୍ଦିଷ୍ଟ ସମୟରେ ପ୍ରକାଶିତ ହେଲା ବୋଲି ମୁଁ କହିପାରିବି ନାହିଁ୤ ଲେଖକ ବା କଳାକାର ତାଲିମ ଦେଇ ଗଢ଼ାଯାଆନ୍ତି ନାହିଁ୤ ସେମାନେ ଜନ୍ମତଃ ଲେଖକ ଓ କଳାକାର (Writer is never made but born)୤

(୧୧) ଆପଣଙ୍କ ପ୍ରଥମ ସୃଷ୍ଟି ଗଳ୍ପ ନା କବିତା ନା ଉପନ୍ୟାସ ? କେଉଁ ପରିସ୍ଥିତିରେ ଆପଣଙ୍କ ପ୍ରଥମ ସୃଷ୍ଟି ଆତ୍ମପ୍ରକାଶ କଲା ?
ମୋର ସର୍ଜନାର ଆଦିବିନ୍ଦୁ ବୋଧ ହୁଏ କବିତା ଯାହା ଏକ ଫଲ୍‌ଗୁ ଧାର ପରି ମୋ ଜୀବନ ସାରା ପ୍ରବାହିତ ହୋଇ ଚାଲିଛି୤ ମୋ ସାହିତ୍ୟ ସୃଷ୍ଟିର ଛତ୍ରେ ଛତ୍ରେ ମୋ ପ୍ରକାଶ ଭଙ୍ଗୀକୁ ରସସିକ୍ତ କରିଛି୤ କିନ୍ତୁ କବିତା ସଙ୍କଳନ ପ୍ରକାଶିତ ହେଲା ଏଇ ମାତ୍ର କେତେ ବର୍ଷ ପୂର୍ବେ, ସବା ଶେଷରେ୤ ମୋ ରଚନା ସାହିତ୍ୟର ପ୍ରଥମ ଲେଖା ‘ତ୍ରିଶଙ୍କୁର ସ୍ବର୍ଗ’୤ ଏହା ୧୯୬୦/୬୧ ମସିହାରେ ଲିଖିତ ଏବଂ ଝଙ୍କାରରେ ପ୍ରକାଶିତ୤ ମୋର ପ୍ରଥମ ଗଳ୍ପ ‘କେଡ଼ା’ସେଇ ପାଖାପାଖି ଲିଖିତ ଓ ପ୍ରକାଶିତ୤ ମୋର ‘ଯନ୍ତ୍ରାରୂଢ’ ଉପନ୍ୟାସ ୧୯୬୪ରେ ଲିଖିତ ଏବଂ ୧୯୬୭ରେ ପ୍ରକାଶିତ୤ ତା’ର ପ୍ରାୟ ୧୦ ବର୍ଷ ପରେ ‘ଅସୂର୍ଯ୍ୟ ଉପନିବେଶ’ ଏବଂ ସବାଶେଷରେ ‘ନବଜାତକ’୤ ଏ ସଂକ୍ରାନ୍ତରେ ମୁଁ ସୂଚେଇ ଦେବାକୁ ଚାହେଁ ଯେ ଲିଖିତ ଆକାରରେ ପ୍ରକାଶିତ ହେବା ସମୟ ତା’ର ପ୍ରକୃତ ଉନ୍ମେଷ କାଳ ନୁହେଁ୤ ତା’ର ସମ୍ଭବନା ବୀଜ ରୂପରେ ମୋ ଭୂମିରେ ଗର୍ଭିତ ହୋଇ ରହିଥିଲା୤ କାଳକ୍ରମେ ଏହା ଲିଖିତ ଓ ପ୍ରକାଶିତ ହେଲା୤ ତଥ୍ୟ ସଂଗ୍ରହ କରୁଥିବା ଗବେଷକଙ୍କ ପାଇଁ ବର୍ଷ, ମାସ, ଦିନ, ଦଣ୍ଡ ହୁଏତ ଗୁରୁତ୍ବପୂର୍ଣ୍ଣ କିନ୍ତୁ ଲେଖକର ମୌଳିକ ପରିଚୟ ଏ ଦେଶ, କାଳ, ସୀମା ଭିତରେ ନାହିଁ୤ ତାହା ଅନ୍ୟତ୍ର ଓ ଅନୁସନ୍ଧାନ ସାପେକ୍ଷ୤

(୧୨) ଆପଣ ଅନେକ ପୁରସ୍କାର, ଓ ସମ୍ମାନ ପାଇଛନ୍ତି୤ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ସହ ଦୁଇ ଦୁଇ ଥର ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଛନ୍ତି କିନ୍ତୁ ଜ୍ଞାନପୀଠ ପୁରସ୍କାର ନ ମିଳିବାର କାରଣ କ’ଣ ? ଯଦିଓ ଏଥିପାଇଁ ଆପଣ ହକ୍‌ଦାର ବୋଲି ପାଠକ ମନେକରନ୍ତି ? ପୁରସ୍କାର କେବଳ ମାତ୍ର ଗୋଟିଏ ଲବି ନୁହେଁ ତ ?
ବିନୟର ସହିତ ଏ ପ୍ରଶ୍ନର ଉତ୍ତର ଦେବା ଅନାବଶ୍ୟକ ଓ ଅବାଞ୍ଛିତ ବୋଲି ମୁଁ ମନେକରେ୤

(୧୩) ଆପଣ ଓଡ଼ିଆ ସାହିତ୍ୟ ଏକାଡେମୀର ସର୍ବୋଚ୍ଚ ପୁରସ୍କାର ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର ପାଇଛନ୍ତି୤ ଏଇ ପୁରସ୍କାରକୁ ନେଇ ଅତୀତରେ ଅନେକ ବିବାଦ ମୁଣ୍ଡ ଟେକିଛି୤ କ’ଣ କହିବେ ?
ମୋ ଦୃଷ୍ଟିରେ ବିବାଦ ଏକ ନିମ୍ନ ଚେତନା ଓ ନିମ୍ନ ଭୂମିର ବ୍ୟାପାର୤ ଯାହାକୁ ମୁଁ ଆଦୌ ଗୁରୁତ୍ବ ଦେଇ ଶିଖି ନାହିଁ୤ କ୍ଷୁଦ୍ର ଚେତନା ଓ ମିତ ମାନସିକତାକୁ ନେଇ ଏହା ସୃଷ୍ଟି ହୋଇଥାଏ୤ ସେଥିରେ ପ୍ରକୃତ ସାହିତ୍ୟ ସମ୍ପର୍କ କିଛି ନାହିଁ୤ କେବଳ ଏଇ ପୁରସ୍କାରକୁ ନେଇ ନୁହେଁ, ଅନ୍ୟାନ୍ୟ ପୁରସ୍କାର ପାଇଁ ମଧ୍ୟ ଓଡ଼ିଶାରେ ଓ ଓଡ଼ିଶା ବାହାରେ ବହୁବାର ବିବାଦ ଉପୁଜିଛି୤ ସେଗୁଡିକୁ ଗୁରୁତ୍ବ ଦେବାର କୌଣସି ପ୍ରୟୋଜନ ନାହିଁ୤ ସାହିତ୍ୟ ଏକାଡେମୀର ଏହା ଶ୍ରେଷ୍ଠ ସମ୍ମାନ ବୋଲି ମୁଁ ଏହାକୁ ଗ୍ରହଣ କରୁଛି ସେ କଥା ନୁହେଁ, ଜଣେ ଅଗ୍ରପୂଜ୍ୟ ସନ୍ଥକବିଙ୍କ ନାମରେ ନାମିତ ହୋଇ ଥିବାରୁ ତଦାପେକ୍ଷା ଅଧିକ ବରଣୀୟ ଓ ସ୍ବୀକାର୍ଯ୍ୟ୤ ମୁଁ ତାକୁ ସବିନୟ ଗ୍ରହଣ କରୁଛି ଏବଂ ଗୌରାବନ୍ବିତ ମନେ କରୁଛି୤

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 

ମତାମତ ସଂଖ୍ୟା - ୨ ଆପଣଙ୍କ ମତାମତ ?

  • ୧. ଡକ୍ଟର ରବିନରୟଣ ମହାରଣା, କଟକ (ଓଡିଶା) |  ଅଗଷ୍ଟ୍ ୩, ୨୦୧୩ - ୧୦:୫୬ ପୂର୍ବାହ୍ନ

    ପ୍ରଖ୍ୟାତ ସାହିତ୍ୟ ସ୍ରଷ୍ଟା ଚନ୍ଦ୍ରଶେଖର ରଥଙ୍କ ସହିତ ସାକ୍ଷାତକାରଟି ଖୁବ୍ ମନଛୁଆଁ ହୋଇପାରିଛି୤ ବିଶେଷ କରି ପୁରସ୍କାରକୁ ନେଇ ତାଙ୍କର ମନ୍ତବ୍ୟଟି ଅତ୍ୟନ୍ତ ଚମତ୍କାର୤ ଅତିବଡୀ ପୁରସ୍କାର ପଇଁ ତାଙ୍କୁ ଅନେକ ଅନେକ ଅଭିନନ୍ଦନ୤

  • ୨. ଜ୍ଞାନରଞ୍ଜନ ସ୍ୱାଇଁ, ରାୟପୁର (ଛତିଶଗଡ) |  ଅଗଷ୍ଟ୍ ୩୦, ୨୦୧୩ - ୯:୦୪ ଅପରାହ୍ନ

    ସାକ୍ଷାତକାରଟି ବହୁତ ଭଲ ଲାଗିଲା୤ ଧନ୍ୟବାଦ୤

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤